ରାମ ଜନ୍ମଭୂମି ବାବରୀ ମସ୍ଜିଦ୍

Bauribandhu Lenka

Bauribandhu Lenka

16 March 2018 · 2 min read

ଉପକ୍ରମ:
ରାମ ଜନ୍ମଭୂମି ଓ ବାବରୀ ମସ୍ଜିଦ୍ ସମସ୍ୟା ଧର୍ମ ଓ ସଂସ୍କୃତି ସମ୍ବନ୍ଧିତ ହୋଇଥିଲେ ସୁଦ୍ଧା ଏହାକୁ ଏକ ରାଜନୈତିକ ବିଷୟ ରୂପେ ବିଗତ ବର୍ଷ ମାନଙ୍କରେ ବ୍ୟବହାର କରାଯାଇଆସୁଅଛି। ଏହାକୁ ଭୋଟ ବ୍ୟାଙ୍କ୍ ର ଅସ୍ତ୍ର ରୂପେ ପ୍ରୟୋଗ କରି ଦେଶରେ ହିନ୍ଦୁ ଓ ମୁସଲମାନ୍ ସଂପ୍ରଦାୟ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଅଛି। ଏହା ଦ୍ୱାରା ଦେଶରେ ବାସ କରୁଥିବା ବିଭିନ୍ନ ଧର୍ମର ଲୋକମାନଙ୍କର ଶାନ୍ତି ସହାବସ୍ଥାନରେ ବ୍ୟାଘାତ ସୃଷ୍ଟି ହେଉଅଛି। ଯେ ପର୍ଯ୍ୟନ୍ତ ଏହି ସମସ୍ୟାର ଏକ ଶାନ୍ତି ପୂର୍ଣ୍ଣ ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଏହା ଭୋଟ ବ୍ୟାଙ୍କର ଅସ୍ତ୍ର ରୂପେ ବ୍ୟବହୃତ ହୋଇ ଚାଲିଥିବ ଏଥିରେ ସନ୍ଦେହର ଅବକାଶ ନାହିଁ। ବାବରୀ ମସ୍ଜିଦ୍ ୧୯୯୨ ମସିହା ଡିସେମ୍ବର ୬ ତାରିଖରୁ ମାଟିରେ ମିଶି ସାରିଅଛି। ସେହି ସ୍ଥାନରେ ଭଗବାନ ରାମଙ୍କର ମୂର୍ତ୍ତି ନିରବିଛିନ୍ନ ଭାବେ ପୂଜା ପାଇ ଆସୁଛନ୍ତି। ଭଗବାନ ରାମଙ୍କର ମୂ୍ର୍ତ୍ତିକୁ ସେ ସ୍ଥାନରୁ ସ୍ଥାନାନ୍ତର କରି ବାବରୀ ମସ୍ଜିଦର ସେହି ସ୍ଥାନରେ ପୁନଃ ନିର୍ମାଣ କରିବା ସମ୍ଭବ ନୁହେଁ ଏ କଥା ହମସ୍ତେ ହୃଦୟଙ୍ଗମ କରୁଥିବେ। ଏହି ଦୃଷ୍ଟିରୁ ଦେଶର ମୁସଲମାନ୍ ସଂପ୍ରଦାୟ ମୁଷ୍ଟିମେୟ ମୌଳବାଦୀ ମୁସଲମାନ୍ ନେତାମାନଙ୍କର ପ୍ରରୋଚନାରେ ନପଡି ଏକ ମହତ ଉଦ୍ଦେଶ୍ୟରେ ଯଦି ବହୁ ସଂଖ୍ୟକ ହିନ୍ଦୁ ମାନଙ୍କୁ ସେହି ସ୍ଥାନ ହସ୍ତାନ୍ତର କରିବାକୁ ରାଜି ହୁଅନ୍ତେ ଏଥିରେ ସେମାନଙ୍କର ମହାନତା ପ୍ରତିପାଦିତ ହୁଅନ୍ତା ଓ ତା ସହିତ ଦେଶ ଏକ ବଡ ସମସ୍ୟାରୁ ରକ୍ଷା ପାଇ ପାରନ୍ତା। ଏତଦ୍ ବ୍ୟତୀତ ରାଜନୈତିକ ନେତା ମାନଙ୍କର ଏହି ସମସ୍ୟାକୁ ଭୋଟ ବ୍ୟାଙ୍କ୍ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ସୁଯୋଗ ପାଆନ୍ତେ ନାହିଁ। ଏହି ପରିପ୍ରେକ୍ଷୀରେ ରଚିତ ନିମ୍ନ ପ୍ରଦତ୍ତ କବିତା ପ୍ରଣିଧାନ ଯୋଗ୍ୟ।
ରାମ ଜନ୍ମଭୂମି ବାବରୀ ମସ୍ଜିଦ୍
=================
ରାମରାଜ୍ୟ କଥା କହି କହି ଗାନ୍ଧି
ହୋଇଗଲେ ମହାନାୟକ।
ଏବେ ରାମ ନାମ ଧରୁଛି ଯିଏ ସେ
ହେଉଛି ସାଂପ୍ରଦାୟିକ॥

ରାମ ଜନ୍ମ ହୋଇଥିଲେ ଅଯୋଧ୍ୟାରେ
ଏ କଥା କି ନୁହେଁ ସ୍ପଷ୍ଟ ?
ରାମଙ୍କ ମନ୍ଦିର ଅଯୋଧ୍ୟାରେ ହେଲେ
କାହାର ହେବ ଅନିଷ୍ଟ ?

ନାହିଁ ଏବେ ଆଉ ବାବରୀ ମସ୍ଜିଦ
ଯାଇଛି ମାଟିରେ ମିଶି ।
ରାମଲାଲା ଆଜି ପାଉଛନ୍ତି ପୁଜା
ସେହି ସ୍ଥାନ ପରେ ବସି ॥

କେହି କେବେ କଣ ରାମଲାଲାଙ୍କୁ ସେ
ସ୍ଥାନୁ ହଟାଇ ପାରିବ ?
ନ ହଟିବ ଯଦି ମନ୍ଦିରଟି ହେଲେ
ଅସୁବିଧା କଣ ହେବ ?

ହିନ୍ଦୁ ବହୁଳ ରାଷ୍ଟ୍ରେ ଯଦି ହିନ୍ଦୁ
ଆସ୍ଥା ପାଏନା ସମ୍ମାନ ।
ବିଶାଳ ଏ ଦେଶେ ଅନେକ ଧର୍ମ
ମିଶିବ କିପରି ମନ?

ମର୍ଯ୍ୟାଦା ପୁରୁଷୋତ୍ତମ ସେ ଶ୍ରୀରାମ
ପ୍ରତୀକ ଏ ସଂସ୍କୃତିର ।
ଧର୍ମ ମତ ନିର୍ବିଶେଷରେ କରନ୍ତୁ
ସର୍ବେ ତାଙ୍କର ଆଦର॥
***

  Never miss a story from us, get weekly updates in your inbox.