Image

(ଅନ୍ଧ)ବିଶ୍ବାସ ଓ (ଅ)ବିଜ୍ଞାନ

--------------------

ପ୍ରକାଶ ରଂଜନ ପରିଡ଼ା 

କୌଣସି କଥାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଅନ୍ଧ ଭାବରେ ବିଶ୍ବାସ କରାଯାଉଥିବା ବିଧିବିଧାନକୁ ଆମେ ଅନ୍ଧବିଶ୍ବାସ କହିଥାଉ, କିନ୍ତୁ ବିନା ପ୍ରମାଣରେ ଅନ୍ଧ ଭାବରେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ବିଶ୍ବାସକୁ ଅନ୍ଧବିଶ୍ବାସ ଆଖ୍ୟା ଦେଉଥିବା ବସ୍ତୁବାଦୀ ଜ୍ଞାନ, ବିଜ୍ଞାନ ପଦବାଚ୍ୟ ହେବ କହ କିପରି ? ଯେଉଁ  ବିଧିବିଧାନ ବା ବ୍ୟବସ୍ଥାକୁ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ବିଚାର କରିବା ପରେ ଆମେ ଗ୍ରହଣ କରିଥାନ୍ତି ତା’କୁ ଅନ୍ଧବିଶ୍ବାସ କହିପାରିବା କି ? ଭୂତ, ପ୍ରେତର ପ୍ରାଦୂର୍ଭାବକୁ ବନ୍ଦ କରିବା ପାଇଁ ହେଉ କି ବିଷକ୍ଷୟ ପାଇଁ କିମ୍ବା କୌଣସି ରୋଗରୁ ମୁକ୍ତି ପାଇଁ ଆମ ସମାଜରେ ପ୍ରଚଳିତ କେତେକ ବୈଦିକ ନିବାରଣ ଓ ଚିକିତ୍ସା ପଦ୍ଧତିକୁ ଆଜି ଆମେ ଅନ୍ଧବିଶ୍ବାସର ଆଖ୍ୟା ଦେଇ ସାରିଛନ୍ତି । ଯଦିଓ ବିନା ପ୍ରମାଣରେ ବିଜ୍ଞାନ କୌଣସି ନିଷ୍ପତ୍ତିକୁ ଗ୍ରହଣ କରିନଥାଏ କିନ୍ତୁ ଏକ୍ଷେତ୍ରରେ ବିନା ପ୍ରମାଣରେ ଏସବୁ ପୂରାତନ ବିଧିବିଧାନକୁ ମୌଖିକ ଅସିଦ୍ଧ ଘୋଷଣା କରାଯାଇଛି । 

ମଣିଷଠାରୁ ଜୀବନ ଛଡ଼ାଇନେବା ସହଜ କିନ୍ତୁ ମଣିଷଠାରୁ ବିଶ୍ବାସକୁ ଛଡ଼ାଇନେବା କେବଳ ଅସହଜ ନୁହେଁ ଅସମ୍ଭବ । ଏବେବି ଭୂତ, ପ୍ରେତ ପ୍ରଭାବଶୂନ୍ୟ, ବୈଦଙ୍କ ଚିକିତ୍ସା ତୃଟିଯୁକ୍ତ କିମ୍ବା ଗୁଣି-ଗାରେଡ଼ି, ମନ୍ତ୍ର-ଯନ୍ତ୍ର-ତନ୍ତ୍ର ବିଦ୍ୟା ସମ୍ପୂର୍ଣ୍ଣ ମିଥ୍ୟା ଧାରଣା, ବାସ୍ତୁଶାସ୍ତ୍ର ଗୁରୁତ୍ବହୀନ ବୋଲି ବିଜ୍ଞାନ ପ୍ରମାଣ କରିପାରିଛି କି ? ଏବେବି ସମାଜରେ ଏହି ପ୍ରକାର ପ୍ରାଚୀନ ଜ୍ଞାନ ପ୍ରତି ଆସ୍ଥା ଓ ସମ୍ମାନ ରହିଛି । ସରକାରୀ ସ୍ତରରେ ଯଥେଷ୍ଟ ସଚେତନତା ଅଭିଯାନର ପ୍ରଚାର ପରେ ବି ଲୋକମାନେ ବୈଦିକ ବ୍ୟବସ୍ଥାକୁ ଆପାଣାଉଛନ୍ତି । ଏପରିକି ଏହାକୁ ବିଶ୍ବାସ କରୁଥିବା ଲୋକମାନେ ଅଶିକ୍ଷିତ କିମ୍ବା ଅଜ୍ଞାନୀ ନୁହଁନ୍ତି । ଯେଉଁ ସମସ୍ୟାକୁ ବିଜ୍ଞାନର ସୁତ୍ର ସମାଧାନ କରିବାକୁ ଅସମର୍ଥ ସେହିପରି ସମସ୍ୟାର ସମାଧାନ ପାଇଁ ଲୋକମାନେ ତଥାକଥିତ (ଅନ୍ଧ)ବିଶ୍ବାସକୁ ଆପଣାଉଛନ୍ତି ଏବଂ ତାଙ୍କର ସମସ୍ୟାର ସମାଧାନ ମଧ୍ୟ ହେଉଛି । ସ୍ବାସ୍ଥ୍ୟସେବାରୁ ବଂଚିତ ଲୋକମାନେ ବୈଦଙ୍କ ଚେରମୂଳୀ ବା ଜଡ଼ିବୁଟ୍ଟି ଚିକିତ୍ସାକୁ ଗ୍ରହଣ କରୁଛନ୍ତି ଅଥଚ ଏହାକୁ କେବଳ କାକତାଳୀୟ ବା ସଂଯୋଗ କହି ତଥାକଥିକ ଜ୍ଞାନୀଗୋଷ୍ଠୀ ଟାଳି ଦେଉଛନ୍ତି ସିନା ଏହା ସମ୍ପୂର୍ଣ୍ଣ ମିଥ୍ୟା ଉପଚାର ବୋଲି ପ୍ରମାଣ ସିଦ୍ଧ କରିପାରୁନାହାଁନ୍ତି । 

ବିଶ୍ବାସ ଓ ଅନ୍ଧବିଶ୍ବାସ ମଝିରେ ଥିବା ଦୂରତାକୁ କଳିନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ  ନାହିଁ । ଉକ୍ତିକୁ ପ୍ରାଞ୍ଜଳ କରିବା ପାଇଁ କେତୋଟି ଉଦାହରଣ ଦେବାକୁ ଉଚିତ ମନେ କରୁଛି । ରାସ୍ତାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି । ବନ୍ଦ ଘର ଭିତରେ ଚୌକି ହଲୁଛି । ନିର୍ଜନ ରାତିରେ କାହାର ଚିତ୍କାର ଶୁଣାଯାଉଛି । ଜଣେ ବ୍ୟକ୍ତି ତାଙ୍କର ନବ ନିର୍ମିତ କୋଠାଘରେ ରାତ୍ରୀଯାପନ ସମୟରେ ବିଭିନ୍ନ ଅସ୍ବାଭାବିକ ସ୍ଥିତିର ସାମ୍ନା କରୁଛନ୍ତି । ଶୟନକାଳରେ ନିୟମିତ ଦୁଃସ୍ବପ୍ନର ଶିକାର ହେଉଛନ୍ତି । ଘରର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ କେହି ଜଣେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଅନୁଭବ ହେଉଛି । ଶରୀରରେ କୌଣସି ରୋଗ ନଥିଲେ ବି ବ୍ୟକ୍ତି ଜଣକ ଅସହ୍ୟ ଯନ୍ତ୍ରଣା ପାଉଛି । ବାରମ୍ବାର ଘଟୁଥିବା ଏହି କ୍ରିୟା ଗୁଡ଼ିକର ପ୍ରଭାବରେ ଜଣେ ସୁସ୍ଥ  ମଣିଷ ଶାରୀରିକ ଭାବରେ ଦୁର୍ବଳ ହେବା ସହ ରୋଗରେ ପଡୁଛି । ପ୍ରଚଳିତ ସ୍ବାସ୍ଥ୍ୟ ବିଜ୍ଞାନ ତାକୁ ସୁସ୍ଥ କରିବାରେ ଅସମର୍ଥ ହେଉଛି । ତା’ର ବୟାନକୁ କେବଳ ଚିନ୍ତା ଓ ଭାବନାର ପ୍ରତିକ୍ରିୟା ବୋଲି ଯୁକ୍ତି ବାଢୁଛି ।  ଭୂତ, ପ୍ରେତକୁ ଅବିଶ୍ବାସ ଓ ମନର ଭାବନା କହୁଥିବା ଜଣେ ସଭ୍ୟ, ଶିକ୍ଷିତ ମଣିଷ ନିଜେ ଏପରି ଅସ୍ବାଭାବିକ ସ୍ଥିତିକୁ ସାମ୍ନା କରିବା ପରେ ଚିକିତ୍ସା ବିଜ୍ଞାନୀ ନୁହେଁ ଗୁପ୍ତରେ ବୈଦିକ ବିଧିବିଧାନର ସନ୍ଧାନ କରୁଛି । ଏହାକୁ ଉପଯୋଗ କରୁଛି, ମୁକ୍ତି ପାଉଛି, ନିଜକୁ ସୁରକ୍ଷିତ ମଣୁଛି, ସମାନ ସମସ୍ୟା ଭୋଗୁଥିବା ଅନ୍ୟମାନଙ୍କୁ ଏହି ପଦ୍ଧତିରେ ପ୍ରତିକାର କରିବା ପାଇଁ ପ୍ରବର୍ତ୍ତାଉଛି ।  କିନ୍ତୁ ଅସିଦ୍ଧ ଘୋଷିତ ଏପରି ଜ୍ଞାନକୁ ମୁଣ୍ଡିଆ ମାରି ନିଜ ବିଶ୍ବାସକୁ ଦୃଢ଼ କରିବା ପରେ ବି ଏହି ଗୁପ୍ତ ଜ୍ଞାନ ସପକ୍ଷରେ ମୁହଁ ଖୋଲୁନାହିଁ । ଏପରି ଜ୍ଞାନକୁ ଆୟତ କରିଥିବା ତଥାକଥିତ ତାନ୍ତ୍ରିକ, ସାଧକ, ଗୁଣିଆଙ୍କୁ ସମାଜର ଗୋଟିଏ ବର୍ଗର ଲୋକେ ସମ୍ମାନ ପ୍ରଦର୍ଶନ କରୁଥିବାବେଳେ ଅନ୍ୟମାନେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଅନେକ ସ୍ଥାନରେ ସେମାନଙ୍କୁ ଭଣ୍ଡ, ବାନାର ଆଖ୍ୟା ଦିଆଯାଉଛି । ଏପରିକି ଲୋକମାନେ ମିଳିତ ଭାବରେ ସେମାନଙ୍କ ଉପରେ ଆକ୍ରମଣ କରିବାର ଏନେକ ନଜିର ରହିଛି । ଏହା ପଛରେ ବି ରହିଛି ଏକପ୍ରକାର ବିଶ୍ବାସ । ସେମାନଙ୍କ ତନ୍ତ୍ର-ମନ୍ତ୍ର-ଯନ୍ତ୍ର ବିଦ୍ୟା ସାଧାରଣରେ ଅପକାର ସାଧିତ କରୁଥିବା ପ୍ରଚାର କରାଯାଉଛି ।

ତେବେ କେଉଁ ବିଜ୍ଞାନର ତଥ୍ୟ ବା ସୁତ୍ର ଅନୁଯାୟୀ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି, ପ୍ରେତକୁ ଶାନ୍ତ କରିବା ପାଇଁ ଘରେ ମନ୍ତ୍ର-ତନ୍ତ୍ର-ଯନ୍ତ୍ର ଉପଚାର କରାଯାଉଛି । ଶରୀରରୁ ବିଷର ପ୍ରଭାବ ହ୍ରାସ ପାଇଁ ବିନା ମାଧ୍ୟମରେ ଓଜନିଆ କଂସା ବାସନଟିଏ ପିଠିରେ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହୁଛି ? ସର୍ପ ଦଂଶନର ଶିକାର ହୋଇଥିବା ମଣିଷଟି ଗୁଣିଆ ଚିକିତ୍ସା ପରେ ସୁସ୍ଥ ହେଉଛି କିପରି ? ଚୋର ଧରିବା ପାଇଁ ଏକ ଦଉଡ଼ିଆ ଖଟ ଚାରି ଜଣ ମଣିଷଙ୍କୁ ଆଗକୁ ଟାଣି ନେଉଛି କିପରି ? ଏସବୁ ଅଲୌକିକ, ଅତିନ୍ଦ୍ରିୟ, ଅତିଭୌତିକ କ୍ରିୟାର ଅତିରଂଜିତ ରୂପ ନୁହେଁ, ଆମ ସମାଜରେ ଘଟୁଥିବା ସାଧାରଣ ଘଟଣା । ସେତେବେଳେ ବିଜ୍ଞାନର ମୁହଁ ବନ୍ଦ କାହିଁକି ?  ଏହି ଜ୍ଞାନକୁ ଅନ୍ଧବିଶ୍ବାସ ଭାବରେ ଚିତ୍ରଣ କରୁଥିବା ବିଜ୍ଞାନ ଏପରି କାର୍ଯ୍ୟକୁ ଭୁଲ ପ୍ରମାଣିତ କରୁନି କାହିଁକି ?   

ଯଦିଓ ନିର୍ଦ୍ଦିଷ୍ଟ କିଛି ପୂରାତନ ବିଧିବିଧାନକୁ ଅନ୍ଧବିଶ୍ବାସ ଭାବରେ ଚିତ୍ରଣ କରାଯାଉଛି । ଯେପରିକି ଭୂତ, ପ୍ରେତଙ୍କ କବଳରୁ ମୁକ୍ତି ପାଇଁ କରାଯାଉଥିବା ପୂଜାର୍ଚ୍ଚନା, ଶରୀରରୁ ବିଷକ୍ଷୟ ପାଇଁ ପ୍ରଯୋଗ କରାଯାଉଥିବା ମନ୍ତ୍ର ବା ଗାରେଡ଼ି ଉପଚାର । କିନ୍ତୁ ଏବେବି ସମାଜରେ ସେହି ବୈଦିକ ରୀତିନୀତି ଆଧାରରେ ଚଳିଆସିଥିବା ଅନେକ କ୍ରିୟାଗୁଡ଼ିକୁ ପୂର୍ଣ୍ଣ ବିରୋଧ କରାଯାଇନାହିଁ । ଅନ୍ତେଷ୍ଟିକ୍ରିୟା, ଶ୍ରାଦ୍ଧ, ଯଜ୍ଞ, ତପ, ପୂଜାର୍ଚ୍ଚନା ଆଦି କ୍ରିୟାକୁ ମାନବିକ ବିଶ୍ବାସ ଭାବରେ ଗ୍ରହଣ କରାଯାଉଛି । ଯେଉଁ ବିଶ୍ବାସକୁ ସମାଜର ସବୁ ବର୍ଗର ଲୋକେ ଗ୍ରହଣ କରୁଛନ୍ତି । ଯଦିଓ ଏସବୁକୁ ଗ୍ରହଣ କରିବା ପଛରେ କୌଣସି ବୈଜ୍ଞାନିକ ଯୁକ୍ତି ନାହିଁ । କିନ୍ତୁ ଅନ୍ୟପଟେ ଧାର୍ମିକବିଶ୍ବାସ, ଆଧ୍ୟାତ୍ମିକ ଜ୍ଞାନ, ପୂଜାପାଠ ମଣିଷ ମନରେ ସକରାତ୍ମକ ଭାବନା ସୃଷ୍ଟି କରୁଥିବା ସ୍ବୀକାର କରୁଛି ବିଜ୍ଞାନ ।    

ଯେଉଁ ବିଦ୍ୟା ବା ଜ୍ଞାନର ବ୍ୟବହାର ଯୋଗୁ ସମାଜର ହିତସାଧନ ହେଉଛି, ଲୋକମାନେ ଉପକୃତ ହେଉଛନ୍ତି ସେପରି ଜ୍ଞାନକୁ ଅନ୍ଧବିଶ୍ବାସ କହି ଆଡେଇ ଦେବା ବିଜ୍ଞାନର ଧର୍ମ ନୁହେଁ । ଏହା ପଛରେ ଥିବା ଅନ୍ତନିର୍ହତ ଜ୍ଞାନର ତର୍ଜମା, କ୍ରିୟା-ପ୍ରତିକ୍ରିୟାର ଅନୁଧ୍ୟାନ କରି ଏହା ପ୍ରକୃତରେ ବିଶ୍ବାସ କିମ୍ବା ଅନ୍ଧବିଶ୍ବସ ତାହା ସାର୍ବଜନୀନ କରାଯିବା ଉଚିତ । ଯଦି ଏହି ବୈଦିକ ଜ୍ଞାନର ପ୍ରୟୋଗ ସମାଜ ପାଇଁ ମଙ୍ଗଳକର ତେବେ ଏହାକୁ ଗ୍ରହଣ କରିନେବା ସହ ସ୍ବୀକୃତି ମିଳିବା ଆବଶ୍ୟକ । ଅନ୍ଧବିଶ୍ବାସ ଘୋଷିତ କୌଣସି କ୍ରିୟାର ଉପଯୋଗ କରି ଯଦି ଜଣେ ମଣିଷ ଆରୋଗ୍ୟ ହୋଇପାରେ, ସମସ୍ୟାରୁ ମୁକ୍ତି ପାଇପାରେ ସେ ବ୍ୟକ୍ତି ଏହାକୁ ଅନ୍ଧବିଶ୍ବାସ ଭାବରେ କିପରି ଗ୍ରହଣ କରିବ ? 

ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, ଏ ପ୍ରକାର ଅନ୍ଧବିଶ୍ବାସର ମୁଁ ଅନ୍ଧବିଶ୍ବାସୀ ନୁହେଁ କି  ସପକ୍ଷବାଦୀ ନୁହେଁ । କିନ୍ତୁ ମନରେ ରହୁଥିବା ସଂଶୟକୁ ଦୂର କରିବା ପାଇଁ ଏହା କେବଳ ପ୍ରୟାସ ମାତ୍ର । ବୈଦିକ ଯୁଗରୁ ଚାଲିଆସିଥିବା ଅନେକ ପ୍ରଥା, ପରମ୍ପରାକୁ ଆଜି ବିଜ୍ଞାନ ସିଦ୍ଧ ବୋଲି ଗ୍ରହଣ କରାଯାଉଛି । ସାଧାରଣ ଦୃଷ୍ଟିରେ ହଜାର ବର୍ଷ ପୂର୍ବେ ବିଜ୍ଞାନର ଅଗ୍ରଗତି ହୋଇନଥିଲା କିନ୍ତୁ ଆଜି ଆମେ ବିଜ୍ଞାନର ଉପଯୋଗ ସତ୍ତ୍ବେ ଯେଉଁ କାର୍ଯ୍ୟ କରିବାକୁ ଅକ୍ଷମ, ସେତେବେଳେ ତାହା ସକ୍ଷମ ହୋଇଥିଲା କିପରି ? ଆଜିର ଉଦ୍ଭାବନ, ଆବିଷ୍କାର ପୂରାତନ ଆଧାର ସହ ମେଳ ଖାଉଛି କିପରି ? ହଜାର ହଜାର ବର୍ଷ ପରେ କେବଳ ସ୍ମାରକୀ ଦେଖି ଆଜି ଆମେ ଆଚମ୍ବିତ ହେଉଛନ୍ତି । ପୂରାତନ ଭାରତୀୟ ସଂସ୍କୃତି, ସିନ୍ଧୁ ସଭ୍ୟତା, ମିଶର ସଭ୍ୟତା, ମହେଞ୍ଜୋଦାରୋ ସଭ୍ୟତା ଏହାର ମୁକସାକ୍ଷୀ । ସେହିପରି ଚିକିତ୍ସା ବିଜ୍ଞାନରେ ଆଜି ବି ଚରକ ସଂହିତା ଓ ଶୁଶ୍ରୁତ ସଂହିତାର ଅବଦାନ ଅତୁଳନୀୟ ।  ଯାହାକୁ  ଅଣଦେଖା କଲେ ମଧ୍ୟ ସମୟକ୍ରମେ ତାହା ଅନ୍ଧବିଶ୍ବାସ ଉପରେ ଆଧାରିତ ନୁହେଁ ବୋଲି ଆମେ ନିଶ୍ଚିତ ହୋଇଛନ୍ତି । କିନ୍ତୁ ଏଯାଏ ମନ୍ତ୍ର ଶକ୍ତିକୁ ଆମେ ଗ୍ରହଣ କରିପାରିନାହାନ୍ତି ।  ଯଦିଓ ଆମ ସମାଜରେ ଏହା ଓତଃପ୍ରତଃ ଭାବରେ ଜଡ଼ିତ ରହିଛି । ଯେକୌଣସି ପୂଜା, ପାର୍ବଣରେ ମୃଣ୍ମୟୀ ମୂର୍ତ୍ତି ଆଗରେ ବ୍ରାହ୍ମଣଙ୍କ ଆଦିଭାଷାରେ ମନ୍ତ୍ରପାଠ ଆମକୁ ସାଧାରଣ ଦୃଦବୋଧ ହେଉଛି କିନ୍ତୁ ଦୁଷ୍ଟଶକ୍ତିକୁ ପ୍ରତିହତ କରିବା ପାଇଁ ମନ୍ତ୍ରପାଠ ଆମକୁ ଆଶ୍ଚର୍ଯ୍ୟଚକିତ କରୁଛି । ଏହା ହୁଏତ ଆମର ଅଜ୍ଞାନତା ହୋଇପାରେ । ତେଣୁ ମନ୍ତ୍ର-ତନ୍ତ୍ର-ଯନ୍ତ୍ର ବିଦ୍ୟାର ବୈଜ୍ଞାନିକ ପଦ୍ଧତିରେ ଅନୁଶୀଳନ ଓ ଗବେଷଣା ହେବା ସମୀଚୀନ ନୁହେଁକି ?  

----------------------------------------------------------------

                ‘ନିଶିପ୍ରଦୀପ’, କଏଳପାଳ, ବାତୋ, କେନ୍ଦୁଝର

                Mob: +919438080583

                email: litp.ranjan@gmail.com