Image

*ଅନ୍ତର୍ଜାତୀୟ ବିବାହ*
ସମାଜରେ ଜାତିଗତ ବିଷମତା ଦୂର କରିବା ପାଇଁ ଅନ୍ତର୍ଜାତୀୟ ବିବାହ ଏକ ଉପାୟ ହୋଇଥିଲେ ମଧ୍ୟ, ଏହା ଏକ ଫଳପ୍ରଦ ଉପାୟ ନୁହେଁ। କାରଣ ବିବାହ ପରେ ଝିଅଟି ଯେଉଁ ଜାତିର ହେଉନା କାହିଁକି ସେ ପୁଅଟିର ଜାତିରେ ମିଶିଯାଏ। ଏକ ସର୍ଭେ ଅନୁସାରେ ଭାରତରେ କେବଳ 5 ପ୍ରତିଶତ ବିବାହ ଆନ୍ତର୍ଜାତୀୟ ବିବାହ ଅଟେ। ଅନ୍ତର୍ଜାତୀୟ ବିବାହ ପାଇଁ ସରକାର କିଛି ପ୍ରତ୍ସାହନ ରାଶି ମଧ୍ୟ ଦେଇଥାଏ। କିନ୍ତୁ ତାହା କେବଳ ସାଧାରଣବର୍ଗ ଓ ତଫସିଲଭୁକ୍ତ ଜାତି ଭିତରେ ବିବାହ ପାଇଁ, କିନ୍ତୁ ସାଧାରଣବର୍ଗ ଓ ତଫସିଲଭୁକ୍ତ ଜନଜାତି ପାଇଁ ଉଦ୍ଦିଷ୍ଟ ନୁହେଁ। ସରକାର ସାଧାରଣବର୍ଗ ଓ ତଫସିଲଭୁକ୍ତ ଜନଜାତି ମଧ୍ୟରେ ବିବାହ ପାଇଁ କଣ ପାଇଁ ଆଗ୍ରହୀ ନୁହେଁ ତାହା ଅନ୍ୟ ଏକ ପ୍ରସଙ୍ଗ।
ଅନ୍ତର୍ଜାତୀୟ ବିବାହ କରିବାକୁ ଯାଉଥିବା ପୁଅ ଝିଅମାନେ ନିଜ ନିଜର ପରିବାର ତରଫରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କେବେ କେମିତି ସେମାନଙ୍କ ଜୀବନ ପାଇଁ ମଧ୍ୟ ବିପଦ ଥାଏ। ପୁଅମାନଙ୍କ ତୁଳନାରେ ଝିଅମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯେପରିକି, ପାଠପଢା ଅଧାରୁ ବନ୍ଦ ହୋଇଯିବା, ଗୃହବନ୍ଦୀ, ମାରପିଟି, ଜବରଦସ୍ତି ବିବାହ ଇତ୍ୟାଦି। ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ପୁଅଝିଅ ମାନଙ୍କୁ ମୁଁ ମୋ ନିଜ ଅନୁଭୂତି ଅନୁସାରେ କିଛି ସମାଧାନର ବାଟ ଦେଇପାରେ। ମୋ ବୁଝିବା ଅନୁସାରେ ଅନ୍ତର୍ଜାତୀୟ ବିବାହ ଦୁଇ ପ୍ରକାର ହୋଇଥାଏ। ପ୍ରଥମଟି ଅନ୍ୟ ଜାତିର ପୁଅ କି ଝିଅକୁ ପସନ୍ଦ କରି ବିବାହ କରିବା, ଦୁତୀୟଟି ହେଉଛି ପସନ୍ଦ ସହ ଜାତିଗତ ଭାବନାହୀନ (ହେତୁବାଦୀ) ହୋଇ ବିବାହ କରିବା। ପ୍ରଥମଟିରେ ପୁଅ ବା ଝିଅଙ୍କର ନିଜ ପସନ୍ଦ ସପକ୍ଷରେ ପରିବାରବର୍ଗଙ୍କ ସାମ୍ନାରେ କହିବାକୁ ଯଥେଷ୍ଟ ଯୁକ୍ତି ନଥାଏ, କାରଣ ସେମାନେ ଜାତିବାଦୀ ହୋଇଥାନ୍ତି। ଯଦି ଦୁଇ ପକ୍ଷରୁ ବିରୋଧ ଆସେ ତେବେ ବିଛେଦ ହେବା ବା ପରିବାର ବିରୋଧରେ ଯାଇ ବିବାହ କରିବା ହିଁ option ଥାଏ। କିନ୍ତୁ ବିବାହର କିଛି ଦିନ ପରେ ଜାତିବାଦୀ ହୋଇଥିବାରୁ ଅନେକେ ନିଜ ଜାତି ପାଇଁ ଅନୁତାପ କରିବାର ଉଦାହରଣ ଅଛି। କିନ୍ତୁ ଜଣେ ହେତୁବାଦୀ ହିସାବରେ ବିବାହ ପାଇଁ ପରିବାର ଆଗରେ ଯୁକ୍ତିସଂଗତ କଥା ରଖିବା ସହଜ ହୋଇଯାଏ, ତା ସହ ଜାତିଗତ ଭାବନା ନଥିବା ହେତୁ ବିବାହ ପରେ ଜାତି ପାଇଁ ଅନୁତାପ କରିବାର ପ୍ରଶ୍ନ ହିଁ ନଥାଏ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆତ୍ମନିର୍ଭରଶୀଳ ହେଲେ ପରିବାରବର୍ଗଙ୍କ ଆଗରେ ନିଜ ଯୁକ୍ତି ଦୃଢ଼ତାର ସହ ରଖି ହୁଏ। ସେମାନେ ତୁମ ଯୁକ୍ତି ଶୁଣିବାକୁ ମଧ୍ୟ ବାଧ୍ୟ ହୁଅନ୍ତି। ତେଣୁ ଅନ୍ତର୍ଜାତୀୟ ବିବାହ ପୂର୍ବରୁ ଦୁଇଜଣଙ୍କ ମଧ୍ୟରୁ ଅନ୍ତତଃ ଜଣକଙ୍କର ଚାକିରୀ ରହିଥିବା ଉଚିତ। ତା ସହ ଏହି ପରି ବିବାହର ସଫଳତା ପାଇଁ ଝିଅମାନଙ୍କର ସମାଜ ବିପକ୍ଷରେ ଯିବାର ମନୋବଳ ଓ ଦୃଢ଼ତା ବେଶୀ ଆବଶ୍ୟକ। ଏହି ପରି ସମ୍ପର୍କରେ ସେତେବେଳେ ବିଛେଦ ଆସେ ଯେତେବେଳେ ପୁଅ କି ଝିଅ କେହି ଦୁର୍ବଳ ପଡ଼ିଯାଏ। ବିଶେଷ କରି ଝିଅ। ଯେଉଁ ଯାଏଁ ପୁଅ କି ଝିଅ ନିଜ ନିଷ୍ପତ୍ତିରେ ପର୍ବତ ପରି ଅଟଳ ଥିବେ, ଏହି ବିବାହକୁ ଦୁଇଟି ମଣିଷ ଭିତରେ ବିବାହ ପରି ସହଜତାର ସହ ଗ୍ରହଣ କରିଥିବେ, ପରିବାରବର୍ଗ ତରଳିବାକୁ ବାଧ୍ୟ ହେବେ, ହଁ ହୁଏତ କିଛି ସମୟ ଲାଗିପାରେ। ଏହି ସହଜତା କେବଳ ହେତୁବାଦ ଦ୍ୱାରା ହିଁ ଆସିଥାଏ।  ଆମ ରକ୍ତ ସମ୍ପର୍କକୁ ଆମକୁmaintain କରିବା ଦରକାର ପଡେନାହିଁ କିନ୍ତୁ ଯେଉଁ ସମ୍ପର୍କ ଆମେ ଗଢ଼ିଥାଉ ତାକୁ maintain କରିବା ଆମ ଦାୟିତ୍ୱ। " ତୁ ସେ ପୁଅକୁ ମନା କରିଦେ" ମୋ ବିବାହ ପୂର୍ବରୁ ମୋ ପରିବାର ପକ୍ଷରୁ ଆସିଥିବା ଏହି ପ୍ରସ୍ତାବ ଉପରେ ମୋର ଯୁକ୍ତି ଥିଲା, "ହଁ ମନା କରିଦେବି ଯଦି ତୁମେ ମୋତେ ଗୋଟିଏ ବି ଯୁକ୍ତିଯୁକ୍ତ କାରଣ ଦେବ। ସେ ଶାରୀରିକ ଭାବରେ ବା ମାନସିକ ଭାବରେ ଅକ୍ଷମ ନୁହେଁ, ଶିକ୍ଷିତ, ଚାକିରୀ କରେ, କୌଣସି ବଦଅଭ୍ୟାସ ନାହିଁ, କୌଣସି ବଂଶାନୁଗତ ରୋଗ ନାହିଁ, ତାର ପରିବାର ଲୋକ ଶିକ୍ଷିତ, ତହେଲେ କେଉଁ କଥା କହି ମୁଁ ତାକୁ ମନା କରିଦେବି। କହିବି ତୁ ମୋ ଠୁ ତଳ ଜାତିର? ଜାତି ବୋଲି ଏକ କାଳ୍ପନିକ କଥା ପାଇଁ ମୁଁ ଗୋଟେ ମଣିଷକୁ ପ୍ରତାରଣାର ଏତେ ବଡ଼ ଯନ୍ତ୍ରଣା କିପରି ଦେଇପାରିବି ନାହିଁ।" ମୋର ଏହି ଯୁକ୍ତି ଉପରେ ଆଉ କାହାର କିଛି କହିବାର ନଥିଲା। ଘରେ କେହି ଏହି ବିଷୟରେ ମୋତେ କୌଣସି କଥା ହୋଇନଥିଲେ। ପାଖାପାଖି ଦୁଇ ବର୍ଷ ପରେ ପରିବାର ଲୋକଙ୍କ ଅଧା ଇଛା ଅଧା ଅନିଚ୍ଛା ଭିତରେ ମୋର ବିବାହ ହୋଇଥିଲା। ଅନ୍ତର୍ଜାତୀୟ ବା ଅନ୍ତଧାର୍ମିକ ବିବାହ ପାଇଁ ତଥା ପୁଅ ଝିଅମାନଙ୍କ ସୁରକ୍ଷା ପାଇଁ "ଆମଫୋଇ" ନାମକ ଏକ ସଂସ୍ଥା ଓଡ଼ିଶାରେ କାର୍ଯ୍ୟରତ, ତା ସହ ଜାତୀୟସ୍ତରରେ "ଧନକ" ଏବଂ 'ଲଭ କମାଣ୍ଡୋ" ନାମକ ଦୁଇଟି ସଂସ୍ଥା ରହିଛି। ଜୀବନ ପ୍ରତି ବିପଦ ଥିବା ପରିସ୍ଥିତିରେ ଏମାନଙ୍କ ସହ ଯୋଗାଯୋଗ କରିହେବ। କେବଳ ଅନ୍ତର୍ଜାତୀୟ ବିବାହ କରିଦେଲେ ଜାତିଗତ ଭେଦଭାବ ଯିବ ନାହିଁ, ନିଜକୁ ତଥା ନିଜ ଆଗାମୀ ପିଢିକୁ ଜାତିଗତ ଭାବନାରୁ ମୁକ୍ତ କଲେ ହିଁ ଏହା ଧୀରେ ଧୀରେ ନଷ୍ଟ ହୋଇଯିବ। ତେଣୁ ହେତୁବାଦ ହିଁ ଏକମାତ୍ର ଲକ୍ଷ୍ୟ।
ନୋଟ: #ପୃଥିବୀ ପୃଷ୍ଠରେ ହେଉଥିବା କୌଣସି ବିବାହ ଅନ୍ତର୍ଜାତୀୟ ନୁହେଁ, କାରଣ ସବୁ ମଣିଷ କେବଳ ଗୋଟିଏ ଜାତିର ତାହା ହେଉଛି ମାନବଜାତି।#

ରାଜବାଳା