Image

ଆଧୁନିକ ଯୁଗରେ ସାମାଜିକ ସଂସ୍କାର ଦିଗରେ ବହୁତ କିଛି କରାଯାଉଛି ଏବଂ ଏଥି ସହିତ ବହୁ ନେତା, ଅଭିନେତା ଏବଂ ସାମାଜିକ କର୍ତ୍ତାଙ୍କୁ ସଂଶ୍ଳିଷ୍ଟ କରାଯାଉଛି। ମାତ୍ର, ଯଦି ଆମେ ଆମ ଓଡ଼ିଶାର ଇତିହାସକୁ ଅବଲୋକନ କରିବା, ଆମେ ପାଇବା ଅନେକ ସଂସ୍କାରକ। ଭକ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ – ସର୍ବଶ୍ରୀ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଅନନ୍ତ ଦାସ। ସେମାନେ ସମସ୍ତେ ସେତେବେଳେ ସଦ୍ଭାବପୂର୍ଣ୍ଣ ସମାଜ ଗଠନ କରିବାର ପ୍ରୟାସରେ, ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଯାଇଛନ୍ତି। ଯଦି ଆମେ କେଉଁ ବି ସଂସ୍କାର ବିଷୟକୁ ବିଚାର କରିବା, ସେଠି ଦେଖିବା ଉଚ୍ଚ ଜାତି ଏବଂ ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତି ସର୍ବଦା ବଡ଼ ଭାଗ ପାଇଛନ୍ତି ଏବଂ ସେମାନଙ୍କର ପ୍ରତିପତ୍ତି ଜାହରି ରଖିଥାନ୍ତୁ। ଓଡ଼ିଶା ପରିପ୍ରେକ୍ଷୀରେ ଏହା ଦେଖିଲେ କେତେକ ବ୍ୟତିକ୍ରମ ଦେଖାଯାଏ। ପଞ୍ଚସଖାରେ, ଶ୍ରୀ ଜଗନ୍ନାଥ ଦାସଙ୍କୁ ଛାଡ଼ି ଦେଲେ, ବାକି ସମସ୍ତେ ସାଧାରଣ ଜାତି ଏବଂ ସାଧାରଣ ପରିବାରରୁ ଆସିଛନ୍ତି। ସେମାନେ ସମସ୍ତେ ନିଜ ନିଜର କର୍ମ ଏବଂ ଭକ୍ତି ବଳରେ ସମାଜକୁ ବଦଳାଇବାକୁ ପ୍ରୟାସ କରିଛନ୍ତି। ଜାତିପ୍ରଥା, ବ୍ରାହ୍ମଣ୍ୟବାଦ, ଅସ୍ପୃଶତା, ଲିଙ୍ଗଭେଦ – ଏସବୁ ସବୁ ସମାଜରେ ରହିଛି। ଓଡ଼ିଶାର ଆଦି କବି ରୂପେ ଖ୍ୟାତ ସାରଳା ଦାସ ଶୁଦ୍ର ମୁନି ରୂପେ ମଧ୍ୟ ପରିଚିତ ଅଟନ୍ତି। ଓଡ଼ିଶାର କେଉଁ ବି ବିଷୟ ବିଚାରକୁ ନେଲେ ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ କଥା ନ ଉଠିଲେ, ଏହା ଅଧୁରା ବୋଲି ପ୍ରତୀୟମାନ ହୁଏ। ଶ୍ରୀମନ୍ଦିରର ସେବାୟତମାନଙ୍କ କଥା ଉଠିଲେ, ଲୋକେ କୁହନ୍ତି ସେମାନେ ଖାଲି ଭକ୍ତମାନଙ୍କୁ ଅତ୍ୟାଚାର କରିବା ଜାଣନ୍ତି। ଏହା କିଛିଟା ଅଂଶରେ ସତ୍ୟ ହୋଇପାରେ, କିନ୍ତୁ ସାମଗ୍ରିକ ଭାବେ ନୁହେଁ। ବନ୍ଧୁ ମହାନ୍ତି, ବଳରାମ ଦାସ ଏମିତି ଅନେକ ଭକ୍ତ ସେବାୟତମାନଙ୍କ ଦ୍ବାରା ଲାଞ୍ଛିତ ହୋଇଛନ୍ତି। ସେମାନେ ନା ସେମାନଙ୍କର ଧର୍ମ ପରିବର୍ତ୍ତନ କରିଛନ୍ତି, ନା ମନ୍ଦିର କିମ୍ବା ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନିନ୍ଦା କରିଛନ୍ତି। ସେମାନେ ନିଜର କର୍ମ ଏବଂ ଭକ୍ତି ବଳରେ ମହାନ ହୋଇପାରିଛନ୍ତି।

     ବଳରାମ ଦାସ ଅନେକ ରଚନା ରଚିଯାଇଛନ୍ତି। ସେଗୁଡ଼ିକ ମଧ୍ୟରେ ଲକ୍ଷ୍ମୀ ପୁରାଣ ଅନ୍ୟତମ। ଶ୍ରୀଜଗନ୍ନାଥ ଦାସଙ୍କ ରଚିତ ଭାଗବତ ପୁରାଣ ପରେ ଯଦି କେଉଁ କାବ୍ୟ ଓଡ଼ିଆ ଘରେ ଶୋଭା ପାଉଥିବା, ତାହା ହେଲା ଲକ୍ଷ୍ମୀ ପୁରାଣ। ଲକ୍ଷ୍ମୀ ପୁରାଣ ଆଧାରରେ ଏକ ବହୁଭାଷୀ ସିନେମା ମଧ୍ୟ ବନିସାରିଛି। ଏଥିୁରୁ ଏହି କାବ୍ୟର ମହାତ୍ମ୍ୟ ପ୍ରତିପାଦିତ ହୋଇପାରିଛି। ବଳରାମ ଦାସଙ୍କ ଜନ୍ମ ପୁରୀ ଜିଲ୍ଲାରେ ପଞ୍ଚମ ଶତାବ୍ଦୀର ଶେଷ ଆଡ଼କୁ ହୋଇଥିଲା। ବଳରାମ ଦାସ ଓଡ଼ିଶାର ରାଜା ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ସମସାମୟିକ ଥିଲେ। ତାଙ୍କ ରଚିତ ଲକ୍ଷ୍ମୀ ପୁରାଣରେ ଯେଉଁ ସବୁ ବିଷୟ ସ୍ଥାନ ପାଇଛି, ସେଗୁଡ଼ିକ ଏବେ ବି ପ୍ରାସଂଗିକ ଅଟେ। ସେ ଏହି କ୍ଷୁଦ୍ର ପସ୍ତକ ମାଧ୍ୟମରେ ଗୀତା, ଭାଗବତ, ବେଦର ବ୍ୟାଖ୍ୟା କରିବା ସହିତ ସାଂପ୍ରତିକ ସାମାଜିକ ପରିସ୍ଥିତିର ବିଶ୍ଳେଷଣ କରିଛନ୍ତି। ଶ୍ରୀମତ ଭଗବତ୍ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି : “ମାସାନାଂ ମାର୍ଗଶୀର୍ଷୋ ଅହମ୍”। ଲକ୍ଷ୍ମୀ ପୁରାଣରେ ଶ୍ରୀ ବଳରାମ ଦେସ ମଧ୍ୟ ଲେଖିଛନ୍ତି : “ସବୁ ମାସ ମାନଙ୍କରେ ମାର୍ଗଶିର ସାର”। ସେହିଭଳି ସାଂପ୍ରତିକ ପରିସ୍ଥିତ ଯେପରିକି ସ୍ୱଚ୍ଛତା, ମହିଳା ସଶକ୍ତିକରଣ, ସ୍ୱ ସହାୟକ ଗୋଷ୍ଠୀ, ଅସ୍ପୃଶ୍ୟତା, ଖାଦ୍ୟ ସୁରକ୍ଷା, ପାରିବାରିକ କରମୂଲ୍ୟବୋଧ – ଏ ସମସ୍ତ ବିଷୟ ଏହି କ୍ଷୁଦ୍ର ପୁସ୍ତକରେ ସ୍ଥାନ ପାଇଛି।

ସ୍ୱଚ୍ଛତା ଅଭିଯାନ

ବଳରାମ ଦାସଙ୍କୁ ସ୍ୱଚ୍ଛତା ଅଭିଯାନର ଆଦି ପୃଷ୍ଠପୋଷକ କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାରୀ ସ୍ତରରେ ଏହାର ମହତ୍ତ୍ୱ ହୃଦୟଙ୍ଗମ ହେବାର ବହୁ ପୂର୍ବରୁ ସେ ଏହାକୁ ଏକ ମୁଖ୍ୟ ବିଷୟ ବନାଇପାରିଛନ୍ତି, ତାଙ୍କର ଲେଖନୀ ମାଧ୍ୟମରେ। ଲକ୍ଷ୍ମୀ ପୁରାଣରେ ସେ ଲେଖିଛନ୍ତି:

ଗୋମୟ ଜଳରେ ଘର ଦୁଆର ଲିପିବ।

X X X

ଗୁରୁବାର ଦିନ ସକାଳରୁ ଗୋମୟରେ।

ଦୁଆର ଯେ ନ ଲିପଇ ଅଳସ ପଣରେ।

xxxx

ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ।

     ଏହି ପଦ୍ୟାବଳି ମାଧ୍ୟମରେ ସେ ସପ୍ତାହକୁ ଅତି କମରେ ଥରେ ଘରଦ୍ୱାରକୁ ଲିପାଲିପି କରି ସଫାସୁତୁରା ରଖିବା ପାଇଁ କହିଛନ୍ତି। ଯେଉଁଠି ସ୍ୱଚ୍ଛତା, ସେଇଟି ସମୃଦ୍ଧି। ବଳରାମ ଦାସଙ୍କ ସମୟରେ ଉଚ୍ଚ ଜାତିର ଲୋକମାନଙ୍କ ମଧ୍ୟରେ ମଧ୍ୟ ସ୍ୱଚ୍ଛତା ପ୍ରତି ଜାଗରୁକତା ନଥିଲା। ଲକ୍ଷ୍ମୀ ପୁରାଣ ଅନୁସାରେ ମହାଲକ୍ଷ୍ମୀ ପୂରା ନଗର ବୁଲିବା ପରେ ବି ସ୍ୱଚ୍ଛତା ଦେଖିନଥିଲେ। କେବଳ ସେ ଚଣ୍ଡାଳୁଣୀ ଘରେ ସ୍ୱଚ୍ଛତା ଦେଖିପାରିଥିଲେ ଏବଂ ତାଙ୍କରି ଘରେ ସେ ଉଭା ହୋଇଥିଲେ ବୋଲି ନିମ୍ନସ୍ଥ ପଦ୍ୟାଂଶରୁ ଜଣାପଡ଼େ: 

କାହାରି ଦୁଆରେ ସେହି ସୁଚି ନ ଦେଖିଲେ

xxx

ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ

xxx

ଏକବର୍ଣ୍ଣ ଗାଈର ଯେ ଗୋବର ଆଣିଲା

ଉତ୍ତମ କରିଣ ଘରଦ୍ୱାରକୁ ଲିପିଲା

xxx

ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ

ସହିନପାରିଲେ ଚଣ୍ଡାଳୁଣୀର ଦୟିନୀ

ପଦ୍ମପୁଲ ଦେଖି ତାଙ୍କ ବଳିଲା ଶରଧା

ଦୁଇପାଦ ଦେଇ ମାତା ପଦ୍ମେ ହେଲେ ଉଭା

ମହିଳା ସଶକ୍ତିକରଣ

     ବଳରାମ ଦାସ ମହିଳାମାନଙ୍କୁ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଉତ୍ସାହିତ କରିଛନ୍ତି। ବଳରାମ ଦାସ ତାଙ୍କର ରଚନା ମାଧ୍ୟମରେ ମହିଳାମାନଙ୍କୁ ନିଜର ସାହସ, ଦୃଢ଼ତା ଏବଂ ମାନସିକ ଶକ୍ତି ପ୍ରଦର୍ସନ କରିବା ପାଇଁ କହିଛନ୍ତି। ଯେତେବେଳେ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଜ୍ୟେଷ୍ଠ ଭ୍ରାତା ଶ୍ରୀମନ୍ଦିରରୁ ବିତାଡ଼ିତ କଲେ, ସେ ନୀରବ ରହିଲେ ନାହିଁ। ଘର ପରିବାରରେ ନାରୀଙ୍କର ମହତ୍ତ୍ୱକୁ ସେ ପ୍ରତିପାଦିତ କରିଛନ୍ତି। ମହାଲକ୍ଷ୍ମୀ କହିଛନ୍ତି :

“ଯେବେ ପ୍ରଭୁ ଜଗନ୍ନାଥ ମୋତେ ନ ଖୋଜିବେ, ନାରୀଙ୍କୁ ପୁରୁଷମାନେ ଆଉ ନ ଲୋଡ଼ିବେ।

ମୋତୋ ଘେନି ପ୍ରଭୁ ଯେବେ ନକରିବେ ଘର, କଳିଯୁଗେ ନାରୀଙ୍କୁ ଯେ ନଖୋଜିବେ ନର।

     ଉପରୋକ୍ତ ପଦ୍ୟାଂଶରେ ଏକ ସନ୍ତୁଳିତ ପରିବାରର ଚିତ୍ର ପ୍ରଦର୍ଶିତ ହୋଇଛି। ଲକ୍ଷ୍ମୀ ଛଡ଼ା ହୋଇ ପ୍ରଭୁ ହନ୍ତସନ୍ତ ହେବା ପରେ ସେ ସ୍ୱୀକାର କରିଥିଲେ :

ଲକ୍ଷ୍ମୀ ଛାଡ଼ିବାରୁ ଯେ ଏମନ୍ତ ହୁଅଇ

     ବଳରାମ ଦାସ କହିଛନ୍ତି, ସ୍ତ୍ରୀ କୌଣସି ବସ୍ତୁ ନୁହେଁ, ସେ କାହାର ଦୟାର ପାତ୍ରୀ ନୁହେଁ। ମହିଳା ସଶକ୍ତିକରଣ ପାଇଁ ଏହା ଠାରୁ ବଡ଼ ଉଦାହରଣ କଣ ହୋଇପାରେ!

ଜାତିପ୍ରଥା

     ଆମ ସମାଜରେ ଜାତି ପ୍ରଥାର ଅଭ୍ୟୁଦୟ ନିଶ୍ଚିତ ଭାବେ ସକରାତ୍ମକ ଭାବନା ନେଇ ହୋଇଥିବ ବୋଲି ବିଶ୍ୱାସ କରାଯାଏ। ପରେ, ଏହା କେତେକ ସ୍ୱାର୍ଥନ୍ୱେଷୀଙ୍କ ଦ୍ୱାରା କଳୁଷିତ ହୋଇ, ଏହା ଆଜିର ଅବସ୍ଥାରେ ପହଞ୍ଚିଛି। ଯେଉଁ ଜାତିବାଦ ନେଇ ଶ୍ରୀ ବଳଭଦ୍ର ମହାଲକ୍ଷ୍ମୀଙ୍କୁ ଘଉଡ଼ାଇବା ପାଇଁ ପ୍ରରୋଚିତ କରିଥିଲେ, ଭୋକ ବିକଳରେ ସେ ତଥାକଥିତ ଜାତି ମର୍ଯ୍ୟାଦା ଛାଡ଼ିବାକୁ ରାଜି ହୋଇଥିଲେ :

ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ପ୍ରାଣ ଗଲାବେଳେ ଜାତିକୁଳ ଲୋଡୁ କାହିଁ।

ସ୍ୱ-ସହାୟକ ଗୋଷ୍ଠୀ

     ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇ ମହାଲକ୍ଷ୍ମୀ ବାପଘରକୁ ଗଲେ ନାହିଁ। ବିବାହିତା ମହିଳା ବାପଘରର ଶକ୍ତିକୁ ପ୍ରଦର୍ଶିତ ନକରି, ନିଜର ସାମର୍ଥ୍ୟ ଓ ଶକ୍ତିକୁ ଉପଯୋଗ କରିବା ଉଚିତ। ତେଣୁ ସେ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସଂକଳ୍ପବଦ୍ଧ ହେଲେ ଏବଂ ନିଜ ସହଚରୀମାନଙ୍କୁ ନେଇ ଏକ ନୂଆ ଅବସ୍ଥାନ ସୃଷ୍ଟି କଲେ। ସ୍ୱାମୀ ଏବଂ ଦେଢ଼ଶୁରଙ୍କରଙ୍କୁ ସେମାନଙ୍କ ଭୁଲ ହୃହୟଙ୍ଗମ କରାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କଲେ।

ଅସ୍ପୃଶ୍ୟତାର ବିଲୋପ

     ମହାତ୍ମାଗାନ୍ଧୀଙ୍କର ଅସ୍ପୃଶ୍ୟତା ବିରୁଦ୍ଧରେ ଲଢାଇ ପୂର୍ବରୁ ବଳରାମ ଦାସ ଏଇ ଲଢ଼ାଇ ଲଢ଼ିଥିଲେ। ତାହା ସେ ଏହି ଲକ୍ଷ୍ମୀ ପୁରାଣ ମାଧ୍ୟମରେ ପ୍ରକାଶ କରିଛନ୍ତି। ଲକ୍ଷ୍ମୀ ପୁରାଣ ଅନୁସାରେ ଯେତେବେଳେ ଶ୍ରୀମନ୍ଦୀରକୁ ଫେରାଇ ଆଣିବା ପାଇଁ ଉଦ୍ୟତ ହେଲେ, ସେତେବେଳେ ମହାଲକ୍ଷ୍ମୀ ସର୍ତ୍ତ ରଖିଥିଲେ :-

ଜଗତମାତା କହିଲେ କର ତୁମ୍ଭେ ସତ୍ୟ, ଚଣ୍ଡାଳ ଠାରୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ

XXX

ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ, ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ

     ଶ୍ରୀଜଗନ୍ନାଥ ଏବଂ ଶ୍ରୀ ଭଳଭଦ୍ର ଏହି ସର୍ତ୍ତରେ ରାଜି ହୋଇଥିଲେ। ଏହି ନୀତି ଏବେ ବି ପ୍ରଚଳିତ। ମହାପ୍ରସାଦ ସେବନରେ କୌଣସି ପ୍ରକାର ବାଛବିଚାର ନାହିଁ।ଶ୍ରୀମନ୍ଦିର ମହାପ୍ରସାଦ ସେବନ ଶବ୍ଦକୋଷରେ “ଅଇଁଠା” ଶବ୍ଦର ସ୍ଥାନ ନାହିଁ। ସମସ୍ତେ ଏକତ୍ର ବସି ମହାପ୍ରସାଦ ସେବନ କରିପାରିବେ ଜଣେ ଖାଇସାରିବା ପରେ, ସେହି କୁଡ଼ିଆରେ ଆଉଜଣେ ମହାପ୍ରସାଦ ସେବନ କରିପାରିବେ। ଏହି ଦୃଶ୍ୟ ଆଉ କେଉଁଠି ଦେଖିବାକୁ ମିଳେ କି!

ଖାଦ୍ୟ ସୁରକ୍ଷା

     ଖାଦ୍ୟର ଅପବ୍ୟବହାରକୁ ଲକ୍ଷ୍ମୀ ପୁରାଣରେ ଘୋର ବିରୋଧ କରାଯାଇଛି:

ଭୋଜନ ସମୟେ ଅନ୍ନ ପକାଏ ଭୂମୀରେ, ଭୁଞ୍ଜି ନପାରିଣ ଅନ୍ନ ଫୋଫାଡ଼ିଣ ଦିଏ, ଏଡ଼େ କର୍ମ କରେ ଯିଏ ଲକ୍ଷ୍ମୀକୁ ନ ପାଏ।

ପାରିବାରିକ ମୂଲ୍ୟବୋଧ

     ବଳରାମ ଦାସ ତାଙ୍କ ରଚିତ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ନାରୀ-ପୁରୁଷ ସମେତ ସମସ୍ତ ମାନବଜାତିକୁ ପାରିବାରିକ ଏବଂ ସାମାଜିକ ମୂଲ୍ୟ ସମ୍ବନ୍ଧରେ ଜାଗରୁକ କରି ଲେଖିଛନ୍ତି :

ଗୁରୁବାର ଯେଉଁ ନାରୀ ପିଲାଙ୍କୁ ମାରଇ

xxx

ସନ୍ଧ୍ୟା ଗଡ଼ିଗଲେ ଯିଏ ଦି ସନ୍ଧ୍ୟାବତୀ, ପୁତ୍ରଧନ ହାନୀ ହୁଏ ସଦା ବହୁ କ୍ଷତି।

xxx

ଶୋଇବାର ଶଯ୍ୟା ବଙ୍କା କରିଣ ବିଛାଏ

ଶାଶୁ ଶ୍ୱଶୁରଙ୍କୁ ନମାନଇ ଯେ ରମଣୀ, ଉଲଗ୍ନ ହୋଇ ଶୟନ କରେ ଯେଉଁ ପ୍ରାଣୀ

XXX

ସଭାମାନଙ୍କରେ ବସି ମିଛ ଯେ କୁହଇ, ଆଳସ୍ୟେ ପାଦ ନଧୋଇ ଯେ ଭୁଞ୍ଜଇ

XXX

କଥାକହୁ କହୁ ସବୁବେଳେ ଯେ ହସଇ, ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ

XXX

ସାନବଡ଼ ସମସ୍ତଙ୍କୁ ସମଭାବେ ଚାହେଁ, ପରଷିବା ବେଳେ ପକ୍ଷପାତ ଯେ ନକରେ

XXX

ଯେଉଁ ନାରୀ ଆନନ୍ଦରେ ଅତିଥି ସେବି, ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି

     ବଳରାମ ଦାସଙ୍କ ରଚିତ ଏହି ପୁସ୍ତକ ଅତ୍ୟନ୍ତ ପାଠୋପଯୋଗୀ ଏବଂ ସମୟୋପଯୋଗୀ ଅଟେ। ଆଜିର ସମୟରେ ମଧ୍ୟ ଏହା ପ୍ରାସଂଗକିତ ଅଟେ। ଯଦି ଏହି ପୁସ୍ତକୁ ଇଂରାଜୀ ଓ ହିନ୍ଦି ସମେତ ଅନ୍ୟ ଭାଷାରେ ଅନୁବାଦ କରାଯାଏ, ତେବେ ଏଥିରୁ ବହୁ ଲୋକ ଉପକୃତ ହେବେ ଏବଂ ଆମ ଓଡ଼ିଆ ଏବଂ ଜଗନ୍ନାଥ ସଂସ୍କୃତିର ମହାନତା ବିଶ୍ୱ ଦରବାରରେ ଉପସ୍ଥାପିତ ହୋଇପାରିବ।

ଜୟ ଜଗନ୍ନାଥ!!


- ସୁଶାନ୍ତ କୁମାର ନାୟକ

(75/2ଏ, କାଳିବାଡି ମାର୍ଗ, ନୂଆ ଦିଲ୍ଲୀ 110001)