Image

"ମୋ ଝିଅ କହୁଛି ମେରେଜ ଇଜ ନଟ ମାଇଁ କପ ଅଫ ଟି । ମୁଁ କହିଲି ତୋର କପ ଅଫ ଟି ହେଉ କି କଫି। ପ୍ଲସ ଥ୍ରୀ ସରିଲା ତ ସିଧା ମେରେଜ। କୁହନା ଆଜି କାଲି ଝିଅମାନେ ଭାରି ଉତ୍ପାତ ହଉଛନ୍ତି। ଶୀଘ୍ର ବାହାଘର କରିଦେଲେ ରକ୍ଷା" ବେଶ ଉତ୍ସାହର ସହ କହୁଥାନ୍ତି ମାଡମ ଜଣକ। କମନ ରୁମରେ ବସିଥିବା ଅନ୍ୟ ସାର ଆଉ ମାଡମମାନେ ଏହି କଥାଟିକୁ ଖୁବ ସମର୍ଥନ କରି ହଁ ମାରିବା ସହ ଆଜିକାଲିର ଝିଅମାନେ କେମିତି ଭାରି ଉଦ୍ଧତ, ଉତ୍ପାତ କରି ସମାଜକୁ ରସାତଳକୁ ନେଇଗଲେଣି, ଶୀଘ୍ର ବିବାହର ଉପକାରିତା ଉପରେ ବି ଆଉ କିଛି ପଦ ଯୋଡୁଥାଆନ୍ତି। ଏକ କଲେଜରେ ଗୋଟେ ବର୍ଷ ପାଇଁ ମୁଁ ଟେମ୍ପୋରାରୀ ଜବରେ ଥାଏ। ମୁଁ ନେକ୍ସଟ କ୍ଲାସ ପାଇଁ ଅପେକ୍ଷା କରି ଷ୍ଟାଫ ରୁମରେ ବସିଥିବା ବେଳେ ଏହି ସବୁ କଥା ଶୁଣୁଥାଏ। ଟେମ୍ପୋରାରୀ ପୋଷ୍ଟରେ ଥିବା ନବାଗତ ହିସାବରେ ବରିଷ୍ଠମାନଙ୍କ ଭିତରେ କିଛି କହିବା ଯୁକ୍ତିସଂଗତ ମନେ କଲିନି। ମନକୁ ଆସିଲା, ଯଦି ସେ ମାଡମ ଜଣଙ୍କୁ ତାଙ୍କ ମା ବାପା ୧୫-୧୬ବର୍ଷ ବୟସରୁ ବାହା ଦେଇଥାନ୍ତେ ସେ ଆଜି ଅଧ୍ୟାପିକା ହୋଇପାରିଥାନ୍ତେ କି। କିନ୍ତୁ ନିଜେ ଏବେ ନିଜ ଝିଅର ପର କାଟିବାରେ ବ୍ୟସ୍ତ।ହଁ ଆଜି କାଲି ଝିଅମାନେ ଭାରି ଉତ୍ପାତ କରୁଛନ୍ତି। ନିଜ  କ୍ୟାରିୟର ପ୍ରତି ସଚେତନ ହୋଇଛନ୍ତି। କ୍ୟାରିୟରକୁ ବିବାହଠୁ ଆଗ ବୋଲି ଭାବୁଛନ୍ତି। ଆଗ ଭଳି ମୁହଁ ତଳକୁ କରି ନ ଚାଲି ଆତ୍ମବିଶ୍ବାସର ସହ  ସିଧା ହୋଇ ଚାଲିବାକୁ ପସନ୍ଦ କରୁଛନ୍ତି। ମନ କଥା ମନରେ ନ ମାରି ନିଜ ପସନ୍ଦ ଅପସନ୍ଦକୁ ପ୍ରକାଶ କରିପାରୁଛନ୍ତି, ମା ଧରିତ୍ରୀ ହେବାକୁ ପସନ୍ଦ ନକରି ଅନ୍ୟାୟର ବିରୋଧ କରୁଛନ୍ତି। ସମାନତାର ସ୍ୱାଧୀନତାରର ଅଧିକାର ପାଇଁ ଦାବି କରୁଛନ୍ତି। ଏହି ସବୁତ ଉତ୍ପାତର ଲକ୍ଷଣ। ଆଜିକାଲିର ଝିଅମାନେ ସାରା ଜୀବନ କାହା ସହ ରହିବେ, କିଏ ତାଙ୍କ ସନ୍ତାନର ପିତା ହେବ ତାହା ମଧ୍ୟ ନିଜେ ହିଁ ନିଷ୍ପତ୍ତି ନେଉଛନ୍ତି।ଏତ ସାକ୍ଷାତ ବ୍ୟଭିଚାର। ଭାରତୀୟ ନାରୀ ହିସାବରେ ସୁଧାର ଗାଇଟିଏ ପରି ମୁହଁରେ ତୁଣ୍ଡିବାନ୍ଧି ବିବାହ ପୂର୍ବରୁ ବାପା ମାଙ୍କ ବିବାହ ପରେ ପତିର ଆଜ୍ଞାଧୀନ ରହିବା, ବିଚାରଧାରାରେ ବିଶ୍ୱାସ କରିଆସିଥିବା ଅନେଶ୍ୱତ ପ୍ରତିଶତ ଭାରତୀୟଙ୍କ ପାଇଁ ଏହା ଏକ ଅକ୍ଷମଣୀୟ ଅପରାଧ। ଯୁଗ ଯୁଗ ଧରି ନାରୀଟିର ପୋଷକପତ୍ର, ମନ, ଭାବନା, ଶରୀର ଓ ଜୀବନକୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିଆସିଥିବାଥିବା ପିତୃସତ୍ତା ପାଇଁ, ନିଜ ପସନ୍ଦରେ ବଞ୍ଚିବାକୁ ଚାହୁଁଥିବା ଝିଅଟି ଏକ ବଡ଼ ବିପଦ। ତେଣୁ ଏହି ଭଳି ଝିଅମାନଙ୍କୁ ଯଥା ଶୀଘ୍ର ବିବାହ ନାମକ ପିଞ୍ଜରାରେ ଭର୍ତି କରି ନିୟନ୍ତ୍ରିତ କରିବାକୁ ହେବ। ଠିକ ଗାଇଟିକୁ ଗୋଟିଏ ଖୁଣ୍ଟରୁ ଅନ୍ୟ ଏକ ଖୁଣ୍ଟରେ ବାନ୍ଧିବା ପରି। ଅନେକ ସମୟରେ  ଝିଅଟିଏ ପାଇଁ ବିବାହ ଏକ ସୁନ୍ଦର ଅନୁଭବ ହେବା ବଦଳରେ, ନିୟନ୍ତ୍ରିତ ହେବାର ଏକ ଉପାୟ ହୋଇଥାଏ।
ରାଜବାଳା