Image


*ମୃତ୍ୟୁ କଣ? ମୃତ୍ୟୁ ପରେ ଆମର କଣ ହୁଏ? ଆମେ ମୃତ୍ୟୁ କୁ ଏତେ କାହିଁକି ଡ଼ରୁ? *
ଯେଉଁ ସମୟରୁ ପୃଥିବୀ ପୃଷ୍ଠ ରେ ଏକ କୋଷୀ ପ୍ରାଣୀ ରୂପରେ ଜୀବନ ର ଉତ୍ପତ୍ତି ହୋଇଛି, ସେହି ସମୟ ଠାରୁ ମଧ୍ୟ ଜୀବ ମାନଙ୍କ ଭିତରେ ନିଜକୁ ବିପଦ ରୁ ରକ୍ଷା କରିବା ସହ ଜୀବନ କୁ ସୁରକ୍ଷିତ ରଖିବାର ପ୍ରବୃତ୍ତି ଏକ ଅବିଭାଜ୍ୟ ଅଂଶ ପରି ଉତ୍ପନ୍ନ ହୋଇଛି। ସେହି ଜୀବ ଯାହା ଭିତରେ ନିଜକୁ ସୁରକ୍ଷିତ ରଖିବାର ପ୍ରବୃତ୍ତି ନ ଥିଲା ସେ ପୃଥିବୀ ପୃଷ୍ଠ ରୁ ଲୋପ ପାଇ ଯାଇଛି। ବିକାଶ ର କ୍ରମ ଅନୁଯାୟୀ ଏହି ପ୍ରବୃତ୍ତି ମଣିଷ ଯାଏଁ ପହିଁଚିଲା ପରେ ମଣିଷ ମାନଙ୍କ ଭିତରେ ଏହା ଏକ ଭୟ ରୂପରେ ସ୍ଥାପିତ ହୋଇଯାଇଛି। ମୃତ୍ୟୁ ଜୀବନ ପାଇଁ ଏକ ଛୋଟ ବା ବଡ଼ ଅସୁବିଧା  ନୁହେଁ, ଏହା ଜୀବନ କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଦିଏ।  ଜୀବନ କୁ ସୁରକ୍ଷିତ ରଖିବାର ପ୍ରବୃତ୍ତି ର ଏକ ସିଂହ ଭାଗ ମୃତ୍ୟୁ ପ୍ରତି ଭୟ ରୂପରେ ପ୍ରଦର୍ଶିତ ହୋଇଥାଏ।  ପୃଥିବୀ ପୃଷ୍ଠ ରୁ ସମ୍ପୁର୍ଣ୍ଣ ଭାବେ ଶେଷ ହୋଇଯିବାର ବିଚାର ଆମ ମନରେ ଭୟଙ୍କର ଉତ୍ତାଳ ସୃଷ୍ଟି କରେ।  ଜୀବନ କୁ ବଞ୍ଚେଇବାର ଭୋକ ଓ ଜୀବନ କୁ ପାଇବାର ଲାଳସା ଆମ ର ପରିଣାମ ସଦୃଶ ପ୍ରାଚୀନ ସମୟରେ ମଣିଷ ଆତ୍ମା ର ପରିକଳ୍ପନା କରିଥିଲା, ଯାହାର ମୃତ୍ୟୁ ନାହିଁ, ଅମର। ଆତ୍ମା ର ପରିକଳ୍ପନା କୁ ସ୍ଥାପିତ କରିବା ପାଇଁ ମଣିଷ ର ଆଉ ଏକ ଗୁଣ ସହାୟକ ହୋଇଥିଲା, ଏହି ସେହି ଗୁଣ ଯାହା ମଣିଷ ବିବର୍ତନ ର କ୍ରମବିକାଶ ରେ ପାଇଥିଲା, ତାହା  ହେଲା ଚେତନା ଶକ୍ତି। ଆମେ ଆମ ହାତ, ଗୋଡ଼, ପେଟ, ନାକ, ଆଖି ଆଦି ନୁହଁନ୍ତି , କିନ୍ତୁ  ଏହି ସବୁ ଅଙ୍ଗ ଭିତରେ କିଛି ରହିଅଛି, ଏହି ଭଳି ବିଚାର ଆମକୁ ଚେତନା ଶକ୍ତି ପାଇଁ ଆସିଥାଏ।ଏହି କାରଣ ରୁ ପ୍ରାଚୀନ କାଳର  ମଣିଷ ମଧ୍ୟରେ ଆତ୍ମାର ପରିକଳ୍ପନା ଆସିଥିଲା। ଆତ୍ମା ର ପରିକଳ୍ପନା ପ୍ରାଚୀନ କାଳରେ ଭୂତ ପ୍ରେତ ର ପରିକଳ୍ପନା କୁ ମଧ୍ୟ ଜନ୍ମ ଦେଇଥିଲା ।   ଯେତେବେଳେ ଧୀରେ ଧୀରେ ଧର୍ମ ର ଆରମ୍ଭ ହେଲା , ଆତ୍ମା ର ପରିକଳ୍ପନା ଧର୍ମ ସାହାଯ୍ୟ ରେ ଆହୁରି ବଳିଷ୍ଠ ରୂପ ଧାରଣ କଲା। ଭାରତ ରେ ଆତ୍ମା ବିଷୟ ରେ ଯେଉଁ ବିଚାର ଜନ୍ମ ହୋଇଥିଲା ତାହା ଏହିକି ଯେ, ଆତ୍ମା ହେଉଛି ପରମାତ୍ମା ର ଏକ ଛୋଟ ଅଂଶ ଯାହା ଅଲଗା ଅଲଗା ଯୋନୀ ରେ ପୁନର୍ଜନ୍ମ ନିଏ ଏବଂ ଯେବେ ପୂଣ୍ୟ ର ଭାର ପାପ ଠାରୁ ଅଧିକ ହୋଇଯାଏ ସେତେବେଳେ ଆତ୍ମା ପୁଣି ପରମାତ୍ମା ରେ ଲୀନ ହୋଇଯାଏ।    ଆଧୁନିକ ଵିଜ୍ଞାନ ଆତ୍ମା ର ଅସ୍ତିତ୍ୱ, ଭୂତ ପ୍ରେତ, ପୁନର୍ଜନ୍ମ, ସ୍ୱର୍ଗ, ନର୍କ ର ପରିକଳ୍ପନା କୁ ସମ୍ପୁର୍ଣ୍ଣ ଭାବେ ଅସ୍ୱୀକାର କରେ। ଜୀବ ଵିଜ୍ଞାନ ଅନୁସାରେ ଜୀବନ କୌଣସି ବସ୍ତୁ ବା ଶକ୍ତି ନୁହେଁ, ଏହା କିଛି ଗୁଣ ସମୂହ ର ସାଧାରଣ ନାମ ଅଟେ, ଯେପରିକି  ଖାଦ୍ୟ ଗ୍ରହଣ ଓ ପଚନ କ୍ଷମତା, ପ୍ରଜନନ, ବୃଦ୍ଧି, ବା  ପ୍ରତିକ୍ରିୟାଶୀଳତା ଇତ୍ୟାଦି। ଆଜି ଯାଏଁ ଆମେ ଯେତିକି ଜାଣିଚୁ, ଏହି ସବୁ ଗୁଣ ଜଟିଳ କାର୍ବନ ଅଣୁ ଗୁଡିକ ର ମିଶ୍ରଣ ଦ୍ୱାରା ପ୍ରଦର୍ଶିତ ହୁଏ, ଯାହାକୁ ଆମେ କୋଷ ବୋଲି କହୁ। ସବୁଠୁ ସରଳ କୋଷ ଭାବରେ ଆମେ ଯାହାକୁ ଜାଣୁ ସିଏ ହେଉଛି ଭାଇରସ। ନିଜର ସହଜାତ ପ୍ରବୃତ୍ତି  ଯୋଗୁ ଏହି ଭଳି କୋଷ ମାନେ ଯେତେବେଳେ ପରସ୍ପର ର ସମ୍ପର୍କରେ ଆସନ୍ତି ତେବେ ଏକ ବହୁକୋଷ ର ସଂଗଠନ ତିଆରି ହୁଏ, ଯାହାକୁ ଆମେ ଜୀବ କହୁ । ଯଦି କୌଣସି ଜୀବ ର କୋଷ ମାନେ ନିଜନିଜ ସହ ସମ୍ପର୍କରେ ରହିବାରେ ବିଫଳ ହୁଅନ୍ତି, ଯିବ ଟି ରୋଗାକ୍ରାନ୍ତ ହୁଏ, ଯେପରିକି କର୍କଟ। ଜୀବ ଶରୀର ର  କୋଷ ମାନଙ୍କ ମଧ୍ୟରେ ଥିବା ସଂଘତି ର ବିକାଶ ସହ ଜୀବନର ବିକାଶ ଘଟିଛି, ଯେପରିକି କୀଟ ପତଙ୍ଗ, ମାଛ, ସରୀସୃପ, ପକ୍ଷୀ, ସ୍ତନପାୟୀ ଓ ମଣିଷ। ବିକାଶ ର କ୍ରମରେ ସବୁ ସ୍ତର ରେ କିଛି ନୂଆ ଗୁଣ ବିକଶିତ ହୋଇଛି ଏବଂ ଯେତେବେଳେ ବିକାଶ ର ଧାରା ମନୁଷ୍ୟ ପାଖରେ ପହଞ୍ଚିଲା, ଯେଉଁ ଗୁଣ ବିକଶିତ ହେଲା ତାହା ହେଉଛି ବୋଧ ଶକ୍ତି(consciousness)। ଅତୀତ ରେ ପୃଥିବୀ ସାରା ସବୁ ମଣିଷ ଜାତି ବିଶ୍ୱାସ କରୁଥିଲେ କି ଆତ୍ମା ହୃଦୟ ଭିତରେ ରହେ। 1964 ରେ ଡ଼ଃ ଜେମ୍ସ ହାର୍ଡ଼ି ନିଜର ଏକ ରୋଗୀ ର ଶରୀର ରେ ଏକ ସିଂପାଞ୍ଜି ର ହୃଦୟ ପ୍ରତିରୋପଣ କରିଥିଲେ।  1967 ରେ ଖ୍ରୀଷ୍ଟିଆନ ବର୍ଣ୍ଣଡ଼ ଏକ ରୋଗୀ ର ଶରୀର ରେ ଅନ୍ୟ ଏକ ବ୍ୟକ୍ତି ର ହୃଦୟ ପ୍ରତିରୋପଣ କରିଥିଲେ।  ଏହି ଘଟଣା ଗୁଡିକ ଦ୍ୱାରା ଆତ୍ମା ମଣିଷ ର ହୃଦୟ ରେ ଥାଏ, ଏହି ବିଶ୍ୱାସ ଟିକୁ ବଡ଼ ଧକ୍କା ଲାଗିଥିଲା। ଆମ ଶରୀର ରେ ପାଖାପାଖି 37 ଲକ୍ଷ କୋଟି କୋଷ ଅଛି। ସବୁ କୋଷ ଗୁଡିକ ରେ ଜୀବନ ରହିଛି ଏବଂ ମଣିଷ ଏହି ସବୁ କୋଷ ର ଏକ ସମାହାର। ମୃତ୍ୟୁ ର 24 ଘଣ୍ଟା ପରେ ତ୍ୱଚା ର କୋଷ ମରିଯାନ୍ତି , 48 ଘଂଟା ପରେ ହାଡ଼ ର କୋଷ ଏବଂ 3 ଦିନ ପରେ ଧମନୀ ର କୋଷ ମରିଥାନ୍ତି। ଏହି କାରଣ ରୁ ହିଁ ମୃତ୍ୟୁ ପରେ ଅଙ୍ଗଦାନ ସମ୍ଭବ ହୋଇପାରିଛି। ବ୍ରେନ ଷ୍ଟୋକ ହେବାର 2-3 ମିନିଟ ଭିତରେ ମସ୍ତିଷ୍କ ର କୋଷ ମରିଯାନ୍ତି। ଅଲଜିମର ରୋଗ ରେ ମସ୍ତିଷ୍କ ର କୋଷ ଗୋଟିଏ ଗୋଟିଏ କରି ମରିବାରେ ଲାଗନ୍ତି ଓ ପୁରା ମସ୍ତିଷ୍କ ଧିରେ ଧିରେ ମରିଯାଏ କେବଳ brain ଷ୍ଟେମ ହିଁ ବଂଚିଯାଏ। ଫଳରେ ଆମେ ବଞ୍ଚିଥାଉ କିନ୍ତୁ ଗଛ ଟିଏ ପରି। ତା ହେଲେ ମୃତ୍ୟୁ କଣ? ମଣିଷ ର ମୃତ୍ୟୁ ତାର brain ଷ୍ଟେମ ର ମୃତ୍ୟୁ ଅଟେ।  ମସ୍ତିଷ୍କ ର ଅନ୍ୟ ସବୁ ଅଂଶ ଶରୀର ର ଅନେକ କଥା କୁ ନିୟନ୍ତ୍ରଣ କରିଥାଏ, ଯେପରିକି ବାକ ଶକ୍ତି, ଦୃଷ୍ଟି ଶକ୍ତି, ଶୁଣିବା ଓ ଶୁଙ୍ଘିବା ଶକ୍ତି, ଚାଲିବା ଓ ଭାବିବା ଶକ୍ତି, ବୁଦ୍ଧିମତା ଓ ମନୋଭାବ ଇତ୍ୟାଦି। ବ୍ରେନ ର ସବୁଠାରୁ ତଳ ଅଂଶକୁ ବ୍ରେନ ଷ୍ଟେମ ବୋଲି କୁହାଯାଏ। ଏହା ଶରୀର ର କେତେକକ ବିଶିଷ୍ଟ କାମ କୁ ନିୟନ୍ତ୍ରଣ କରେ ଯେପରି କି ହୃଦୟ ର ଗତି, ଶ୍ୱାସ ପ୍ରକ୍ରିୟା, ରକ୍ତ ଚାପ ଇତ୍ୟାଦି। ଯେତେବେଳେ ନିଶ୍ୱାସ ବନ୍ଦ ହୋଇଯାଏ ହୃତପିଣ୍ଡ ଧକ ଧକ କରିବା ବନ୍ଦ ହୋଇ ଯାଏ। ଫଳରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ ଓ ଗୋଟି ଗୋଟି କରି ପ୍ରତ୍ୟେକ ଅଙ୍ଗ କାମ କରିବା ବନ୍ଦ କରିଦିଏ । ଶ୍ୱାସ କ୍ରିୟା ବନ୍ଦ ହୋଇଯିବା ବା ହୃଦୟ ର ଗତି ବନ୍ଦ ହୋଇଯିବା ମୃତ୍ୟୁ ର କାରଣ ହୋଇପାରେ କିନ୍ତୁ ମୃତ୍ୟୁ ନୁହେଁ। ଏହି ଅବସ୍ଥା ରୁ ମଣିଷ ପୁଣି ଥରେ ସ୍ୱାଭାବିକ ଅବସ୍ଥାକୁ ଯାଇପାରେ। କିନ୍ତୁ ଯଦି ବ୍ରେନ ଷ୍ଟେମ କାମ କରିବା ବନ୍ଦ କରିଦିଏ ତାହେଲେ ତାକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇପାରେ ନାହିଁ। ଯଦି ବ୍ରେନ ଷ୍ଟେମ ମରିଯାଏ ତେବେ ଯଦି ଅନ୍ୟ ସବୁ ଅଙ୍ଗ ଜୀବିତ ଥାଏ ତେବେ ମଧ୍ୟ ମଣିଷ ମୃତ ପଦ ବାଚ୍ୟ ।ଅତି ବେଶୀରେ ଆମେ ଅନ୍ୟ ଜୀବିତ ଅଙ୍ଗ  ଅନ୍ୟ କୌଣସି ଜୀବିତ ବ୍ୟକ୍ତି କୁ ଦାନ କରିପାରିବୁ। alzhimers ରୋଗ ରେ ବ୍ରେନ ଷ୍ଟେମ କୁ ଛାଡି ମସ୍ତିଷ୍କ ର ଅନ୍ୟ ସବୁ କୋଷ ମରିଯାଏ।  ଯଦି ଆମେ କୌଣସି ରୋଗ କି ଦୁର୍ଘଟଣା ରେ ନ ମରୁ ତେବେ ବୃଦ୍ଧ ଅବସ୍ଥା ରେ ମୃତ୍ୟୁ ହୋଇଥାଏ, କିନ୍ତୁ କାହିଁକି ?1962 ରେ ଲେଓନାର୍ଦ୍ ହେଫ୍ଲିକ ଗବେଷଣା କରି ମତ ଦେଇଥିଲେ କି ମଣିଷ ଶରୀର ର ଅଧିକାଂଶ  କୋଷ ଅତିବେସିରେ 40 ଥର ବିଭାଜିତ ହୋଇପାରେ। ଯାହାକୁ କି ହେଫ୍ଲିକ ଲିମିଟ ବୋଲି କୁହନ୍ତି। ଯେତେବଳେ ଆମେ ଶିଶୁ ହୋଇଥାଉ, କୋଷ ଗୁଡିକ ର ବିଭାଜନ ହାର ବହୁତ ବେସି ଥାଏ କିନ୍ତୁ ବୟସ ବଢ଼ିବା ସହ ତାହା କମି କମି ଯାଏ। କୋଷ ର ବିଭାଜନ ପାଇଁ ଦାୟୀ କୋଷ ନ୍ୟଷ୍ଟି ରେ ଥିବା  DNA ରେ ଥିବା telomere, ଯାହା 40 ରୁ ଅଧିକ ବିଭାଜିତ ହୋଇ ପାରେ ନାହିଁ। ଆମର ବୃଦ୍ଧ ଅବସ୍ଥାରେ telomere ନିଜ ବିଭାଜନ ସୀମା ପାରି କରି ସାରି ଥାଏ। ତେଣୁ କୋଷ ବିଭାଜନ ହେବା ବନ୍ଦ ହୋଇଯାଏ, ଫଳତଃ ମରିଯାଉଥିବା କୋଷ ର ଭରପାୟୀ ହୋଇପାରେ ନାହିଁ। ଧୀରେ ଧୀରେ ଶରୀର କ୍ଷୟ ହେବାରେ ଲାଗେ ତା ସହ ଅନିୟନ୍ତ୍ରିତ ମଧ୍ୟ।ଫଳରେ ମୃତ୍ୟୁ ଅବସମ୍ଭାବି ହୋଇପଡେ, ଠିକ ଏକ ପୁରୁଣା ମେସିନ ପରି।
ମୃତ୍ୟୁ ର ପ୍ରକ୍ରିୟା ବୁଝିବା ଦ୍ୱାରା ଆତ୍ମା ପରମାତ୍ମା ସ୍ଵର୍ଗ ନର୍କ ର ମିଥ୍ୟା କଳ୍ପନା ରୁ ମୁକ୍ତି ମିଳିପାରିବ। ସ୍ୱର୍ଗ ର ଲୋଭ  ଓ ନର୍କ ର ଭୟରୁ ମୁକ୍ତ ମଣିଷ ନିଜେ ସୁଖ ଶାନ୍ତି ରେ ବଂଚିବା ସହ ସମାଜ ର ମଙ୍ଗଳ ପାଇଁ ମଧ୍ୟ ନିଜର ଯୋଗଦାନ ଦେଇପାରିବ ।

ରାଜବାଳା