Image

କିଏ କହେ ମନୁଷ୍ୟ ପରିସ୍ଥିତିର ଦାସ,କିନ୍ତୁ ସତ ତ ଏହା ଯେ ମନୁଷ୍ୟ ନିଜେ ନିଜର ଭବିତବ୍ୟ ବଦଳାଇବାକୁ ଚେଷ୍ଟା କରେ। ଏବଂ ଛନ୍ଦି ହୋଇଯାଏ କାଳର କରାଳ ଗତିରେ। ଶତଚେଷ୍ଟା ପରେ ମଧ୍ୟ ସେଥିରୁ ସେ ମୁକୁଳି ପାରେନାହିଁ। ସମଗ୍ର ସଂସାର ଏବେ ଆଧୁନିକତାର ଦ୍ବାହି ଦେଇ ଅପସଂସ୍କୃତିକୁ ନିଜର କରୁଛି। ଆମେ ଭାରତୀୟ ମାନେ ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଅତିଶୟ ଆକୃଷ୍ଟ ହୋଇ ପଡୁଛେ।


   

ପୂର୍ବରୁ ନିସନ୍ତାନ ଦମ୍ପତିମାନେ ନିଜ ଜୀବନରେ ସନ୍ତାନ ସୁଖ ଲାଭ କରିବା ନିମନ୍ତେ ଅନାଥାଶ୍ରମ ପରି ବିଭିନ୍ନ ସୂତ୍ରରୁ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିଲେ। ଏବେ ଦେଖାଯାଉଛି ଉଚ୍ଚପଦସ୍ଥ ବିବାହିତ ପୁତ୍ର ନିଜ ବୃଦ୍ଧ ପିତାମାତାଙ୍କ ପାଇଁ ସ୍ବଳ୍ପ ମୂଲ୍ୟର ବୃଦ୍ଧାଶ୍ରମଟିଏ ଖୋଜୁଛି। ପିଲାଦିନେ ଚାଲିବାକୁ ଚେଷ୍ଟା କରୁଥିବା ବେଳେ ଝୁଣ୍ଟି ପଡିଲେ ବାପା କୋଳେଇ ନେଉଥିଲେ,ହାତ ଧରି ଚାଲିବା ଶିଖାଉଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ବାପା ଚାଲିବାର କ୍ଷମତା ହରାଇ ବସିଲେ ସେ ପାଲଟି ଯାଆନ୍ତି ବୋଝ। ପାଠଟିଏ ବୁଝିବାକୁ ଅସମର୍ଥ ହେଲେ ବାରମ୍ବାର ଅନେକ ଉଦାହରଣ ସହ ବୁଝାଇ ଦିଅନ୍ତି ବାପା। ସେହି ବାପାଙ୍କ ଶ୍ରବଣ ଶକ୍ତି କମିଗଲେ ସେ ହୁଅନ୍ତି ପୁଅବୋହୂଙ୍କ ଆକ୍ରୋଶର ଶିକାର। ପିଲାଦିନେ ଖେଳୁଥିବା ସମୟରେ କେତେ ଆସବାବପତ୍ର ନଷ୍ଟ କରିଥିବା ପୁଅ ମାଡ ମାରିବାକୁ ପଛାଏ ନାହିଁ ନିଜ ଗର୍ଭଧାରିଣୀ ମା'କୁ ଯେତେବେଳେ ତାଙ୍କ ହାତରୁ ବାସନ ଟିଏ ଖସିପଡ଼େ। କେବଳ ଟଙ୍କା,ସୁନା,ରୂପା ଜମିବାଡି ସମ୍ପତ୍ତିର ମାପକାଠିରେ ଯଦି ପୁଅ ତିଆରି କରେ ସୋସିଆଲ୍ ଷ୍ଟାଟସ୍, ଏହା ହିଁ ଯଦି ଆଦର୍ଶ ଆଧୁନିକ ସଭ୍ୟତାର ତେବେ ଏହା ଠାରୁ ଢେର ଭଲ ଆମ ପୁରାତନ ବୈଦିକ ସଂସ୍କୃତି। ଯେଉଁଠି ଘରକୁ 'ଗୃହସ୍ଥାଶ୍ରମ' ରୂପେ ସମ୍ମାନ ଦିଆ ଯାଏ। ଆଧୁନିକୀକରଣ ହେଉ ମାତ୍ର ସେଥିପାଇଁ ଆମ ମହାନ ଭାରତୀୟ ପରମ୍ପରା ବଳି ପଡିନଯାଉ,ଯାହା ସମଗ୍ର ବିଶ୍ବକୁ ଏକ ପରିବାର ବୋଲି ଗ୍ରହଣ କରେ।