Image

ମା ! ତୋ ମନର
ଅବ୍ୟକ୍ତ ବେଦନାରେ
ଆନ୍ଦୋଳିତ ହୁଏ ମୋ ସର୍ବାଙ୍ଗ,
ଖେଳିଯାଏ ଭୟର ଶିହରଣ ,
ମ୍ରିୟମାଣ ମୁଁ — ତୁ ବି ମ୍ରିୟମାଣ ॥

ଜାଣୁଛି ମୁଁ— ତୁ ବିବଶ ଆଉ ନାଚାର
ସଭିଙ୍କ ଚାପରେ ଆଜି ତୁ କ୍ରୀୟାହୀନ ।
ଜୁଟାଇ ପାରୁନୁ ସାହାସ
ସମ୍ମୁଖୀନ ହେବାକୁ ସେ ପ୍ରତିବନ୍ଧ ସବୁ,
ନଥିବାରୁ ତୋ ସହିତ କାହାର ସହାନୁଭୁତି
ତୁ ଆଜି ଉପାୟଶୁନ୍ୟ ॥

ଜନ୍ମହେଲେ ମୃତ୍ୟୁ ସୁନିଶ୍ଚିତ -
ଗୀତାର ଏ ବାଣୀ ଜାଣନ୍ତି ଜଗତେ ।
ହେଲେ ଜନ୍ମ ପୂର୍ବରୁ ମୃତ୍ୟୁ ସମ୍ଭବ ହେଉଛି
କନ୍ୟାଭୃଣ ହତ୍ୟା ରୂପେ
ଆଜି ଏ ମଣିଷର ହାତେ ॥

ହଁ ମା ! ଜାଣେନା ମୁଁ କେତେବେଳେ
ଆସିବ ସେ ଅଜଣା ମୁହୂର୍ତ୍ତ ।
ତୋ ଗର୍ଭସ୍ଥ ମୋର ଏ ଜୀବନ ଦୀପଟି
ହେବ ନିର୍ବାପିତ ॥

ମତେ କଣ ଆସିବାକୁ ଦେବୁନି ତୁ ମା ।
ସଭିଙ୍କ ଚାପରେ କଣ ତୁ ଚପିଯିବୁ ମା ?
ମୋ କରୁଣ ନିବେଦନ
ତୋ କଣ୍ଠରୁ କଣ ଶୁଣିବନି ଆହା ?

ଅଧୀର ଏ ମନ ମୋର
କରିବାକୁ ତୋ କୋଳ ମଣ୍ଡନ ।
ତୁ କଣ ଅଧୀର ନୁହଁ
ସ୍ନେହବୋଳା ତୋ ଅଧରୁ
ମୋର ସେ କଅଁଳ ଗାଲରେ
ଦେବାକୁ ଚୁମ୍ବନ ?

ବ୍ୟାକୁଳ ମୁଁ ଆସିବାକୁ ମା
ରଙ୍ଗିନ ସେ ପୃଥିବୀ ପୃଷ୍ଠକୁ ।
ଦେଖିବାକୁ ତା ଆକାଶେ
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଓ ତାରାଙ୍କୁ ॥

ପ୍ରଜାପତି ପରି ଘୁରିବୁଲିବାକୁ ଚାହେଁ
ସବୁଜ ସୁଷମାଭରା ତା ପ୍ରକୃତି କୋଳରେ ।
ଉଡିବାକୁ ଚାହେଁ ମୁହିଁ
ତା ଅନନ୍ତ ନୀଳ ଆକାଶରେ ॥

ଗାଇବାକୁ ଚାହେଁ ମୁହିଁ
କୋଇଲିର ସୁମଧୁର ସୁରେ।
ନାଚିବାକୁ ଚାହେଁ ମୁହିଁ
ଆନନ୍ଦରେ ଦୁନିଆର ଅଗଣାରେ ॥

ତୋପରି ଜାୟା ଜନନୀ ଭଗିନୀ ରୂପରେ
ନିଜକୁ ମୁଁ ଦେଖିବାକୁ ଚାହେଁ
ସୁନ୍ଦର ସେ ପୃଥିବୀ ବକ୍ଷରେ ॥

ପୁତ୍ରଠାରୁ କେଉଁ ଗୁଣେ ନୁହେଁ ମୁହିଁ ଊଣା ।
ଥରେ ମତେ ସୁଯୋଗ ତ ଦେ ଆସିବାକୁ
ଦେଖାଇଦେବାକୁ ଚାହେଁ
କନ୍ୟା ବି ଆଣିପାରେ ଶ୍ରେଷ୍ଠ ସଫଳତା
ହୋଇପାରେ ମଧ୍ୟ ଜଗଜ୍ଜିଣା ॥

ଜାଣେନା କି ଏ ସମାଜ ?—
ନାରୀ ଓ ପୁରୁଷ - ଏକ ବିନା ଆନ
ନୁହଁଇ ସମ୍ପୁର୍ଣ୍ଣ ।
ନାରୀର ଅବର୍ତ୍ତମାନରେ
ଅସମ୍ଭବ ଭବିଷ୍ୟତ ସୃଷ୍ଟି
ଲିଭିଯିବ ପୃଥିବୀ ବକ୍ଷରୁ ମଣିଷର ଚିହ୍ନ ॥

ଯେ ପର୍ଯ୍ୟନ୍ତ ଏ ନାରୀ ସମାଜ
ନ ବୁଝିଛି ନିଜ ଅଧିକାର ଆଉ
ନିଜର ସମ୍ମାନ,
କନ୍ୟାଭୃଣ ହତ୍ୟାର ସମାପ୍ତି
ରହିଥିବ ହୋଇ ପ୍ରଶ୍ନଚିହ୍ନ ।।
******

#smblogcontest