Image

ଉପକ୍ରମ
=====
ଏ ସଂସାର ଏକ ମାୟା ଜାଲ। ଲୋଭ ମୋହ ଗ୍ରସ୍ତ ଏଇ ମଣିଷ ଜୀବନ ଦିନେ ପଞ୍ଚଭୁତରୁ ସୃଷ୍ଟି ହୁଏ, ମିଛ ମାୟାରେ ପଡି ଅନେକ ସମ୍ପର୍କର ସେତୁ ଗଢେ ଆଉ ଦିନେ ପୁଣି ସେହି ପଞ୍ଚଭୁତରେ ଲୀନ ହୋଇଯାଏ। ସେ ବୁଝିପାରେ ନାହିଁ ଯେ ସେ ଯାହା ସବୁ କରୁଛି ସେ ସବୁ ଅଳୀକ ମାତ୍ର। ଯେତେ ସବୁ ସମ୍ପର୍କୀୟ ସମସ୍ତେ ସୁଖର ସାଥୀ। ମଲାବେଳେ କେହି ସଂଗରେ ସାଥୀ ହୋଇ ଯାଆନ୍ତି ନାହିଁ। ଦୁଃଖ ସମୟରେ ଧୀରେ ଧୀରେ ଦୂରେଇ ଯାଆନ୍ତି। ଏ ଦୁନିଆରେ କାନ୍ଦି କାନ୍ଦି ପାଦ ଦେଇଥିବା ସେଇ ମଣିଷଟି ଦିନେ ନିଜକୁ ଅତି ନିସଙ୍ଗ ବୋଲି ଭାବିଥାଏ  ଫେରିିଯାଏ ଏକା ଏକା ଜୀବନର ଶେଷ ପର୍ଯାୟରେ ସେଇ ପଞ୍ଚଭୁତକୁ। ସବୁ ଜାଣି ଶୁଣି ମଧ୍ୟ ସେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲୋଭ ତ୍ୟାଗ କରି ନପାରି ସବୁବେଳେ ମୋର ମୋର ହେଉଥାଏ। ଏହି ଜୀବନ ଦର୍ଶନର ପୃଷ୍ଠଭୂମିରେ ନିମ୍ନ ପ୍ରଦତ୍ତ କବିତା ପ୍ରଣିଧ୍ୟାନ ଯୋଗ୍ୟ।

ଆସିଥିଲି କାନ୍ଦି କାନ୍ଦି-ଫେରିବିକି ହସି ହସି ?
========================
ଯେ ଦିନ ଛୁଇଁଲି ପ୍ରଥମେ ଏ ମାଟି
କାନ୍ଦିଥିଲି କୁଆଁ କୁଆଁ
କାନ୍ଦି ନଥିଲେ ମୁଁ —କନ୍ଦାଇବା ପାଇଁ
ଚେଷ୍ଟା କରିଥାନ୍ତେ ହୋଇଥିଲେ ଯିଏ ଠିଆ॥

ମୁଁ କାନ୍ଦି ନଥିଲେ କାନ୍ଦିଥାଏନ୍ତେ ମୋ
ଥିଲେ ଯେତେ ନିଜଜନ
କିନ୍ତୁ ମୁଁ ସେଦିନ କାନ୍ଦିଥିଲି ଆଉ
ଆନନ୍ଦରେ ମିଠା ବାଣ୍ଟିଥିଲେ ପ୍ରିୟଜନ॥

ପ୍ରସବ ବେଦନା ଭୁଲି ଜନ୍ମଦାତ୍ରୀ,
ଅଧରେ ତାଙ୍କର ଫୁଟାଇଲେ ସ୍ମିତ ହାସ୍ୟ
ବହୁ ଆଡମ୍ବରରେ ପାଳିଥିଲେ
ଘରେ ଏକୋଇଶିଆ ଦିବସ॥

ସମୟ ଯାଇଛି ଗଡି
ଆଣିଥିଲେ ଯିଏ ପୃଥିବୀକୁ ମୋତେ
ଗଲେଣି କେବେଠୁ  ଛାଡି॥

ହୁଏତ ସେମାନେ ଆଉ କାହା ଘରେ
କୁଆଁ କୁଆଁ କାନ୍ଦି ଆସିଥିବେ  ପୃଥୀବୀକୁ
ମଲାପରେ ଆଉ କିଏ ବା ଜାଣୁଛି
କିଏ ଗଲା କେଉଁଠିକୁ॥

ଶାଖା ପ୍ରଶାଖା ମୁଁ ମେଲାଇ ବସିଛି
ସତେ ଅବା ବଟ ବୃକ୍ଷ
କେତେ ପକ୍ଷୀ ବସା ବାନ୍ଧି ରହିଛନ୍ତି
ଜାଣନ୍ତିନି ମୋର ଦୁଃଖ॥

ମୂଳଗଣ୍ଡି ମୋର ହେଲାଣି ଦୁର୍ବଳ
ଭୂଇଁରେ ପଡିବି ଶୋଇ
ଓହଳ ଗୁଡାକ ଟେକି ଧରନ୍ତେ ଯା
ପାରନ୍ତିନି ଭୂଇଁ ଛୁଇଁ ॥

ଧୀରେ ଧୀରେ ଜରା ଆଲିଙ୍ଗନ କରେ
ଶରୀର ହୁଏ ଅବଶ
ଯାହାଙ୍କୁ ଭରସା କରିଥିଲି ଏବେ
ତୁଟି ଗଲାଣି ବିଶ୍ୱାସ॥

ବସା ବାନ୍ଧିଥିବା ପକ୍ଷୀମାନେ ଏବେ
ଜାଣି ମୋର ଏ ଅବସ୍ଥା,
ଅନ୍ୟ ବୃକ୍ଷେ ବସା ବାନ୍ଧିବା ପାଇଁକି
କରୁଅଛନ୍ତି ବ୍ୟବସ୍ଥା॥

ସଂସାରଟା ବଡ ବିଚିତ୍ର ଏଠାରେ
ସମସ୍ତେ ସୁଖର ସାଥୀ
ଦୁଃଖବେଳେ ମୁହଁ ଫେରାଇ ନିଅନ୍ତି
ଭୁଲି  ସ୍ନେହ ପ୍ରେମ ପ୍ରୀତି॥

ଆସିଥିଲି କାନ୍ଦି କାନ୍ଦି ସଂସାରକୁ
ଫେରିବିକି ହସି ହସି ?
ଜାଣେନି ମୁଁ ବିଧି କଣ ଲେଖିଛି
କପାଳେ ମୋ ବସି ବସି॥
******