Image

ସୁନାମଧନ୍ଯା ସାହିତ୍ଯିକା ଶ୍ରୀମତୀ କନକଲତା ମହାନ୍ତି ଚଳିତବର୍ଷ  ଫେବୃୟାରୀ ମାସ ଛବିଶ ତାରିଖ ଦିନ ଇହଧାମ ତ୍ଯାଗ କରିଛନ୍ତି।ତାଙ୍କ ସ୍ମୃତିରେ ଏକାଦଶାହ ଦିନ "ଶ୍ରଦ୍ଧାଞ୍ଜଳି" ନାମରେ ଏକ ସ୍ମରଣୀକା ପ୍ରକାଶ ପାଇଛି।ସେହି ମହାନ ଲେଖିକାଙ୍କ ସମ୍ମାନରେ ପ୍ରକାଶିତ ମୋର ଏହି ସ୍ମୃତିକଥା ----


ଜନ୍ମ ହେଲେ ମୃତ୍ଯୁ ଯେ ସୁନିଶ୍ଚିତ ଏହି ସତ୍ଯଟିକୁ ସମସ୍ତେ ଜାଣିଥିଲେ ମଧ୍ଯ ମୃତ୍ଯୁକୁ  ଆମେ କେହି ସହଜରେ ସ୍ବୀକାର କରିପାରୁନାହିଁ। ନିଜର ପ୍ରିୟ ପରିଜନଙ୍କ ମୃତ୍ଯୁ ଖବରକୁ ବିଶ୍ବାସ କରିହୁଏନି।ସଦା ହସହସ କର୍ମତତ୍ପର ଦେଈ ଯେ ଆମ ଗହଣରେ ଆଉ ନାହାନ୍ତି ଏହା ଅବିଶ୍ବାସ  ହେଲେ ବି ସତ୍ଯ।

ଦେଈ ମୋ ବାପାଙ୍କ ବଡଭଉଣୀ।ବାପା ବୋଉଙ୍କଠାରୁ ଆରମ୍ଭ କରି ମୋ ପିଲାମାନଙ୍କ ପର୍ଯ୍ଯନ୍ତ ଆମେ ସମସ୍ତେ ତାଙ୍କୁ ଦେଈ ବୋଲି ଡାକୁ।ଗୋରା ତକ୍ ତକ୍ ଚେହେରାର ଛୋଟିଆ ମଣିଷ ଟିଏ। କିନ୍ତୁ ଅନନ୍ଯ ପ୍ରତିଭା ର ଅଧିକାରିଣୀ।ସେ ଏକାଧାରରେ ଜଣେ ସୁଗୃହିଣୀ, ସୁଲେଖିକା, ସୁବକ୍ତା, ଶ୍ରୀ ମା ଓ ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତା ଏବଂ ଜଗନ୍ନାଥ ସଂସ୍କୃତି ଉପରେ ରହିଛି ତାଙ୍କର ଅଗାଧ ଜ୍ଞାନ ଓ ଗଭୀର ଆସ୍ଥା।
ଅଧୁନା ଜଗତ୍ ସିଂହ ପୁର ଜିଲ୍ଲାର ଶାରଳା ପୀଠ ନାମରେ ଖ୍ଯାତ କନକପୁର ଗ୍ରାମରେ ଉଣେଇଶ ସଇଁତିରିଶ ମସିହା ଅଗଷ୍ଟ ମାସ ନଅ ତାରିଖରେ ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଏବଂ ସ୍ବର୍ଗତ ଶରତ କୁମାରୀ ମହାନ୍ତିଙ୍କର ଜ୍ଯେଷ୍ଠା କନ୍ଯା ଭାବରେ ଦେଈ ଜନ୍ମଗ୍ରହଣ କରିଥିଲେ। ଶ୍ରଦ୍ଧା ନାମ ଥିଲା କନକଲତା।ସେ ସମୟରେ ଝିଅମାନଙ୍କର ପାଠ ପଢା ଉପରେ ଅନେକ କଟକଣା ଥିଲା।ମାତ୍ର ସପ୍ତମ ଶ୍ରେଣୀ ପରେ ତାଙ୍କର ପାଠ ପଢାରେ ଡୋରି ବନ୍ଧା ହୋଇଥିଲା।ପରବର୍ତ୍ତୀ ସମୟରେ ପାଠପଢା ପ୍ରତି ଅହେତୁକ ଆଗ୍ରହ ହେତୁ ସେ ବଙ୍ଗଳା,ହିନ୍ଦୀ ଓ ଇଂରାଜୀ ଭାଷା ଶିକ୍ଷା କରିଥିଲେ।ସେ ତାଙ୍କ ମାମୁଁଙ୍କ ଠାରୁ ମାତ୍ର ଗୋଟିଏ ଦିନରେ ବଙ୍ଗଳା ଅକ୍ଷର ଶିଖି ବହି ପଢିବାକୁ ସକ୍ଷମ ହୋଇଥିଲେ।ପରିଣତ ବୟସରେ ଇଂରାଜୀ ଭାଷା ଶିକ୍ଷା କରି ଇଂରାଜୀ ଭାଷାରେ ରଚିତ ଉପାଦେୟ ପୁସ୍ତକମାନ ପଠନ କରିଥିଲେ।ଏଥିରୁ ତାଙ୍କର ବିଭିନ୍ନ ଭାଷା ପ୍ରତି ମମତା ଏବଂ ଜ୍ଞାନ ପିପାସା ଯେ କେତେ ଅଧିକ ତାହା ପରିଲକ୍ଷିତ ହୁଏ।ପିଲାଦିନୁ ମା ଶାରଳାଙ୍କ କୃପା ଲାଭ କରି ତାଙ୍କର ଜଣାଣ ଲେଖୁ ଲେଖୁ ଷାଠିଏ ଦଶକରେ ଗଳ୍ପ ଓ ଉପନ୍ଯାସ ରଚନା କ୍ଷେତ୍ରରେ ମନୋନିବେଶ କରିଥିଲେ।ବିବାହ ପରେ ଯୌଥ ପରିବାରର ଜଂଜାଳ ସମ୍ଭାଳି ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ଶୃଙ୍ଖଳିତ ଜୀବନ ଯାପନ କରିବାର କୌଶଳ ତାଙ୍କୁ ବେଶ୍ ଜଣାଥିଲା।ଦିନସାରା ଅକ୍ଳାନ୍ତ ପରିଶ୍ରମ କରି ମଧ୍ଯ ସେ ରାତିରେ ବିଶ୍ରାମ ନ ନେଇ ପଢାପଢି ଓ ଲେଖାଲେଖିରେ ଲିପ୍ତ ରହୁଥିଲେ।କବିବଧୂ, ଏତେ ଅନ୍ଧାର କେତେ ଜ୍ବାଳା, ଅନୁରାଧା, ତ୍ରିଭୂଜ, ପକ୍ଷୀଜନ୍ମରୁ ପାରିକର, ଭିନ୍ନ ବୃନ୍ଦାବନ, ସୁଦାମା ଏବଂ ଭକ୍ତ ବିଶର ମହାନ୍ତି ଇତ୍ଯାଦି ଉପନ୍ଯାସ ଓ ଅସଂଖ୍ଯ କ୍ଷୁଦ୍ର ଗଳ୍ପ ରଚନା କରିଛନ୍ତି। ସେ ସାମାଜିକ ବିଷୟବସ୍ତୁକୁ ତାଙ୍କ ଲେଖାରେ ପ୍ରାଧାନ୍ଯ ଦେଉଥିଲେ ମଧ୍ଯ ତାଙ୍କର କଥାବସ୍ତୁ, ଚରିତ୍ର ଚିତ୍ରଣ ଓ ରଚନା ଶୈଳୀରେ ନିଜର ସ୍ବତନ୍ତ୍ରତା ସ୍ପଷ୍ଟ ରୂପେ ବାରି ହୋଇ ପଡୁଥିଲା।ନବ କଳେବର ସମୟରେ ପ୍ରକାଶିତ ଐତିହାସିକ ଉପନ୍ଯାସ "ଭକ୍ତ ବିଶର ମହାନ୍ତି" ଓଡିଆ ସାହିତ୍ଯ ଜଗତକୁ ତାଙ୍କର ଅନନ୍ଯ ଅବଦାନ କହିଲେ ଅତ୍ଯୁକ୍ତି ହେବ ନାହିଁ।ଅନୁରାଧା,ଏତେ ଅନ୍ଧାର କେତେ ଜ୍ବାଳା, ସୁଦାମା ଓ ତ୍ରିଭୂଜ ଆଦି ପୁସ୍ତକ ବିଶେଷ ଭାବରେ ପାଠକୀୟ ଆଦୃତି ଲାଭ କରିଛି।ଏତଦ୍ ବ୍ଯତୀତ ସେ ଅନେକ ଭଜନ ମଧ୍ଯ ରଚନା କରିଛନ୍ତି।ତାଙ୍କ ରଚିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ଅନେକ ଥର ଆକାଶବାଣୀରେ ପ୍ରଚାରିତ ହୋଇଛି।ସ୍ବରଚିତ ଜଣାଣଗୁଡିକୁ ସେ ଭାବ ବିହ୍ବଳିତ ହୋଇ ସୁଲଳିତ କଣ୍ଠରେ ଗାନ କରୁଥିଲେ।ସାହିତ୍ଯ ସମ୍ବନ୍ଧୀୟ ତଥା ଆଧ୍ଯାତ୍ମିକ ଆଲୋଚନାରେ ସେ ସକ୍ରିୟ ଅଂଶ ଗ୍ରହଣ କରି ଜଣେ ସୁବକ୍ତା ଭାବେ ପରିଚିତ ଥିଲେ।ସେ ବାରିପଦାର ପ୍ରସିଦ୍ଧ ରଥଯାତ୍ରାରେ ଜଣେ ଭାଷ୍ଯକାର ଭାବରେ ରଥଯାତ୍ରାର ଧାରା ବିବରଣୀ  ବର୍ଣ୍ଣନା କରୁଥିଲେ।ଦୃଢ ମନୋବଳ ଆଗରେ ଶିକ୍ଷାଗତ ଯୋଗ୍ଯତା, ପାରିବାରିକ ବାଧା ବା ବନ୍ଧନ, ଧନ ସମ୍ପତ୍ତି, ସମୟର ସ୍ବଳ୍ପତା ଇତ୍ଯାଦି ର ମୂଲ୍ଯ କେତେ ଯେ ନଗଣ୍ଯ ଏହା ସେ ପ୍ରତିପାଦନ କରିଛନ୍ତି।

ଦେଈ ଏବଂ ପିଉସା ଉଭୟଙ୍କର ମୁଁ ବହୁତ ପ୍ରିୟ ଥିଲି। ଅଜୟଙ୍କୁ ମଧ୍ଯ ସେମାନେ ବହୁତ ଭଲ ପାଉଥିଲେ। ବାରିପଦା ଏବଂ ବାଲେଶ୍ବରରେ ଥିବା ସମୟରେ ଆମେ ପ୍ରାୟ ପ୍ରତ୍ଯେକ ଶନିବାର ରବିବାର ତାଙ୍କ ଘରକୁ ଯାଉଥିଲୁ।ପିଉସା ପ୍ରଚଣ୍ଡ ଖାଦ୍ଯପ୍ରିୟ ଥିଲେ। ଦେଈ କିନ୍ତୁ  ସ୍ବଳ୍ପାହାରୀ ହେଲେ ମଧ୍ଯ ଅନ୍ୟମାନଙ୍କୁ ଭୁରୀ ଭୋଜନରେ ଆପ୍ଯାୟିତ କରି ଅପାର ଆନନ୍ଦ ଲାଭ କରୁଥିଲେ।କେହି ତାଙ୍କ ଦୁଆରୁ ଖାଲିହାତରେ ଫେରୁ ନଥିଲେ।ପିଲାମାନଙ୍କ ସାଙ୍ଗଠୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ଯନ୍ତ ସମସ୍ତେ ତାଙ୍କ ପରିବାର ସଦୃଶ ଥିଲେ।ପିଉସାଙ୍କ ମୃତ୍ଯୁ ପରେ ସାଧାରଣ ନାରୀଟିଏ ପରି ଭାଙ୍ଗି ନଯାଇ ଅସୀମ ଧୈର୍ଯ୍ଯ ସହକାରେ ପରିବାରକୁ ସମ୍ଭାଳି ସାହିତ୍ଯ ଚର୍ଚ୍ଚା ଓ ଆଧ୍ୟାତ୍ମିକ ଚେତନାରେ ବ୍ରତୀ ହୋଇଥିଲେ।ମୋ ପୁଅ ଚିତ୍ର ଆଙ୍କୁଥିବାରୁ ଦେଈ ତାକୁ ପିଲାଦିନୁ "ଆର୍ଟିଷ୍ଟ" ବୋଲି ଡାକୁଥିଲେ। ଝିଅର ଇଂରାଜୀ ଭାଷାରେ ଲେଖାଲେଖି ପ୍ରତି ରୁଚି ଥିବା ଜାଣି ତାକୁ ସର୍ବଦା ଲେଖିବା ପାଇଁ ପ୍ରବର୍ତ୍ତାଉଥିଲେ। ପରବର୍ତ୍ତୀ ସମୟରେ ମୁଁ କିଛି ଲେଖାଲେଖି କରୁଛି ଜାଣି ବହୁତ ଖୁସି ହୋଇଥିଲେ।ମୋର ପ୍ରଥମ ଗପ ପଢି ମୋତେ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଓଡିଆ ତଥା ଅନ୍ଯାନ୍ଯ ଭାଷାରେ ଲିଖିତ ପୁସ୍ତକ ସବୁ ପଢିବାକୁ ଉପଦେଶ ଦେଇଥିଲେ।ସେ ସମୟାନୁବର୍ତ୍ତୀ ଥିଲେ।ଗପସପ ବା ପରଚର୍ଚ୍ଚାରେ ଅଯଥା ସମୟ ନଷ୍ଟ ନକରି ପଢାପଢି କିମ୍ବା ଆଧ୍ଯାତ୍ମିକ ଆଲୋଚନା କରିବାକୁ ଭଲ ପାଉଥିଲେ।ମତେ ସବୁବେଳେ କୁହନ୍ତି ମା ରେ, ଲେଖିବା ଏକ ସାଧନା।ତୁ ଅଧିକାଂଶ ସମୟ ଏଣିକି ପଢାପଢିରେ ବିନିଯୋଗ କର।ସବୁଦିନେ ସଂକଳ୍ପ କରି କିଛି କିଛି ପଢ।ଯେତେ ପଢିବୁ ତୋ ଲେଖା ସେତେ ମାର୍ଜିତ ହେବ ଓ ତୁ ଜଣେ ଭଲ ଲେଖିକା ହୋଇ ପାରିବୁ।ସେ ବିଭିନ୍ନ ପତ୍ରିକାକୁ ଲେଖା ପଠେଇବାକୁ ମତେ ପ୍ରୋତ୍ସାହିତ କରୁଥିଲେ।ମୋର ପ୍ରଥମ ଗପ ଯେତେବେଳେ "ଗୋକର୍ଣ୍ଣିକା" ପତ୍ରିକାରେ ପ୍ରକାଶିତ ହେଲା ସେ ଖୁସିରେ ଆତ୍ମହରା ହୋଇ ଆଶୀର୍ବାଦ କରିଥିଲେ। ବହିକୁ ସେ ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ।ତାଙ୍କ ଘରେ ଗୋଟିଏ ଲାଇବ୍ରେରୀ ଅଛି। ପ୍ରତ୍ଯେକ ଥର ମୁଁ ଗଲେ ପ୍ରତିଷ୍ଠିତ ଲେଖକଙ୍କର କିଛି ବହି ମୋତେ ଦେଉଥିଲେ ଓ ପଢିସାରି ବହିଗୁଡିକୁ ତାଙ୍କୁ ଫେରାଇ ଦେବାକୁ କହୁଥିଲେ।ମୁଁ ବହି ଫେରାଇବା ସମୟରେ ବହିଗୁଡିକର ବିଷୟବସ୍ତୁ ଉପରେ ମୋ ସହ ଆଲୋଚନା କରିବାକୁ ଭୁଲୁ ନଥିଲେ। ସେ ପ୍ରଖର ଧୀଶକ୍ତିସମ୍ପନ୍ନା ଥିଲେ।  ସେ ଜୀବନରେ ଅଜସ୍ର ପ୍ରଶଂସାପତ୍ର, ମାନପତ୍ର, ଉପଢୌକନ ଏବଂ ପୁରସ୍କାର ଇତ୍ଯାଦି ପାଇଛନ୍ତି।କିନ୍ତୁ ସବୁବେଳେ କୁହନ୍ତି ପାଠକୀୟ ସ୍ବୀକୃତି ହିଁ ଜଣେ ଲେଖକର ସର୍ବଶ୍ରେଷ୍ଠ ପୁରସ୍କାର। ତାଙ୍କ ଘରେ ଗୋଟିଏ ଆଧ୍ଯାତ୍ମିକ ପରିବେଶ ଥିଲା। ନିୟମିତ ପାଠଚକ୍ର ହେଉଥିଲା। ସେ ସର୍ବଦା ପରିବାର,ସାହିତ୍ଯ ଓ ଧର୍ମ ମଧ୍ଯରେ ସମନ୍ବୟ ରକ୍ଷା କରୁଥିଲେ।ଶିକ୍ଷାକୁ ଅଗ୍ରାଧିକାର ଦେବା ସହ ଅନ୍ଧବିଶ୍ବାସ ଓ କୁସଂସ୍କାର ର ବଶବର୍ତ୍ତୀ ନ ହେବା ପାଇଁ ପରାମର୍ଶ ଦେଉଥିଲେ। ସେ ଝିଅମାନଙ୍କୁ ବହୁତ ଭଲ ପାଉଥିଲେ। ଆଜିର ନାରୀ ଅବଳା କି ଦୁର୍ବଳା ନୁହେଁ ସେ ସମସ୍ତ ପରିସ୍ଥିତିର ମୁକାବିଲା କରି ଅସାଧ୍ଯ ସାଧନ କରିପାରିବ ବୋଲି ମତ ପ୍ରଦାନ କରୁଥିଲେ।

ମୋ ଦେଈ ମୋ ପାଇଁ ଯେ କଣ ଥିଲେ ତାହା ବର୍ଣ୍ଣନାତୀତ।ଗତଥର ମୁଁ ତାଙ୍କ ଘରକୁ ଯାଇଥିବାବେଳେ  ସେ ଦୁଇ ତିନୋଟି ଜଣାଣ ଗାଇ ମୋତେ ଶୁଣାଇଥିଲେ।କିନ୍ତୁ ଏହି ସୁଯୋଗ ଯେ ମୋ ଜୀବନରେ ପୁନର୍ବାର ଆସିବ ନାହିଁ ମତେ ଜଣା ନଥିଲା।ସେଦିନ ମଧ୍ଯ ସେ ମୋତେ ଗୋଟିଏ ଗପର ପ୍ଲଟ୍ କହିଥିଲେ ଓ ତାକୁ ଆଧାର କରି ଗପଟିଏ ଲେଖିବାକୁ କହିଥିଲେ। ନିଜର ଅବହେଳା ଯୋଗୁଁ ମୁଁ ଆଜିପର୍ଯ୍ଯନ୍ତ ଗପଟି ଶେଷ କରିପାରି ନାହିଁ।ତାଙ୍କର ଶେଷ ଇଚ୍ଛାଟିକୁ ପୂରଣ ନକରିପାରିବାର ଅବସୋସ ମୋର ସବୁଦିନ ପାଇଁ ରହିଯିବ।

ଏକଥା  ସତ ଯେ ଦେଈଙ୍କ ପରି ଶାନ୍ତ,ସରଳ ଓ ସ୍ନେହୀ ମଣିଷ ଟିର ଶୂନ୍ଯସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ। ଓଡିଆ ସାହିତ୍ଯ ଜଗତର ଅଗଣିତ ପାଠକ ପାଠିକା ତଥା ଅସଂଖ୍ଯ ଶୁଭେଚ୍ଛୁଙ୍କ ହୃଦୟରେ ସେ ଚିର ସ୍ମରଣୀୟା ହୋଇ ରହିଥିବେ।