Image

ସୁଖ ଓ ଦୁଃଖ l ମୁଦ୍ରା ର ଦୁଇ ପାର୍ଶ୍ୱ ଭଳି ଉଭୟେ ଉଭୟଙ୍କ ସଙ୍ଗେ ଅଙ୍ଗାଙ୍ଗୀ ଭାବେ ଜଡିତ l ଯେପରି ମୁଦ୍ରାର ଗୋଟିଏ ପାର୍ଶ୍ୱକୁ ଆମେ ଦେଖିପାରୁଥିଲେ ସୁଦ୍ଧା ତା ଅପରପାର୍ଶ୍ୱଟି ଦୃଷ୍ଟି ଅନ୍ତରାଳରେ ଥାଉ ପଛକେ ତା ସହିତ ସଂଲଗ୍ନ ହୋଇ ରହିଥାଏ, ଠିକ ସେହିପରି ସୁଖ ପଛରେ ଦୁଃଖ ଓ ଦୁଃଖ କୁ ବାଦ ଦେଇ ସୁଖର କିଛି ଅସ୍ତିତ୍ବ ହିଁ କାମନା କରାଯାଇ ନ ପାରେ l କିନ୍ତୁ ବେଳେବେଳେ ଦୁଃଖ ମଧ୍ୟ ଉନ୍ନତି ପଥରେ ସହାୟକ ହୁଏ l ମାତ୍ର ଖୁବ ଅଳ୍ପ ଲୋକ ହୃଦୟଙ୍ଗମ କରିପାରନ୍ତି ଏହି ନିରାଟ ସତ୍ୟଟିକୁ l ବେଳେବେଳେ ଜୀବନରେ ଖୁସି ଆଣୁଥିବା ଜିନିଷ ଗୁଡିକ ଅପସରି ଯାଏ, ଦୁଃଖ ରୂପକ କଳାମେଘ ଜୀବନରେ ଘୋଟିଆସେ l ଏହି ସବୁ ଦୁଃଖକୁ ସହ୍ୟ କରିବାର ପ୍ରୟାସ ପରିବର୍ତ୍ତେ କେତେଜଣ ଘରର ଗୋଟିଏ କୋଣରେ ବସି ବସି ନିଜ ଜୀବନକୁ ଦୁର୍ବିସହ କରିବା ସହ ତାଙ୍କ ଜୀବନରେ ବହୁତ ମହତ୍ତ୍ୱ ରଖୁଥିବା ନିଜ ପରିବାରବର୍ଗ, ଆତ୍ମୀୟ ସ୍ଵଜନଙ୍କୁ ମଧ୍ୟ ସେହି ଚକରେ ପେଷି ଦିଅନ୍ତି l କିନ୍ତୁ ଏମିତି ମଧ୍ୟ କେତେଜଣ ଥାଆନ୍ତି, ଯେତେବେଳେ ସେମାନେ ଦୁଃଖୀ  ହୁଅନ୍ତି, ଗୋଟିଏ ନୂଆ ରାସ୍ତା ଖୋଜି ବାହାର କରନ୍ତି l ଯାହା ତାଙ୍କର ବ୍ୟକ୍ତିଗତ ତଥା ସମାଜ ପାଇଁ ଏକ ଦୃଷ୍ଟାନ୍ତ ହୋଇ ରହିଯାଏ l 

ଥରେ ଜଣେ ଶିକ୍ଷକ ଏକ ପାହାଡ଼ର ପାଦଦେଶରେ ନିଜ ସ୍ତ୍ରୀ ଏବଂ ଦୁଇଟି ସନ୍ତାନଙ୍କ ସହିତ ବେଶ ଖୁସିରେ ଜୀବନ ନିର୍ବାହ କରିଆସୁଥିଲେ l ଏକ ଦାୟିତ୍ୱସଂପନ୍ନ, ଉଚ୍ଚାଭିଳାଷୀ ଶିକ୍ଷକ ହେବା ସହିତ ଏକ ଆଦର୍ଶ ପିତା, ସ୍ୱାମୀ ଓ ସର୍ବୋପରି ଜଣେ ସମ୍ମାନାସ୍ପଦ ବ୍ୟକ୍ତି ଭାବରେ ସେଇ ଅଂଚଳରେ ଜଣାଶୁଣା ଥିଲେ l ଗୋଟିଏ ଭୟଙ୍କର ରୋଗରେ ପୀଡିତ ହେବାପରେ ବ୍ୟକ୍ତିଜଣଙ୍କର ଦୁଇଟିଯାକ ସନ୍ତାନଙ୍କର ମୃତ୍ୟୁ ଘଟିଲା l ପିଲା ଦୁଇଟାଙ୍କୁ ଝୁରି ଝୁରି ସ୍ତ୍ରୀ ମଧ୍ୟ ଆଖି ବୁଜିଲେ ଏବଂ ଶିକ୍ଷକ ଜଣକ  ଏକୁଟିଆ ହୋଇଗଲେ l ସେ ଦୁଃଖରେ ଭାଙ୍ଗିପଡିଲେ କାରଣ ତାଙ୍କର ସମଗ୍ର ଜୀବନ ସେହି ତିନି ଜଣଙ୍କ ଚାରିପଟେ ହିଁ କେନ୍ଦ୍ରୀଭୂତ ହୋଇ ଚାଲୁଥିଲା l ସେ ପାଗଳପ୍ରାୟ ହୋଇ ଏଣେତେଣେ ବୁଲିବାକୁ ଲାଗିଲେ l ସମ୍ପୂର୍ଣ୍ଣଭାବେ କିଂକର୍ତ୍ତବ୍ୟ ବିମୂଢ ହୋଇ ସେ ଘରଦ୍ୱାର, ବିଦ୍ୟାଳୟ ପରିତ୍ୟାଗ କରି ପାହାଡ଼ ଉପରକୁ ଚାଲିଆସି ସେଠି ରହିବାକୁ ସ୍ଥିର କଲେ l 

ନିଜ ପିଲାଦିନରୁ ସେ ପାହାଡଟିକୁ ଦେଖିଆସୁଥିଲେ l ସେତେବେଳେ ପାହାଡଟି ସବୁଜ ବନାନୀରେ ପରିପୂର୍ଣ୍ଣ ଥିଲା l ବର୍ତ୍ତମାନ ପ୍ରଗତି ଏବଂ ଉନ୍ନତି ର ଦ୍ୱାହି ଦେଇ ଲୋକେ ତାକୁ ଏକ ଟାଙ୍ଗରା, ବୃକ୍ଷହୀନ ଓ ନିର୍ଜୀବ ଭୂମିଖଣ୍ଡରେ ପରିଣତ କରିସାରିଥିଲେ l ଦୁଇ ତିନୋଟି ଗଛ ବ୍ୟତୀତ ସେଠି ଆଉ କୌଣସି ବଡ଼ ବୃକ୍ଷ ନ ଥିଲା l ବୋଧହୁଏ ଗଛକଟାଳିମାନେ ଦୟାପୂର୍ବକ ଫଳନ୍ତି ଗଛଗୁଡିକୁ ନ କାଟି ଫେରିଯାଇଥିଲେ l କିଛିଦିନ ପରେ ସେ ଲକ୍ଷ୍ୟକଲେ କେବଳ ମାତ୍ର ପାହାଡ଼ର ନୀରସତା ଯୋଗୁଁ ତାଙ୍କ ଜୀବନଟି ବି ନିରସ ହେବାରେ ଲାଗିଛି l ବିଧିର ବିଡ଼ମ୍ବନାକୁ ତ ଆଉ ଆଡେଇ ଦେଇ ହବନି, ଯିଏ ଚାଲିଗଲା ତାକୁ ତ ଆଉ ଫେରେଇ ନେଇଆସି ହବନି l ମାତ୍ର ମୋ ଜୀବନଟା ଯଦି କୋଉ କାମରେ ଲାଗିପାରିଲା, ତାହେଲେ କେହି ନା କେହି ତ ଉପକୃତ ହେବେ !ତା ପରେ ସେ ସେଠି କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ l ନିଜେ ଜଣେ ଯୋଗୀ ଭାବରେ ଜୀବନଯାପନ କରି ଏକୁଟିଆ ସେଠାରେ ଥିବା ବୃକ୍ଷଗୁଡିକରୁ ଯେତେ ମଞ୍ଜି ପଡୁଥିଲା ତାକୁ ସଂଗ୍ରହ କରି ଟାଙ୍ଗରା ଭୂଇଁ ରେ ରୋପଣ କରିବାକୁ ଲାଗିଲେ l କୌଣସି ଅନ୍ୟ ଲୋକର ସହାୟତା ବିନା ଏକ ଲକ୍ଷ ବୀଜ ରୋପଣ କଲେ ଏବଂ ସେଗୁଡିକୁ ନିଜର ସନ୍ତାନଙ୍କ ଭଳି ପାଳନ ପୋଷଣ କଲେ l ଦଶ ବର୍ଷ ପରେ ସେ ପାହାଡଟି ସବୁଜ, ଉଚ୍ଚ ପାଦପରାଜିରେ ଭର୍ତ୍ତି ହୋଇଗଲା l ନିଜର ସତକର୍ମ ଯୋଗୁଁ ସେ ଜଣେ ଯୋଗୀରେ ପରିଣତ ହୋଇ ସାରିଥିଲେ l ଯଦିଓ କେହି କେବେ ତାଙ୍କୁ ଯୋଗ ଶିକ୍ଷା ଦେବାର ନଜିର ନ ଥିଲା l

ଜଣେ ଇଚ୍ଛାକଲେ ନିଜର ଯେ କୌଣସି ମାନସିକ ଅବସ୍ଥାକୁ ଏକ କ୍ରିୟାତ୍ମକ ରୂପ ଦେଇପାରିବ l ପ୍ରତ୍ୟେକ ବସ୍ତୁକୁ ଦୁଇଟି ରୂପରେ ଦେଖାଯାଇପାରେ ;ସକାରାତ୍ମକ କିମ୍ବା ନକାରାତ୍ମକ l କିନ୍ତୁ ଏହି ସତ୍ୟଟିକୁ ମଧ୍ୟ ମାନିବାକୁ ହବ ଯେ ଗୋଟିଏ ଯୁକ୍ତାତ୍ମକ ଓ ଆଉ ଏକ ବିଯୁକ୍ତାତ୍ମକ ଶକ୍ତିର ସଂଯୋଗରେ ହିଁ ଆଲୋକ ସୃଷ୍ଟି ହୁଏ l ତେଣୁ ନକାରାତ୍ମକ ଶକ୍ତି ଭଳି ସକାରତ୍ମକ ଶକ୍ତି ମଧ୍ୟ ସମାନ ରୂପେ ଦରକାରୀ l ଅବସାଦଗ୍ରସ୍ତ ଥିଲାବେଳେ ତୁମ ମନ ଯଦି କ୍ରୋଧ ଓ ବିରକ୍ତିରେ ପୁରିଉଠୁଛି ଏବଂ ସମଗ୍ର ପୃଥିବୀ ତୁମକୁ ଭୁଲ ବୋଲି ମନେହଉଛି ତା ହେଲେ ତମ ଠାରୁ ବଡ଼ ଅଧମ ଏ ଦୁନିଆରେ ଆଉ କେହି ନାହାନ୍ତି l 

ମନର ସମସ୍ତ ପ୍ରକାର ଭାବରେ ରହିଛି ଶିକ୍ଷଣୀୟ ତତ୍ତ୍ୱ l କେବଳ ଖୁସି ରହିବା ଯେ ଜୀବନରେ ଦରକାରୀ, ତା ନୁହେଁ ବରଂ ଦୁଃଖ ଆଣିଦିଏ ମଣିଷ ଜୀବନରେ ପରିପକ୍ୱତା, ଧେର୍ଯ୍ୟ, ସଂଯମ ଓ ନମ୍ରତା l ଜୀବନରେ ଦୁଃଖ ଆସିଲେ ହିଁ ଜଣାପଡେ ସୁଖର ପ୍ରକୃତ ମହତ୍ତ୍ୱ l ଅପରପକ୍ଷେ ଦୁଃଖ ରୂପକ ଅଙ୍କୁଶ ମଣିଷକୁ ଠିକ ବାଟକୁ ଆଣିବାରେ ସହାୟକ ହୁଏ l ପରିଣାମ ସ୍ୱରୂପ ମଣିଷ ମନରେ ପରମାତ୍ମା ଙ୍କ ପ୍ରତି ଥିବା ବିଶ୍ୱାସ ଓ ଶ୍ରଦ୍ଧା ଆହୁରି ବଳବତ୍ତର ହୁଏ l

ଶୃତକୀର୍ତ୍ତି ତ୍ରିପାଠୀ 

ନାଗେଶ୍ୱର ଟାଙ୍ଗୀ