Image

ବଦଳୁଥିବା ସମ୍ପର୍କର ପରିଭାଷା

--------------------

ପ୍ରକାଶ ରଂଜନ ପରିଡ଼ା


‘‘ଲୁହାର ଶୃଙ୍ଖଳ ଛିଣ୍ଡାଇବା ସହଜ କିନ୍ତୁ ଫୁଲର ଶୃଙ୍ଖଳ ଛିଣ୍ଡାଇବା କେବଳ ଅସହଜ ନୁହେଁ ଅସମ୍ଭବ ।’’ ବର୍ତ୍ତମାନ ସମୟରେ ଏହି ଆପ୍ତବାକ୍ୟଟିର ଅର୍ଥ ଭୁଲ ପ୍ରମାଣିତ ହେବାରେ ଲାଗିଛି । ମଣିଷ ଖୁବ ସହଜରେ ଭୁଲିଯାଉଛି ରକ୍ତ ସମ୍ପର୍କ, ପରିବାରିକ ବନ୍ଧନର ଭିତ୍ତି । ଗୋଟିଏ ଛାତତଳେ ବାସ କରୁଥିବା ରକ୍ତ ସମ୍ପର୍କୀୟ ଆବେଗିକ ସ୍ତରରେ ଟୋଟିଏ ରଜ୍ଜୁରେ ବାନ୍ଧି ହୋଇହୋଇ ରହିଥାନ୍ତି, ଯାହାକୁ ପରିବାର କୁହାଯାଏ । ବାପା, ମାଆ, ଜେଜେ, ଜେଜେମାଆ, ପୁଅ, ଝିଅ, ନାତି, ନାତୁଣୀ ସମସ୍ତେ ଏକ ଅଲିଖିତ, ଅଘୋଷିତ ଅନୁଶାସନକୁ ସ୍ବୀକାର କରିବା ସ୍ବରୂପ ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ଏହି ସମ୍ବିଧାନ ହିଁ ପ୍ରତ୍ୟେକ ପରିବାରକୁ ଅନ୍ୟ ପରିବାରଠାରୁ ପୃଥକ୍‌ ଦର୍ଶାଇଥାଏ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିଜସ୍ବ ବ୍ୟକ୍ତିତ୍ବ, ରୋଜଗାର କ୍ଷମତା, ଇଚ୍ଛା, ଅନିଚ୍ଛା ରହିଥିଲେ ବି କୌଣସି ଅନ୍ତିମ ନିଷ୍ପତ୍ତି ନେବାବେଳେ ସାମୁହିକ ମତ ଓ ଭାବାବେଗକୁ ମଧ୍ୟ ସମାନ ଗୁରୁତ୍ବ ଦିଆଯାଇଥାଏ । ଅନ୍ୟର ମତକୁ ଗ୍ରହଣ କରିବା ପଛରେ ଅନୁଶାସନର ବାଧ୍ୟବାଧକତା ନଥାଏ ବରଂ ଥାଏ ସଂସ୍କାର ତଥା ଶ୍ରଦ୍ଧାଶୀଳ, ଭକ୍ତିଭାବର ସ୍ବୀକାରୋକ୍ତି । ସ୍ନେହ, ମମତାର ବନ୍ଧନରେ ବାନ୍ଧି ହୋଇରହିଥାନ୍ତି ପରିବାରର ସମସ୍ତ ସଦସ୍ୟ । 

ଏକାନ୍ନବର୍ତ୍ତିତା ବି ପୂର୍ବରୁ ପାରିବାରିକ ଏକତାର ଏକ ଗୁରୁତ୍ବପୂର୍ଣ୍ଣ କାରଣ ହୋଇପାରେ । କାରଣ ପୂରା ପରିବାରର ଆବଶ୍ୟକତାକୁ ପରିପୂରଣ କରିଥାନ୍ତି ଜଣେ ବ୍ୟକ୍ତି । ସ୍ବଭାବିକ ଭାବରେ ସମସ୍ତ ପରିବାରିକ ନିଷ୍ପତ୍ତି ସେ ହିଁ ନେଇଥାନ୍ତି । ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ନିଆଯାଉଥିବା ନିଷ୍ପତ୍ତିକୁ ଅନ୍ୟମାନେ ସମର୍ଥନ ଦେବା ସହ ସହଯୋଗ କରିଥାନ୍ତି । ସନ୍ତାନଙ୍କ ଆବଶ୍ୟକତା ପୂରଣ କରୁଥିବା ବାପାଙ୍କୁ ସମୟାନ୍ତରରେ ପୁଅମାନେ ମଧ୍ୟ ସହାୟତା କରନ୍ତି । ଭରଣପୋଷଣ, ପୁଅ, ଝିଅଙ୍କ ବାହାଘର, ଘର ତୋଳା, ଜମି କିଣାବିକା, ବନ୍ଧୁବାନ୍ଧବ ଚର୍ଚ୍ଚା ପରି ପାରିବାରିକ କାର୍ଯ୍ୟକୁ ସମ୍ପାଦନ କରିବାକୁ ସମସ୍ତେ ନିଜର ଦାୟିତ୍ବ ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ବର୍ତ୍ତମାନ ପରିବାରର ଅର୍ଥ ବଦଳି ଯାଇଛି । ବର୍ତ୍ତମାନ ପରିବାରର ଅନେକ ବ୍ୟକ୍ତି ରୋଜଗାରକ୍ଷମ । ପରିବାରର ଉନ୍ନତି ପାଇଁ ସମସ୍ତଙ୍କର ସହଭାଗିତା ଅପେକ୍ଷା ନିଜସ୍ବ ଉନ୍ନତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି ଅଧିକାଂଶ ବ୍ୟକ୍ତି । ଏହି କାରଣରୁ ପରିବାରର ସଦସ୍ୟଙ୍କ ସଂଖ୍ୟା ଅଳ୍ପ କିଛି ବର୍ଷ ମଧ୍ୟରେ ଛୋଟ ହୋଇଯାଇଛି । ‘ଛୋଟ ପରିବାର, ସୁଖି ପରିବାର ।’ ଏକଥା ବି ସତ । କିନ୍ତୁ ପରିବାରର ମେରୁଦଣ୍ଡ ବାପା ଓ ମାଆଙ୍କ ତ୍ୟାଗକୁ ଅସ୍ବୀକାର ପୂର୍ବକ ସେମାନଙ୍କୁ ଅଲୋଡ଼ା କରିଦେବା କେତେଦୂର ଯୁକ୍ତିସଙ୍ଗତ, ଏହା ବିତର୍କର ଅପେକ୍ଷା ରଖେ ।  ଦ୍ବିତୀୟତଃ ପରିବାରର ସମସ୍ତ ସଦସ୍ୟ ଆଜି ଗୋଟିଏ ଛାତତଳେ ରହୁନାହାନ୍ତି । ସାମୁହିକ ମତଠୁ ନିଜ ବ୍ୟକ୍ତିଗତ ମତ ଅଥିକ ଗୁରୁତ୍ବବହନ କରୁଛି ।  ଏପରିକି ଅନେକ ସମୟରେ ଗୋଟିଏ ପରିବାରର ସଦସ୍ୟ ବର୍ଷ ବର୍ଷ ଧରି ଏକତ୍ରିତ ହୋଇପାରୁ ନାହାଁନ୍ତି । ଜୀବିକା ନିର୍ବାହ ଉଦ୍ଦେଶ୍ୟରେ ଗ୍ରହଣ କରିଥିବା ଶିକ୍ଷା ଜୀବିକାଟିଏ ଦେବାକୁ ସକ୍ଷମ ହେଉଛି ସତ କିନ୍ତୁ ଭୁଲେଇ ଦେଉଛି ନୈତିକ ମୂଲ୍ୟବୋଧ । ପରିବାର ସହ କେବଳ ଯାନ୍ତ୍ରିକ ମାଧ୍ୟମରେ ସମ୍ପର୍କରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଜାରି ରହୁଥିବା ପ୍ରୟାସ ସମ୍ପର୍କକୁ ବାନ୍ଧି ରଖିବାରେ ସହାୟକ ହୋଇପାରୁନି । ସମୟାନ୍ତରରେ ମାନସିକ ସ୍ଥରରେ ପରସ୍ପରଠୁ ବୃଦ୍ଧି ପାଉଛି ଦୂରତା । ଏପରିକି ବର୍ତ୍ତମାନ ସମୟରେ ମଣିଷ ସାମାନ୍ୟ ସ୍ବାର୍ଥ ପାଇଁ ଆତ୍ମୀୟଙ୍କ ଜୀବନ ନେବାକୁ ବି ପଛଘୁଞ୍ଚା ଦେଉନି । ଏହାର ଉଦାହରଣ ଦେବା ନିଷ୍ପ୍ରୟୋଜନ । 

ତେବେ କାହିଁକି ଫିକା ପଡ଼ିଯାଉଛି ରକ୍ତ ସମ୍ପର୍କ ? ମଣିଷ ଆଜି ବ୍ୟକ୍ତିକୈନ୍ଦ୍ରିକ, ସ୍ବାର୍ଥପର, ନିଷ୍ଠୁର ହୋଇଯାଉଛି କାହିଁକି ? ବୋଧହୁଏ ଏ ପ୍ରଶ୍ନର ସହଜ ଉତ୍ତରଟି ହେଉଛି ‘ସୁଖପ୍ରାପ୍ତିର ଆଶା’ । ସୁଖରେ ରହିବା ପାଇଁ ଏତେ ସବୁ ବୃହତ୍ତର ଓ ଇତ୍ତର ପ୍ରୟାସ ସତ୍ତ୍ବେ କ’ଣ ସତରେ ମଣିଷ ସୁଖି ହୋଇପାରୁଛି ନା ଏକ ଭ୍ରମରେ ପଡ଼ି ନିଜକୁ ନଷ୍ଟ କରି ଚାଲିଛି ? ଯେକୌଣସି ପରିବାରକୁ ଲକ୍ଷ୍ୟ କଲେ ଦେଖିବେ, ଜଣେ ବ୍ୟକ୍ତି କେବଳ ନିଜର ସ୍ତ୍ରୀ, ପୁଅ, ଝିଅଙ୍କୁ ଖୁସିରେ ରଖିବା ପାଇଁ, ସେମାନଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ଯୌଥ ପରିବାରଠାରୁ ଦୂରେଇ ଯାଇଥାନ୍ତି । କେବଳ ନିଜର କ୍ଷୁଦ୍ର ପରିବାରଟିକୁ ଖୁସିରେ ରଖିବା ପାଇଁ କୌଣସି ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ଭୁଲ ବୋଲି ବିଚାର କରୁନାହାଁନ୍ତି ପରିବାରର ମୁଖ୍ୟ । ଏହା ପଛରେ ଅର୍ଥଶକ୍ତିଟି ଯଦିଓ ଏକ ବୃହତ୍ତ କାରଣ ତେବେ ଏହା ପଛରେ ମାନସିକ ହୀମମନ୍ୟତା ବି ଏକ ବଳିଷ୍ଠ କାରଣ ହୋଇପାରେ । ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ବିଭିନ୍ନ ଯନ୍ତ୍ର ମଣିଷର ଜୀବନ ଧାରଣର ମାନ ବୃଦ୍ଧି କରୁଛି ସିନା ଜୀବନର ମାନକୁ ତଳିତଳାନ୍ତ କରୁଛି ବୋଲି ଆମେ କହି ପାରିବା ନାହିଁ; କାରଣ ବିଭିନ୍ନ ବୈଜ୍ଞାନିକ ଉଦ୍ଭାବନ ମଣିଷର ଆବଶ୍ୟକତାକୁ ପୂରଣ କରୁଛି । ପ୍ରକୃତ କଥା ହେଲା ମଣିଷ ଏହାର ଉପଯୋଗିତାକୁ  ଭିନ୍ନ ଅର୍ଥରେ ଉପଯୋଗ କରୁଛି । ଯାହା ଫଳରେ ଯନ୍ତ୍ରକୁ ଦାଶ କରିବା ପରିବର୍ତ୍ତେ ନିଜେ ଯନ୍ତ୍ରର ଦାଶ ପରି ଆଚରଣ କରୁଛି ।

 ବର୍ତ୍ତମାନ ସମାଜରେ ପ୍ରଚଳିତ ଶିକ୍ଷା ପଦ୍ଧତିରେ  ମଧ୍ୟ ନୈତିକ ଶିକ୍ଷାର ସ୍ଥାନ ନାହିଁ । କେବଳ ଅର୍ଥ (ଶକ୍ତି) ହାସଲ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ପାଠ୍ୟ ଖସଡ଼ା ମଣିଷକୁ ଅର୍ଥ ଉପାର୍ଜନ କରିବାକୁ, ଯନ୍ତ୍ର ନିର୍ମାଣ, ଯନ୍ତ୍ର ନିୟନ୍ତ୍ରଣ ପାଇଁ ସକ୍ଷମ ଯନ୍ତ୍ରଟିଏ କରୁଛି ସିନା ନିଜକୁ ବୁଝିବାକୁ, ନିଜର ଚିନ୍ତା ଓ ଭାବନାକୁ ନିୟନ୍ତ୍ରଣ କରିବାକୁ, ଶାରିରୀକ ଓ ମାନସିକ ଶକ୍ତିକୁ ଉପଯୋଗ କରିବାକୁ ଉପାୟ ପାଉନାହିଁ । ଅନେକ ସମୟରେ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ଅସମର୍ଥ ଆଜିର ମଣିଷ ।  ଆଜିର ଶିକ୍ଷିତ ଯୁବକ କୌଣସି ଏକ ବଡ଼ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀ ପଦରେ ଯୋଗଦେଇ ଅନେକ ମଣିଷଙ୍କୁ ନିୟନ୍ତ୍ରଣ କରୁଛି କିନ୍ତୁ ନିଜକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି । ନିଜ ଅବ୍ୟବସ୍ଥିତ ଶରୀର, ମନୋଭାବନା ଯୋଗୁ ସୃଷ୍ଠି ହେଉଥିବା ଚାପ, ପୀଡ଼ା, ବିରକ୍ତ ଭାବନା ପାଇଁ ଅନ୍ୟମାନଙ୍କୁ ଦାୟୀ କରୁଛି, ଅନ୍ୟମାନଙ୍କ ପ୍ରତି ଅସହିଷ୍ଣୁ ହୋଇପଡ଼ୁଛି;  ନିଜ ଆତ୍ମୀୟ ସ୍ବଜନ, ବନ୍ଧୁଙ୍କୁ ଆତତାୟୀ ମନେ କରୁଛି । ଆଶ୍ଚର୍ଯ୍ୟ, ବିଭିନ୍ନ ସୋସିଆଲ ମିଡିଆରେ ଶହ ଶହ ବନ୍ଧୁ ବନାଇ ସେମାନଙ୍କ ସହ ନିଜର ମନୋଭାବନା ବାଣ୍ଟୁଥିବା ମଣିଷଟି ନିଜଲୋକଙ୍କଠାରୁ ଦୂରେଇଯାଉଛି ! ଆତ୍ମୀୟ ସ୍ବଜନ ଓ ବନ୍ଧୁଙ୍କଠାରୁ ଦୂରେଇ ଖୁବ୍‌ ଏକୁଟିଆ ହୋଇଯାଉଥିବା ମଣିଷ ଜୀବନର ଜଟିଳ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ନିଶା ସେବନ କିମ୍ବା ଆତ୍ମହତ୍ୟା ପରି ଭୀରୁପଥ ବାଛିନେଉଛି ।

ଏବେ କେବଳ ଭୁଲ ଖୋଜିଲେ ସମସ୍ୟାର ସମାଧାନ ହେବ ନାହିଁ ବରଂ  ବିଷ ମଞ୍ଜିର ଉତ୍ପତିସ୍ଥଳକୁ ମଧ୍ୟ ଖୋଜିବାକୁ ପଡ଼ିବ । ମଣିଷର ଏ ଅଧୋପତ୍ତନ କାହିଁକି? ସହର ହେଉକି ଗାଁ ଆଜିକାଲି ସବୁଠି ଭର୍ତ୍ତି ମନ୍ଦିର, ଉପାସନା ପୀଠ, ମସଜିଦ, ଗୀର୍ଜା । ଦିନକୁ ଦିନ ଭିଡ଼ ବଢୁଛି, ପୂଜା ସାମଗ୍ରୀଠୁ ଆରମ୍ଭ କରି ବିଭିନ୍ନ ଭକ୍ତି ସଂଗୀତର ବ୍ୟବସାୟ ବଢ଼ୁଛି, ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକର ବିକ୍ରି, ପ୍ରବଚନର ଶ୍ରୋତା ବଢୁଛନ୍ତି, ସତ୍‌ଶିକ୍ଷା ଅର୍ଜନ କରିବାକୁ ଲୋକଙ୍କ ଆଗ୍ରହ ବଢୁଛି; ତେବେ ବାପାକୁ ପୁଅ, ସ୍ତ୍ରୀକୁ ସ୍ବାମୀ ହତ୍ୟା କରିବାର ଷଡ଼ଯନ୍ତ୍ର ରଚୁଛି କିପରି ? ସାଧାରଣ ଅର୍ଥରେ ଧାର୍ମିକ ମଣିଷଟି ସରଳ, ଶାନ୍ତ, ପରୋପକାରୀ । କିନ୍ତୁ ଟିକେ ଗଭୀର ଭାବରେ ଲକ୍ଷ୍ୟ କଲେ ସକାଳୁ ଉଠି ମନ୍ଦିର ଯାଉଥିବା ମଣିଷଟିର ଭାବାବେଗକୁ ବୁଝିଲେ ଧାର୍ମିକ ମଣିଷର ସଂଜ୍ଞା ବଦଳିଯିବ । ନିଜ ଭିତରେ ପର୍ଯ୍ୟାପ୍ତ ଅକ୍ଷମଣୀୟ ଅପରାଧ, ଭୁଲ, ଠକାମୀ, ପାପର ବୋଝକୁ ଲାଘବ କରିବା ପାଇଁ ଆଜିର ମଣିଷଟି ଧର୍ମପୀଠର ସନ୍ଧାନ କରୁଛି । ନିଜ ସୁଖ ପାଇଁ ପର ତଣ୍ଟି ଚିପିବା ପରେ ବି ସୁଖ ନପାଇବାରୁ ପ୍ରତିମା ଆଗରେ ମଥାନତ କରି ସୁଖ ମାଗୁଛି । ଏପରି ବିଚାରଧାରା ନେଇ ମଣିଷ ସଂସାରର ଯେ କୌଣସି ଶିକ୍ଷା ଗ୍ରହଣ କରିପାରେ କିନ୍ତୁ ଆଧ୍ୟାତ୍ମିକ ଜ୍ଞାନର ଏରୁଣ୍ଡି ଯେ ଡେଇଁ ପାରିବ ନାହିଁ, ଏକଥା ଅବଶ୍ୟ ଗ୍ରହଣ କରିବାକୁ ହେବ । ସବୁ ଧାର୍ମିକ, କାର୍ମିକ, ପୁଣ୍ୟବନ୍ତ ମଣିଷ ଆଧ୍ୟାତ୍ମିକବାଦୀ ହୋଇନଥାନ୍ତି । ଧର୍ମ ଏକ ବାହ୍ୟିକ ଆଚାର କିନ୍ତୁ ଆଧ୍ୟାତ୍ମିକତା ଏକ ଅଦୃଶ୍ୟ, ଆନ୍ତରିକ ଭାବ । ସାରା ସଂସାର ଆମର ଅଂଶବିଶେଷ, ଆମେ ସଂସାରର କିଞ୍ଚିତ ଅଂଶମାତ୍ର ହୃଦବୋଧ ହେବା ପରେ ଦୁନିଆର କେହି କାହାର ଶତ୍ରୁ ହେବା ସମ୍ଭବ ନୁହେଁ । ଆଜିର ସଂସାରରେ ଯାହା ଅଭାବ ରହିଛି, ତାହା କେବଳ ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଉନ୍ମୁଖତା । ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଭିତରେ କେଉଠି ଆଧ୍ୟାତ୍ମିକ ଶିକ୍ଷା କିମ୍ବା ନୈତିକ ଶିକ୍ଷାକୁ ଏକ ବିଷୟବସ୍ତୁ ଭାବରେ ସ୍ଥାନିତ କରିବାର ଆବଶ୍ୟକତା ବି ନାହିଁ । ଏହା କେବଳ ଆଚରଣଗତ ଶିକ୍ଷଣ ପ୍ରକ୍ରିୟା । ପରିବାର ସଦସ୍ୟଙ୍କ ବ୍ୟବହାର, ଶିକ୍ଷାଦାନ କରୁଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ହିଁ ଶିଶୁଙ୍କୁ ଖୁବ ସହଜରେ ପ୍ରଭାବିତ କରିପାରେ । ଯୋଗ, ଧ୍ୟାନ ମାଧ୍ୟମରେ ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ସନ୍ତୁଳିତ, ବ୍ୟବସ୍ଥିତ, ସୁସଂହତ କରାଯାଇପାରେ । ନିଜେ ବଦଳିଲେ, ଦୁନିଆ ବଦଳିବାକୁ ବେଶୀ ସମୟ ନେବନାହିଁ । ସମୟର ନିୟମ ପରିବର୍ତ୍ତନ । କେବଳ ପରିବର୍ତ୍ତନକୁ ଗ୍ରହଣ କରିବାକୁ ନିଜକୁ ପ୍ରସ୍ତୁତ କରିବାକୁ ହେବ । ଦୁନିଆ ପାଇଁ ନବପଥଟିଏ ନିର୍ମାଣ କରିବାକୁ ବାନରସେନା ସାଜିବେ କିମ୍ବା ନବଜାତକୁ ବିଷ ବଳୟରେ ନୀଳକଣ୍ଠ ବନିବାକୁ ବାଧ୍ୟ କରିବେ ସେ ନିଷ୍ପତ୍ତି ଆପଣଙ୍କର ।...   

---------------------------

‘ନିଶିପ୍ରଦୀପ’, କଏଳପାଳ, ବାତୋ, କେନ୍ଦୁଝର

Mobile:+919438080583

E mail: litp.ranjan@gmail.com