Image

ଆଜିର ଦୁନିଆରେ ଯୁବପିଢିଠାରୁ ଆରମ୍ଭ କରି ପିଲାଠାରୁ ବୟସ୍କଲୋକ ପର୍ଯ୍ୟନ୍ତ ଆଧୁନିକ ଉପକରଣ ଉପରେ ବିଶେଷ ଗୁରୁତ୍ଵ ଦେଲେଣି, ଯେପରିକି ଫୋନ୍, ଲ୍ୟାପଟପ, କମ୍ପୁଟର ଇତ୍ୟାଦି... । ଧୀରେ ଧୀରେ ବହି ପଢିବା ତାଙ୍କ ପାଇଁ କଷ୍ଟ ସାଧ୍ୟ ହେବାରେ ଲାଗିଲାଣି କହିବାକୁ ଗଲେ ବହି ଦେଖିଲେ ଏକ ପ୍ରକାର ଭୟ ମନରେ ଆସିଗଲାଣି ।

ସନ୍ଧ୍ୟାରେ ଷ୍ଟାଣ୍ଡାର୍ଡ-୬ରେ ପଢୁଥିବା ଝିଅ ଜଣେ ଆସେ ପଡୋଶୀ ଘରକୁ ପଢିବାକୁ ; ତାକୁ ବହି ବିଷୟରେ ପଚାରିଲି , ହେଲେ ତା’ର ଉତ୍ତରରେ ସ୍ତବ୍ଧ ପ୍ରାୟ ହୋଇଗଲି ! ସେ କହିଲା ; ସ୍କୁଲରେ ଆମେ ପିଲାମାନେ ପୁରା ବହିପଢିକି ଉତ୍ତର ଦେବା ଅପେକ୍ଷା ନେଟ୍ ରୁ ପଢିକି ଉତ୍ତର ଦେଉଛୁ ଆଉ ହଁ ଲେଖାର ସାଇଜ୍ ଦେଖିକି ଉତ୍ତର ଲେଖୁଛୁ , କାରଣ ଯେତେ ବଡ ଲେଖିବୁ ସେତେ ଘୋଷିବାକୁ ପଡିବ ; ଏତେ ମନେରଖିବାକୁ ସମୟ କାହିଁ ? ବହି ଭିତରେ ଯାହା ଅଛି ସେଗୁଡିକ ଆମେ ନେଟ୍ ରୁ ଡିଟେଲ୍ସରେ ପାଉଛୁ ଆଉ ସେଗୁଡିକ ଇଜି ହେଉଛି ମନେରଖିବାକୁ । ବାସ୍ ଏତିକି ଉତ୍ତରରେ ମୁଁ ଚୁପ୍ !

ଆମ ସମୟରେ ଗୁରୁଜୀ କହୁଥିଲେ ;- “ବିଭିନ୍ନ ପୁସ୍ତକ ପଢିବାଦ୍ଵାରା ଜଣେ ବ୍ୟକ୍ତିର ଜ୍ଞାନ ବଢିବା ସଙ୍ଗେ ସଙ୍ଗେ ଜୀବନରେ ପରିପୂର୍ଣ୍ଣତା ଆସିଥାଏ । କୌଣସି ଆଧ୍ୟାତ୍ମିକ ବହି ପଢିଲେ ମାନସିକ ଶାନ୍ତି ମିଳେ ଓ ଯେକୌଣସି ଜଟିଳ ସମସ୍ୟାର ସମାଧାନ କରିବାର ସାହସ ଓ ଉପାୟ ମିଳିଥାଏ ।“

ତେଣୁ  ନିଜେ ପଢିବା ସହିତ ଅନ୍ୟ ମାନଙ୍କୁ ପଢିବା ପାଇଁ ଉତ୍ସାହ ଦେଲେ ଜୀବନ ସୁଖ ଶାନ୍ତିରେ ଭରିଯିବ । ଶରୀରକୁ ସୁସ୍ଥ ନୀରୋଗ ରହିବା ପାଇଁ ଯେପରି ବ୍ୟାୟମର ଅବଶ୍ୟକତା ରହିଛି । ସେହିପରି ମନକୁ ବିଭିନ୍ନ ପ୍ରକାର ଦୁଃଖ ଓ ଅବସାଦରୁ ମୁକ୍ତ ରଖିବା ପାଇଁ ନିଜ ମନ ପସନ୍ଦର ପୁସ୍ତକ ପଢିବା ନିହାତି ଜରୁରୀ । ଏହାଦ୍ଵାରା ମନରେ ଶାନ୍ତି ଏବଂ ଆନନ୍ଦ ମିଳେ । ଭଲ ପୁସ୍ତକ ଜଣେ ଉତ୍ତମ ବନ୍ଧୁ ପରି ଠିକ୍ ରାସ୍ତା ଦେଖାଇଥାଏ । 

ଏଣୁ ଆପଣମାନଙ୍କୁ ଅନୁରୋଧ ପିତା, ମାତା, ଗୁରୁ, ଗୁରୁଜନ ମାନେ ନିଜ ପିଲାମାନଙ୍କୁ ପୁସ୍ତକ ଅଧ୍ୟୟନ କରିବା ପାଇଁ ଉତ୍ସାହିତ କରିବା ଉଚିତ୍ । 

@ ସୌଦାମିନୀ ପଟ୍ଟନାୟକ