Image

✍️ରାଜନୀତି ଶବ୍ଦଟି ଶୁଣିଲେ ଲୋକମାନଙ୍କ ମନରେ କିଛି ଭଲ ଭାବନା ଆସେ ନାହିଁ। ଲୋକମାନେ ରାଜନୀତିଠାରୁ ଦୂରକୁ ରହିବାକୁ ପସନ୍ଦ କରନ୍ତି। ଅତି ବେଶୀରେ ପାଞ୍ଚ ବର୍ଷ କୁ ଥରେ ଭୋଟ ଦେବା ହିଁ ଏକ ମାତ୍ର କାମ ବୋଲି ଭାବିଥାନ୍ତି। କିନ୍ତୁ ରାଜନୀତି କଣ ଏବଂ ଏହା କିପରି ଆମ ଜୀବନ ସହ ଜଡିତ ଏହା ଅନେକ ବ୍ୟକ୍ତି ବୁଝିନଥାନ୍ତି। ମାନଵ ସମାଜର ପ୍ରଗତି ସହ ସମାଜକୁ ସୁପରିଚାଳନା କରିବାର ଅନେକ ନୀତି ନିୟମ ଓ ବ୍ୟବସ୍ଥାର ସୃଷ୍ଟି ହୋଇଥିଲା। ଯାହା ଧୀରେ ଧୀରେ ବିବର୍ତ୍ତିତ ହୋଇ ରାଜନୀତିରେ ପରିଣତ ହୋଇଛି। ଆମର ଶାସନ ବ୍ୟବସ୍ଥା ଗଣତାନ୍ତ୍ରିକ । ଏହାର ଅର୍ଥ ଲୋକମାନଙ୍କ ଦ୍ବାରା ଲୋକମାନଙ୍କର ଶାସନ। ଯେହେତୁ ଆମେ ହିଁ ଦେଶରେ ଶାସନ କରୁ ଏହାର ଶାସନ ପଦ୍ଧତିକୁ ଆମେ ସମସ୍ତେ ବୁଝିବା ସହ ଏଥିରେ ନିଜର ଯୋଗଦାନ କରିବା ନିହାତି ଆବଶ୍ୟକ।
👉 ରାଜନୀତି ଯେ ଲୋକମାନଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରେ ଏ କଥା ଅନେକ ବୁଝିପାରନ୍ତି ନାହିଁ। ଆମର ଜୀବନ ଧାରଣର ମାନ, ଆମର ଶିକ୍ଷା ପଦ୍ଧତି, ଖାଦ୍ୟ ଦ୍ରବ୍ୟର ଦରଦାମ, ଚିକିତ୍ସାର ଖର୍ଚ୍ଚବାର୍ଚ୍ଚ, ପିନ୍ଧୁଥିବା ଲୁଗା ପଟା ଠାରୁ ଜୋତା ମୋଜା ଯାଏଁ ସମସ୍ତ ପ୍ରକାରର ବସ୍ତୁର ଦର ରାଜନୈତିକ ନୀତି ଦ୍ୱାରା ନିୟନ୍ତ୍ରିତ ହୁଏ। ଆମ ଜୀବନର ଏମିତି କିଛି ଅଂଶ ନାହିଁ, ଯାହା ଉପରେ ରାଜନୀତିର ପ୍ରଭାବ ଦେଖାଯାଏ ନାହିଁ। ତେଣୁ ଆମକୁ ରାଜନୀତିର ପ୍ରଭାବ ବିଷୟରେ ସଚେତନ ହେବାକୁ ହେବ। ଭୋଟ ଦେବା ସହ ସଠିକ ବ୍ୟକ୍ତିଙ୍କୁ ନିଜର ଜନପ୍ରତିନିଧି ଭାବେ ବାଛିବା ପାଇଁ ସଚେତନ ହେବାକୁ ହେବ। ମନେ ରଖିବାକୁ ହେବ କି ଆମର ଭୋଟଟିର ମୂଲ୍ୟ ଏତେ ଶସ୍ତା ନୁହେଁ କି ଯାହାକୁ କି ଟଙ୍କା ଦେଇ କିଣି ହେବ। ଆମର ଭୋଟଟି ଅମୂଲ୍ୟ କାରଣ ଏହା ହିଁ ଆମର ନିଜ ଦେଶର ଶାସନରେ ନିଜର ସହଯୋଗ ଦେବାର ଚାବି। କିନ୍ତୁ ଦୁଃଖର କଥା ଏହି କଥାଟି ଆମେ ଆଜି ଯାଏଁ ଦୃଦୟଙ୍ଗମ କରିପାରିନଥିଲେ ମଧ୍ୟ, ଆମର ଭୋଟଟି ଯେ କେତେ ମୂଲ୍ୟବାନ ବୋଲି ସେମାନେ ବେଶ ଜାଣନ୍ତି ଏଣୁ ଆମକୁ କଳେ ବଳେ କୌଶଳେ ପ୍ରଭାବିତ କରି ଆମର ଭୋଟଟି ହାସଲ କରିବାକୁ ଆପ୍ରାଣ ଉଦ୍ୟମ କରନ୍ତି।
👉ଦେଶର ପୁରୁଷମାନେ କିଛି ପରିମାଣରେ ରାଜନୀତିରେ ଆଗ୍ରହ ପ୍ରକାଶ କରନ୍ତି, ଦେଶର ଶାସନତନ୍ତ୍ରକୁ ବୁଝନ୍ତି ଏବଂ ନିଜର ଯୋଗଦାନ ଦିଅନ୍ତି । କିନ୍ତୁ ପ୍ରାୟତଃ ମହିଳାମାନେ ଏ ସମ୍ବନ୍ଧରେ ବିଶେଷ ଜାଣନ୍ତି ନାହିଁ ଏବଂ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ।ଏହା ସେମାନଙ୍କର ଜାଣିବା ଯୋଗ୍ୟ କଥା ନୁହେଁ ବୋଲି ସେମାନଙ୍କର ଧାରଣା ଅଛି। ମାଆର ଅନାଗ୍ରହ ପାଇଁ  ସନ୍ତାନ ସନ୍ତତିମାନେ ମଧ୍ୟ ଏ ଆଗ୍ରହରୁ ବଂଚିତ ହୁଅନ୍ତି। ଜଣେ ସଚେତନ ନାଗରିକ ହିସାବରେ ରାଜନୈତିକ ବ୍ୟବସ୍ଥା ଓ ଆମର ରାଜନୈତିକ ଅଧିକାରକୁ ବୁଝିବା ସହ ପରିବାର ବର୍ଗ, ବନ୍ଧୁ ପରିଜନ ଓ ଛାତ୍ରଛାତ୍ରୀଙ୍କୁ ବୁଝେଇବା ଆମର ରାଜନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ।
✍️ରାଜବାଳା....