Image

କାଲି ବାଣ ଫୁଟେଇ ଖୁସି ମନେଇ ଥିବା ବ୍ୟକ୍ତି ମାନଙ୍କୁ ପଦେ..👇
ଆପଣ ମାନେ ବାଣ ଗୁଡିକ ନିଜ ଘର ଭିତରେ ବା ଶୋଇବା ଘରେ ଫୁଟେଇ ଥିଲେ ନା ଘର ବାହାରେ। ଉତ୍ତର ନିଶ୍ଚୟ ଘର ବାହାରେ ହିଁ। ତାହେଲେ ଆପଣ ଘର ବାହାରେ କାହିଁକି ବାଣ ଫୁଟେଇଲେ ଘର ଭିତରେ କାହିଁକି ନୁହେଁ। ସମ୍ଭାବିତ କାରଣ ଗୁଡିକ ହେଲା-
1. ଘର ଅପରିଷ୍କାର ହେବ
2.ବାରୁଦ ଓ ବିଷାକ୍ତ ଧୁଆଁ ରେ ଭରିଯିବ
3. ନିଆଁ ଲାଗିବାର ସମ୍ଭାବନା ରହିଛି
4. କାନ ଅତଡା ଶବ୍ଦ ର ମଧ୍ୟ ସମ୍ଭାବନା ଅଛି
ତାହେଲେ ଏହି ସବୁ କାରଣ ଗୁଡିକ ର କଣ ଘର ବାହାରେ ହେବାର ସମ୍ଭାବନା ନାହିଁକି। ରାସ୍ତା ଘାଟ ଅପରିଷ୍କାର, ବାୟୁମଣ୍ଡଳ ରେ ବିଷାକ୍ତ ଧୁଆଁ, ଅନ୍ୟ ମାନଙ୍କ ଘରେ ନିଆଁ ଲାଗିବାର ସମ୍ଭାବନା, କୁକୁର ଓ ପକ୍ଷୀ ମାନଙ୍କ ପ୍ରତି ଅକଥନୀୟ ଆଲୁଅ ଓ ଶାବ୍ଦିକ ଅତ୍ୟାଚାର।ତା ସହ ହୃଦ ରୋଗୀ , ଶିଶୁ ଓ ଗର୍ଭବତୀ ମାନଙ୍କର ଯନ୍ତ୍ରଣା। ଏ ସବୁ କୁ ଆଖି ବୁଜି ଦେବା କିପରି ସ୍ପୃହଣୀୟ। ଭାବି ଦେଖନ୍ତୁ,ଆମ ଘର କଣ ସୀମାବଦ୍ଧ କେବଳ ଚାରିକାନ୍ଥ ଭିତରେ ? ମୁଣ୍ଡ ଉପର ଆକାଶ, ପାଦ ତଳର ମାଟି, ଚାରିପାଖର ଗଛ ଲତା, ପଶୁ ପକ୍ଷୀ, ହ୍ରଦ ସମୁଦ୍ର ଓ ବାୟୁମଣ୍ଡଳ  କଣ ଆମ ଘର ନୁହେଁ। ଭୁଲି ଯାଆନ୍ତୁ ନାହିଁ ସାରା ବିଶ୍ୱ ଗୋଟିଏ ରଜ୍ଜୁ ରେ ବନ୍ଧା । ଜଣକର ବା ଗୋଟିଏ ସ୍ଥାନ ର କ୍ରିୟା ର ପ୍ରତିକ୍ରିୟା ଅନ୍ୟକୁ ଅନ୍ୟ  ସ୍ଥାନକୁ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ କରେ।  ପିଲାବେଳେ ବିଲେଇ ଲାଞ୍ଜ ଟାଣି , ଏଣ୍ଡୁଅ କୁ ଟେକା ମାରି,ପ୍ରଜାପତି ର ଡେଣା ଛିଡେଇ ମଧ୍ୟ ଆମେ ଖୁସି ହେଉଥିଲୁ। ତେବେ ଏବେ କଣ ସେହି ସବୁ ଆମ ଖୁସିର ପରିଧି ଭିତରେ ଆସେକି? ନାହିଁ। ତାହେଲେ, ନିଜ ଘର , ପରିବେଶ ନଷ୍ଟ କରି ପଶୁପକ୍ଷୀ ଙ୍କୁ କଷ୍ଟ ଦେଇ କରାଯାଉଥିବା କାମ କିପରି ଖୁସିର ପଦବାଚ୍ୟ। ଏହା ଥରେ ଭାବି ଦେଖନ୍ତୁ ତ...🤔
(ଆଜି କ୍ଳାସ ରେ ପିଲାଙ୍କୁ ବୁଝେଇଲା ବେଳର କେତୋଟି ବାକ୍ୟ ଯାହା କେବଳ ପିଲାଙ୍କ ପାଇଁ ନୁହେଁ ଦୀପାବଳୀ କୁ ବାଣାବଳୀ ରେ ପରିଣତ କରି ଦେଇଥିବା ସବୁ ବ୍ୟକ୍ତି ମାନଙ୍କୁ)

ରାଜବାଳା