Image


         *ଶବ୍ଦ ଓ ଆକାଶ*

  ପରସ୍ପର ଆ ଟିକେ ଗେଲ ହେବା।।ମୁହଁରେ ମୁହଁ ଘଷିବା।।ଆଜି ଚାଲ ଟିକେ ବୁଲି ଆସିବା ସେ ପୋଲ ତଳ।।ନଈ କୂଳ।।ସବୁ ସାଙ୍ଗଙ୍କୁ ଟିକେ ଦେଖା କରି ଆସିବା।।ସେଇ ଦଣ୍ଡାରେ ଯେଉଁ ସମାଧି ଟା ଅଛି,ତା ଉପରେ କିଛି କ୍ଷଣ ବସିବା। ଅକାଶୀ ଗଛରେ ଭରା  ଯେଉଁ ନୂଆ ଜଙ୍ଗଲଟି ହୋଇଛି ତା ଭିତରେ ଘେରାଏ ବୁଲି ଆସିବା।।କିଛି ଦୁଃଖସୁଖ ହେବା।।ମନେ ପକାଇ
ବା ଛାଡି ଆସିଥିବା ପିଲାଦିନ;ରାଗରୁଷା,ବାଡ଼ିଆବାଡ଼ି।।
           କେବଳ ଆଜିକ।।ସବୁ ପକ୍କା ହୋଇ ଯାଇଛି।।ଗୋଟିଏ ଦିନର ସବୁ ତକ ମୁହୁର୍ତ୍ତ ମହା ଆନନ୍ଦ ରେ ବିତେଇ ଦେବା।।
       ହଁ ଚାଲ।।ଯଦି ପାରିବା ଗୁଡିଏ ମିଠା ସ୍ୱପ୍ନ ଦେଖିବା।।ଜମା ଗୋଟିଏ ସେକେଣ୍ଡ ଦୁଃଖରେ ଜୀଇଁବା ନି।।ଆଜି ଟା ଆମର।।ମନ ଭରି ଜୀଇଁବା ଆମେ।କାହା ଆକଟ,କାଇଦା କଟକଣା ମାନିବାନି।।
     ହାତ ଧରାଧରି ହୋଇ ଦୁଇଜଣ ଗାଁ ଦାଣ୍ଡେ ହସି ହସି ଦଉଡ଼ି ଗଲେ।।ପୋଲ ତଳେ ଘେରାଏ ନାଚିଲେ।। ପୋଲରେ!!ତୁ ଆଉ ଅପେକ୍ଷା ରଖିବୁନୀ କାଲିଠାରୁ ଆମର।।
               ନଈ ପାଣି ପିଇଲେ।।ନିଜ ମୁହଁ ଦେଖିଲେ।।ବାହାରୁ ଅତି ଖୁସି ଲାଗୁଥିବା ମୁହଁ ଭିତର କୋହରେ ଫାଟୁ ଥିଲା ଯେପରି ଦେଖା ଗଲା।
       ଧେତ!ହେ ହେ ହୃଦୟ!!ଦେ... ଦେ ରେ ଆଜିକ ଖୁସି କରିବାକୁ!!!
      ନା--- ନା ଏ.....ଆଖି ତୁ ଜମା ଭରି ଆନା।।ହସ....ହସ ,ଯେତେ ସାଇତିଛୁ ମନରେ ହସ।।
        ନଈ ଲୋ କାଲିଠାରୁ ଆଉ ତୋ ଦେହରେ ଆମ ନିଶ କେଡେ କେଡେ ହେଲାଣି ଦେଖିବୁନି କି ତୋ ମଧୁର ଥଣ୍ଡା ପାଣି ପିଇ ଖୁସିରେ ହେକୁଟି ମାରିବୁନି।।
   ନଈ ତୁ ଆମକୁ ଖୋଜିବୁ କି????
   ସମାଧି ପୀଠରେ ଟିକେ ଶୋଇଲେ।।ଦେହ ଘଷିଲେ।।ଜାଣିଛୁ ସମାଧି!!କାଲିଠାରୁ ଏଜାଗା ଆମର ନୁହେଁ।।ତୁ ଆଉ କାହାକୁ ଡାକିବୁ,ସାଙ୍ଗ ହେବୁ,ଗପ କୁହା କୋହି ହେବ,ଜାଣିଲୁ ଆ....
     ଇଛା ହେଲାନାହିଁ ଖାଇବାକୁ କିଛି ସୁନ୍ଦର ତାଜା ତାଜା ଖାଦ୍ୟ ରାସ୍ତା ଦାଢରେ ଦେଖିବି।।
      ଦୁହେଁ ବୁଲା ବୁଲି କରି ଘରକୁ ଫେରିଲେ।।ସନ୍ଧ୍ୟା ହେଲା।।ତାଙ୍କ ଘର ଆଜି କାଇକି ସବୁ ଦିନଠୁ ସୁନ୍ଦର ଦିଶୁଛି।।ବଢିଆ ବାସୁଛି।।ମା ପେଟ ଉପରେ ମୁହଁ ନଦି ଶୋଇବାର ଉପକ୍ରମ କଲେ।।
        ଘର... ଘର! ଆଉ ତୋତେ ଅଳିଆ କରିବୁନି ଲୋ।।ତୁ ରାଗ ଗରଗର ହେଉ ପା ତୋତେ ଅପରିଷ୍କାର କଲେ।।ଆଉ ଏଣିକି କରିବୁନି,ସତ----
       ମା ଆଖି ବୁଝିଥିଲା,ଜାଣି ଜାଣି।। ଅନାଇଁ ପାରୁ ନଥିଲା ଆମ ମୁହଁ।।
    ମା ମା ଲୋ!!!କିଛିତ କହ।ରାଗିଛୁ??କାନ ଧରିଛୁ,ଆଖି ଛୁଉଁଛୁ ଆଉ କୌଣସି ଦିନ ତୋର ଅବାଧ୍ୟ ହେବୁନି।।ତୁ ଯାହା କହିବୁ ମାନିବୁ।ଟିକେ ଗେଲ କର ଲୋ ମା,ଶେଷ ଗେଲ------
     ମା ଭୋ କରି ରଡି ଛାଡିଲା।।କୋଳରେ ପୁରାଇ ଲୁଚାଇବାକୁ ଚେଷ୍ଟା କଲା ଆମକୁ।।ହେଲେ ତା କୋଳ ଆମକୁ ଧରି ରଖିବାକୁ ଛୋଟ ହୋଇ ଯାଇଥିଲା।।ଆମେ ଯଥେଷ୍ଟ ବଡ଼ ହୋଇ ଯାଇଥିଲୁ ମା ଦେହ ତୁଳନାରେ।।
        ସୁରୁଜ ଫିଟି ଫିଟି ଆସୁଥିଲେ କାଳି ଅନ୍ଧାରକୁ କାଟି।।ଆମକୁ ଟାଣି ଟାଣି ନିଅ ଯାଉଥିଲା ଛକ ବରଗଛ ତଳକୁ।।ମା ଛାଟି ପିଟି ହେଉଥିଲା ଖୁଣ୍ଟରେ।।ଲୋକେ ଅପେକ୍ଷା କରିଥିଲେ ଆମ ଦୁଇ ଭାଇଙ୍କୁ।।
  ଚିକ୍ ଚିକ୍ କରୁଥିଲା କଂସେଇ ହାତର ପଜା ଛୁରୀଟି।।ଆଜି ଛାଡ଼ ଖାଇ ନା......।ମଣିଷ ଲାଲ କରିବ ଆମ ରକ୍ତରେ ତା ମୁହଁ ହୃଦୟ।।
         ଶୁଭିଲା କଚ୍ ଜୋରେ ଓ ଦୁଇଟି ବିକଳ ମେଏଁ ମେଏଁ ଶବ୍ଦ ଛୁଉଁଥିଲେ ଆକାଶ....।

*ସତ୍ୟବତୀ ସ୍ଵାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର*