Image



ଦର୍ଶନକୁ ଜୀବନରେ ପାଥେୟ କରି ବଞ୍ଚୁଥିବା ମଣିଷର ମନସ୍ତତ୍ବକୁ ବୁଝିବା ଦିନକୁ ଦିନ ହୋଇ ପଡୁଛି କଷ୍ଟକର । ପରିବର୍ଦ୍ଧିତ ପରିବର୍ତ୍ତନଶୀଳ ସମାଜର ଗତିପଥ  ପ୍ରକୃତ ପକ୍ଷେ ପ୍ରଗତି କ୍ଷେତ୍ରରେ ପ୍ରବାହିତ ନା ତାହା ପତନାଭିମୁଖୀ ଯାହାକି ଆଜିର ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଚିନ୍ତାର ବିଷୟ ।ବିକାଶ ନାମରେ ଆମେ ସମାଜକୁ କୁସଂସ୍କାର ,ପ୍ରବଂଚନା, ଛଳନା, ମିଥ୍ୟା, ପ୍ରତାରଣାରୂପକ ଘୋର ଅବନତି ଟାଣି ଆଣୁ ନାହୁଁ କି ? ଅମୃତ ସନ୍ତାନ ମାନବ ଆଜି ନିଜର ବୁଦ୍ଧି,ବିବେକ ଜ୍ଞାନ, ବିଜ୍ଞାନ ବଳରେ ସମଗ୍ର ପୃଥିବୀକୁ ଜିଣି ଧରାକୁ ସରାରେ ପରିଣତ କରିବା ପ୍ରୟାସର ସଫଳ ରୂପାୟନ ଦେଖି ବାକୁ ମିଳୁଛି ନିତି ଦିନିଆ ଜୀବନର ଶିକ୍ଷା ସ୍ୱାସ୍ଥ୍ୟ ଯୋଗାଯୋଗ କ୍ଷେତ୍ରରେ ।
ଜୀବନର ପ୍ରତି ମୁହୂର୍ତ୍ତରେ ମଣିଷ ତାର ପ୍ରତିଟି କାର୍ଯ୍ୟରେ ସୁଖ ଶାନ୍ତି ପ୍ରଗତି ଖୋଜୁଥାଏ ।
ସେ କାଳର ପ୍ରୀତିପୂର୍ଣ ଚିଠି ଓ ଲଫାପାର ଅଭୁଲା ଆଲବମ ସ୍ମୃତି ଆଜିର ଛାତ୍ର ସମାଜ ପାଇଁ ଅଜ୍ଞାତ । ଅଧୁନା ଯୋଗାଯୋଗ ବ୍ୟବସ୍ଥା ଏତେ ପ୍ରଖର ଯେ ଆଜି ମୋବାଇଲ ଇଣ୍ଟରନେଟ ମାଧ୍ୟମରେ ନିଜ ମନର ଆବେଗ ଅନୁଭୁତି ଓ ପ୍ରତିଟି ସ୍ୱତନ୍ତ୍ର ମୁହୂର୍ତ୍ତକୁ ଫେସବୁକ ପରି ସୋସିଆଲ ମିଡିଆରେ
ପୋଷ୍ଟ କରି ମଜା ନେଉଛି ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରସାର ଫଳରେ ପୃଥିବୀର ପ୍ରତି କୋଣ ଅନୁକୋଣରେ ଆଜି ଅଫୁରନ୍ତ ଆନନ୍ଦ ଉଲ୍ଲାସ ଆସ୍ଵାଦନ କରୁଛନ୍ତି ଲୋକେ ଯାହାକି ଆମ ମନରେ ନୂତନ ଉନ୍ମାଦନା ସୃଷ୍ଟି କରୁଛି । ପ୍ରକୃତପକ୍ଷରେ ଆଜି ବିଜ୍ଞାନର ପ୍ରଗତି ଯୋଗୁଁ ଜଳ,ସ୍ଥଳ ଅନ୍ତରୀକ୍ଷଠୁ ଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା କ୍ଷେତ୍ରରେ ହୋଇଛି ଅଦ୍ଭୂତପୂର୍ବ ଅବିଶ୍ଵସନୀୟ ପରିବର୍ତ୍ତନ ,ଯାହାକି ବର୍ଣନାତୀତ । ମାତ୍ର ଏହି ପ୍ରଗତି ମଧ୍ୟରେ ସବୁଜଶସ୍ୟ ଶ୍ୟାମଳିମା ପ୍ରକୃତିରାଣୀ ଆଜି  ବିଷାଦଗ୍ରସ୍ତା ଓ ସବୁଜିମାହୀନା । ତାର ଅପରୂପା କାନ୍ତିକୁ ଦିନକୁ ଦିନ ମଣିଷ ପାଦତଳେ ଦଳି ଦେଇ ତାକୁ କରିଦେଇଛି ଭାରାକ୍ରାନ୍ତା ,ଶ୍ରୀହୀନା  ।ପ୍ରକୃତିରାଣୀର ଏହି ଶ୍ରୀହୀନାରୂପର ସିଧାସଳଖ ପ୍ରଭାବ ପଡୁଛି ଆମ ମଣିଷ ସମାଜ ଉପରେ । ଆମ ପୃଥିବୀମାତା ପାଲଟୁଛି ରୋଗର ଗନ୍ତାଘର । ସ୍ୱର୍ଗ,ମର୍ତ୍ତ୍ୟ ,ପାତାଳ ସବୁ ଆଜି ବିଷାକ୍ତ ଦୂଷିତ । ମାଟି ,ପାଣି ପବନ ସବୁ ଦୂଷିତ ହୋଇ ମଣିଷ ସମାଜକୁ ରୋଗଗ୍ରସ୍ତ କରି ଦେଇଛି । ଏକ ପକ୍ଷରେ ଆମେ ବିଜ୍ଞାନର ଜୟଗାନ କରୁଥିବାବେଳେ ଅପରପକ୍ଷରେ ବିଶ୍ୱତାପାୟନ ,ସବୁଜକୋଠରୀ ପ୍ରଭାବ,ଆଣବିକ ପରୀକ୍ଷଣ ଆଦିର ଶିକାର ହୋଇ ନିଜକୁ ନିଜେ ବିପଦ ମଧ୍ୟକୁ ଠେଲି ଦେଉଛେ ।ଦୂରାରୋଗ୍ୟ କର୍କଟ ,ମଧୁମେହ,ଉଚ୍ଚରକ୍ତଚାପ, ବିବିଧ ଚର୍ମରୋଗ ଆଦି ମଣିଷ  ସମାଜର ନିଦ ହଜାଇ ଦେଇଛି । ମଣିଷ ଆଜି ପ୍ରତି ମୁହୂର୍ତ୍ତରେ ଶାନ୍ତିର ଆସ୍ଵାଦନ କରିବା ପାଇଁ ଆଶାୟୀ ହେଉଥିବା ବେଳେ ପ୍ରାଣରକ୍ଷାକାରୀ ବାୟୁ ଠାରୁ ପାଣି ଖାଦ୍ୟ ପର୍ଯ୍ୟନ୍ତ ତା ଶରୀରରେ ବିଷ ଭରିଦେଇଛି ।ମଣିଷ ଆଜି ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚୁଛି ।ବିକାଶ ଆଉ ପ୍ରଗତି ନାମରେ ବିନାଶ ଓ ଦୁର୍ଗତିକୁ ପ୍ରତି ମୁହୂର୍ତ୍ତରେ ଆମେ ଆମନ୍ତ୍ରଣ କରୁଛୁ ।ସ୍ୱଳ୍ପ ସମୟରେ ଅଧିକ ଉତ୍ପାଦନ କରିବାକୁ ଯାଇ ବସ୍ତୁବାଦୀ ଦୁନିଆରେ ପଲିଥିନ ଓ ପ୍ଲାଷ୍ଟିକ ପରି ବିଷାକ୍ତ ଜିନିଷକୁ ଆପଣେଇ ନେଇ ଦୁର୍ଗତିକୁ ଆବାହନ କରୁଛୁ ।

*କଳ୍ପନା ଜେନା*
ଶିକ୍ଷକ,ବ୍ରଜେନ୍ଦ୍ର ନାଥ ନୋଡାଲ
*ବେଣୁଦା ,କମର୍ଦ୍ଦା ,ବାଲେଶ୍ୱର*
8456098073