Image

ଏକୁଟିଆ ବସିରହି ବୋର ହେବା ଅପେକ୍ଷା ପାଖ ସିଟ୍   ରେ ବସିଥିବା ପିଲାଟି ସହ କଥାବାର୍ତ୍ତା କଲେ ହୁଏତ ଯାତ୍ରାର ପଥ କିଛି ଲାଘବ ହେବ । ଏହି ଭାବନା ରଖି କଥା ପ୍ରସଙ୍ଗରେ ପିଲାଟାକୁ ପଚାରିଲି- ତୁମର ଯାତ୍ରା  କେତେଦୂର ଯାଏଁ ? ଚୁମ୍ବକରେ ପିଲାଟି ଉତ୍ତର ଫେରାଇ କହିଲା 'କ୍ଯାପିଟାଲ' । ଜାଣି ଅଜଣା ରହି ଏକ ଆଶ୍ଚର୍ଯ୍ୟ ଭଂଗୀରେ ପୁଣି ଥରେ ପ୍ରଶ୍ନ କଲି - କ୍ଯାପିଟାଲ ! ଏହାର ଅର୍ଥ କ'ଣକି? ନିଜଠାରୁ ଏପରି ଅବାନ୍ତର ପ୍ରଶ୍ନ ଶୁଣିବା ପରେ ପିଲାଟି ଇଂରାଜୀ ଠାଣିରେ ଉତ୍ତର ଫେରାଇ କହିଲା- ' Oh i don't  know what type of foolish peoples are in Odisha . ଏତିକି କହିଲା ବେଳକୁ କଥାର ଖିଅ ଧରି ପଚାରିଲି - ' ହଇହୋ ବାବୁ ! ତୁମ ଘରଟା କ'ଣ ଓଡିଶା ବାହାରେ କି?' ପିଲାଟି ସେଦିନ ଯେତିକି ସହଜରେ ପ୍ରଶ୍ନର ଉତ୍ତର ଗୁଡିକ ଦେଇଥିଲା, ମୁଁ କିନ୍ତୁ ସେତିକି ସହଜରେ ତାହା ଗ୍ରହଣ କରି ପାରିନଥିଲି । ରାତିସାରା ବସ୍ ରେ ସେଇ ଗୋଟିଏ କଥାକୁ ନେଇ ଘାଣ୍ଟି ଚକଟି ହେଉଥାଏ । ସତରେ କଣ କ୍ଷଣିକ ଭିତରେ ଓଡିଶାର ଭୌଗଳିକ ମାନଚିତ୍ର ଠାରୁ  ଭୂବନେଶ୍ବର ଅଲଗା ହୋଇଗଲା ?    

ତା' ପରଦିନ ଭୂବନେଶ୍ବର ରୁ ପୁରୀ ଅଭିମୁଖେ ମୋର ଯାତ୍ରା । ବସ୍ ଟି ପିପିଲି ଡେଇଁ ସାକ୍ଷୀଗୋପାଳ ହେଲା । ଜଣେ ଅଧେ ସେଠାରେ ଓହ୍ଲାଇଛନ୍ତି କି ନାହିଁ ସନ୍ଦେହ। ଦଳେ ଲୋକ ଧସେଇ ଆସିଲେ । ସେଇ ଠେଲା-ପେଲା ଭିତରେ ପାଞ୍ଚ/ଛଅ ବର୍ଷର ଛୁଆଟିଏ ଅଣନିଶ୍ବାସୀ ହେଇ ଯାଉଥାଏ । ଏମିତି ତ ଆଗରୁ ବସ୍ ଟି ଭିଡ ଥିଲା । ନୈତିକତା ଦୃଷ୍ଟି କୋଣରୁ ଛୁଆଟିକୁ ପାଖରେ ବସାଇଲି । ଏମିତି ପଚାରୁ ପଚାରୁ କଥା ଛଳରେ ତା'କୁ ପଚାରିଲି -'ତୁମ ଘରେ ତୁମ ଛଡା ଆଉ କିଏ କିଏ ସବୁ ଅଛନ୍ତି  ? ରହି ରହି ଛୁଆଟି କହିଲା-' ଆମ ଘରେ ମୋ ଡାଡି, ମମି, ଗ୍ରାଣ୍ଡ ଫାଦର ଏବଂ ଗ୍ରାଣ୍ଡ ମଦର ଅଛନ୍ତି ' ।  ଶିଶୁଟିର କୋମଳ ଉତ୍ତରଟିକୁ ଦୋହରାଇ କହିଲି- ' 'ଓହୋ ! ତୁମ ଘରେ ତାହା ହେଲେ ତୁମ ବାପା, ମାଁ, ଜେଜେ ଏବଂ ଜେଜେମା ଅଛନ୍ତି '। କଥାଟିକୁ ବାଆଁରେଇ ଦେଇ ଛୁଆଟି ପୁଣି ଥରେ କହିଲା -'ନାଇଁ ନାଇଁ ଆମ ଘରେ ମୋ ଡାଡି, ମମି.....ଅଛନ୍ତି '। ତା' କଥା ସହ ସହମତି ପ୍ରକାଶ କରି ଆଉଥରେ ପଚାରି ବୁଝିଲି - 'ହଁ, ହେଲା ଯେ ତୁମେ କ'ଣ ଏବେ ବାପା, ମାଁ ଙ୍କ ସହ ଯାଉଛ' ? ଏତିକି କହି ସାରିବା ପରେ ଭାବୁଥିଲି କାଳେ ଛୁଆଟି ମୋ କଥା ସହ ଏକମତ ହେଇଯିବ । କିନ୍ତୁ ତାହା ହେଲା ନାହିଁ । ବରଂ ସେ ମୋ ଠାରୁ କଥାଟିକୁ ଛଡାଇ ନେଇ କହିଲା-' ( ବିଶି ଅଙ୍ଗୁଳି ଦେଖାଇ) ସେମାନେ ମୋ ଡାଡି ଏବଂ ମମି' । କୁହନ୍ତୁ ତ ପାଠକେ ! ଏଠାରେ ତା'ର ବା' ଦୋଷ କଣ ? ସେ ତ ସାମାନ୍ୟ ବକଟେ ପିଲା। ଯାହାର ସୂକ୍ଷ୍ମଚିତ୍ତ ଭିତରେ ପାଞ୍ଚ/ଛଅ ବର୍ଷ ହେଲା ଡାଡି,ମମି ପରି ଶବ୍ଦ ଗୁଡିକ ଘୋଷି ହୋଇ ରହିଯାଇଛି , ସିଏ ବା କାହୁଁ ମୋ କଥା ଗୁଡିକ ଏତେ ସହଜରେ ଗ୍ରହଣ କରିନେବ ! ଏଇ ଭିତରେ ବସ୍ ଟି ମୋ ଗନ୍ତବ୍ୟ ସ୍ଥଳରେ ଯାଇ ପହଞ୍ଚିଲା ।

ପୁରୀ ସହର ମୋ ପାଇଁ ନୁଆ ଥିଲା । ଭାବିଲି, ଟ୍ରାଫିକ ପୁଲିସ ଭାଇଙ୍କ ଠାରୁ ସାହାଯ୍ଯ ଲୋଡିନେବା ଠିକ୍ ହେବ । ତାଙ୍କଠାରୁ ଶ୍ରୀମନ୍ଦିରର ରାସ୍ତା ବୁଝିବା ବେଳେ ମହାଶୟ ଜଣକ ଦିଗ ନିର୍ଦ୍ଦେଶ ଦେଇ କହିଲେ- 'ୱାହାଁ ଦେଖୋ ! ମନ୍ଦିରକା ଧ୍ବଜା ଉଡ୍ ରହାହେ,ଇସ୍ ରାସ୍ତେ ସେ ସିଧେ ଚଲେ ଯାନା'। ସେଠାରୁ ବାଟ ଭାଙ୍ଗି ଯିବାବେଳେ କାନରେ ଶୁଭିଲା -' ମୋ ନଡିଆ ରସ ପିଇବ ଆସ'। ଶୋଷ ଲାଗୁଥିଲା, ଲୋକଟିକୁ  ଭଲ ଗୋଟେ ଦେବାକୁ କହିଲି। ଲୋକଟି ପଇଡ କାଟି ମୋ ହାତକୁ ଧରାଇ କହିଲା-'ଡାବନିନ୍'। ଏହା ପରେ ମୁଁ ନିଜକୁ ନିଜେ ପଚାରି ବୁଝିଲି-'ମୁଁ ଓଡିଶାରେ ଅଛିତ ? ଏଇ ଟିକକ ଆଗରୁ ଯେଉଁ ଲୋକଟି ଓଡିଆରେ ନଡିଆ ରସ.......କହି ଗର୍ଜନ କରୁଥିଲା ହଠାତ୍ କେମିତି ତା' ଭାଷାର ପରିବର୍ତ୍ତନ ଘଟିଲା। ସତରେ କ'ଣ ଏମାନେ ଓଡିଆ ନା ଏଣ୍ଡୁଅ ରୂପି ଓଡିଆ ! ଦଣ୍ଡେବି ଆଉ ସେଠାରେ ନରହି ସିଧାସଳଖ ବଡଦାଣ୍ଡ  ରାସ୍ତା ଧରିଲି । କାଳିଆର ଦର୍ଶନ ସାରି ରାଜଧାନୀ ଫେରିଲି ।

ଚଟାପଟ ରାଜଧାନୀ କାମସାରି ପାଖ କାଉଣ୍ଟର ରୁ ଘରବାହୁଡା ଟିକଟ ଖଣ୍ଡିକ ଧରିଲି । ଜାଣିଲି, ବସ୍ ଛାଡ଼ିବାକୁ ଢେର ସମୟ ବାକି ଅଛି । ତେଣୁ ନିକଟରେ ଥିବା ଇନ୍ଦିରା ପାର୍କ ଯିବାପାଇଁ ମନସ୍ଥ କରିନେଲି। ସେତେ ବେଳକୁ ସନ୍ଧ୍ୟା ପ୍ରାୟ । ପାର୍କ ଭିତରଟା ବି ଗହଳ-ଚହଳ ହେଇ ଆସୁଥାଏ । ଭିତରକୁ ପ୍ରବେଶ କଲି । ଦେଖିଲି ଦୁଇ ଜଣ ବିଦେଶୀ ନିଆରା ଭାବରେ ବସି ଜଗନ୍ନାଥ ତତ୍ତ୍ବ ଉପରେ କିଛି ଆଲୋଚନା କରୁଛନ୍ତି । ବିଦେଶୀ ମୁଖରୁ ଜଗନ୍ନାଥ ଶବ୍ଦଟି ଶୁଣିବା ପରେ ପାଦ ଦୁଇଟି ଛାଆଁକୁ ରହିଗଲା । ସେମାନଙ୍କ କଥାବାର୍ତ୍ତା ସବୁକୁ କାନଦେଇ ଶୁଣିଲି । ପାଠକେ କି କହିବି ସେକଥା। ଆପଣଙ୍କୁ ମିଛ - ମୋତେ ସତ, ସେଦିନ ସେମାନଙ୍କ କଥାବାର୍ତ୍ତା ମୋତେ ଏତେଦୂର ପ୍ରଭାବିତ କରିଥିଲା ଯେ ସଂଗେ ସଂଗେ ସେମାନଙ୍କ ଠାରୁ ଅନୁମତି ନେଇ ଅନୁଗ୍ରହ ପୂର୍ବକ ପଚାରିଲି  Sir, Do you believe  in jagannath culture ? ସେ ଦୁହେଁ ଏକ ସ୍ବରରେ ଉତ୍ତର ଦେଇ କହିଲେ - 'ହଁ'। ବିଦେଶୀ ମାନଙ୍କ ମୁଖରୁ ଓଡିଆ ଶବ୍ଦ ଶୁଣିବା ପରେ ସେଦିନ  ନିଜକୁ ଯେତିକି ଆଶ୍ଚର୍ଯ୍ୟ ଲାଗିଥିଲା, ତା'ଠାରୁ ଢେର ବେଶୀ ନିଜକୁ ନିଜେ ଗର୍ବ ଅନୁଭବ କରୁଥିଲି- ହଁ ,ମୁଁ ନିଜେ ଓଡିଆ ବୋଲି ! ବିଦେଶୀ ଦୁଇ ଜଣଙ୍କ  ବିଷୟରେ ଅଧିକ ଜାଣିବା ପାଇଁ ପ୍ରବଳ ଇଛାହେଲା । ଯଦିଓ ସେ ଦୁହେଁ ସ୍ପଷ୍ଟ ଭାବରେ ଓଡିଆ କହି ପାରୁନଥିଲେ , ଅଥଚ ସେମାନଙ୍କ ଠାରୁ ଉତ୍ତର ପାଇ ସନ୍ତୁଷ୍ଟ ହୋଇ ଯାଇଥିଲି ଯେ ସେମାନଙ୍କର ଓଡିଆ ଭାଷା-ସାହିତ୍ୟ-ସଂସ୍କୃତି ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲା । ନହେଲେ ସେମାନେ କାହିଁକି ବା' ମୋ ସହ ଇଂରାଜୀ ପ୍ରତି ବଦଳରେ ଓଡିଆରେ କଥା-ବାର୍ତ୍ତା କରି ଥାଆନ୍ତେ ! 

 ସେଦିନ  ଫେରିଥିଲି କିଛି ସ୍ମୃତି -କିଛି ଅନୁଭୂତି କୁ ନେଇ । ରାସ୍ତା ସାରା କବି ଗଙ୍ଗାଧରଙ୍କ  - 'ମାତୃଭୂମି ମାତୃଭାଷାର ମମତା ଯା' ହୃଦୟେ ଜନମି ନାହିଁ ...... ମନେ ପକାଇ ନିଜକୁ ନିଜେ ବିଶ୍ଳେଷଣ କରୁଥିଲି। ଯେଉଁଠି ବିଦେଶୀ ମାନେ ଆମ ଭାଷା ଓ ସଂସ୍କୃତିକୁ ଅତି ଆଗ୍ରହ ସହକାରେ ଗ୍ରହଣ କରି ନେଉଛନ୍ତି, ଅଥଚ ଆମେ ଓଡିଶାରେ ରହି କରୁଛୁ ବା କ'ଣ ? ଏହା କଣ ଆମ ଚେତନାଶୀଳ - ପ୍ରଗତିଶୀଳ ଓଡିଆ ସମାଜର ବିଚାରବୋଧ ?  ବୋଧହୁଏ ଏଥିପାଇଁ ସେଦିନ ବଙ୍ଗାଳୀ ଭାଇ କଥା ଛଳରେ କହିଥିଲେ - ' ଓଡିଆ ଏକ୍ ଟା ଭାଷା ନଏ।'


ଡଃ ଶିବ ପ୍ରସାଦ ତ୍ରିପାଠୀ 

ସ୍ମୃତି ନିଳୟ, ଉଦୟ ନଗର 

ଷ୍ଟେସନ ରୋଡ,  ବଲାଙ୍ଗୀର (ଓଡିଶା)

shibatripathy262@gmail.com