Image

ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ ଭାରତୀୟ ଶିକ୍ଷା, ସଂସ୍କୃତି, ରାଜନୈତିକ ଓ ଅର୍ଥନୈତିକ ଜୀବନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା । ବହୁ ବରେଣ୍ଯ ସ୍ରଷ୍ଟା ଆବିର୍ଭୂତ ହୋଇ ଭାରତର ସାମାଜିକ ଓ ଜାତୀୟ ଜୀବନକୁ ସମୃଦ୍ଧ କରାଯାଇଛନ୍ତି । ଏହି ନବ ଜାଗରଣ ପର୍ବରେ ଗଙ୍ଗାଧର କଲମର କାଉଁରୀ ପରଶରେ ଗୋଟିଏ ପରେ ଗୋଟିଏ ଅମୋଘ ଅସ୍ତ୍ର ପ୍ରୟୋଗ କରି ସାମାଜିକ ବେଡିବନ୍ଧନ ଭିତରେ ପୁରି ରହିଥିବା କୁ-ସଂସ୍କାର, ଅନ୍ଧବିଶ୍ବାସ ଆଦି ଦୂରୀଭୂତ କରି ପାଶ୍ଚାତ୍ୟ ଶିକ୍ଷା-ସଂସ୍କୃତି,  ସାମାଜିକ ସ୍ଥିତି ଓ ପ୍ରଚଳିତ ବିଧି-ବ୍ଯବସ୍ଥା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ।

ଭାରତୀୟ ସଂସ୍କୃତି ଯୁଗ ଯୁଗ ଧରି ପରିବାର ସମ୍ପର୍କିତ ବିଚାର ଧାରା ଓ ତଦ୍-ସଂଯତ ପରମ୍ପରା ସୃଷ୍ଟି କରି ଆସିଛି । ଯେଉଁଥିରେକି ସମାଜର ସକଳ ରୀତି-ନୀତି, ଆଚାର-ବିଚାର, ଆଦର୍ଶ ଓ ତ୍ଯାଗପରି  ବହୁ ଗୁଣାବଳୀ ବର୍ଣ୍ଣିତ । ଏହି ଗତାନୁଗତିକ ପାରମ୍ପରିକ ଆଦର୍ଶ କେଉଁ ଅବହମାନ କାଳରୁ ଭାରତୀୟ ଜନମାନସକୁ ଉଦ୍ ବୁଦ୍ଧ କରି ଆସିଛି ଏବଂ ଏହି ମହାନ ଆଦର୍ଶର ବାର୍ତ୍ତା ବାହକ ଭାବେ ଗଙ୍ଗାଧର ଉତ୍କଳ ସାହିତ୍ୟାକାଶରେ ଏକ ବିସ୍ମୟ ପ୍ରତିଭା । ତାଙ୍କ ସୃଷ୍ଟି ସମ୍ଭାର ଗୁଡିକ ଉତ୍କଳର ଗିରି-ବନ, ନଦ-ନଦୀ କୁ ସ୍ପର୍ଶ କରି ସାମାଜିକ ଓ ଜାତୀୟ ବଳୟକୁ ଆଲୋକିତ କରିଛି ।

ଗଙ୍ଗାଧର ଥିଲେ ସମାଜ ସଚେତନ ଶିଳ୍ପୀ । ଏକ ସୁସ୍ଥ- ସବଳ ସମାଜ ଗଠନ କରିବା ଥିଲା ତାଙ୍କର ପ୍ରଧାନ ଆଭିମୁଖ୍ଯ । ଏହି ଦୃଷ୍ଟି କୋଣରୁ ସମାଜବାଦୀ କଳାତ୍ମକ ଅଭିବ୍ୟକ୍ତି ତାଙ୍କ କାବ୍ଯ-କବିତାର ପ୍ରତିଟି ଛତ୍ରେ ଛତ୍ରେ  ପ୍ରତିଫଳିତ । ଆଲୋଚନାଗତ ଦୃଷ୍ଟି କୋଣରୁ ବିଚାର କଲେ କବିଙ୍କ ସମସ୍ତ କାବ୍ଯ-କବିତା ଆମ ଦୈନନ୍ଦିନ ସାମାଜିକ ପରମ୍ପରାର ଏକ ନିଛକ ପ୍ରତିଛବି । ' ଧର୍ମର ଜୟ ପାପରୁ କ୍ଷୟ' ପରି ବହୁ ଉପାଖ୍ଯାନକୁ କବି   ଜୀବନ୍ତ ରୂପ ଦେବାସହ ହିନ୍ଦୁ ନାରୀର ପବିତ୍ରତାକୁ ସେ ଜୟଗାନ କରିଛନ୍ତି । 'କ୍ଷୁଦ୍ର ଧ୍ରୁବତାରା କେବଳ ସତତ ଉତ୍ତର ଆଶା ' ପରି ସୈରେନ୍ଦ୍ରୀ ଙ୍କ ମନ ଓ ଧ୍ଯାନ କେବଳ ସ୍ବ-ପତିଙ୍କ ନିକଟରେ (କୀଚକ ବଧ) ପୁଣି 'ପତିର ଚରଣ ତାର ସୁଖରେ ସଦନ' ବୋଲି ପଦ୍ମିନୀ ଉଲ୍ଲେଖ କରିଛନ୍ତି (ପଦ୍ମିନୀ)। ଏହି ପବିତ୍ରତା ଯୋଗୁଁହିଁ କୀଚକ ଓ ଆଲ୍ଲାଉଦ୍ଦିନର ସକଳ କାମାନ୍ଧ ଉଦ୍ଯମ ବିଫଳ ହୋଇଛି । ଏତଦ୍ ଭିନ୍ନ ଯେଉଁମାନେ ପରର ସ୍ତ୍ରୀ-ଝିଅ-ବୋହୂଙ୍କ ପ୍ରତି ବଳତ୍କାର ଓ ଯୌନକ୍ଷୁଧା ମେଣ୍ଟାଇବାର ସ୍ବପ୍ନ ଦେଖନ୍ତି,  ସେମାନେ ଆଲ୍ଲାଉଦ୍ଦିନ ପରି ଅଧିକ ଭୟଙ୍କର ଓ ହିଂସ୍ର ଏବଂ କୀଚକ ପରି ସେମାନଙ୍କ ମୃତ୍ୟୁ ଯେ ସୁ-ନିଶ୍ଚିତ ,ଏକଥା କବି ପୁରୁଷ ସମାଜକୁ ସତର୍କ କରିଦେଇଛନ୍ତି । ଆମ ସମାଜରେ ଏହିପରି ପୈଶାଚିକ ଚରିତ୍ରର ଆଜି ଊଣା ନାହିଁ । ଦୈନନ୍ଦିନ କେତେ ଯେ ପୈଶାଚିକ ପ୍ରବୃତ୍ତିର ମଣିଷ 'ପଦ୍ମିନୀ ' ଓ 'ସୈରେନ୍ଦ୍ରୀ ' ପରି ଚରିତ୍ରକୁ କଳଙ୍କିତ କରିବାକୁ ଯାଇ ଆଇନ୍ ଯନ୍ତାରେ କବଳିତ -ତାର କଳନା ନାହିଁ ।

'ପିତରି ପ୍ରୀତମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ' ପରି ପିତା ପ୍ରତି ପୁତ୍ରର କର୍ତ୍ତବ୍ୟ, ଭାଇ ପ୍ରତି ଭାଇର କର୍ତ୍ତବ୍ୟ ଓ ସର୍ବୋପରି ଶାଶୁ- ବୋହୂଙ୍କ ଏକ ଉତ୍ତମ ସମ୍ପର୍କର ପ୍ରତିବିମ୍ବ- 'ଅଯୋଧ୍ୟା ଦୃଶ୍ଯ '। ପ୍ରକୃତରେ ପ୍ରେମ ଚିରନ୍ତନ । ଗଙ୍ଗାଜଳ ପରି ଏହା ସ୍ବଛ ଏବଂ ପବିତ୍ର । ଏହାହିଁ ଆମ ସାମାଜିକ ବନ୍ଧନର ରୂପରେଖ । ତେଣୁ କବି ସମକାଳୀନ ସମାଜରେ ସମ୍ଭୋଗକୁ ଶ୍ରେୟ ମଣୁଥିବା ବ୍ଯକ୍ତି ବିରୁଦ୍ଧରେ ପ୍ରତିବାଦ କରି ଆଦର୍ଶ ଓ ତ୍ଯାଗପୂତ ଆର୍ଯ୍ୟ ସମାଜର ମହତ୍ତ୍ବକୁ ଜନ ସମ୍ମୁଖରେ ଉପସ୍ଥାପିତ କରିବାକୁ ଯାଇ 'ପ୍ରଣୟବଲ୍ଲରୀ' ଓ 'ତପସ୍ବିନୀ ' ପରି କାବ୍ୟ ସୃଷ୍ଟି କରିଛନ୍ତି । ଉଭୟ କାବ୍ୟରେ ନୈସର୍ଗିକ ପ୍ରେମର ଫଲଗୁଧାରା ପ୍ରବାହିତ । 'ପ୍ରଣୟବଲ୍ଲରୀ ' କାବ୍ୟରେ ଆମେ ଦେଖୁ ଶକୁନ୍ତଳାଙ୍କ ପ୍ରତି ଅବିଚାର କରିଥିବା ଦୁଷ୍ମନ୍ତଙ୍କ ଅନୁତାପ ଓ ' ତପସ୍ବିନୀ ' କାବ୍ୟରେ ଲକ୍ଷ୍ଯକରୁ  ପ୍ରଜାନୁରଞ୍ଜନ ରାମଚନ୍ଦ୍ର ଓ ସତୀ ସୀତାଙ୍କ ତ୍ଯାଗ ଓ ଆଦର୍ଶର ଚୂଡାନ୍ତ ନିଦର୍ଶନ ।

'' ତେତିକି ତିମିରେ      ମଜ୍ଜଇ ଅବନୀ

            ଯେତିକି ହୁଏ ଉଜ୍ଜଳ ,

  ଯେମନ୍ତ ମଧୁର            ତିକ୍ତହିଁ ତେମନ୍ତ

            ପ୍ରକୃତି ପ୍ରଣୟ ଫଳ ।।" (ପ୍ରଣୟବଲ୍ଲରୀ)

                     × × × × ×

" ମିଥ୍ୟା କଥା ଯେବେ         ପ୍ରଜାଏ କହିବେ

               ମେଳ ହୋଇ ଶତ ଶତ 

   ମିଥ୍ୟା ଜାଣି ଜାଣି          ତାଙ୍କୁ ମାନି ମାନି

               ବୋଲାଯାଏ ସତ ସତ ।।" (ତପସ୍ବିନୀ)

                        × × × × ×

" ପିତୃବାକ୍ଯ ପାଳନରେ ତୁମ୍ଭେ ଅବିମୁଖ

ପିତୃବାକ୍ଯ ପାଳନରେ ନ ହେଲେ ମୋ ଦୁଃଖ"                                                           (ତପସ୍ବିନୀ)

ଗଙ୍ଗାଧର ଥିଲେ ବୈପ୍ଳବିକ ଚେତନାର ବାର୍ତ୍ତାବାହକ ।' 'କଳା ପାଇଁ କଳା' ପରିବର୍ତ୍ତେ 'ଜୀବନ ପାଇଁ କଳା' କୁ ସେ ଶ୍ରେୟ ମଣିଥିଲେ । ତେଣୁ ଜାତୀୟ ସଙ୍କଟ କାଳରେ ରାଧାନାଥ ପ୍ରବର୍ତ୍ତିତ କାବ୍ଯ ଧାରାରେ ବହୁ ଜାତୀୟବାଦୀ କାବ୍ଯ -କବିତା ରଚନା କରି ଆମ ଜାତୀୟ ଭାବଧାରାକୁ ବିକଶିତ କରିଛନ୍ତି ।(ଉତ୍କଳ ଲକ୍ଷ୍ମୀ,ଅଯୋଧ୍ୟା ଦୃଶ୍ଯ, କୀଚକ ବଧ, ତପସ୍ବିନୀ, ପ୍ରଣୟବଲ୍ଲରୀ, ଭାରତୀ ଭାବନା, ଅର୍ଘ୍ଯଥାଳୀ ଇତ୍ଯାଦି)।

କବିଙ୍କ 'ଉତ୍କଳଲକ୍ଷ୍ମୀ ' ଏକ ଜାତୀୟତାର ମୂର୍ତ୍ତିମନ୍ତ ବିଗ୍ରହ । ଏହାର ପରିଚୟ କେବଳ 'ଉତ୍କଳଲକ୍ଷ୍ମୀ' ବା 'ଉତ୍କଳ ଜନନୀ ' ଠାରେ ସୀମିତ ନ ରହି ସୌନ୍ଦର୍ଯ୍ୟମୟୀ ଉତ୍କଳର ଚାରୁଚିତ୍ରପଟ୍ଟ ପୁଣି ଉତ୍କଳର ଭୌଗୋଳିକ ସୀମାରେଖାର ସଙ୍କେତ ମଧ୍ୟ ପ୍ରଦାନ କରିଛି । 

"ଗୋଦାବରୀ ଠାରୁ ଗଙ୍ଗାଯାଏ ବ୍ଯାପି

କୀର୍ତ୍ତିମାଳା ଯାର ବିରାଜେ ଅଦ୍ଯାପି ।।"(ଉତ୍କଳ ଲକ୍ଷ୍ମୀ)

'ତପସ୍ବିନୀ ' ଓ 'ପ୍ରଣୟବଲ୍ଲରୀ ' କାବ୍ୟ ପୁରାଣ କୈନ୍ଦ୍ରିକ ହେଲେହେଁ ଏହାର ନାୟକ-ନାୟିକା ଏଇ ଉତ୍କଳ ଭୂମିର ବନ-ଉପବନ,ନଈ-ନାଳରେ ଅତି ନିରାଡମ୍ବର ଭାବରେ ବିଚରଣ କରିଛନ୍ତି । ଜନ୍ମ ଭୂମିର ପ୍ରାକୃତିକ ଶୋଭା ବର୍ଦ୍ଧନ କରିବା ବ୍ଯତୀତ ଶାନ୍ତି-ଦୟା-କ୍ଷମା ଓ ଶ୍ରଦ୍ଧାର ସ୍ଥଳ ଉତ୍କଳ ଭୂମି ବୋଲି କବି ସୂଚନା ଦେଇଛନ୍ତି । ଏତଦ୍ ଭିନ୍ନ ଆଦର୍ଶ ରାଜତ୍ବର ନିର୍ମଳ ଚିତ୍ର ଅତି ସୁନ୍ଦର ଭାବରେ ବ୍ଯକ୍ତ କରିଛନ୍ତି । ଯେପରି :-

" ସୁଖେ ନଇରାଶ୍ଯ         ନ ଥିବ ଅବଶ୍ୟ 

            ନୃପତି ହୃଦୟେ ସୁଦ୍ଧା 

  ସେହେତୁ ମହତୀ        ଦେବତା ନୃପତି 

         ସେବଇ କିରତି ସୁଦ୍ଧା ।।" (ତପସ୍ବିନୀ)    

ସେହିପରି ବ୍ରିଟିଶ୍ ରାଜତ୍ବ ବିରୁଦ୍ଧରେ ଗଙ୍ଗାଧରଙ୍କ 'ଭାରତୀ ଭାବନା ' ଏକ ମୌନ ପ୍ରତିବାଦ। ଏଥିରେ ଇଂରେଜ ମାନଙ୍କ ଅତ୍ୟାଚାର, ନିଷ୍ଠୁରତା, ମନ୍ଦ ଶାସନ, ବର୍ଣ୍ଣବୈଷମ୍ଯ ବିରୁଦ୍ଧରେ ବହୁ କଟୁ ମନ୍ତବ୍ଯ ଗୁଡିକ  ରହିଛି ।

" କୃଷ୍ଣା କୃଷ୍ଣ ଘେନି         ଭାରତ ବିପ୍ଳବ 

            ଉପୁଜିଲା କଷ୍ଟ ପାଶେ

  ଯହିଁ କୃଷ୍ଣ ତହିଁ।          ବିଜୟ ନିଶ୍ଚୟ 

          ରହିଗଲା ଲୋକ ବିଶ୍ବାସେ   

  ବୋଇଲେ,ଦୁଃଶାସନ ମୂଳକାରଣ, 

ବିଧାତା ବିଧାନ         ଲଙ୍ଘନୀୟ ନୁହେଁ 

           କେମନ୍ତ ହୁଅନ୍ତା ବାରଣ ।। " 

'କବିତା କଲ୍ଲୋଳ' ଓ 'ଅର୍ଘ୍ଯଥାଳୀ' କବିଙ୍କ ଦୁଇଟି ଅନବଦ୍ଯ କୃତି । 'କବିତା କଲ୍ଲୋଳ ' ପାଞ୍ଚଟି କ୍ଷୁଦ୍ର କବିତାର ସମାହାର ହୋଇଥିଲେ ମଧ୍ୟ ଏଥିରେ ଉତ୍କଳ ପ୍ରୀତିର ପରିଚୟ ଆମକୁ ମିଳେ ।

" ଦିଗ୍‌ଗଜ ପରାଜୟ କେତେ ପ୍ରକାଣ୍ଡ ଉତ୍ପଳ 

ମହାନଦୀ ଜଳେ ହୋଇଛନ୍ତି ନିମଜ୍ଜିତ 

କେତେ ଅବା ମସ୍ତକ କେବଳ

ପୁଳିନରେ  ହୋଇଛନ୍ତି କେତେ ଦଣ୍ଡାୟିତ ।।"

                                       (ସୋମନାଥ ବିଜୟ)

'ଅର୍ଘ୍ଯଥାଳୀ'( 39 ଟି କବିତାର ସମାହାର) ରେ ଉତ୍କଳ ଭାରତୀଙ୍କ ଉକ୍ତି,ମଳୟର ଆବାହନ, ପଞ୍ଚାୟତ,ଉଦ୍ ବୋଧନ, ମାତୃଭୂମି, ଖଦ୍ଯୋତର ଖେଦ,ଅନ୍ଧକାର,ଆତ୍ମ ପ୍ରସାଦ, ବିଦୂର ପ୍ରଜାଗର,ଜ୍ଯୋଷ୍ଠା ହାତିର ଅପକର୍ମର ପରିଣାମ,ଗର୍ବ, ତାଙ୍କୁମଧ୍ଯ ବୋଲିଥାନ୍ତି ଧର୍ମ ଅବତାର ପ୍ରଭୃତି କବିତା ଗୁଡିକ ତତ୍କାଳୀନ ଉତ୍କଳର ରାଜନୀତି-ରାଜଧର୍ମ, ଶାସକ-ଶାସିତର ଏକ ଏକ ଫଟୋଗ୍ରାଫିକ ଚିତ୍ର । 

'ଉତ୍କଳ ଭାରତୀଙ୍କ ଉକ୍ତି ' ରେ କବି ନିଜ ଜନ୍ମଭୂମିକୁ ବିଦେଶୀ ନାରୀର ଭୂଷଣରେ ଭୂଷିତ କରିବା ପରିବର୍ତ୍ତେ ଭାରତୀୟ ନାରୀର  ପ୍ରତୀକ ଶଙ୍ଖା ଓ ସିନ୍ଦୁର ଦେଇ ସଜାଇଛନ୍ତି । କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ,  ସାମ୍ପ୍ରତିକ ସମାଜରେ  ଅନେକ ଭାରତୀୟ ନାରୀ ଏହାର ବିପରୀତ ଧର୍ମୀ ।

" ମସ୍ତକେ ମୋ ଟୋପି ନ ଦେବ ବାବାରେ 

  ନ କାଢିବ ମୋର କରୁ କଙ୍କଣ

  ସିନ୍ଦୁର ବିନ୍ଦୁ ମୋ ଭାଲେ ରଖିବାରେ 

  ନିରନ୍ତର ମନେ ଥିବ ସ୍ମରଣ ।।"

ବ୍ଯକ୍ତି କୈନ୍ଦ୍ରିକ ଜୀବନ ଅପେକ୍ଷା ଦେଶ ଓ ଜାତି ପାଇଁ ଉତ୍ସର୍ଗୀକୃତ ଜୀବନହିଁ ପ୍ରକୃତ ଜୀବନ । ଏହା କବି 'ମଳୟର ଆବାହନ' କବିତାରେ ଉଲ୍ଲେଖ କରିଛନ୍ତି । ଗଣତାନ୍ତ୍ରିକ ପଞ୍ଚାୟତ ଶାସନ ସମ୍ବନ୍ଧରେ ସୂଚନା ଦେବାକୁ ଯାଇ କହିଛନ୍ତି:-

" ବାଛି ବାଛି ସୁଧାମନ ପାପ- ଭୀରୁଜନ

ହେବଯଦି ପଞ୍ଚାୟତ ଗଠନ ସୃଜନ 

ଶିକ୍ଷା ଦିଆଯାଉଥିବ ବିଚାର ବିଧାନ

କରାଯାଉଥିବ ବାର ବାର ସାବଧାନ 

ପଞ୍ଚ ହସ୍ତେ ନ୍ଯସ୍ତ ଥିଲେ ଲଘୁ ଅଧିକାର 

ଅବଶ୍ୟ ଦେଶରେ ହେବ ବହୁ ଉପକାର ।।"  

ଆଦର୍ଶ ରାଜନୀତି ଓ ରାଜଧର୍ମର ଭାବଧାରା 'ବିଦୂର ପ୍ରଜାଗର' କବିତାରେ ସୁ-ସ୍ପଷ୍ଟ । ଏହା ପ୍ରତ୍ଯେକ ମଣିଷର ଚିନ୍ତା-ଚେତନା ଭିତରେ ମାତୃଭୂମି ଓ ମାତୃଭାଷା ପ୍ରତି ଅନୁରାଗ ସୃଷ୍ଟି ହେବା ବିଧେୟ । ଏହାହିଁ ହେଉଛି 'ଉଦ୍ ବୋଧନ' ଓ 'ମାତୃଭୂମି ' କବିତାର ବୈଶିଷ୍ଟ୍ୟ । ଗଙ୍ଗାଧରଙ୍କ ବ୍ଯକ୍ତିତ୍ବ ଓ କବିତ୍ବ ଯୋଗୁହିଁ ଉତ୍କଳର ଭାଷା ଆଜି ଉର୍ବର ଓ ପବିତ୍ର । ଏହା ପ୍ରତ୍ଯେକ ଉତ୍କଳୀୟ ପକ୍ଷରେ ଅତ୍ୟନ୍ତ ଗର୍ବ ଓ ଗୌରବ ବିଷୟ ।( ସୌଭାଗ୍ଯର କଥା - ବର୍ତ୍ତମାନ ଓଡିଶା ସରକାର ଏ ଦିଗରେ ଅଧିକ ପ୍ରଯତ୍ନଶୀଳ ଥିବା ଜଣାଯାଏ ) ।  

" ଉଚ୍ଚ ହେବା ପାଇଁ କର ଯେବେ ଆଶା

ଉଚ୍ଚ କର ଆଗେ ନିଜ ମାତୃଭାଷା  ।।"

             ×××××

" ମାତୃଭୂମି ମାତୃଭାଷାରେ ମମତା 

                   ଯା ହୃଦେ ଜନମାନସରେ ନାହିଁ 

ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା 

                          ଅଜ୍ଞାନ ରହିବେ କାହିଁ ?

ଓଡିଆ ଜାତିର ଜାଗ୍ରତ ପ୍ରହରୀ କବି ଗଙ୍ଗାଧରଙ୍କ ପ୍ରଚେଷ୍ଟା ଅତୁଳନୀୟ । ଜଡତାଶୂନ୍ଯ ଏକ ନୂତନ ଓଡିଶା ଗଠନ କରିବା ପ୍ରୟାସରେ ଆଧୁନିକ ଶିକ୍ଷାଭିମାନୀ ମାନଙ୍କ ମୁଖା ସେ ଖୋଲି ଦେଇଛନ୍ତି । ଶିକ୍ଷିତ,ଅଶିକ୍ଷିତ ଓ ଶିକ୍ଷାଭିମାନୀ ଏବଂ ସକଳ ମାନବ ହୃଦୟରେ ଦେଶାତ୍ମବୋଧର ବୀଜମନ୍ତ୍ର ସ୍ଥାପନ ନିମନ୍ତେ 'ଉତ୍କଳର ଗୌରବ ' ଓ ଗୋ ସମ୍ପଦର ସୁରକ୍ଷା ନିମନ୍ତେ 'ଗୋ ବିଳାପ ' ରଚନା କରି ଆଧୁନିକ ସମାଜକୁ ବ୍ଯଙ୍ଗ ଛଳରେ କବି କହିଛନ୍ତି:-

" କୁକୁରକୁ ଧରି କୋଳେ ଦିଅନ୍ତି ଚୁମ୍ବନ

କଂସାଇକୁ ଦିଅନ୍ତି ମୋ ବାଛୁରି ଜୀବନ ।।"

ଏତଦ୍ ଭିନ୍ନ 'କୃଷକ ସଂଗୀତ' ରେ କବି କୃଷିକୁ 'ସଭ୍ଯତାର ଚୂଳ' ବୋଲି ଆଖ୍ୟା ଦେବା ସଂଗେ ସଂଗେ ଓଡିଶା ପରି ଏକ କୃଷିଭିତ୍ତିକ ଗ୍ରାମ୍ଯ ସମାଜକୁ 'କୃଷି ହେଲେ ଉନ୍ନତି ସକଳ ଉନ୍ନତି 'ସୂଚାଇ କୃଷି ଓ କୃଷକଙ୍କୁ ଯେଉଁମାନେ ଘୃଣା କରନ୍ତି ସେମାନଙ୍କୁ ସେ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି ।

ଦୁଃଖ ଓ ଯନ୍ତ୍ରଣା ଗଙ୍ଗାଧରଙ୍କ ଜୀବନର ଶ୍ରେୟ ହେଇଥିଲେ ହେଁ 'ଧର୍ମ ପଥେ ଥାଇ କର ଧନ ଅରଜନ', 'ଯତ୍ନକଲେ ରତ୍ନମିଳେ ' ପରି ବହୁ ନୀତି ବାଣୀ ତାଙ୍କ କବିତାରେ ସୁ-ସ୍ପଷ୍ଟ ।ସାମ୍ପ୍ରତିକ ସମାଜରେ ସଂକୀର୍ଣ୍ଣ ଦେଶପ୍ରେମ, ପାରିବାରିକ ଅଶାନ୍ତି,  ଭୌତିକ ପଦାର୍ଥର ପ୍ରେମ ଯେପରି ତାର ଲେଲିହାନ ଶିଖା ନେଇ ଗ୍ରାସ କରୁଛି । ଏହି ପରିପ୍ରେକ୍ଷୀରେ ଗଙ୍ଗାଧରଙ୍କ ରଚନା ଗୁଡିକ ଭାରତୀୟ ଆଦର୍ଶ ଓ ମାର୍ଜିତ ରୀତି-ନୀତି ପ୍ରତି ସଜାଗ ରହି ମୁକ୍ତିର ପଥ ଦେଖାଉଛି। ଏହିପରି ଏକ ସମାଜବାଦୀ- ଜାତୀୟତାବାଦୀ କାଳଜୟୀ ପ୍ରତିଭାଙ୍କୁ ସମଗ୍ର ଉତ୍କଳ  ଆଜି ଶତକୋଟି ପ୍ରଣତି ଜଣାଉଛି ।

      ×××××     ×××××     ××××× 

ଡଃ ଶିବ ପ୍ରସାଦ ତ୍ରିପାଠୀ 

ସ୍ମୃତି ନିଳୟ, ଉଦୟ ନଗର 

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)

shibatripathy262@gmail.com