Image

( ଏକ ଲଘୁ ଚିନ୍ତା )

ସତରଞ୍ଜ  ଖେଳରେ ଘୋଡ଼ାର ଅଢେଇ ପାହାଚିଆ ଚାଲି ବିପକ୍ଷ ଖେଳାଳୀକୁ ଯେମିତି ବିଭ୍ରାନ୍ତ କରେ; ଠିକ ସେମିତି ଅଢେଇ ଅକ୍ଷରିଆ ପ୍ରେମ ଶବ୍ଦର ବାସ୍ତବିକତା ସମସ୍ତଙ୍କ ନିମନ୍ତେ ଆଜି ବି ଏକ ପ୍ରହେଳିକା ମାତ୍ର ।  ଯଦି ଆଜି ପ୍ରେମ ପ୍ରଶ୍ନ କରେ,  "ମୁଁ କିଏ...?”, ଉତ୍ତରରେ କିଛି ଲୋକ ଭଲ ଦେଖି କହନ୍ତି ଭଲପାଇବା ତ କିଛି ଲୋକ ପାଗଳାରେ କହନ୍ତି ପାଗଳାମୀ, ଆହୁରି ଅନେକ କିଛି...! କିନ୍ତୁ ମୋ ମତରେ, ଏକ ପ୍ରକାରେ ପ୍ରେମର କୌଣସି ନିର୍ଦ୍ଧିଷ୍ଟ ଅର୍ଥ ହୋଇ ନ ପାରେ, କାରଣ ଏହି ଶବ୍ଦଟିର ଗଭୀରତାକୁ ବୁଝିବାକୁ ହେଲେ ଏହାର କୌଣସି ପ୍ରତିଶବ୍ଦ ବାହାର କରିବା ସେତେ ସହଜ ନୁହେଁ । ଅନ୍ୟ ପକ୍ଷରେ,  ଭଲପାଇବା ବା ପାଗଳାମୀ ପରି ସରଳାର୍ଥ ପ୍ରେମକୁ ବ୍ୟାଖ୍ୟା କରିବା ନାଁ ରେ ମଣିଷର ବ୍ୟର୍ଥ ଚେଷ୍ଟା କେବଳ; ସରଳରେ, ସେସମସ୍ତ ପ୍ରେମର ଅସମାପ୍ତ ପରିଭାଷା ମାତ୍ର । ତେବେ ପ୍ରେମ କ'ଣ ଭଲପାଇବା ନୁହେଁ...! ସତେ କି ଏଠି ପ୍ରେମ ଓ ଭଲପାଇବା ମଧ୍ୟରେ ଯୁଗଳ ପ୍ରଶ୍ନର ଜୁଆର ଖେଳେ । ଭଲପାଇବାର ଅର୍ଥ ଯଦି ପ୍ରେମ ନୁହେଁ ତେବେ କ'ଣ..? ପ୍ରଶ୍ନଟି ଯେତିକି ଦୁଷ୍କର, ଉତ୍ତର ବି ସେତିକି ଚିତ୍ତରଞ୍ଜକ ନୁହେଁ କି !

ସମାଜ ଭାବି ନେଇଛି ଯେ, ‘ପ୍ରେମ’  ମାନେ ‘ଭଲପାଇବା’ । କିନ୍ତ ତା'ର ଏଇ ଭାବନା ଅନେକ ପ୍ରତିକୂଳ ଯୁକ୍ତିର ଜନ୍ମଦାତା ମଧ୍ୟ । "ବ୍ୟକ୍ତିର ସୁନ୍ଦର ରୂପ,  ଆକର୍ଷଣୀୟ କଥାଭାଷା, ଉତ୍ତମ ଚରିତ୍ର ବା ଲୋଭନୀୟ ଯୌବନ ଦ୍ୱାରା ପ୍ରେରିତ ହୋଇ ମନରେ ଜନ୍ମ ନେଉଥିବା ଅନେକ ଭାବନା ଓ ତହିଁରୁ ଜାଗ୍ରତ ହେଉଥିବା ଆଶା ଓ  ପରେପରେ ଅଭିମାନ ଏବଂ ଶେଷରେ ଅସନ୍ତୁଷ୍ଟି କ’ଣ  ଭଲପାଇବା ନୁହେଁ !"  ସଂକ୍ଷେପରେ, ଆଶା ତଥା ପ୍ରଲୋଭନର ମିଳନରେ ସୃଷ୍ଟି ହୁଏ ଭଲପାଇବାର ଭ୍ରୁଣ ଏବଂ ବଢିବା ଆରମ୍ଭ ହୁଏ ଏକ ଆକାଙ୍କ୍ଷାର ବଳୟ ମଧ୍ୟରେ, ଯାହାକି ସମୟ ଅନୁକ୍ରମେ ପରିପକ୍ଵ ହୁଏ ସତ କିନ୍ତୁ ଶାଶ୍ୱତ ପ୍ରେମକୁ ଜନ୍ମ ଦେବାରେ ବହୁବାର ଅସମର୍ଥ ହୋଇଥାଏ । ଜନ୍ମ ଦିଏ ଏକ ସ୍ୱାର୍ଥୀ ମନକୁ, ପୁଣି ଜାତ ହୁଏ ସେ ମନରେ ଏକ ନୁଆଁ  ଅଭିପ୍ରାୟ । ବ୍ୟକ୍ତିର ଖରାପ ଚରିତ୍ର ବା ଅସୁନ୍ଦର ରୂପ,  ରୁକ୍ଷ କଥାଭାଷା ବା ଅକ୍ଷମତା ତଥା ବୃଦ୍ଧାବସ୍ଥାକୁ କେହି ଭଲପାଏ ନାହିଁ । ଭଲପାଏ ତା'ର ଯୌବନକୁ,  ଭଲପାଏ ତା'ର ସୁନ୍ଦର ରୂପକୁ,  ଭଲପାଏ ତା'ର ନୀଳ ଆଖିକୁ, ପୁଣି ଭଲପାଏ ତା'ର ଗୋରା ଦେହକୁ...! କାରଣ, ଭଲପାଇବା ଏକ ଅନୁମୋଦିତ ଚରିତ୍ର ଉପରେ ଆଧାରିତ; କିନ୍ତୁ ପ୍ରେମ ନିରାଧାର । ସେଥିପାଇଁ ତ ପ୍ରେମର ଗଭୀରତାକୁ ଜାଣିବା ଏକ ଶିଶୁ ପକ୍ଷରେ ଯେତିକି ସହଜ,  ଜଣେ ପରିପକ୍ଵ ବୟସ୍କ ନିମନ୍ତେ ସେତିକି ଜଟିଳ ମଧ୍ୟ ! 

ଆଧୁନିକ ଯୁଗରେ, ପ୍ରେମର ବ୍ୟବଚ୍ଛେଦ କରୁକରୁ ଯଦି ତା'ର ଅଧ୍ୟୟନ ଉପରେ ଗଭୀର ଆଲୋଚନା କରାଯାଏ, ପ୍ରେମିକ-ପ୍ରେମିକା ଙ୍କ ସମ୍ପର୍କକୁ ବା କେମିତି ଭୁଲିହେବ !   ଜଣେ ପୁଅ ଆଉ ଜଣେ ସୁନ୍ଦରୀ ଝିଅକୁ ଦେଖି ମନେମନେ ଭାବିହୁଏ, କେଡେ ସୁନ୍ଦରୀ ଝିଅଟିଏ ମ...,  ଆଖିଦୁଇ ତା'ର ହରିଣୀ ପରି...,  ଚାହାଣୀର ତ ଭାଷା ନାହିଁ...,  ଏପରି ଅନେକ ମନର ଭାଷା ଓ ପରିଭାଷା ଅଭିଳାଷାର ରୂପ ନେଇ ହୃଦୟର ଚାରି କାନ୍ଥରେ ଆଘାତ କରି କାମନାର କମ୍ପନ ସୃଷ୍ଟି କରୁଥାଏ । ଭାବିନିଏ ସେ ପ୍ରଥମ ଦେଖାରୁ ଯେ,  ସେ ତା'ର  ଜୀବନସାଥୀ ହୁଅନ୍ତା କି...!  ତା'ର ରାଣୀ ହୋଇ ଘରେ ଆସନ୍ତା କି...! ତା'ର ମନ ରାଇଜରେ ପରୀ ହୋଇ ରୁହନ୍ତା କି...!  ଏପରି   ଅନେକ ରଙ୍ଗୀନ ସ୍ବପ୍ନ ମନରେ ମନରେ...!  ଅନ୍ୟ ପକ୍ଷରେ,  ଠିକ ସେହିପରି ଜଣେ ରୂପବାନ ବା ଉତ୍ତମ ରୋଜଗାରିଆ ପୁଅକୁ ଦେଖି ଏକ ଚହଲା ଝିଅମନ ଦୋହଲିବାକୁ ବେଶୀ ସମୟ ଲାଗେ ନାହିଁ । ପୁଅ ଓ ଝିଅ,  ଉଭୟେ ଉଭୟଙ୍କ ପ୍ରତି ସଞ୍ଚୟ କରିଥିବା କ୍ଷଣିକ ଅନୁକମ୍ପାକୁ ମନେ ମନେ ପ୍ରେମ ବୋଲି ଭାବି ହୁଅନ୍ତି, ଫଳରେ ପ୍ରକୃତ ପ୍ରେମର ଆଭାସରୁ ବଞ୍ଚିତ ହୋଇଥାନ୍ତି । ବାସ୍ତବ ବିଷୟ ଏହି କି ଯେ,  ପରସ୍ପରର ଅନୁରାଗ ପଛରେ ରହିଥାଏ କାମନା, ଲୋଭ ତଥା ଧନଲାଳସାର ହାତ । ଯଦି ଏହାକୁ ଏଇ ସମାଜ ପ୍ରେମ ବୋଲି କହେ, ମୁଁ ତ କହିବି, " ଏହା ‘ପ୍ରେମ’ ନୁହେଁ କିନ୍ତୁ ପ୍ରେମ ରୂପକ କଳା ପରିଛାଇ ମାତ୍ର ; ମାନେ ସମ୍ପୂର୍ଣ ‘ଭଲପାଇବା’ । ଏପରି ଦ୍ବନ୍ଦତା ମଧ୍ୟରେ ପ୍ରେମର ନିଶ୍ଚିତତା ତଥା ବାସ୍ତବତା କାହିଁ?  କେବଳ ଜଣେ ଆଉ ଜଣକୁ ନେଇ ଆପଣା ସ୍ୱପ୍ନର ବିଭୀଷିକା ସଜେଇବାରେ ଲାଗିଛି ; ଯାହାକି ସମ୍ପୂର୍ଣ ସ୍ୱାର୍ଥ ପ୍ରଣୋଦିତ । ପ୍ରେମ  କ'ଣ  କେବେ କାମନା ହୋଇ ପାରେ?...  କେବେ ନୁହେଁ । ହୋଇ ନ ପାରେ ସେ କେବେ ଲୋଭୀ,  କରି ନ ପାରେ ସେ କେବେ ଛଳନା..., ହୋଇ ନ ପାରେ ସେ କେବେ ସ୍ୱାର୍ଥୀ,  କରି ନ ପାରେ ସେ କେବେ ପ୍ରତାରଣା...,  କାରଣ  "ପ୍ରେମ  ତ ଶାଶ୍ୱତ ଓ ସ୍ୱତନ୍ତ୍ର" । କିନ୍ତୁ, ଆଜିର ସମାଜ ଯେଉଁ ପ୍ରେମର କାକରରେ ଲମ୍ଫ ପ୍ରଦାନ କରିଅଛି,  ତାହା ପ୍ରେମ ନୁହେଁ ; ପ୍ରେମ ରୂପକ ସାମାନ୍ୟ ତୁଷାର ମାତ୍ର, ଯାହାକି ଯୌବନର ଉଷ୍ଣତାରେ  କ୍ରମଶଃ କ୍ଷୟ ପାଇ ଶେଷରେ ଆପଣା ଆକାର ହରାଏ ।

ଏଇ ତ ଥିଲା ପ୍ରେମର ସଂଘର୍ଷପୂର୍ଣ୍ଣ ପରିଭାଷାର କେବଳ ଏକ ଲୋକପ୍ରିୟ ଉପମା । ଠିକ ଏହିପରି ପ୍ରେମ ନାଁ ରେ ଅନେକ ଅସମାହିତ ସମ୍ପର୍କମାଳା ଆଜିବି ସମାଜରେ ନିହିତ । ହୁଏତ ଏଇ ସମାଜ ଦାବି କରିପାରେ କି ସେ ନିସ୍ଵାର୍ଥପର ଭାବରେ ସମସ୍ତଙ୍କୁ ପ୍ରେମ କରିପାରେ,  ତେବେ କ'ଣ ଏ ସମାଜ ଉତ୍ତର ଦେଇପାରିବ ! ପୁଅ ଯଦି ବାପାକୁ ପ୍ରେମ କରେ,  କାହିଁକି ତା'କୁ ଛାଡିଆସେ ବୃଦ୍ଧାଶ୍ରମରେ?  ମାଆ ଯଦି ପୁଅକୁ ପ୍ରେମ କରେ,  ତା'ର ବୋହୂ ସହିତ ବୁଝାମଣା ଠିକ ରଖିପାରେ ନାହିଁ କାହିଁକି? ବାପା ଯଦି ସନ୍ତାନକୁ ପ୍ରେମ କରେ,  କାହିଁକି ଝିଅଟିଏ ନୁହେଁ ମାତ୍ରକ ପୁଅଟିଏ ଖୋଜେ?  କାହିଁକି ସ୍ତ୍ରୀ ବି ଶାଶୁ ଶ୍ୱଶୁର ଠୁ ଅଲଗା ରହିବା ପାଇଁ ସ୍ୱାମୀକୁ ପ୍ରବର୍ତ୍ତାଏ? କାହିଁକି ଭାଇ ପୁଣି ଭଗାରୀ ହୁଏ? ଏସବୁ କ'ଣ ସ୍ୱାର୍ଥପର ସମ୍ପର୍କ ନୁହେଁ...! ସେଥିପାଇଁ, ପରସ୍ପରକୁ ଭଲପାଇବା ହୁଏତ ସହଜ ହୋଇପାରେ, କିନ୍ତୁ ପରସ୍ପରକୁ ପ୍ରେମ କରିବା ନିଶ୍ଚୟ ସହଜ ନୁହେଁ ।

ଏହି ଲଘୁ ବିଚାରରୁ,  ଯଦି ପ୍ରେମକୁ ପରିଭାଷିତ କରାଯାଏ,  ତେବେ  "ପ୍ରେମ କେବଳ ନୀରବତା ଓ ଅଦୃଶ୍ୟତା" ସରଳରେ, ପ୍ରେମ ଲୋଭ କରେନାହିଁ ମାତ୍ର ଦାନ କରେ,  ପ୍ରେମ ନିର୍ଭର କରେନାହିଁ ମାତ୍ର ସାହାଯ୍ୟ କରେ,  ପ୍ରେମ ଈର୍ଷା କରେନାହିଁ ମାତ୍ର ମଙ୍ଗଳ କରେ,  ପ୍ରେମ ଆତ୍ମବଡ଼ିମା କରେନାହିଁ ମାତ୍ର ଅନ୍ୟର ପ୍ରଶଂସା କରେ,  ପ୍ରେମ ଉତ୍ୟକ୍ତ ହୁଏନାହିଁ ମାତ୍ର କ୍ଷମା କରେ, ପ୍ରେମ ପ୍ରତିଶୋଧ ନିଏନାହିଁ ବରଂ ଅପକାର ସ୍ମରଣରେ ହିଁ ରଖେନାହିଁ । ତେଣୁ କେହି ଯେବେ ପ୍ରେମର ବାସ୍ତବତାକୁ ଜାଣିବାକୁ ତଥା ଅନୁଭୂତି କରିବାକୁ ଇଚ୍ଛା କରେ, ତେବେ ସେ ସମସ୍ତ ପାର୍ଥିବ ରମଣୀୟତା ପ୍ରତି ଦୃଷ୍ଟିହୀନ ହୋଇ ସ୍ୱାର୍ଥହରିତ ମନୋଭାବରେ ନୀରବତା ଓ ଆଦୃଶ୍ୟତାର ପୃଷ୍ଠଭୂମୀରେ ପ୍ରେମର ସନ୍ଧାନେ ଚାଲୁଚାଲୁ ତହିଁର ଗଭୀରତାକୁ ଛୁଇଁପାଇବା, ତା’ ପାଇଁ ଏହା ଏକମାତ୍ର ବିକଳ୍ପ । ଏଣୁ,  'ପ୍ରେମ'  ଓ 'ଭଲପାଇବା'  ଅଭିନ୍ନ ନୁହେଁ ଅର୍ଥାତ୍ ଭିନ୍ନ ଭିନ୍ନ । 

ଆଜିର ଜନସମାଜକୁ ପ୍ରେମର ପରିଭାଷା ଓ ଶାଶ୍ୱତ ଚରିତ୍ରର ସ୍ୱତନ୍ତ୍ରତାର ପରିକଳନା କରାଇବା ଉଦ୍ଦେଶ୍ୟରେ ଏହି ମୋର ଲଘୁ ପ୍ରଚେଷ୍ଟା ।
       
ଅମରେଶ କୁମାର ହନୁମାନ
ଭୁବନେଶ୍ୱର - ୧
ମୋ. ନଂ. : +୯୧-୯୮୬୧୫-୨୦୧୩୪

amresh.georgephilips@gmail.com