Image

ଡିଜିଟାଲ କ୍ରାନ୍ତି
************
ଦଳର ମୁଖ୍ୟ ନିର୍ବାଚନୀ  ଭାଷଣ ଦେଉଥିଲେ।
ଓଜସ୍ବିନୀ ଭାଷଣ।ସମସ୍ତେ ଜାଣନ୍ତି ବାକଚାତୁରୀ ରେ ଏଇ ନେତା ସମସ୍ତଙ୍କ ଠାରୁ ଆଗରେ।କେତେବେଳେ ନିଜର ଦାରିଦ୍ର୍ୟତା, ଜୀବନ ସଂଘର୍ଷ ତ କେବେ ରାଜ୍ୟ ତଥା ଦେଶପାଇଁ ସେ ଜେଲଯାଇଥିବା କଥା ସ୍ମରଣ କରାଇଦିଆନ୍ତି ଶ୍ରୋତାଙ୍କୁ।ପୁଣି କେବେ ନିଜକୁ  ,ନୂତନ କ୍ରାନ୍ତିକାରୀ ବୋଲି ଅବିହିତ କରାନ୍ତି।
" ଭାଇ ଓ ଭଉଣୀମାନେ; ଏ ଦେଶରେ ଆମ ଦଳ   ଡିଜିଟାଲ କ୍ରାନ୍ତି ଆଣିଛି।ଆପଣମାନେ ଘରେ ବସି ନିଜ ମୋବାଇଲ ଫୋନ୍ ରୁ ଅନେକ କାମ କରିପାରୁଛନ୍ତି।ବ୍ୟାଙ୍କରେ ଟଙ୍କା ଜମା କରିବାଠାରୁ ଆରମ୍ବ କରି ବିଜୁଳି ବିଲ , ପିଲାଙ୍କ ସ୍କୁଲ ଦରମା,ସିନେମା ଟିକେଟ ,ଦୋକାନରୁ ଜିନିଷ କିଣା ଇତ୍ୟାଦି ସବୁ ଡିଜିଟାଲ ପେମେଣ୍ଟ କରିପାରୁଛନ୍ତି।ଆପଣଙ୍କ ବ୍ୟାଙ୍କ ଖାତାରେ ଅଫିସ ଦରମା,ସବସିଡ଼ି ଟଙ୍କା ସିଧାସଳଖ ଜମା ହୋଇଯାଉଛି।ସବୁଜିନିଷରେ ଆମ ଦଳ ପାରଦର୍ଶିତା ଆଣିଛି।କଳାଧନ କୁ ରୋକିଛୁ। ତେଣୁ ଆଗାମୀ ନିର୍ବାଚନରେ ଆମ ଦଳକୁ ଜୟଯୁକ୍ତ କରାନ୍ତୁ।"
ସଭା ପରେ ରାତିରେ, ଦଳ ପକ୍ଷରୁ ଗାଁ ଲୋକଙ୍କ ପାଇଁ ଆୟୋଜିତ ହୋଇଥିବା ଭୋଜି ପରେ କିଛି ଜିନିଷ ବଣ୍ଟା ଯିବାର ଘୋଷଣା କରାଯାଇଥିଲା ।
ହାଠାତ୍ କିଛି ବାକ୍ ବିତଣ୍ଡା ,ପାଟିତୁଣ୍ଡ ଶୁଣି ଦଳ ର ମୁଖ୍ୟ ରୁମ ବାହାରକୁ ଆସି କାରଣ ପଚାରିବାରୁ , ଗାଁର କିଛି ଲୋକ ଆଗକୁ ଆସି କହିଲେ ,
" ସାର୍, ଆପଣଙ୍କ ଦଳ ତରଫରୁ ଆମକୁ ଆଜି ଯେଉଁ ଟଙ୍କା ବଣ୍ଟା ଯାଉଛି, ଆମେ ଚାହୁଁଛୁ ତାହା ଡିଜିଟାଲ ପେମେଣ୍ଟ ଜରିଆରେ ସିଧା ଆମ ବ୍ୟାଙ୍କ ଖାତାକୁ ଯାଉ। ଆପଣ ନିଜ ମୋବାଇଲ ଫୋନରୁ ଆମ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରନ୍ତୁ ସାର୍।ସମସ୍ତେ ଆପଣଙ୍କର ପାରଦର୍ଶିତା ଜାଣିବେ। ଆମେ ପି.ଓ.ଏସ ମେସିନ ବି ଆଣିଛୁ।ନିଜ ଡେବିଟ୍ କାର୍ଡ ସ୍ବାଇପ୍ କରି ଆମ ଖାତାକୁ ଟଙ୍କା ପଠାନ୍ତୁ,ଠିକ୍ ଗ୍ୟାସ ସବସିଡ଼ି ଟଙ୍କା ପରି।ଆପଣ ତ ସ୍ୱଚ୍ଛତା ଓ ଡିଜିଟାଲ କ୍ରାନ୍ତିର ଜନକ।"
କଣ ହେଲା କେଜାଣି ଦଳ ମୁଖ୍ୟ, ଅନ୍ୟ ନେତାଙ୍କ ସହ ଗାଡ଼ିରେ ବସି ଆଖିପିଛୁଳାକେ ସେଠାରୁ ଅଦୃଶ୍ୟ ହୋଇଗଲେ।ଗାଁ ଲୋକେ ହସୁଥିଲେ, ବିଜୟୀ' ର ହସ।

😊(ଅରବିନ୍ଦ ଦାସ)