Image

ଲୋକେ କୁହନ୍ତି ଓଡ଼ିଆ ସାହିତ୍ୟର ଭାଗ୍ୟ କେବେ ବଦଳିବ? ମୋ ମତରେ, ସାହିତ୍ୟର ଭାଗ୍ୟ ପ୍ରତି ଯେ ଚିନ୍ତିତ, ସେ ପ୍ରଥମେ ନିଜକୁ ପରିମାର୍ଜିତ କରିବାକୁ ହେବ । ଯେପରି କୌଣସି ଏକ ରାଜ୍ୟର ଶାସନ ତା’ ଶାସକ ହାତରେ ଥାଏ; ଶାସକର ବୁଦ୍ଧି, ବିବେକ, କାର୍ଯ୍ୟକଳାପ, ବ୍ୟବହାର ଆଦିକୁ ନେଇ ଗଠିତ ହୁଏ, ଠିକ୍ ସେପରି ସାହିତ୍ୟର ଭାଗ୍ୟ ବି ସମାଜର ଲୋକଙ୍କ ସେହି ଭାଷା ପ୍ରତି ଭଲପାଇବା, ମର୍ଯ୍ୟାଦା, ଅଭ୍ୟାସ, ଆଦିରେ ଥାଏ । ଏବଂ ମୁଖ୍ୟତଃ, ଯେପରି ଏକ ଭଲ ଶାସକ ପାଇଁ ନିର୍ବାଚନର ବ୍ୟବସ୍ଥା ଅଛି, ସେପରି ସାହିତ୍ୟ ପାଇଁ ମଧ୍ୟ ଆବଶ୍ୟକ ହୁଏ ବାରମ୍ବାର ସଂଶୋଧନ (ବିଶେଷକରି ଡିଜିଟାଲ ମାଧ୍ୟମରେ ହେଉଥିବା ଯାନ୍ତ୍ରିକ ତ୍ରୁଟି), ନୂତନ ସଫ୍ଟୱେର ଏବଂ ଗୁଗଲ ଭଳି ଅନ୍ୟାନ୍ୟ (ସର୍ଚ ଇଞ୍ଜିନ) ୱେବସାଇଟରେ ଓଡ଼ିଆ ଭାଷାକୁ ଅଧିକରୁ ଅଧିକ ଯୋଡିବା ଏବଂ ପ୍ରତିଟି ଶବ୍ଦକୁ ଏବଂ ତାହାର ଅର୍ଥକୁ ଖୋଜିଲା ଭଳି ଅନୁକୂଳ କରିବା, ଓଡ଼ିଶାରେ ଥିବା ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ଓଡ଼ିଆରେ ଏବଂ ଇଂରାଜୀ ବଦଳରେ ଓଡ଼ିଆର ବ୍ୟବହାର ବାଧ୍ୟତାମୂଳକ କରିବା, ଓଡ଼ିଆ ସାହିତ୍ୟ କିମ୍ବା ଭାଷା ବୃଦ୍ଧିକୁ ନେଇ ଉତ୍ସୁକିତ ବିଭିନ୍ନ ସଂଗଠନ ଆଦିକୁ ସରକାରଙ୍କ ଦ୍ଵାରା ପ୍ରମାଣିତ କରିବା, ଇତ୍ୟାଦି । ଏସବୁକୁ ଏକ ଏକ କରି କାର୍ଯ୍ୟକାରୀ କରିବାକୁ ହେଲେ ଓଡ଼ିଶାର ପ୍ରତି କୋଣଅନୁକୋଣରୁ ସାହିତ୍ୟିକ, ସଂଗଠକ, ଉଦ୍ୟୋଗିକ, ବୈଷୟିକ, ଏବଂ ସାହିତ୍ୟପ୍ରେମୀମାନେ ମିଳିତ ଭାବେ ସରକାରଙ୍କୁ ଅବଗତ କରି ପ୍ରତ୍ୟେକ ସ୍ତରରେ ଓଡ଼ିଆ ଭାଷାର ଉପଯୋଗକୁ ଅନିବାର୍ଯ୍ୟ ଏବଂ ସମସ୍ତ ଓଡିଶାବାସୀଙ୍କୁ ଏହା ପ୍ରତି ପ୍ରୋତ୍ସାହିତ କରିବା ଆବଶ୍ୟକ। 

ସାହିତ୍ୟ ଓ ଭାଷାପ୍ରେମୀଙ୍କ ସକଳ ଉଦ୍ୟମ ଯୋଗୁଁ ଯେପରି ଇଂରାଜୀରେ ଓଡ଼ିଆ (Odia) ଏବଂ ଓଡ଼ିଶା (Odisha) ଶବ୍ଦର ସଠିକ ରୂପାୟନ ହୋଇପାରିଲା,  ସେହିପରି ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନ, ଗ୍ରାମ ଏବଂ ସହରର ନାମଗୁଡ଼ିକୁ ଇଂରାଜୀରେ ସଠିକ କରିବା ବି ଆବଶ୍ୟକ । ଇଂରାଜୀରେ ଭୁଲ ଲେଖାଯାଉଥିବା ଓଡ଼ିଶାର ଅନେକ ସହର ଏବଂ ସ୍ଥାନ ଅଛି । ଯେପରି, କେନ୍ଦୁଝରକୁ କେଓଞଝର (Keonjhar), ଖୋର୍ଦ୍ଧାକୁ ଖୁରଦା (Khurda) ବା’ କ୍ଷୁରଧା (Khurdha), ବାଲେଶ୍ଵରକୁ ବାଲାଶୋର (Balasore), ଜୟପୁର (କୋରାପୁଟ)କୁ ଜେୟପୋରେ (Jeypore), ବ୍ରହ୍ମପୁରକୁ ବେରହମପୁର (Berhampur), ଆଦି । ଏ ସବୁକୁ ସରକାର ଖୁବଶୀଘ୍ର ଇଂରାଜୀ ଶବ୍ଦକୋଷରେ ସଂଶୋଧନ କରିବା ଉଚିତ । 

ନିକଟ ଅତୀତରେ ମୁଁ ଏକ ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର ହୋଇଥିବା ହୋର୍ଡିଂରେ ଓଡ଼ିଆ ଭାଷାରେ ବହୁତ ଭୁଲ ଦେଖିବାକୁ ପାଇଥିଲି। ସେଠାରେ ଲେଖାହୋଇଥିବା ବାକ୍ୟ ବା ଶବ୍ଦସବୁ ଓଡ଼ିଆରେ ଅନୁବାଦ ନକରି ଇଂରାଜୀକୁ ଓଡ଼ିଆରେ ଲେଖାଯାଇ ଓଡ଼ିଆର ଅପମାନ କରଯାଇଥିଲା । ଯେପରି, Prime Minister ଜାଗାରେ ପ୍ରଧାନମନ୍ତ୍ରୀ ନଲେଖି ପ୍ରିମେ ମିନିଷ୍ଟର ଲେଖାଯାଇଥିଲା, Govt of Odisha ଜାଗାରେ ଗୋବ୍ତ ଓଫ ଓଡ଼ିଶା, ଏଭଳି କିଛି। ଏସବୁ ବଡଧରଣର ତ୍ରୁଟିଗୁଡ଼ିକୁ ଅଣଦେଖା ନକରି, ମୋ ଦୃଷ୍ଟିରେ ଓଡ଼ିଶାରେ ହେଉଥିବା ସମସ୍ତ ସରକାରୀ କିମ୍ବା ବେସରକାରୀ କାର୍ଯ୍ୟକ୍ରମମାନଙ୍କରେ ବ୍ୟବହାର ହେଉଥିବା ହୋର୍ଡିଂ, ବ୍ୟାନର, ପୋଷ୍ଟର(ବିଜ୍ଞାପନ), ପ୍ରଚାର ପୁସ୍ତିକା/ଫର୍ଚି, ଆଦି ପ୍ରତି ଏକ ସ୍ଵତନ୍ତ୍ର ଭାଷାଭିତ୍ତିକ ଆଇନ ତିଆରି କରାଯାଇ ସେଠାରେ ହେଉଥିବା ବିଭିନ୍ନ ତ୍ରୁଟିକୁ ସଂଶୋଧନ କରିବା ନିମନ୍ତେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ । 

ଏତଦ୍ ବ୍ୟତୀତ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ସାହିତ୍ୟପ୍ରେମୀଙ୍କୁ ସରକାର ପ୍ରୋତ୍ସାହନ କରି ପ୍ରତିମାସରେ କିମ୍ବା ତ୍ରୟମାସରେ ସରକାରୀ ସ୍ତରରେ ସାହିତ୍ୟିକ କାର୍ଯ୍ୟକ୍ରମମାନ ଆୟୋଜନ କରିବା ଏବଂ ତତ୍ ସହ ଭାରତରେ ଥିବା ପ୍ରତ୍ୟେକ ଓଡ଼ିଆ ସାହିତ୍ୟ ଅନୁଷ୍ଠାନଗୁଡ଼ିକୁ ଅନୁଧ୍ୟାନ କରି ସେମାନଙ୍କୁ କିଛି ଆର୍ଥିକ ଅନୁଦାନ ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବା ଉଚିତ । 

ବ୍ରହ୍ମପୁରରେ ରହଣିକାଳରେ ମୁଁ ଦେଖିଛି, ଗଞ୍ଜାମ ଜିଲ୍ଲାରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ଵ ସାହିତ୍ୟ ଅନୁଷ୍ଠାନମାନ ଗଢି ଉଠିଛି । ସେଥିରୁ ୭୫ଭାଗ ଅଣପଞ୍ଜୀକୃତ ହୋଇଥିବା ବେଳେ, ସ୍ୱଳ୍ପ କିଛି ପୁରୁଣା ଅନୁଷ୍ଠାନ ଗୁଡିକ ସରକାରୀ ପଞ୍ଜୀକୃତ ହୋଇଅଛି (ଯାହାର ତାଲିକା ଜିଲ୍ଲା ପଞ୍ଜୀକରଣ ବିଭାଗରେ ଉପଲବ୍ଧ)। ଆଉ ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ସାହିତ୍ୟ ଆସର / କବିତା ଆସର / ପ୍ରତିଯୋଗୀତା ଏବଂ ପୁରସ୍କାର କାର୍ଯ୍ୟକ୍ରମ ଇତ୍ୟାଦି ଚାଲୁରହିଥିବା ଆମେ ପତ୍ରପତ୍ରିକା ଏବଂ ଖବରକାଗଜରୁ ପଢି ଜାଣିପାରୁଛୁ । ଏଭଳି ଅନୁମାନରୁ ଆକଳନ କରିହେବ ଯେ ଓଡ଼ିଶାରେ କେତେ ସଂଖ୍ୟକ ସାହିତ୍ୟସଂସ୍ଥା ଥାଇପାରେ! ଏ ସବୁର ଯଦି ସରକାରୀ ପଞ୍ଜୀକରଣ ହୋଇପାରନ୍ତା ଏବଂ ସରକାରୀ ସ୍ତରରେ ଏକ ସ୍ଵତନ୍ତ୍ର ସାହିତ୍ୟ ପଞ୍ଜିକା (କାଲେଣ୍ଡର) ପ୍ରସ୍ତୁତ କରାଯାଆନ୍ତା, ମୋ ମତରେ ବହୁ ସାହିତ୍ୟପ୍ରେମୀ ଓ ଭାଷାପ୍ରେମୀ ଉପକୃତ ହୋଇପାରନ୍ତେ । 

ଯେପରି ଛାତ୍ରଛାତ୍ରୀ ଏବଂ ପୁସ୍ତକ ବିନା ଏକ ବିଦ୍ୟାଳୟ ଅସମ୍ପୂର୍ଣ୍ଣ; ଠିକ ସେପରି ପୁସ୍ତକ ବିନା ସାହିତ୍ୟ ମୂଲ୍ୟହୀନ । ତେଣୁ ସାହିତ୍ୟାନୁଷ୍ଠାନ ଗଠନ ସହ ପ୍ରତି ଗ୍ରାମରେ ଏବଂ ସହରର ପ୍ରତି ୱାର୍ଡରେ ସ୍ଵତନ୍ତ୍ର ଓଡ଼ିଆ ପାଠାଗାରର ଆବଶ୍ୟକତା ରହିଛି । ଆଉ ଏଥିପାଇଁ ଆବଶ୍ୟକ ହେଉଥିବା ପୁସ୍ତକସବୁ ସରକାର ପ୍ରତିବର୍ଷରେ ଯେଉଁ ରାଜା ରାମମୋହନ ରାୟ ପାଠାଗାର ଆନୁକୁଲ୍ୟରେ ଆହ୍ଵାନ କରୁଛନ୍ତି, ତାହାର ସୀମା ଏବଂ ପରିମାଣକୁ ମଧ୍ୟ ବଢାଇବା ଉଚିତ । ସାହିତ୍ୟ ଏକାଡ଼େମୀ ଦେଉଥିବା ରାଜ୍ୟସ୍ତରୀୟ ବିଭିନ୍ନ ସାହିତ୍ୟ ପୁରସ୍କାରଗୁଡ଼ିକୁ ଜିଲ୍ଲାସ୍ତରରେ ମଧ୍ୟ ଓଡ଼ିଆ ଲେଖକଲେଖିକାଙ୍କୁ ପୁରସ୍କୃତକରି ପ୍ରୋତ୍ସାହନ କରିବା ଉଚିତ । 

ଏପରି ବହୁତ କିଛି ଉପାୟ ଅବଲମ୍ବନ ଦ୍ଵାରା ଆଗାମୀ ଭବିଷ୍ୟତରେ ଓଡ଼ିଆ ସାହିତ୍ୟର ଭାଗ୍ୟ ଅବଶ୍ୟମ୍ଭାବୀ ଅଗ୍ରସର। କିନ୍ତୁ ସାହିତ୍ୟକୁ ନେଇ କୌଣସି ବେପାର ନହେଉ ଏହା ମୋର କାମନା। କାରଣ ସାହିତ୍ୟ, ସମାଲୋଚନା, ଆସର, ପୁସ୍ତକ ମେଳା, ପୁସ୍ତକ ଉନ୍ମୋଚନ, ମଞ୍ଚ, ମଞ୍ଚରେ ଆସନ, ଉପସ୍ଥାପନା, ପୁରସ୍କାର, ସମ୍ବର୍ଦ୍ଧନା ଆଦିକୁ ନେଇ ଓଡ଼ିଶାରେ ଯେଉଁ ଶୀତଳ ରାଜନୀତି ଚାଲିଛି ଏହା ସଭିଙ୍କୁ ଊଣା ବହୁତ ଜଣା। ଆଜିଭଳି ଅତ୍ୟାଧୁନିକ ଯୁଗରେ ଯେଉଁଠି ଅଧିକରୁ ଅଧିକ ବ୍ୟକ୍ତି ଅପରିଚିତ ବ୍ୟକ୍ତିଙ୍କୁ ଫେସବୁକରେ ମେଳି କରିଥାନ୍ତି, ସେମାନଙ୍କ ସହ ଅତି ନିକଟତର ବନ୍ଧୁ ଭଳି କଥା ହୁଅନ୍ତି, ଏପରି ଯୁଗରେ କିପରି କିଛିଲୋକ ଏବଂ ସଂସ୍ଥା ଏଭଳି ଜଘନ୍ୟ ଅପରାଧ ସାହିତ୍ୟ ଭଳି ମର୍ଯ୍ୟାଦାସମ୍ପନ୍ନ କ୍ଷେତ୍ରରେ କରିପାରୁଛନ୍ତି, ତାହା ଜାଣି, ଶୁଣି ମୁଁ ଦୁଃଖିତ । ନିକଟ ଅତୀତରେ ମୋର ଜଣେ ପୁରୁଣା ବନ୍ଧୁ, ବ୍ରହ୍ମପୁରରେ ହେଉଥିବା ସାହିତ୍ୟ ଏକାଡ଼େମୀର ଉତ୍ସବରେ ନିଜର କରୁଣ ବକ୍ତବ୍ୟ ରଖିଥିଲେ ଯେ, ସେଇଠି ତାଙ୍କରି ପୁସ୍ତକ କାହିଁକି ଉନ୍ମୋଚନ ହେଲାନାହିଁ? ସେ ବୋଧେ ଜାଣିନାହାନ୍ତି, ତାହା ବ୍ୟାସକବି ଫକିରମୋହନଙ୍କ ଜନ୍ମ ଶତାବ୍ଦୀ ଏବଂ ଶ୍ରାଦ୍ଧ ବାର୍ଷିକୀରେ ପାଳିତ ହେଉଥିଲା, ଏବଂ ସାହିତ୍ୟ ଏକାଡ଼େମୀର ନିଜସ୍ଵ କିଛି ନିୟମ ଏବଂ ଆଦମ କାଇଦା ଅଛି। ଏଣେତେଣେ ସବୁକିଛିକୁ ସେଠି ଗ୍ରହଣୀୟ ନୁହେଁ । କିନ୍ତୁ ସେ ଅତି ଉତକ୍ଷିପ୍ତ ହୋଇ ସାହିତ୍ୟ ଏକାଡ଼େମୀ ସଚିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦୀର୍ଘ ପତ୍ର ଲେଖି, ପ୍ରତ୍ୟେକ ଗଣମାଧ୍ୟମରେ ବିସ୍ତାର କରି ନିଜେ ହିଁ ନିଜର ସମାଲୋଚକ ସାଜିଥିଲେ । ଏତଦ୍ ବ୍ୟତୀତ ତା’ କିଛିଦିନପରେ ଆୟୋଜିତ ବ୍ରହ୍ମପୁର ସାହିତ୍ୟ ଉତ୍ସବରେ ଆସିଥିବା ଜଣେ ଅତିଥିଙ୍କୁ ଉପେକ୍ଷା କରି କଟୁ ସମାଲୋଚନା କରିବାକୁ ମଧ୍ୟ ପଛେଇ ନଥିଲେ । ଏସବୁ କହି ମୁଁ କଟା ଘା’ରେ ଚୂନ ଦେଉନି ବରଂ ଏହା କହିବାକୁ ଚାହୁଁଛି, ଯେ ଆଜି ବି କିଛି ଏପରି ସ୍ଥାନ ଅଛି ଯେଉଁଠି ପ୍ରକୃତରେ କଠୋର ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଉଛି, ଯାହା ଜାଣି ଭଲଲାଗେ । ଆଉ କିଛି ଜାଗାରେ ଏପରି ନାମିକିଆ ଓଡ଼ିଆ ଭାଷାପ୍ରେମୀ ଅଛନ୍ତି, ଯେଉଁମାନେ ନିଜର ଜିଲ୍ଲା, ନିଜ ଲୋକଙ୍କ ଛଡା ଅନ୍ୟ କାହାକୁ ନିମନ୍ତ୍ରଣ କରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି । 

ଶେଷରେ ମୁଁ ଏତିକି କହିବାକୁ ଚାହେଁ, ଜଣେ ଯଦି ପ୍ରକୃତ ସାହିତ୍ୟ ସାଧକ ଓ ଭାଷାପ୍ରେମୀ ସେ ସର୍ବଦା ଭାଷାର ମଙ୍ଗଳ କାମନା ହିଁ ଚାହିଁବ’ ନା ବୃଥା ରାଜନୈତିକ, ମାନସିକ, ଏବଂ ବ୍ୟକ୍ତିଗତ ବିବାଦକୁ ନେଇ ସାହିତ୍ୟର ଅପମାନ କରିବ ।