Image

'' ଅପାରେ କାବ୍ଯ ସଂସାରେ କବିରେବ ପ୍ରଜାପତିଃ

ଯଥାସ୍ମୈ  ରୋଚତେଂ ବିଶ୍ବଂ ତଥୈଦଂ ପରିବର୍ତ୍ତତେ''

କାଳର ପ୍ରବହମାନ ସ୍ରୋତରେ ବିଭିନ୍ନ ଯୁଗରେ ବିଭିନ୍ନ କବିଙ୍କ ଲେଖନୀ ମୂନରୁ ଝଙ୍କୃତ ହୋଇ କବିତା ସଦା- ସର୍ବଦା ପାଠକର ମନ ପ୍ରାଣକୁ ଛୁଇଁ ପାରିଛି ଓ ଏହି ପ୍ରବାହ ଆଜି ବିଂଶ ଶତାବ୍ଦୀର ଶେଷ ଦଶକରେ ପହଞ୍ଚିବାରେ  ସକ୍ଷମ ହୋଇ ପାରିଛି । ଆଲୋଚ୍ଯ ଶତାବ୍ଦୀର ଆଦ୍ଯ ପାଦରୁହିଁ ମନୁଷ୍ୟ ଯତ୍ନଶୀଳ ହୋଇ ସାହିତ୍ୟର ପ୍ରତିଟି ବିଭାଗକୁ ନାନା ପରୀକ୍ଷା ନିରୀକ୍ଷା କରି ଆସିଛି ଓ ବିଶ୍ବକୁ ଏକ ନୂତନ ଭାବରେ ଅନୁଧ୍ୟାନ କରି ସୁପ୍ତ ପ୍ରାଣକୁ ଜାଗ୍ରତ କରିଛି ।ଫଳରେ ପରିବର୍ତ୍ତିତ ଭାବାଦର୍ଶ କବିତାରେ ଏକ ନୂତନ ରୂପ ନେଲା ।କବିତା ହେଲା ଆଧୁନିକ ଓ ଏହାର ସାହିତ୍ୟ ହେଲା ପରିବର୍ତ୍ତିତ ବିଶ୍ବର ବିଶ୍ବସ୍ତ ଅଭିଲେଖ ।କବି ଜନସନ୍ ଙ୍କ ଭାଷାରେ-''poetry is the art of uniting, pleasure with truth by calling imagination with the help of reason.''

ମାନବ ସଭ୍ଯତାର ଇତିହାସରୁ ସଂଘର୍ଷର ଏକ ବିସ୍ତୃତ ରୂପ ଆମକୁ ଦୃଷ୍ଟିଶୀଳ ହୁଏ । ବ୍ଯକ୍ତି ଏହି ସଂଘର୍ଷର କେନ୍ଦ୍ର ବିନ୍ଦୁ, ତେଣୁ ବ୍ଯକ୍ତି ମାନସର ପରିବର୍ତ୍ତନ ସହ ସଂଘର୍ଷ ପ୍ରତ୍ଯେକଟି ସ୍ତରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥାଏ । ମଣିଷର ଏପରି ଘଟଣାନ୍ତରକୁ 'ଆଧୁନିକ 'ନାମରେ ଅଭିହିତ କରିବା ଅଧିକ ସଂଗତ, ଏବଂ ମାନବର ମନ ଓ ପ୍ରାଣରେ ଯେଉଁ ନବ ଜାଗରଣ ର ମହାମନ୍ତ୍ର ଗୁଂଜରିତ ହୁଏ, ତାହାର କ୍ରମ ପରିଣତିହିଁ 'ଆଧୁନିକ ସାହିତ୍ୟ' । ଏହି ଦୃଷ୍ଟି କୋଣରୁ ବିଚାର କଲେ ଆଧୁନିକ ଓଡିଆ କବିତା ର ସଂଜ୍ଞା ବା ସମୟ ରେଖାକୁ କୌଣସି ଏକ ଶୃଙ୍ଖଳରେ ଆବଦ୍ଧ କରିବା ସମ୍ଭବପର ନୁହେଁ । 

କବିତାରେ ଆଧୁନିକତା, କବିର ଏକ ମୌଳିକ ମାନସିକ ଚିନ୍ତାଧାରା । ଯଦିଚ ଏହି ପରିବର୍ତ୍ତନ ଦିନକରେ, ମାସକରେ ବା ବର୍ଷକରେ ଓଳିଆରୁ ପଡି ଗଜା ହୋଇନାହିଁ । ପରନ୍ତୁ ଯେଉଁଦିନ ଠାରୁ ମଣିଷ ନିଜ ସମ୍ବନ୍ଧରେ ସଚେତନ ହେଲା, ସ୍ବାଧୀନ ଚିନ୍ତା- ଚେତନା ମଧ୍ୟରେ ମାନବୀୟ ସ୍ବର ପରିପ୍ରକାଶ କଲା, ସେହିଦିନ ଠାରୁ କବିତାର ପ୍ରତିଟି ଛତ୍ରେ ବାସ୍ତବତା ଓ ସମାଜବାଦ ର ଧ୍ବନି ଶୁଭିଲା । ଫଳରେ କବିତା ହେଲା ବାସ୍ତବଧର୍ମୀ ଓ ମାନବଧର୍ମୀ । ଅବଶ୍ୟ ଏହି ପ୍ରବାହର ପଛରେ ପାଶ୍ଚାତ୍ୟ କାବ୍ଯଶିଳ୍ପ ଓ ରାଧାନାଥୀୟ କାବ୍ଯ ଶିଳ୍ପର ପ୍ରେରଣା ଅନେକାଂଶରେ ରହିଛି ।ଏବଂ ଏହି ଭାବଧାରା ଆଧୁନିକ ସାହିତ୍ୟ ନିର୍ମାଣ ପାଇଁ ଏକ ବିରାଟ ରାସ୍ତା ଯେ ଫିଟାଇ ଦେଇଛି ,ଏହାକୁ ଅସ୍ବୀକାର କରାଯାଇ ନପାରେ । ଯଦ୍ୱାରା କବିତା ଛନ୍ଦ କବଳରୁ ମୁକୁଳି ଆସି ମୁକ୍ତଛନ୍ଦ ହୋଇଛି ଓ କଳା ପାଇଁ କଳା ପରିବର୍ତ୍ତେ ଜୀବନ ପାଇଁ କଳାକୁ କବି ମୁକ୍ତ କଣ୍ଠରେ ସ୍ବୀକାର କରିଛି ।

ପ୍ରାଚୀନ ଓ ଆଧୁନିକ ଓଡିଆ କାବ୍ୟ-କବିତାଦିରେ ସୌନ୍ଦର୍ଯ୍ୟବତ୍ତାର ଆବେଗ ଓ ଇନ୍ଦିୟାନୁଭୂତିର ଗୁଣ ରହିଛି ।ଏହା ଭିତରେ ଶବ୍ଦର ଗ୍ରନ୍ଥନ ଓ ତଦ୍ ଜନିତ ସଂଗୀତ, ସାଂଗଠନିକ ପରିପକ୍ୱତା,ରୂପକଳ୍ପର ଶାଣିତ ଓ ମାର୍ଜିତ ବିଭବ, ପ୍ରକାଶଭଙ୍ଗୀର ବୈଚିତ୍ର୍ଯତା ଓ ତୀକ୍ଷ୍ଣତା ଅନ୍ତର୍ଭୁକ୍ତ । ଏହାସହ ଅର୍ଥ ପରିପ୍ରକାଶିତ କଥା ବସ୍ତୁର ଓ ସୁସଜ୍ଜିତ ଦୀପ୍ତିକରଣ, କବିର ମାନସିକ ଚିନ୍ତାଧାରା ,ଆବେଗ ଓ ଅନୁଭୂତିର ପରିଚୟ,ପୁଣି କବିତାର ଅନୁଭୂତି ଓ ଭାବରାଜ୍ଯର ପରିସୀମା ବାହାରେ ଥିବା ବାସ୍ତବତାର ଆଭାସ, ଜୀବନ, ସମାଜ ଓ ପୃଥିବୀର ଯଥାର୍ଥ ଏକ ମୂର୍ଛନା ରହିଛି ।ଏଥିଲାଗି କେହି କେହି କବି କବିତାରେ ନବ ପରୀକ୍ଷା ଓ ନିରୀକ୍ଷା କରି ଏକ ନୂତନ ଆଲୋକର ସନ୍ଧାନରେ ନିଜକୁ ନିମଜ୍ଜିତ କରିଥାନ୍ତି । ଏହି ପନ୍ଥାରେ କେହି ପ୍ରାକୃତର ବିକୃତ ଘଟାନ୍ତି, କେହି ପୁଣି ଭାଷାକୁ ଇଙ୍ଗିତ ସ୍ତରକୁ ନେଇ ଯିବାକୁ ଚାହାନ୍ତି ।କେହି ବା ଶବ୍ଦକୁ ଅର୍ଥ ମୁକ୍ତ କରି ସ୍ବାଧୀନତା ର ସ୍ବାଦ ଭୋଗ କରିବାକୁ ଚାହାନ୍ତି ପୁଣି କେହି ବା ନିରର୍ଥକ ଅବ୍ଯୟ ପ୍ରତିନାମ  ଶୂନ୍ଯତାରେ କବିତାକୁ ମରୀଚିକାମୟ ମରୁଭୂମିରେ ପରିଣତ କରିବାକୁ ଚାହାନ୍ତି । ଏହା ସତ ଯେ- ' ପଥ ଖୋଜିବାର ଅଧିକାର ସମସ୍ତଙ୍କର ଯଦିବା ଅଛି, ପଥ ଦେଖାଇବାର ଅଧିକାର ଜଣେ ଅଧେ ଅର୍ଜନ କରିଥାନ୍ତି '।

ଉଭୟ ଆଙ୍ଗିକ ଓ ଆତ୍ମିକ ଦୃଷ୍ଟି କୋଣରୁ ବିଚାର କଲେ, ଆତ୍ମବିସ୍ମରଣର ଅଳଙ୍କୃତ ଭାଷା ହେଉଛି ଆଧୁନିକ କବିତା ଓ ତାହାର ନିଷ୍ଠାପର ଭାଷ୍ଯକାର ହେଉଛି ଆଧୁନିକ କବି । ପତ୍ଯେକ କବି ଭାଷା ଓ ଭାବର ଗୋଟିଏ ନୂତନ ରୂପ ବା ନିଜସ୍ୱ ଶୈଳୀ ସୃଷ୍ଟି କରନ୍ତି । ତାହାହିଁ ପାଠକର ମନ ଓ ପ୍ରାଣକୁ ଆକୃଷ୍ଟ କରେ ଓ ରସ ପିପାସା ଉଦ୍ରେକ କରେ - ' କବି-ରସ-ମାଧୁର୍ଯ୍ୟଂ କବିର୍ବେତ୍ତି ନତତ୍ କବିଃ' ।

ଆଧୁନିକ କବି ବର୍ହିଜଗତ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ଏଥିଯୋଗୁଁ କବିତାରେ ବ୍ଯକ୍ତିଗତ ସ୍ବର ମାତ୍ରାଧିକ । ବିଛିନ୍ନ ଓ ସଂଲଗ୍ନିକୃତ ଅନୁଭବ ଗୁଡିକୁ ସମଷ୍ଟିଗତ ଭାବେ ପ୍ରକାଶ କରିବାର ପ୍ରୟୋଜନୀୟତା ପରିପ୍ରେକ୍ଷୀରେ କବି ବିଭିନ୍ନ ପ୍ରତୀକ ବା ସଂକେତର ସାହାଯ୍ୟ ନେଇଥାଏ । ଏଥିପାଇଁ ଆଧୁନିକ ଓଡିଆ କବିତାରେ ବହୁବାଦ(Ism)ର ଛାୟା ଦୃଷ୍ଟିଶୀଳ । ଏହା କେତେବେଳେ ମାର୍କସୀୟ ଶ୍ରେଣୀ ଦ୍ବନ୍ଦରେ ଗତିଶୀଳ, କେତେବେଳେ ନୈରାଶ୍ଯ ଜର୍ଜରିତ ତ କେତେବେଳେ ବିଭୂ-ଚେତନାରେ ବିମୁଗ୍ଧ । ଅତଏବ ଆଧୁନିକ କବିତା ବିଚିତ୍ର ଭିଭୂଷା ଓ ବିବିଧ ସ୍ବରୂପା ।

ସଭ୍ୟତାର ପ୍ରଗତି ଓ ସଂସ୍କୃତିର ଉନ୍ନତିକ୍ରମେ ଆଧୁନିକ ଓଡିଆ କବିତାର ଗତି ଯଥେଷ୍ଟ ପ୍ରଗତିଶୀଳ, ଏଥିରେ ଦ୍ବିମତ ନାହିଁ । ପୂର୍ବରୁ କୁହା ଯାଇଛି ଆଧୁନିକ ଓଡିଆ କବିତାର ସୀମାରେଖା ନିର୍ଦ୍ଧାରିତ କରିବା ସମ୍ଭବ ନୁହେଁ ।   ସେଥିପାଇଁ ବୋଧହୁଏ  ଆଧୁନିକ ଓଡିଆ କବିତାର ଗତି ଓ ପ୍ରବୃତ୍ତି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କବିଙ୍କ କାଉଁରୀ ପରଶରେ ବିଭିନ୍ନତାର ସ୍ବର ପ୍ରଦାନ କରି ଆସିଛି । ତଥାପି ଆଲୋଚନା ଗତ ଦୃଷ୍ଟି କୋଣରୁ ପର୍ଯ୍ଯାଲୋଚନା କଲେ ଜଣାଯାଏ ବିଂଶ ଶତାବ୍ଦୀର ଆଦ୍ଯପାଦ କାବ୍ଯ- କବିତା  ଗୁଡିକରେ ମୁଖ୍ଯତଃ ସାଂସ୍କୃତିକ, ସାମାଜିକ ବାସ୍ତବ ବାଦର ସ୍ବର ପ୍ରତିଧ୍ବନିତ ହେଉଥିବା ବେଳେ ଠାଏଁ-ଠାଏଁ ଜାତୀୟତାର ସ୍ବର ପ୍ରତିଫଳିତ ହୋଇଛି । ଏହି ସ୍ବର କେତେବେଳେ କେଉଁଠି ସତ୍ୟ- ଶିବ- ସୁନ୍ଦରକୁ ଜୟ କରିବାରେ ବ୍ଯାକୁଳ, କେତେବେଳେ ବୌଦ୍ଧିକତାକୁ ଆପଣେଇ ନେଇଛି, କେତେବେଳେ ଏହା ମାତୃଭୂମି-ମାତୃଭାଷାର  ଜୟ ଜୟଗାନ କରିଛି , କେଉଁଠି ପୁଣି ସରଳ ଗ୍ରାମ୍ଯ ଚିତ୍ର ଓ ଚରିତ୍ରକୁ ଚିତ୍ରଣ କରିଛି । ଏହି କ୍ରମରେ ରାଧାନାଥ , ଫକୀର ମୋହନ,ମଧୁସୂଦନ, ଗଙ୍ଗାଧର, ନନ୍ଦକିଶୋର ପ୍ରମୁଖଙ୍କ କାବ୍ଯ- କବିତା ଗୁଡିକରେ ସୌନ୍ଦର୍ଯ୍ୟବୋଧ ଓ ସାମାଜିକ ବାସ୍ତବତାର ଚିତ୍ର ପ୍ରତି ଫଳିତ ହୋଇଛି । 

ଯେଉଁ ଜାତୀୟତାର ସ୍ବର ବିଂଶ ଶତାବ୍ଦୀର ଆଦ୍ଯ ପାଦରେ ଅଭ୍ଯୁଦୟ ହେଲା , ତାହାର ପରବର୍ତ୍ତୀ ସମୟରେ ଏହି ସ୍ବର ଅଧିକ ବଳିଷ୍ଠ ହୋଇ ଓଡିଆ ଜାତିକୁ ଏକ ନୂତନ ବର୍ଣ୍ଣବିଭାରେ ରଞ୍ଜିତ କଲା ।ଏକ ତ୍ଯାଗନିଷ୍ଠ ଓ ଆଦର୍ଶପୂତ ମହାନ ଭାରତୀୟ ସଂସ୍କୃତି ଓଡିଆ କାବ୍ୟ-କବିତା ମାଧ୍ୟମରେ ଜାତୀୟ ଜୀବନକୁ ଗଢିତୋଳିବା ଲାଗି ଆହ୍ବାନ ଦେଲା । ଏତଦ୍‌ବ୍ୟତୀତ ବିଶ୍ବ ଜନପ୍ରୀତି, କର୍ମବାଦ ଓ ଆଦର୍ଶବାଦ ଉପରେ ଏ ସମୟର କବି ମାନଙ୍କ ଦୃଢ ଆଶା ଓ ବିଶ୍ବାସ ଥିଲା । ଏହି ସମୟର କବି ମାନଙ୍କ ମଧ୍ୟରେ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ ପ୍ରମୁଖଙ୍କ କାବ୍ଯ-କବିତା ଉତ୍କଳୀୟ ଜନ-ମାନସରେ ଜାତୀୟ ପ୍ରୀତି ସୃଷ୍ଟି କରିଥିଲା ।

ବିଂଶ ଶତାବ୍ଦୀର ଦ୍ବିତୀୟ ଦଶକ ବେଳକୁ ଓଡିଆ କାବ୍ୟ ପରିଧିରୁ ଆଦର୍ଶବାଦର ସ୍ବର କ୍ରମେ କ୍ଷୀଣ ହୋଇ 'ରୋମାଣ୍ଟିସିଜମ' ଆଡକୁ ଗତିକଲା । ଫଳରେ କବିତାର ସ୍ବରରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା । ଏହି ସମୟର କାବ୍ଯଧାରା ଯେତିକି ରୋମାଣ୍ଟିକ ଭାବଧାରାରେ ଉଦବୁଦ୍ଧ ସେତିକି ରହସ୍ୟବାଦୀ କାବ୍ଯ ଚେତନାରେ ନିମଗ୍ନ । କିନ୍ତୁ ରୋମାଣ୍ଟିକ ଭାବଛ୍ବାସରେ ଯେଉଁପରି ସମାଜ ଓ ସାମାଜିକ ଚେତନା ପରିପ୍ରକାଶ ହେବାକଥା, ତାହାର ପ୍ରତି ବଦଳରେ 'ସ୍ବପ୍ନବାଦ' ଓ 'ପଳାୟନବାଦ'ର ସ୍ବର ଅଧିକ ବଳିଷ୍ଠ ହେଲା । ଫଳରେ କବିତା ଗୁଡିକ କୌଣସି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବାଟ ହୁଡି ଦିଗଭ୍ରଷ୍ଟ ହେଲା । ସେ ପ୍ରଣୟ ସ୍ବର ରେ ନଥିଲା ଜୀବନ ସଂଗୀତ, ତ୍ଯାଗ କିମ୍ବା ଆଦର୍ଶର ଚିତ୍ର । ଥିଲା କେବଳ ଗଦା-ଗଦା 'ଡରଗେଲ'ବା ବାଜେ କବିତା (ଡ.ମାନସିଂହ)। ଫଳରେ ଯୌବନର ଏହି ଉଦ୍ଦାମ ସ୍ବର ଯୁଗ ଉପଯୋଗୀ ନହୋଇ 'ବାସ୍ତବବାଦ' ନିକଟରେ ନତମସ୍ତକ ହେଇଛି ।ଯଦ୍ୱାରା ଉତ୍ତର ତିରିଶ ବେଳକୁ ଓଡିଆ କବିତା ରାଜ୍ଯରେ 'ଜାତୀୟ ଚେତନା' ଓ 'ଆଧିଭୌତିକତ୍ବର' ଦୁଇଟି ସ୍ବର ପ୍ରତୀୟମାନ ହେଲା । ଯେଉଁ ସ୍ରଷ୍ଟା ଙ୍କ କାଉଁରୀ ପରଶରେ ରୋମାଣ୍ଟିକ ଓ ରହସ୍ୟବାଦୀ କବିତା ନିସୃତ ହେଇଥିଲା,  ସେମାନଙ୍କ ମଧ୍ୟରେ କବି ଅନ୍ନଦାଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ ପ୍ରମୁଖ ଅନ୍ଯତମ । ଯେଉଁମାନେ ' ଜାତୀୟ ଚେତନା' ଓ 'ଆଧି ଭୌତିକ ଚେତନାରେ ଉଦବୁଦ୍ଧ ହୋଇ ସମଗ୍ର ଓଡିଆ କାବ୍ଯ ସଂସାରରେ ଚହଳ ସୃଷ୍ଟି କରି ଯାଇଛନ୍ତି, ସେମାନଙ୍କ ମଧ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, ବୈତାଳିକ କବି ପଦ୍ମ ଚରଣ ପଟ୍ଟନାୟକ, କଣ୍ଟା ଓ ଫୁଲର କବି ଗୋଦାବରୀଶ ମହାପାତ୍ରଙ୍କ ଅବଦାନ ଅବିସ୍ମରଣୀୟ ।

ବାସ୍ତବବାଦୀ କବିର କାବ୍ଯସ୍ବର 'ମାନବବାଦୀ'। ଯେଉଁଠି ମାନବାତ୍ମାର ଅବମାନନା ଘଟିଛି,  ସ୍ବାଧୀନ ଚିନ୍ତା-ଚେତନାର କଣ୍ଠରୁଦ୍ଧ ହୋଇଛି, ସେଠାରେ ବିଶ୍ବ ମାନବର ହୃଦୟ ଓ ମନକୁ ନେଇ ଆଧୁନିକ କବିତା ଗତିଶୀଳ ହୋଇଛି । ତେଣୁ ଆନ୍ତର୍ଜାତିକ ଚିନ୍ତାଧାରାରୁ ଆଧୁନିକ ଓଡିଆ କବିତାର ସ୍ବର ମଧ୍ୟ ସ୍ବତନ୍ତ୍ର ନୁହେଁ । ଏହି କ୍ରମରେ ଉତ୍ତର ଚାଳିଶ ବେଳକୁ ଓଡିଆ କବିତା ଜଗତରେ ଏକ ବୈପ୍ଳବିକ ଚେତନାର ଆବିର୍ଭାବ ହୋଇଛି । ମୁଖ୍ୟତଃ  ପ୍ରଗତିବାଦୀ ଚେତନାର ଦୁଇଟି ସ୍ବର- କାର୍ଲମାର୍କସଙ୍କ 'ସାମ୍ଯବାଦ' ଓ ଅହିଂସାର ମୁଖ୍ୟ ପୁରୋଧା ମହାନ ଆତ୍ମା- ମହାତ୍ମା ଗାନ୍ଧୀଙ୍କ 'ଗାନ୍ଧୀବାଦ'ର ନୀତି ଓ ଆଦର୍ଶ ଓଡିଆ କବି ପ୍ରାଣକୁ ଅଧିକ ଆକୃଷ୍ଟ କରିଛି । ଏତଦ୍ ଭିନ୍ନ ଏହି ସମୟର କେତେକ କବିତାରେ 'ସ୍ଥିତିବାଦୀ' ଭାବଧାରା ଓ କେତେକାଂଶରେ ଜୀବନର ଶାନ୍ତି ପାଇଁ ମଣିଷର ଆକୁଳତା ଓ ବ୍ଯାକୁଳତା ପ୍ରକାଶ ପାଇଲା । ଯେଉଁ ପ୍ରମୁଖ କବିଗଣ ଓଡିଆ କବିତା ସଂସାରରେ 'ସାମ୍ଯବାଦ' ଧାରାରେ କବିତା ରଚନା କରି ଓଡିଆ କାବ୍ୟ- କବିତା ଶିଳ୍ପକୁ ସମୃଦ୍ଧ କରି ଏକ ନୂତନ ଦିଗ୍ ଦର୍ଶନ ଦେଇଛନ୍ତି,  ସେମାନଙ୍କ ମଧ୍ୟରେ କବି ଅନନ୍ତ ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ସଚ୍ଚିରାଉତ ରାୟ ,ରଘୁନାଥ ଦାସ, ଲକ୍ଷ୍ମୀଧର ନାୟକ , ଡ.ମାୟାଧର ମାନସିଂହ, ରାଧା ମୋହନ ଗଡନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ  ପ୍ରମୁଖ ଶିଳ୍ପୀ ମାନଙ୍କ ସୃଷ୍ଟି ଅନନ୍ଯ ।

ସ୍ବାଧୀନତା ପୂର୍ବବର୍ତ୍ତୀ କବିତା ଗୁଡିକରେ ଯେଉଁ ସାଂସ୍କୃତିକ, ସାମାଜିକ ଓ ଜାତୀୟବୋଧ ଚିନ୍ତାଧାରା ଥିଲା, ସ୍ବାଧୀନତ୍ତୋର କବିତା ଗୁଡିକରେ ସେହି ସ୍ବର ପ୍ରାୟତଃ ବିରଳ । ଆଧୁନିକ କବିଗଣ ପରମ୍ପରାର ମୋହ ତ୍ଯାଗ କରି ଏକ ନୂତନ ସମ୍ଭାବନାକୁ ରୂପାୟିତ କରିବା ଦିଗରେ ଅଧିକ ଯତ୍ନଶୀଳ ହେଲେ ।ଏହି ନିତ୍ଯ ନୂତନତା ର ସନ୍ଧାନହିଁ ଓଡିଆ କବିତାର ସ୍ବର । ଉତ୍ତର ପଚାଶ ବେଳକୁ  ଯେଉଁ କେତେକ କାବ୍ଯଶିଳ୍ପୀ ନିଜ କାବ୍ଯ ଚାତୁରୀରେ ଓଡିଆ କାବ୍ଯଶିଳ୍ପର ଅଭିବୃଦ୍ଧି କରଣରେ ସଫଳ ହୋଇଛନ୍ତି,  ସେମାନଙ୍କ ମଧ୍ୟରେ କବି ଗୁରୁ ପ୍ରସାଦ ମହାନ୍ତି, ଗୋପାଳ ଚନ୍ଦ୍ର ମିଶ୍ର, ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ବାଜ), ବେଣୁଧର ରାଉତ, ଯଦୁନାଥ ଦାସ ମହାପାତ୍ର, ଦୁର୍ଗା ଚରଣ ପରିଡା, ଚିନ୍ତାମଣି ବେହେରା, ବିନୋଦ ରାଉତରାୟ, ରମାକାନ୍ତ ରଥ, ରାଜେନ୍ଦ୍ର କିଶୋର ପଣ୍ଡା, ସୀତାକାନ୍ତ ମହାପାତ୍ର, ରବି ସିଂ, ଶ୍ରୀନିବାସ ଉଦ୍ଗାତା, ବ୍ରଜନାଥ ରଥ, ନୃସିଂହ ରଥ, ପ୍ରସନ୍ନ ମିଶ୍ର, ପ୍ରତିଭା ଶତପଥୀ, ପ୍ରସନ୍ନ ପାଟଶାଣୀ ପ୍ରମୁଖ ଅନ୍ୟତମ । ଏତଦ୍ ବ୍ୟତୀତ ଉତ୍ତର ସତୁରି ପରବର୍ତ୍ତୀ ଠାରୁ ସମ୍ପ୍ରତି ଆଧୁନିକ କବିତା ଆହୁରି ପରୀକ୍ଷା ନିରୀକ୍ଷା ଦେଇ ବହୁ କବିଙ୍କ ଦ୍ବାରା ସଫଳତା ହାସଲ କରିଥିବାର ଲକ୍ଷ୍ୟ କରାଯାଏ । ଏହି ସବୁ କବିଙ୍କ ମଧ୍ୟରୁ ସୁରେଶ ପରିଡା,ପ୍ରସନ୍ନ ମହାନ୍ତି, ସଦାନନ୍ଦ ପାଣିଗ୍ରାହୀ, ଡ. ନୃସିଂହ ଷଡଙ୍ଗୀ, ହୁସେନ ରବି ଗାନ୍ଧୀ, ରାଜ କିଶୋର ଦାସ, ନିରଞ୍ଜନ ପାଢୀ, ନିରୁପମା ରାୟ, ଶଶାଙ୍କ ଶେଖର ପଣ୍ଡା, ଅମରେନ୍ଦ୍ର ଖଟୁଆ, ସରୋଜିନୀ ଷଡଙ୍ଗୀ, ସୌଭାଗ୍ଯବନ୍ତ ମହାରଣା, ସେନାପତି ପ୍ରଦ୍ଯୁମ୍ନ କେଶରୀ, ଦୁର୍ଗା ପ୍ରସାଦ ପଣ୍ଡା,  ବିନୟ ଦାଶ, ଆନନ୍ଦ ଚନ୍ଦ୍ର ସାହୁ ସମେତ   ଆହୁରି ଅନେକ କବିଙ୍କ କାବ୍ଯ ଭାବନା ସାମ୍ପ୍ରତିକ ଓଡିଆ କବିତାକୁ ପରିପୃଷ୍ଟ କରି ଆସିଛି ।  

ସ୍ବାଧୀନ ପରବର୍ତ୍ତୀ କବିତାରେ ଆତ୍ମପ୍ରକାଶ କରିଥିବା କାବ୍ଯ- କବିତାରେ ଏକ ମିଶ୍ରିତ ସ୍ବର ପରିଲକ୍ଷିତ ହୁଏ । ଏହି ସ୍ବର ଯେତିକି ରୋମାଣ୍ଟିକ ସେତିକି ବାସ୍ତବବାଦୀ ମଧ୍ୟ । ଏହାକୁ 'ରୋମାଣ୍ଟିକ ବାସ୍ତବବାଦ' କହିବା ଅଧିକ ଯୁକ୍ତି ସଙ୍ଗତ ହେବ(ଡ. ନିତ୍ଯାନନ୍ଦ ଶତପଥୀ)। ଓଡିଆ କବିତାର ଏହି ପରିବର୍ତ୍ତିତ କାବ୍ଯସ୍ବର ପଛରେ ପାଶ୍ଚାତ୍ୟ କାବ୍ଯ ଆଭିମୁଖ୍ଯ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ 'ଅସ୍ତିତ୍ବବାଦ' ଓ 'ଅତି ବାସ୍ତବବାଦ' ଭାବଧାରା  ଆମ ସାମାଜିକ ଓ ମାନସିକ ସ୍ଥିତିକୁ ପ୍ରତିହତ କରିଛି । କବି  ସମାଜର ସାମାଜିକ ସ୍ଥିତି ଓ ପ୍ରଗତିକୁ ସମାଜ କୈନ୍ଦ୍ରିକ କରିବା ପରିବର୍ତ୍ତେ ନିଜସ୍ୱ ବଳିଷ୍ଠ ପରିଚୟ ଦେବାକୁ ପ୍ରୟାସ କରୁଛି । ଏବଂ କବିତାର ଅନ୍ତଃସ୍ବର ଭରି ଦେଇଛି ଆବେଗ ପ୍ରବଣତା ଅପେକ୍ଷା ଯୌକ୍ତିକତା, ମାନବବାଦୀ ପରିବର୍ତ୍ତେ କବିତା ହେଇଛି ବାସ୍ତବବାଦୀ ରୁ ଅତିବାସ୍ତବବାଦୀ, ପୁନଶ୍ଚ ଏହି ସମୟରେ ଓଡିଆ କବିତା କ୍ଷେତ୍ରରେ ମୁଖ୍ୟତଃ ବାମପନ୍ଥୀ ବୈପ୍ଳବିକ ଧାରା, ସଂସ୍କାରଧର୍ମୀ ଭାବଧାରା ଓ ସମନ୍ବୟପନ୍ଥୀ କାବ୍ଯଧାରା ଲକ୍ଷ୍ୟ କରାଯାଏ । ମାତ୍ର ଉତ୍ତର ଷାଠିଏ ବେଳକୁ ଏହି ସ୍ବରରେ ସେତେଟା ତୀବ୍ରତା ନଥିଲା । ଫଳତଃ  ଦୁଃଖ-ବିଷାଦ-ଯନ୍ତ୍ରଣା-ନିସଙ୍ଗତା, ମୃତ୍ୟୁ ଚେତନା, ଇନ୍ଦିୟାନୁଭୂତିର ଅନୁଚିନ୍ତା ପ୍ରଭୃତି କବିତାର ମୁଖ୍ୟ ସ୍ବର ହେଲା ।

ଆଧୁନିକ ଜୀବନ ଗଦ୍ଯମୟ-ନୀରସ-ଜଟିଳ । ଏପରି ସ୍ଥିତିରେ କବିତା ଗଦ୍ଯମୟ ହେବା ସ୍ବଭାବିକ ।ଯେହେତୁ ଆଜିର ମଣିଷ କୌଣସି ଏକ ଶୃଙ୍ଖଳରେ ନିଜକୁ ବାନ୍ଧି ରଖିପାରେ ନାହିଁ ଇହକାଳ-ପରକାଳ ଭିତରେ । ସଦା ସର୍ବଦା ସେ ସଂସାର ଭିତରେ ବଞ୍ଚିବାର  ରାହା ଖୋଜେ । ଗୋଟିଏ ଜୀବନ ଭିତରେ ଅନ୍ଯ ଏକ ଜୀବନର ବିମ୍ବ ଦେଖେ 'ଏକୋଶ୍ଯାମ୍ ବହୋବୋଅହଂ '। କାରଣ ଏ ସମସ୍ଯା ବହୁଳ ସଂସାର ଭିତରେ ହିଁ ତା'କୁ ବଞ୍ଚି ବାକୁ ହେବ-ପାଦ ଥାପିବାକୁ ହେବ ପୁଣି ପାଦ କାଢିବାକୁ ହେବ । ଏହିସବୁ ସହ ପ୍ରତ୍ଯକ୍ଷ ଭାବରେ ସଂଶ୍ଲିଷ୍ଟଥିବା ବ୍ଯସ୍ତ ମଣିଷର ଜୀବନ ଧାରାକୁହିଁ ଆଧୁନିକ କବି ଚିତ୍ରଣ କରେ । ନା' ସେ ବିଶ୍ବର ମଧୁମୟ ରୂପକୁ ଦେଖେ, ନା' ଅବା ଆନନ୍ଦମୟ ସଂସାରକୁ ଦେଖେ । କାରଣ ଏ ଜୀବନ ପ୍ରତ୍ଯେକ ଯୁଗରେ ପ୍ରତ୍ଯେକ ମଣିଷ ପାଇଁ ଏକ ବୋଝ ଏବଂ ଏ ସଂସାର ଭିତରେ ଜୀବନ ମାତ୍ରକେ ମରୁଯାତ୍ରୀ । ସେଥିପାଇଁ ଆଧୁନିକ କବି ଦୃଷ୍ଟିରେ ଏ ବିଶ୍ବ କଦାପି ମଧୁମୟ ହୋଇ ପାରେନା କି ଏ ସଂସାର କଦାପି ଆନନ୍ଦ ମୟ ହୋଇ ପାରେନା ।ପୁଣି ଏହି ଯୁଗର କବି ବ୍ଯକ୍ତି ଓ ବିଶ୍ବର ବ୍ଯବଧାନକୁ ସ୍ବୀକାର କରେନାହିଁ । ବରଂ ବ୍ଯକ୍ତି ଭିତରେ ବିଶ୍ବ କୁ ଦେଖିବାର ସ୍ପର୍ଦ୍ଧା କରେ । ଡ. ଜାନକୀ ବଲ୍ଲଭ ମହାନ୍ତି ( ଭରଦ୍ବାଜ)ଙ୍କ ଉକ୍ତିରେ 'ଆଧୁନିକ ଓଡିଆ କବିତା ଓଡିଶାର ପାରମ୍ପରିକ କବିତାର ସ୍ବଭାବିକ ପରିଣତି ନୁହେଁ ଏବଂ ଏହା ଇଂରାଜୀ କବିତାର ଯେ ଅନୁକରଣ ମାତ୍ର, ଏହାବି କହିବା ଅନାବଶ୍ୟକ '।

ଆଜି କବି ଜୀବନର ସଂକଳ୍ପ ତା ଅନୁଭବ ଠାରୁ ଦୂରେଇ ରଖେ । ଏଥିପାଇଁ ଯେ- ଜୀବନ ସଂକଳ୍ପ ନୁହେଁ, ଅନୁଭବହିଁ ଜୀବନ । ସଂକଳ୍ପ ହେଉଛି  ଜୀବନର ତାତ୍ତ୍ବିକ ପ୍ରତିଜ୍ଞା । ଯାହା ବାୟବୀୟ ଶୂନ୍ଯ ଗର୍ଭିକ। ଜୀବନ ବିଜ୍ଞାନ ନୁହେଁ,  ଏହା କେବଳ ସତ୍ୟର ପରିଧି। ଚାରିଆଡେ ଯେଉଁ ସତ୍ୟ ପ୍ରହେଳିକା ରହିଛି ତାହାହିଁ ଜୀବନ ବୋଲି J.P. Donleary ପରି ସାହିତ୍ୟିକ ମାନେ ବିଶ୍ବାସ କରନ୍ତି । ମଣିଷର ଅନାବୃତ୍ତ  ସମସ୍ତ ଅଙ୍ଗ ଓ ନିରାକରଣ ଆତ୍ମାକୁ ଦେଖିବାର ଚେଷ୍ଟା ସତ୍ତ୍ଵେବି ମଣିଷର କିଛି ସଂଗୋପିତ ରହିଯାଏ ବୋଲି ଆଧୁନିକ କବି ବିଶ୍ବାସ କରେ । ତେବେ ଅନୁଭବର କବିତାକୁ ଦ୍ଵାହି ଦେବାଟା ବି  ଠିକ୍ ହେବ ନାହିଁ । କାରଣ କବିତା ବା କବିତାର ସଜ୍ଞା କୌଣସି ଦେଶ-କାଳ-ପାତ୍ର ମଧ୍ୟରେ କୌଣସି ଏକ ଶୃଙ୍ଖଳିତ ନିୟମ ଭିତରେ ଆଜି ଯାଏ ରହିନାହିଁ ।

ବର୍ତ୍ତମାନ ଓଡିଆ କବିତାର ସ୍ବରରେ ଯେତିକି ଫେଣର ଫୁତକାର ଅଛି, ସ୍ରୋତର ତୀବ୍ରତା ସେତିକି ନାହିଁ । ପ୍ରାୟତଃ ସବୁ କବି ସାମ୍ପ୍ରତିକ ଜୀବନ ଓ ଜଗତକୁ ସମ ଭାବରେ ଦେଖୁଛନ୍ତି । ଏକା କଥା ମଧ୍ୟ କହୁଛନ୍ତି । ଖାଣ୍ଟି ଓଡିଆରେ ଆମେ ଏହାକୁ କହୁ 'ଦେଖା-ଶିଖା-ଓଡିଶା '।ଆଜି ଆଉ କବିତାର ସ୍ବରରେ ନାହିଁ  'ଦେଶ ପାଇଁ ପ୍ରେମ ଦୀପ ଜାଳ' ବା ପ୍ରବାହିତ ହେଉନାହିଁ  କବିତାରେ ସମରର ସେ ତରଙ୍ଗ କିମ୍ବା ମୁଖରିତ ହେଉନାହିଁ ଜିଜୀବିଷା ଜୀବନର ରଂଗ । ଆମେ ଏବେ ପାଶୋରି ଦେଇଛୁ ଆମ ସାମାଜିକ ସଂସ୍କୃତି, ଭୂଲି ଯାଇଛୁ ଆମର ଐତିହ୍ୟକୁ ପୁଣି କେବେଠାରୁ ଲିଭି ଯାଇଛି ରାଶି ରାଶି କବିତା ଗ୍ରନ୍ଥରୁ ଆମ ଗାଁ-ନାଁ-ଠିକଣା ।

ଆଜି ଓଡିଆ କବିତା ପରାଂଗଭୋଜୀ ହୋଇ ଯାଇଛି ।ଫଳତଃ ଏହାର ଗତି ଓ ପ୍ରବୃତ୍ତି ବ୍ୟତିବସ୍ତ କରି ପକାଇଛି ସମ୍ପ୍ରତି ଆମ ଜୀବନ ରସର ଉଦ୍ଧାମତା, ତାରୁଣ୍ଯର ଉଷ୍ଣତା, ପ୍ରୀତି ଏବଂ ଆଧ୍ୟାତ୍ମିକ ଚିତ୍ତତା । ଏଥିପାଇଁ ମନେହୁଏ ଆଧୁନିକ ଓଡିଆ କବିତା ସଂସାରରୁ  ସବୁଦିନ ପାଇଁ ବସନ୍ତ ଯେପରି ବିଦାୟ ନେଇଛି,  ବା କବି ଜୀବନକୁ ବସନ୍ତ କେବେ ଥରେ ହେଲେ ସ୍ପର୍ଶ କରିନାହିଁ । ଏବେ କେବଳ କବି ନିଦାଘ ତାପିତ ମରୁଭୂମି କଥା କହୁଛି ଓ ଶୁଷ୍କ ବସ୍ତୁତାନ୍ତ୍ରିକତା ଆଡକୁ ଦ୍ରୁତ ବେଗରେ ମାଡି ଚାଲିଛି ।ସେଥିପାଇଁ ଆଜି କବିତାକୁ କହିବାକୁ ହେବ ସାଧାରଣ ମଣିଷର ଅକୁହା କଥା । ଆମ ପ୍ରାଚୀନ ପରମ୍ପରା ସୁଦୀର୍ଘ ଇତିହାସର ପୁରାଣ ଓ ଐତିହ୍ୟ କଥା । କିଞ୍ଚାଲିୟର ଙ୍କ  ସେହି ଅମର ଭାଷାରେ ନିଜ କଥା- ନିଜ ସଂସ୍କୃତି ର କଥା କହିବା ଏଠାରେ ସଙ୍ଗତ ହେବ- '' The weight of this sad time we must obey, speak what we feel, not what we ought to say, the oldest hath borne must .We that are young shall never see so much nor live so long".

ଅତ୍ୟନ୍ତ ସୁଖର କଥା ବର୍ତ୍ତମାନ କବି ଅସ୍ତିତ୍ବବାଦ ଓ ଅତିବାସ୍ତବବାଦ ରୁ ଓହରି ଯାଇ 'ଜୀବନବାଦ' ବା ' 'ମଣିଷବାଦ' କୁ ସ୍ବୀକାର କଲାଣି । ବାହ୍ଯ ବିପ୍ଳବ ଅପେକ୍ଷା ଅନ୍ତଃବିପ୍ଳବ କୁ ନିଜ ବଳିଷ୍ଠ ଚିନ୍ତାଧାରା ମାଧ୍ୟମରେ ସାମିଲ କରି ଏକ ନୂତନ ପଥର ସନ୍ଧାନ କରୁଛି । ପୁରାତନ ଭିତରେ ନୂତନତା ଆଣିବାକୁ ପ୍ରୟାସ କରୁଛି । ସର୍ବୋପରି କହିବାକୁ ଗଲେ ଦୃଢ ଯୁକ୍ତି ଓ ବଳିଷ୍ଠ ବାସ୍ତବବାଦୀ କାବ୍ଯ ସ୍ବରହିଁ ଆଜି କବିତାର ଅନ୍ତଃସ୍ବର । ତେଣୁ ଭୂୟୋଦର୍ଶନରେ ଆମକୁ ଯାହା ଆତ୍ମକୈନ୍ଦ୍ରିକ ମନେହୁଏ ପ୍ରକୃତ ପକ୍ଷେ ତାହା ଆତ୍ମୋନ୍ନତ ଅବୈକ୍ତିକ ସମ୍ବେଦନ, ବ୍ଯାକୁଳ ଅସହାୟତାର ଆତ୍ମିକ ବିପ୍ଳବ । ଏହି କ୍ଷୁଦ୍ର ପରିସର ଭିତରେ ଆଧୁନିକ ଓଡିଆ କବିତାର ସ୍ବରକୁ ଆଲୋଚନା କରିବା ସମ୍ଭବପର ନୁହେଁ । ଉତ୍ତର ସତୁରି ପରବର୍ତ୍ତୀ ଓଡିଆ କବିତାର ସ୍ବରକୁ ପରବର୍ତ୍ତୀ ପର୍ଯ୍ୟାୟରେ  ଆଲୋଚନା କରିବା ଠିକ୍ ହେବ । ତେବେ ପରିଶେଷରେ ଆଲୋଚକ ଏତିକି କହିବାକୁ ବାଧ୍ୟ ଯେ ଆଜିର କବିତା ବୌଦ୍ଧିକତାର ଏକ ବ୍ଯାକୁଳ ଓ ଏହାର ପରିବ୍ଯାପ୍ତ ବୌଦ୍ଧିକତା ହେଉଛି ସାମ୍ପ୍ରତିକ କବିତାର ପ୍ରଜ୍ଞା ।

ଡଃ ଶିବ ପ୍ରସାଦ ତ୍ରିପାଠୀ  ସ୍ମୃତି ନିଳୟ, ଉଦୟ ନଗର ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)

shibatripathy262@gmail.com