Image


ମଣିଷର ସବୁଠୁ ବଡ଼ ଭୟ ହେଉଛି "ଆଗାମୀକାଲି"। ଏହି କାଲିଟି କିପରି ହେବ, ଭଲ କି ଖରାପ। ଭଲ ହେଲେ ତ ଠିକ କିନ୍ତୁ ଯଦି ଖରାପ ହେଲା....ସରିଗଲା। ବାସ ଏହି ଭୟର ଭାବନାଟି ହିଁ ମଣିଷକୁ ଯୁଗ ଯୁଗକୁ କୋରି ଖାଇ ଆସିଛି। କିନ୍ତୁ କାଲିଟିକୁ ବା ଆଜିଠୁ ଜାଣିହେବ କିପରି। ତାହା ଯେ ଭବିଷ୍ୟତର ଗର୍ଭରେ ଲୁକ୍କାୟିତ। କାଲିଟିକୁ ଜାଣିନପାରିବାର ମଣିଷର ଅସହାୟତାକୁ ବେଶ ଅନୁମାନ କରି କେତେଜଣ ଧୁର୍ତ୍ତ ମଣିଷ ଏହାର ଫାଇଦା ନେବା ଉଦେଶ୍ୟରେ ଵିଛେଇ ଦିଅନ୍ତି ନିଜର ବ୍ୟବସାୟର ଜାଲ। ଆରମ୍ଭ ହୁଏ ହସ୍ତରେଖା, ନ୍ୟୁମେରୋଲୋଜି, ସାମୁଦ୍ରିକ ବିଦ୍ୟା, ଜ୍ୟୋତିଷ ବିଦ୍ୟା, ଆଧୁନିକ ବାସ୍ତୁଶାସ୍ତ୍ର ଇତ୍ୟାଦି ଭଳି ଭଳି ବିଦ୍ୟା । ଆଗାମୀ କାଲିଟି ଭଲ କି ଖରାପ ଜାଣିବାର ଚେଷ୍ଟାରେ ମଣିଷ ହସ୍ତରେଖା, ନ୍ୟୁମେରୋଲୋଜିଷ୍ଟ,  ଜ୍ୟୋତିଷ ଆଦି ବ୍ୟକ୍ତିମାନଙ୍କର ମାୟା ଜାଲରେ ପଡି ଭ୍ରମର ଶିକାର ହୁଏ। ସେମାନଙ୍କର ମୁଣ୍ଡରେ ଭରି ଦିଆ ଯାଇ ଏକ  ଦୁଖଃମୟ ଅସୁରକ୍ଷିତ କାଲିର କଳ୍ପନା ତା ସହ ସେହି କାଲିର ଚୁଟିକିରେ ସୁରକ୍ଷିତ ଓ ସୁଖମୟ କରିପାରିବାର ଅଭୟ। ଚିନ୍ତିତ ମଣିଷର ହାତ ଆଙ୍ଗୁଠିରେ ଶୋଭାପାଏ ଅନେକ ରଙ୍ଗ ବିରଙ୍ଗୀ ପଥର ବା ଘୋଡା ନାଲର ମୁଦି। ବେକରେ ଝୁଲେ ଭଳି ଭଳି ରଙ୍ଗ ବିରଙ୍ଗୀ ହାର, ବାହୁରେ ତାବିଜ, ଡେଉଁରିଆ ଇତ୍ୟାଦି। ହନୁମାନ ତାବିଜ, ଲକ୍ଷ୍ମୀ ଯନ୍ତ୍ର ଆଦିର ବିକ୍ରି ବଢିଯାଏ। କିଏ ଗାଈକୁ ଘାସ ଦେବା ଆରମ୍ଭ କରିଦିଏ ତ କିଏ କଳା କୁକୁରକୁ ରୁଟି, ପୁଣି କିଏ ସକାଳୁ ଉଠି ଜ୍ୟୋତିଷ ନିର୍ଦେଶିତ ଦେବୀ ଦେବତାଙ୍କର ପୂଜା ପାଠରେ ମାତି ଯାଏ। ଗ୍ରହ ନକ୍ଷତ୍ରମାନଂକର ଦିଗ ବଦଳେଇ ଦେବା ପାଇଁ କିଏ ପୁଣି ଜାତି ଜାତିକା ଶନିମେଳା ଠାରୁ ଆରମ୍ଭ କରି କାନ କେବେ ନ ଶୁଣି ଥିବା ଅନେକ ମେଳା ବ୍ରତରେ ମନଦିଏ। ଯିଏ ଯାହାବି କରୁ ଉଦେଶ୍ୟ କେବଳ ଗୋଟିଏ, ଏକ ସୁଖମୟ ସୁରକ୍ଷିତ ଆଗାମୀକାଲି। କ୍ଲାସ ରୁମରେ ଶନିକୁ ଗ୍ରହ ଭାବରେ ପଢ଼ାଉଥିବା ଶିକ୍ଷକ,ଘରେ ଆସି ଶନିକୁ ଦେବତା କରି ପୂଜା କରନ୍ତି, ପୁଣି ଗ୍ରହଙ୍କ ତାଲିକାରେ ରାହୁ କେତୁଙ୍କୁ ମଧ୍ୟ ସ୍ୱୀକାର କରିବାରେ କୁଣ୍ଠାବୋଧ କରନ୍ତି ନାହିଁ।
କିଛି ବ୍ୟକ୍ତି ନିଜର ସମ୍ପୁର୍ଣ୍ଣ ବାସଗୃହ ଏକ ସୁରକ୍ଷିତ ଭବିଷ୍ୟତକୁ ଆଖିରେ ରଖି ତିଆରି କରନ୍ତି। ଶୋଇବା ଘର କେଉଁଠି ରହିବ, ରୋଷେଇ ଘର କେଉଁ ଦିଗକୁ ହେବ, କେଉଁ ଘର ପାଖରେ କିଏ ରହିବ, ଏହି ପରି ଅନେକ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଘରଟିଏ ତିଆରି ହୁଏ। ଯଦି ଏହାଠାରୁ କିଞ୍ଚିତ ବି ବ୍ୟତିକ୍ରମ ହୁର ତେବେ କଥା ସରିଲା, ବିପଦ ମାଡ଼ିଆସିବ। ତେଣୁ ପୁଣି ଥରେ ଘର ଭାଙ୍ଗି ନକ୍ସା ବଦଳେଇବାକୁ ପଡେ। କେତେକ ବ୍ୟକ୍ତି ନିଜର ପୁରୁଣା ଘରର ନକ୍ସା ମଧ୍ୟ ସମ୍ପୁର୍ଣ୍ଣ ଭାବେ ବଦଳେଇ ଦିଅନ୍ତି। ଭୟଭୀତ ମନଟିକୁ ଆର୍କିଟେକଠାରୁ ବାସ୍ତୁ ଶାସ୍ତ୍ରୀର ଆଵଶ୍ୟକତା ଅଧିକ ବୋଲି ମନେ ହୁଏ। ସ୍ପଷ୍ଟ ଦିବାଲୋକରେ ଜ୍ଞାନ ଓ ବିଜ୍ଞାନର ହତ୍ୟା କରା ଯାଏ। ଶିକ୍ଷା, ଡିଗ୍ରୀ ପାଲଟନ୍ତି ଆଲମାରୀରେ ରଖିବାର ବସ୍ତୁ କେବଳ।
ଟେବୁଲ ଉପରେ ପିତଳ ବେଙ୍ଗ ରଖିଲେ, କାଚର କଇଁଛକୁ ପାଣିରେ ବୁଡ଼େଇ ରଖିଲେ କୁଆଡେ ଅନେକ ଶୁଭ ହେବ ବୋଲି କୁହାଯାଏ। ଶଙ୍କା ଗ୍ରସ୍ତ ମଣିଷ ମନ ଏ ଭଳି  କଥାକୁ ପରୀକ୍ଷା ନିରୀକ୍ଷା କରିବାକୁ ମଧ୍ୟ ତର ପାଏ ନାହିଁ । ଆଖି ଆଉ ମସ୍ତିଷ୍କ ବନ୍ଦ କରି ମାନିବାକୁ ବାଧ୍ୟ ହୁଏ କେବଳ । ଭଣ୍ଡ ବାବା ମାତା, ତାନ୍ତ୍ରିକମାନଙ୍କ କବଳରେ ପଡି ଭୟଭୀତ ମଣିଷ ସର୍ଵଶ୍ରାନ୍ତ ହୁଏ। କେବଳ ଅର୍ଥନୈତିକ କ୍ଷତି ନୁହେଁ, ମାନସିକ ସ୍ତରରେ ମଧ୍ୟ ଦୁର୍ବଳ ହୋଇଯାଏ। ଧୀରେ ଧୀରେ ନିଜ ଉପରେ ଭରସା ତୁଟେଇ ଏକ ଆତ୍ମ ବିଶ୍ୱାସ ରହିତ ବ୍ୟକ୍ତିରେ ପରିଣତ ହୁଏ ସେ।

ଆଗାମୀ କାଲିକୁ ସୁରକ୍ଷିତ ରଖିବାର ମଣିଷର ଇଛା ଏତେ ବଢିଯାଏ ଯେ ଆଗାମୀ କାଲିର ପରିସର ଭିତରେ ମୃତ୍ୟୁ ପରର ଜୀବନ ମଧ୍ୟ ସାମିଲ ହୋଇଯାଏ। ଫଳରେ ମୃତ୍ୟୁ ପରର ସ୍ୱର୍ଗ ପ୍ରାପ୍ତିର ମୋହ ବିବଶ କରେ ମଣିଷକୁ ପୃଥିବୀର ଦୁଃଖ ଯନ୍ତ୍ରଣାର ଉପଶମ କରିବା ବଦଳରେ ପଳାତକ ସାଜିବା ପାଇଁ। ବିଭିନ୍ନ ଧର୍ମର ଭଣ୍ଡମାନେ ଏହାର ସୁଯୋଗ ନେଇ ସେମାନଙ୍କର ଶୋଷଣ କରିବାରେ ଲାଗନ୍ତି। ପୂର୍ଵ ଜନ୍ମର କର୍ମ ବୋଲି ଗ୍ରହଣ କରିନେଇ କର୍ମଫଳ ନାଁରେ  ମଣିଷ ଜୀବନ ଯାକ ଦୁଃଖ ଯନ୍ତ୍ରଣା ଭୋଗିବାକୁ ସ୍ୱାଭାବିକ ବୋଲି ମନେ କରେ। ମୁକ୍ତିର ଲୋଭରେ ମୃତ ଶରୀର ବା ଅବଶେଷ ଗଙ୍ଗାନଦୀରେ  ନିକ୍ଷେପ କରି ତାକୁ ପୁତି ଗନ୍ଧମୟ କରି ପକାଏ। କେବେ ପୁତ ନାମକ ନର୍କରୁ ରକ୍ଷା ପାଇଁ କନ୍ୟା ସନ୍ତାନଙ୍କୁ ହତ୍ୟା କରେ ତ କେବେ ଜନ୍ନତର ହୁର ପରୀ ଲୋଭରେ ନିଜ ପରି ମଣିଷମାନକୁ ହତ୍ୟା କରିବାକୁ କୁଣ୍ଠାବୋଧ କରେ ନାହିଁ। ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଧେଶ୍ୟରେ କେତେ କେତେ ପୂଜା ପାଠ କରେ,  କେତେ ନିରୀହ ପ୍ରାଣୀର ବଳି ପକାଏ। ପୁଣି କେବେ ପରିବେଶ ପ୍ରଦୂଷିତ ଓ  ନଷ୍ଟ କରିବାକୁ ମଧ୍ୟ ପଛାଏ ନାହିଁ।  ମଣିଷର ଏହି ସବୁ ବ୍ୟବହାର ପଛର ମାନସିକତା ହେଲା ଅସୁରକ୍ଷିତ ଆଗାମୀ କାଲିର ଭୟ ଓ  ତାକୁ ସୁରକ୍ଷିତ ଓ ମଙ୍ଗଳମୟ କରିବାର ଇଛା ।  
ନିଜର ଭବିଷ୍ୟତକୁ ସୁରକ୍ଷିତ କରିବାର ମାନସିକତା ମଣିଷର ଏକ ସ୍ୱାଭାବିକ ଭାବନା। କିନ୍ତୁ କୌଣସି ଅହେତୁକ କଥା, ପ୍ରଥା ବା ପରମ୍ପରା, ଗୁଣି, ଗାରୁଡ଼ି, ବାବା, ମାତା ଏହାକୁ ସୁରକ୍ଷିତ କରିପାରିବେ ନାହିଁ। ଏହି କଥାଟିକୁ  ବୁଝିବାକୁ ହେବ। ଭବିଷ୍ୟତକୁ ସୁରକ୍ଷିତ କରିବାର ପ୍ରଥମ ଉପାୟ ହେଲା ଏକ ସୁରକ୍ଷିତ ବର୍ତ୍ତମାନ । ତା ପାଇଁ ଆମକୁ ଦେଶରେ ଏକ ସୁରକ୍ଷିତ ଗଣତନ୍ତ୍ର ଆବଶ୍ୟକ। ଅର୍ଥନୈତିକ ସୁରକ୍ଷା ସହ, ଏକ ସୁରକ୍ଷିତ ସାମାଜିକ ଜୀବନ,ଏକ ସୁସ୍ଥ ଶରୀର ଓ ଭୟମୁକ୍ତ ମନ ଆବଶ୍ୟକ। ତା ସହ ଏକ ପ୍ରଦୂଷଣ ମୁକ୍ତ ସୁନ୍ଦର ପୃଥିବୀ ମଧ୍ୟ କାମ୍ୟ, ଯାହା ହେଉଛି ପ୍ରକୃତ ରୂପେ ଆମର ଭବିଷ୍ୟତ। ତେଣୁ ମୃତ୍ୟୁ ପରର ଏକ ଅଦେଖା ସ୍ୱର୍ଗ ରାଜ୍ୟର ସୁଖ ପାଇଁ ବ୍ୟସ୍ତ ନ ହୋଇ ଆମ ଆଗରେ ଥିବା, ଆମର ସୁନ୍ଦର ପୃଥିବୀରେ ସ୍ୱର୍ଗର ସ୍ଥାପନା ହିଁ ଆମ ଆଗାମୀ କାଲିକୁ  ସୁନ୍ଦର, ସୁରକ୍ଷିତ ଓ ମଙ୍ଗଳମୟ କରି ଗଢି ତୋଳିବ। ଏହାକୁ ହୃଦୟଙ୍ଗମ କରିବା ନିତ୍ୟାନ୍ତ ଆବଶ୍ୟକ ନଚେତ ଭବିଷ୍ୟତର ଚିନ୍ତାରେ ଅସ୍ତବ୍ୟସ୍ତ ହେଇ ବିନା ମସ୍ତିଷ୍କ ବ୍ୟବହାର କରି ନେଉଥିବା ଆମର ପ୍ରତିଟି ପଦକ୍ଷେପ ନିଜର ,  ଆମର ଏକ ମାତ୍ର ବାସସ୍ଥାନ ଆମ ପୃଥିବୀର ତଥା ସମ୍ପୂର୍ଣ୍ଣ ମାନବିକତାର ଭବିଷ୍ୟତକୁ ବିପନ୍ନ କରି ତୋଳିବ।

ରାଜବାଳା