Image

ସୁଖରେ ବଞ୍ଚିବାର କଳା

……………………

ପ୍ରକାଶ ରଂଜନ ପରିଡ଼ା

ସୁଖରେ ବଞ୍ଚିବା, ମଣିଷ ଜୀବନର ପରମ ଓ ଚରମ ଅଭିଳାଷ । ଏଥିପାଇଁ ମଣିଷ ଜୀବନ କାଳ ଭିତରେ ଅର୍ଜନ କରିଥିବା ଧନ ଓ ଜ୍ଞାନକୁ ବିନିଯୋଗ କରିଥାଏ ।  ସୁଖ ପ୍ରାପ୍ତି ଆଶାରେ ସବୁ ପ୍ରୟାସ ସତ୍ତ୍ବେ ମହଣ ମହଣ ଦୁଃଖର ଭାରରେ ଆଜିର ମଣିଷଟି ନଇଁ ପଡୁଛି । ବିଜ୍ଞାନର ଉକୃଷ୍ଟ ଉଦ୍ଭାବନ ମଣିଷକୁ ସୁଖି କରିବାକୁ ସମର୍ଥ ହେଉନାହିଁ । ସବୁ ସୌଖିନ ସାମଗ୍ରୀ ବ୍ୟବହାର କରିବା ପରେବି ମଣିଷ ଅସମୟରେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ହତାଶ ଆଖିରେ ପଛକୁ ଚାହୁଁଛି ।  ଆମ ପୂର୍ବ ପିଢି କଣ ଆମପରି ଜୀବନ ନିର୍ବାହ  କରିବାର ସୁଯୋଗ ପାଉଥିଲେ ? ସାତ ଦରିଆପାରିରେ ଥିବା ବ୍ୟକ୍ତି ସହିତ ଆଜି ଆମେ ଆମ ସାମ୍ନାରେ ବସିଥିବା ପରିଜନ ପରି କଥା ହୋଇ ପାରୁଛନ୍ତି । ତେବେ ଆମ ପୂର୍ବପିଢି ବେଶୀ ଖୁସି ଥିଲେ ନା ଆମେ ? ବାହାରୁ ସୁଖ ଖୋଜୁଖୋଜୁ ଆମେ ନିଜ ଭିତରେ ଥିବା ଖୁସିକୁ ହଜେଇ ଦେଲେ । ବିଭିନ୍ନ ଯାନ୍ତ୍ରିକ ସୁଖର ମୋହରେ ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳୁଥିବା ଖେଳର ଅଲିଖିତ ନିୟମକୁ ପାସୋରି ବିଦେଶୀ ଖେଳର ନିୟମକୁ ମୁଖସ୍ତ କରିବାରେ ଅବସର ଅପରାହଣକୁ ବିତେଇବା ପରେ ବି ଆମକୁ ଖୁସି ମିଳୁନି କାହିଁକି?

ଦୁଃଖର ସୃଷ୍ଟି କେଉଁଠୁ ଆମ ଭିତରୁ ନା ବାହାରୁ? ମନସ୍ତତ୍ବବିତଙ୍କ ମତରେ ମଣିଷ ନିଜର ଭାବନା ଓ ଚିନ୍ତାକୁ ଆୟତ ଓ ନିୟନ୍ତ୍ରଣ କରିନପାରିବା କାରଣରୁ ଦୁଃଖ ପାଏ । ଦେଖିବାକୁ ଗଲେ ମଣିଷ ନିଜ ଜୀବନକାଳ ଭିତରେ  ଯେତେ ଦୁଃଖ ପାଏ ସେସବୁ ନିଜ ଦ୍ବାରା ହିଁ ଉଦ୍ଭବ ହୋଇଥାଏ  । ଅର୍ଥାତ ନିଜ ଭିତରେ ହିଁ ମଣିଷ ଭାବନାରେ ଅନେକ ଜଟିଳ ବିଷୟକୁ ଭର୍ତ୍ତି କରିଥାଏ । ଯାହାର କୌଣସି ଯୁକ୍ତିଗତ ସମାଧାନ ନଥାଏ । ସମୟ କ୍ରମେ ତାହା ହିଁ ମଣିଷକୁ ଦୁଃଖି ଓ ହତାଶ କରିଦିଏ । 

ମଣିଷ ନିଜ ପରି ଅନ୍ୟମାନେ ହୁଅନ୍ତୁ ବୋଲି ଚାହିଁଥାଏ । ଯାହା ଏକ ଅସମ୍ଭବ ଆଶା । ମଣିଷ ପ୍ରତି ମୁହୂର୍ତ୍ତରେ ଅନ୍ୟମାନେ ନିଜ ପରି ହେବା ପାଇଁ ଇଚ୍ଛା କରିଥାଏ । ନିଜର କ୍ରିୟା, ପ୍ରତିକ୍ରିୟାକୁ ଅନ୍ୟ ମାନଙ୍କଠାରେ ଦେଖିବାକୁ ଚାହେଁ । ନିଜର ପୁଅ, ଝିଅ ହୁଅନ୍ତୁ କି ସାଙ୍ଗସାଥି, ଆତ୍ମୀୟସ୍ବଜନ, ସହକର୍ମୀ ସମସ୍ତଙ୍କୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରିବାକୁ ଚାହେଁ । ଏଥିରେ ବ୍ୟତିକ୍ରମ ଦେଖାଦେଲେ ନିଜକୁ ନିଜେ ବିଫଳ ଓ ହତାଶ ଅନୁଭବ କରେ । ଆମ ସାମ୍ନାର ମଣିଷଟି ଆମକୁ ବୁଝିପାରୁ, ସମର୍ଥନ କରୁ ଆଶା କରନ୍ତି, ଏଥିରେ ବ୍ୟତିକ୍ରମକୁ ସହ୍ୟ କରିବା ଆମପାଇଁ ଅସହ୍ୟ ହୋଇପଡ଼େ । ସଂକ୍ଷିପ୍ତ ସମୟ ପାଇଁ ହେଉ ପଛେ ଦୁନିଆର ସବୁ ମଣିଷ ଆମଠୁ ଭିନ୍ନ, ସେମାନେ ନିଜସ୍ବ ଚିନ୍ତାଧାରା ନେଇ ବଞ୍ଚନ୍ତି ଏକଥା ଆମେ ଭୁଲି ଯାଆନ୍ତି ।  

ଆମକୁ ଯଦି ସୁଖ ଓ ଦୁଃଖ ମଧ୍ୟରୁ ଗୋଟିଏକୁ ବାଛିବାକୁ, ଆଦରିବାକୁ  ସୁଯୋଗ ଦିଆଯିବ ତେବେ ଆମେ କାହାକୁ ଚୟନ କରିବା? ନିର୍ବିବାଦରେ ଆମେ ସୁଖ ହିଁ ଚାହିଁବା । ଇଶ୍ବର ଆମକୁ ସେଇ ସମାନ ସୁଯୋଗ ଦେଇଛନ୍ତି । କେବଳ ଆମେ ସୁଖ ପାଇବା ପାଇଁ ଯେଉଁ ରାସ୍ତାଟିକୁ ଚୟନ କରୁଛନ୍ତି ତାହା ହିଁ ଆମକୁ ଦୁଃଖ ଆଡ଼କୁ ଭିଡ଼ି ନେଉଛି । ବର୍ହିଜ୍ଞାନର ପ୍ରବଲ୍ୟରେ ଭାଷିଯାଇ ଆମେ ଆତ୍ମଜ୍ଞାନକୁ ଗୁରୁତ୍ବ ଦେଉନାହାନ୍ତି । ସାତ୍ତ୍ବିକ ଖାଦ୍ୟ ଆମ ଶରୀରକୁ ସୁସ୍ଥ ରଖିବ, ଆମକୁ ଜଣାଥିଲେ ବି ଆମେ ଖାଦ୍ୟ ଚୟନ ସମୟରେ ଆମ ଶରୀରର ଆବଶ୍ୟକତାକୁ ଭୁଲିଯାଉଛନ୍ତି । ଆବଶ୍ୟକତାଠୁ ଅଧିକ କ୍ବାଲୋରୀଯୁକ୍ତ ଖାଦ୍ୟଗ୍ରହଣ ଆମ ଶରୀରକୁ ଅସନ୍ତୁଳିତ କରୁଛି । ଶରୀର ପରି ମନକୁ ନିୟନ୍ତ୍ରଣ କରିବାର ଉପାୟ ଆମକୁ ଜଣାଅଛି କିନ୍ତୁ କ୍ଷଣିକ ସୁଖର ମୋହରେ ଆମେ ଭୁଲିଯାଉଛନ୍ତି ରାସ୍ତା । କେବଳ ଶାନ୍ତି ପାଇବାକୁ ଲୋକେ ନିଶାକୁ ଆଦରି ନିଅନ୍ତି ବୋଲି ଅନେକ ନିଶା ସେବନକାରୀ ସ୍ବୀକାର କରନ୍ତି । ସୁଖପ୍ରାପ୍ତିର ଲକ୍ଷ୍ୟ ଚୟନରେ ଆମେ କେହି ଭୁଲ କରୁନାହାନ୍ତି କିନ୍ତୁ ସୁଖ ପାଇଁ ଉଦିଷ୍ଟ ମାଧ୍ୟମ, ରାସ୍ତାଟିକୁ ଚୟନ କଲାବେଳେ ଆମେ ତ୍ରିଶଙ୍କୁ ଅବସ୍ଥାରେ ପଡ଼ି ବାହାରକୁ ଚକ୍‌ଚକ୍‌ କରୁଥିବା ନିଷିଦ୍ଧ ପଥଟିକୁ ବାଛିନେଉଛନ୍ତି ।  

ଦୁଃଖ ପରି ସୁଖର ସୃଷ୍ଟି ମଧ୍ୟ ଆମ ଭିତରୁ । ନିଜକୁ ନିୟନ୍ତ୍ରଣ କରିବାର ଅଖଣ୍ଡ କ୍ଷମତା ନିଜ ପାଖରେ ରହିଛି । ନିଜର ମନ ନିଜ ନିୟନ୍ତ୍ରଣରେ ରହିଲେ ଅର୍ଥାତ ନିଜର ଭାବନା, କଳ୍ପନା  ଓ ଚିନ୍ତାକୁ ଯଦି  ସୁନିୟନ୍ତ୍ରିଣ କରାଯାଇପାରେ ତେବେ ଜଣେ ସୁଖରେ ଜୀଇଁପାରିବ । ଜୀବନର ସବୁୁ ସତ୍ୟକୁ ସାହସର ସହିତ ଗ୍ରହଣ କରିବାକୁ ପଡ଼ିବ । କାରଣ ଭଗବାନଙ୍କ ସୃଷ୍ଟିରେ ଆମେ ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର । କେତେ ବିଶାଳ ସୃଷ୍ଟିକୁ ନିୟନ୍ତ୍ରଣ କରିବାକୁ ଭଗବାନ କାହାକୁ ନିଯୁକ୍ତ କରିନାହିଁନ୍ତି । କିନ୍ତୁ ପରିବାରର ଅଳ୍ପ କେତେଜଣଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆମେ ଅସମର୍ଥତା ପ୍ରକାଶ କରୁଛନ୍ତି । ପରିବାରକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ଉପାୟ ଅବଲମ୍ବନ କରୁଛନ୍ତି ତାହା ହିଁ ମୂଖ୍ୟକଥା । 

ଆମ ଦ୍ବାରା ସମ୍ପାଦିତ ହେଉଥିବା କ୍ରିୟାଟିକୁ ଆମେ ହିଁ କରନ୍ତି । ସଫଳ ହେଲେ ଅନ୍ୟଠୁ ସାବାସୀ ଆଶା କରନ୍ତି, ଉତଫୁଲ୍ଲିତ ହୁଅନ୍ତି କିନ୍ତୁ ବିଫଳ ହେଲେ ଭଗବାନଙ୍କୁ ଦୋଷ ଦିଅନ୍ତି । ଏହି ଚିନ୍ତାଧାରା ହିଁ ଆମକୁ ଦୁଃଖ ଦିଏ ।  ଆମେ ନିଜ ଉପରେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ଆମର ଅବାଞ୍ଛିତ ଆଶା ଆମକୁ ଅପୂର୍ଣ୍ଣତାର ଦ୍ବାର ଦେଶରେ ପହଞ୍ଚାଇ ଦିଏ, ଯେଉଁଠୁ ଫେରିବାର ବାଟ ନଥାଏ । 

ଦୁନିଆର ଅନେକ ଯାନ୍ତ୍ରିକ ଜ୍ଞାନକୁ ଆୟତ କରିବା ପରେ ବି ଆମେ ଆତ୍ମଜ୍ଞାନ ଅର୍ଜନ କରିପାରୁ ନାହାନ୍ତି । ଜୀବନର ଶେଷ ପାହାଚରେ ଉପନୀତ ହେବା ପରେ ଆମେ ଆତ୍ମଜ୍ଞାନର ନିକଟବର୍ତ୍ତି ହେବା ପାଇଁ ଉଦଗ୍ରୀବ ହୋଇପଡ଼ୁଛନ୍ତି । ଆତ୍ମଗ୍ଲାନିରେ ଜର୍ଜରିତ ପ୍ରାଣ ନିଜକୁ ଚିହ୍ନିବାକୁ ଏତେ ବ୍ୟଗ୍ର ହୋଇଉଠୁଛି ଯେ ସାଧୁ, ସନ୍ଥ ପରି ବାହ୍ୟିକ ଆଚାର ପ୍ରଦର୍ଶନ କରୁଥିବା ଭଣ୍ଡ ନିକଟରେ ନିଜକୁ ସମର୍ପଣ କରିଦେଉଛେ । ନିଜ ରାସ୍ତା ଚୟନରେ ଭୁଲ କରିଥିବା ବ୍ୟକ୍ତିଟିଏ ଗୁରୁ ଚୟନରେ ଭୁଲ କରିବା ବିଲକୁଲ ଅସ୍ବାଭାବିକ ନୁହେଁ ।  ଏହା ପୂର୍ବରୁ ଆମେ କ’ଣ ଆମ ନିକଟରେ ନଥିଲେ । ନିଜକୁ ଜାଣିବାରେ ଏତେ ବିଳମ୍ବ କଲେ କାହିଁକି ? 

-------.......................-------

‘ନିଶିପ୍ରଦୀପ’, କଏଳପାଳ, ବାତୋ, କେନ୍ଦୁଝର

Mobile: +919438080583

Email: litp.ranjan@gmail.com