Image

ପିଲାଦିନରୁ ଆଜି ଯାଏଁ ଆମେ ଶୁଣି ଆସିଛୁ, ଲଜ୍ୟା ନାରୀର ଭୂଷଣ। କିନ୍ତୁ  ଲଜ୍ୟା କହିଲେ ଆମେ କଣ ବୁଝୁ।  ଲଜ୍ୟା ଶବ୍ଦ ଟି କୁ  ଶୁଣିଲେ ମୋ ମନ କୁ ସଙ୍କୁଚିତ ହୋଇଯିବା, ଆବୃତ୍ତ ହୋଇଯିବା, ଅପସାରିତ ହୋଇ ଯିବା, ମୌନ ରହିବା, ନିଜ ମନୋଭାବ ପ୍ରକାଶ ନକରିବା, ଘରଭିତରେ ବନ୍ଦ ହୋଇ ରହିବା,  ଆତ୍ମବିଶ୍ୱାସ ହୀନତା,  ଆଦି  ଚିତ୍ର ସବୁ ଆସେ। କେତେ ଜଣ ଶରୀରକୁ ଢ଼ାଙ୍କି ରହିବା କୁ ଲଜ୍ୟା ବୋଲି କୁହନ୍ତି। କିନ୍ତୁ ଶରୀରକୁ ଆବୃତ୍ତ କରାଯିବା ର ପରିସୀମା କିଏ ନିର୍ଣ୍ଣୟ କରିଛି। କେତେ ଜଣଙ୍କୁ ନଖଠୁ ଶିଖ ଯାଏଁ ଆବୃତ ରହିବା ହିଁ ଯୁକ୍ତି ଯୁକ୍ତ ଲାଗେ। ଲଜ୍ୟା ର ସାମାଜିକ ପରିଭାଷା କଣ ବୁଝିବାକୁ ହେଲେ ଆମକୁ ବିପରୀତ ଶବ୍ଦଟି ଉପରେ ଧ୍ୟାନ ଦେବାକୁ ହେବ।  ବାପା ମା ବା ସ୍ବାମୀ  ର ପ୍ରତି କଥାରେ ମୁଣ୍ଡପୋତି ହଁ ମାରୁ ନଥିବା,  ଘରର ଚାରିକାନ୍ଥ ରୁ ବାହାରି ବାହାର ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା, ସାମାଜିକ ବାଧା ବନ୍ଧନକୁ ଭୂକ୍ଷେପ ନକରି ନିଜ ହିସାବରେ ଜୀବନ ବଞ୍ଚୁଥିବା, ମୁଣ୍ଡ ନପୋତି ଆତ୍ମବିଶ୍ୱାସର ସହ ସିଧା ଚାଲୁଥିବା, ଉଚ୍ଚ ସ୍ୱରରେ ନିଜର ଉପସ୍ଥିତି ଜାହିର କରୁଥିବା, ଆଖି କୁ ଆଖି ମିଶେଇ ପ୍ରତିଉତ୍ତର ଦେଉଥିବା, ପୁରୁଷ ମାନଙ୍କ ସହ ବନ୍ଧୁତା କରୁଥିବା, ବୈଠକ ଘରେ ପୁରୁଷ ମାନଙ୍କ ସଭାରେ ନିଜ ମତ ରଖୁଥିବା, ଆକଣ୍ଠ ମୁକ୍ତ ଭାବରେ ଠୋ ଠୋ ହସୁଥିବା, ନିଜ ମନୋଭାବ, ପସନ୍ଦ, ପ୍ରେମ , ଯୌନଆବେଗକୁ କୁ ବିନାଦ୍ଵିଧା ସ୍ୱୀକାର ଓ ପ୍ରକାଶ କରୁଥିବା ମହିଳା ମାନେ "ନିର୍ଲଜ" ଆଖ୍ୟା ପାଇବାର ହକଦର ହୋଇଥାନ୍ତି।  
ଯଦି ଲଜ୍ୟା ର ପରିସୀମା ଏତିକି ତାହେଲେ ସବୁ ମହିଳା ମାନେ ନିର୍ଲଜ ହୋଇଯିବା ଶ୍ରେୟସ୍କର। ସବୁତକ ଅମାନବୀୟ ପ୍ରଥା, ପରମ୍ପରା କୁ ମୁଣ୍ଡ ପୋତି ସହିବା, ନିଜ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର କୁ ସହିଯିବା, ନିଜ ଅଧିକାର ପାଇଁ ମୁହଁ ନଖୋଲିବା, ନିଜକୁ ସଙ୍କୁଚିତ କରିଦେବା, ନିଜ ମନୋଭାବ ପ୍ରକାଶ ନକରିବା , ଏକ ଆତ୍ମବିଶ୍ବାସହୀନ ଜୀବନ ବଂଚିବା ଇତ୍ୟାଦି ସବୁ ଯଦି ଲଜ୍ୟା, ତାହେଲେ ମୁଁ ଜଣେ ନିର୍ଲଜ ବ୍ୟକ୍ତି ଓ ମୁଁ ଚାହିଁବି ଦୁନିଆର ସବୁ ମହିଳା ନିର୍ଲଜ ହୋଇ ଯାଆନ୍ତୁ। ମୃଦୁ ମଧୁର ସ୍ୱରରେ କଥା କହିବା, ସମସ୍ତଙ୍କୁ ସ୍ନେହ ଓ ସମ୍ମାନ କରିବା, ଏକ ସମ୍ବେଦନଶୀଳ ନରମ ହୃଦୟ ଯଦି ଲଜ୍ୟା ହୁଏ ତା ହେଲେ ଏହା ପ୍ରତି ମଣିଷ ର ଭୂଷଣ ହେବା ଉଚିତ। ଲଜ୍ୟା ନୁହେଁ ଶିଷ୍ଠ।ଚର, ମୃଦୁଭାଷୀ, ଅମାୟୀକ ବ୍ୟବହାର, ସମ୍ବେଦନଶୀଳତା ଭଳି ଗୁଣ ସବୁ ଖାଲି ନାରୀ କାହିଁକି ପୁରୁଷ ମାନଙ୍କର ମଧ୍ୟ ଆଭୂଷଣ ହେବା ଉଚିତ। କାରଣ ଏହି ସବୁ ଗୁଣ   ଲିଙ୍ଗଭିତ୍ତିକ ନୁହେଁ, ସମ୍ପୂର୍ଣ୍ଣ ମାନବୀୟ ଗୁଣ।

ରାଜବାଳା