Image

ନିଶାଦ୍ରବ୍ୟ ଏକ ଖାଦ୍ୟ ନୁହେଁ।  ଏଥିରୁ ଶରୀର ଉପଯୋଗୀ କୌଣସି ତଥ୍ୟ ମିଳେ ନାହିଁ। ବରଂ ଏହା ଶରୀର ପାଇଁ କ୍ଷତିକାରକ । ତଥାପି ମଧ୍ୟ ଲୋକମାନେ ମଦ୍ୟ, ସିଗାରେଟ ଆଦି ନିଶା ଦ୍ରବ୍ୟରେ ଅନେକ ଅର୍ଥ ଖର୍ଚ୍ଚ କରନ୍ତି। ହେଲେ ଏପରି କାହିଁକି। କାରଣ ଏହି ସବୁ ନିଶା କିଛି ସମୟ ପାଇଁ ମଣିଷକୁ ନିଜର ଦୈନନ୍ଦିନ ଦୁଃଖ କଷ୍ଟ ଭୁଲେଇଦିଏ। କୌଣସି ମଣିଷ ଦୁଃଖ ଦୁର୍ଦଶାରେ ରହିବାକୁ ଚାହେଁ ନାହିଁ। ତେଣୁ କିଛି ସମୟ ପାଇଁ ମଧ୍ୟ ହେଉ ନିଶା ଦ୍ରବ୍ୟ ମଣିଷମାନଙ୍କୁ ଏକ ସୁଖମୟ ଦୁନିଆକୁ ନେଇଯାଏ। ହଁ ନିଶ୍ଚିତ ଭାବରେ ସେ ଦୁନିଆ କାଳ୍ପନିକ ଓ ଅଳିକ । ତଥାପି ମଧ୍ୟ ନିରାଶୟ ମଣିଷ ପାଇଁ ଏହା କାମ୍ୟ। କିନ୍ତୁ ଦୁଃଖର ବିନାଶ ପାଇଁ ନିଶାଦ୍ରବ୍ୟ ଏକ ଅବଲମ୍ବନ ନୁହେଁ।
ଧର୍ମ ଓ ଈଶ୍ୱର ଠିକ ଏହି ନିଶା ଦ୍ରବ୍ୟ ଭଳି। ଆମେ ନିଜ ଦୁଃଖ ଯନ୍ତ୍ରଣା ଏକ କାଳ୍ପନିକ ସତ୍ତା ପାଖରେ ଜଣାଇ ଏହାର ସମାଧନ ହେଇଯିବ ବୋଲି ଆଶା କରି ବସୁ। ଯଦି କୌଣସି ମତେ ସେହି ଦୁଃଖ ଦୂର ହୋଇଯାଏ ଆମେ ତାହା ଏହା ଆମ ପୂଜାର ଫଳ ବୋଲି ଭାବିନେଉ ଏବଂ ଯଦି ଦୁଃଖ ଦୂର ହୁଏ ନାହିଁ, ଆମ ଭକ୍ତିଭାବରେ କମି ଅଛି ବୋଲି ଭାବିନେଉ । ଆମର ଏହି ମାନସିକ ଦ୍ବନ୍ଦର ଭରପୁର ଫାଇଦା ଉଠାନ୍ତି କିଛି ଧୁର୍ତ୍ତ ଗୋଷ୍ଠୀ । ଆମର ଭକ୍ତି ଉନ୍ମାଦକୁ ଆହୁରି ଅଧିକ ଶାଣିତ କରିବା ପାଇଁ ସେମାନେ ଆମ ଆଗରେ ଥୋଇ ଦେଇଛନ୍ତି କେଉଁଠି ତେତିଶି କୋଟି କାଳ୍ପନିକ ଚରିତ୍ର ତ କେଉଁଠି ଚନ୍ଦ୍ରକୁ ଦୁଇ ଫାଳ କରିଥିବା କାଳ୍ପନିକ ସତ୍ତା ଆଉ କେଉଁଠି ସ୍ୱର୍ଗରୁ ଉତ୍ତରି ଆସିଥିବା ଈଶ୍ୱରପୁତ୍ର। ତା ସହ ପରସି ଦେଇଛନ୍ତି କେତେ କେତେ ଗପ, ସ୍ବର୍ଗ ସୁଖର ଲାଳସା, ହୁର ପରୀ ଆଉ ଅପ୍ସରା, ଜୀବନ ଯନ୍ତ୍ରଣାରୁ ମୁକ୍ତିର ମୋହ। ଖାଲି ସେତିକି ନୁହେଁ ଧର୍ମ କର୍ମରୁ ଦୁରେଇ ଗଲେ କିପରି ସହିବାକୁ ପଡିବ ନର୍କର ଭୟଙ୍କର ଜୀବନ।  ଗୋଟିଏ ଦିଗରେ ଭୟ ଆଉ ଅନ୍ୟ ଏକ ପଟେ ସ୍ବର୍ଗ ସୁଖର ଲାଳସା, ମଝିରେ ଜୀବନ ଯନ୍ତ୍ରଣାରେ ଛଟ ପଟ ମଣିଷ ଜୀବନ। ଏହି ଭୟଙ୍କର ଅବସ୍ଥାରେ ନିଜର ମସ୍ତିଷ୍କର ଉପଯୋଗ କରିବାକୁ ଅସମର୍ଥ ମଣିଷ ଛନ୍ଦି ଯାଏ ଧର୍ମର ଅଦୃଶ୍ୟ ଜାଲରେ। ନିଜର ସବୁ ଦୁଃଖକୁ ଭୁଲି ନିଶାଖୋର ପରି ଧର୍ମର ନିଶାରେ ଉବୁଡୁବୁ ହୁଏ ସାରା ଜୀବନ। ତାକୁ ଏ ନିଶାରୁ ବାହାର କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ କଥା ତାକୁ ବିଷ ପ୍ରାୟ ଲାଗେ। କାରଣ ସେ ଯେ ନିଶାଗ୍ରସ୍ତ। ସବୁ ବୁଝି ମଧ୍ୟ ଅବୁଝା। କିନ୍ତୁ ସବୁ ନିଶା ପରି ଏ ନିଶା ମଧ୍ୟ ଚିରସ୍ଥାୟୀ ନୁହେଁ। ଉତୁରି ଯିବ ନିଶ୍ଚୟ। କିନ୍ତୁ ଏଥିପାଇଁ ଆମର ଅବିରତ ପ୍ରୟାସ କରିବାକୁ ପଡିବ ତା ସହ ମଣିଷ ଜୀବନର ମୌଳିକ ଆଵଶ୍ୟକତାର ଅଭାବ ସବୁ ଦୂର ହେବା ଆବଶ୍ୟକ। ସମୟ କ୍ରମେ ମଣିଷ ନିଜ ଦୁଃଖ ଦୁର୍ଦାସାର ଦୂର ପାଇଁ କେବଳ ନିଜ ଉପରେ ଭରସା କରିବା ଶିଖିବ ଏକ କାଳ୍ପନିକ ସତ୍ତା ଉପରେ ନୁହେଁ। ନିଜ ସଫଳତା ପାଇଁ କିମ୍ବା ନିଜ ବିଫଳତା ପାଇଁ କେବଳ ନିଜକୁ ହିଁ ଦାୟୀ କରିବ। ଏବଂ ଏହା ମଧ୍ୟ ବୁଝିପାରିବ କି ସେ କ୍ଷଣିକ କାଳ୍ପନିକ ସୁଖ ପାଇବାକୁ ସେ ପୃଥିବୀ ପୃଷ୍ଠକୁ ଆସିନାହିଁ । ନିଜ ଜୀବନରେ, ମଣିଷ ସମାଜରେ  ଏବଂ ପୃଥିବୀ ପୃଷ୍ଠରେ ସେହି କଳ୍ପନାର ସ୍ୱର୍ଗ ପ୍ରତିଷ୍ଠା କରିବା ଦାୟିତ୍ୱ ମଧ୍ୟ ତାର।
ରାଜାଵାଳା