ସମ୍ପ୍ରଦାୟ ଏବେ ପତ୍ତନାଭିମୂଖେ

ପ୍ରତିଦିନ ପରି ଆଜିବି ଖବରକାଗଜର ପ୍ରଥମ ପୃଷ୍ଠାରେ କାହାର ଧର୍ଷଣ, କେଉଁଠି କନ୍ୟାଭ୍ରୁଣ ହତ୍ୟା ତ କେଉଁଠି ପାରିବାରିକ କଳହକୁ ନେଇ ବଧୁହତ୍ୟା । ଶେଷରେ ଆଉ ଯାହା କିଛି ସ୍ଥାନ ଖବରକାଗଜରେ ବଞ୍ଚିଛି ସେଠି ଉଲ୍ଲେଖ ଅଛି କିଛି ଦମ୍ପତିଙ୍କର ଘଟିଯାଇଥିବା ଆଇନସ୍ୱୀକୃତ ଛାଡପତ୍ର ଏବଂ ଆଉ କିଛି ଦମ୍ପତିଙ୍କ ଛାଡପତ୍ର ମୋକଦ୍ଦମାର ଶୁଣାଣି । ଏଥିରେ କୌଣସି ସମ୍ବାଦ ଦାତା କିମ୍ବା କୌଣସି ଖବରକାଗଜ ସମ୍ପାଦକଙ୍କର କୌଣସି ଭୁଲ ନାହିଁ କାରଣ ସବୁ ସ୍ଥାନ ଓ ସବୁ ସ୍ତରର ଖବର ଲୋକମାନଙ୍କ ପାଖରେ ପହଞ୍ଚାଇବା ହେଉଛି ସେମାନଙ୍କର କର୍ତ୍ତବ୍ୟ । ଦୁଃଖର କାରଣ ହେଉଛି ଆଜିକାଲି ସମାଜରେ ଉପରୋକ୍ତ ଘଟଣା ସବୁ ଏତେ ପରିମାଣରେ ଘଟୁଛି ଯେ ଅନ୍ୟ କୌଣସି ସ୍ତରର ଖବର ଅଣଦେଖା ହୋଇ ଖବରକାଗଜରେ କେଉଁଠି ଲୁଚିଯାଉଛି ।  

ସବୁ ଘଟଣା ଦୁର୍ଘଟଣାର ଅନ୍ତିମ ପର୍ଯ୍ୟାୟରେ ବଳି ପଡିଯାଉଛନ୍ତି କେବଳ ନାରୀ, କନ୍ୟା,ବଧୂ,ବାଳିକା ....ଯାହା ବି କୁହାଯାଇପାରେ ।
ଶାନ୍ତ ସୁଶୀଳ ଅପରାହ୍ନ ହଜିଗଲାପରି ଅନ୍ୟର ଲୋଭ,ଲାଳସାର ନିଶାରେ ସମାଜର ସବୁ ସ୍ତରର ନାରୀମନେ,ବଧୂମନେ,ନାବାଳିକା ଓ ଶିଶୁକନ୍ୟାମାନେ ମଧ୍ୟ ଆଜି କ୍ଳାନ୍ତ ଓ ନିରୁପାୟ । ଆଦିଶକ୍ତିଙ୍କ ତେଜରେ ତେଜିୟାନ ଥିବା ସ୍ତ୍ରୀଜାତି ଆଜି ବିରଳ ମୁହୂର୍ତ୍ତରେ ।

କେଉଁଠି ଯୌତୁକ କିମ୍ବା ଅନ୍ୟାନ୍ୟ ପାରିବାରିକ କଳହକୁ ନେଇ ବଧୂହତ୍ୟା ତ କେଉଁଠି ନାବାଳିକା ଧର୍ଷଣ, କେଉଁଠି କନ୍ୟା ଭ୍ରୁଣହତ୍ୟା ତ କେଉଁଠି ପୁଣି ଏକତରଫା ପ୍ରେମ ହେତୁ ପ୍ରେମିକାକୁ ହତ୍ୟା କିମ୍ବା ଏସିଡ ମାଡ । ସବୁଠି ନାରୀ ଜାତିର ଅଭାବନୀୟ ଚିତ୍ରପଟ । ସୃଷ୍ଟିକୁ ଯିଏ ଆଗକୁ ବଢାଇବାର କ୍ଷମତା ରଖିଛି ତାର ଯଦି ଏମିତି ଦିନକୁଦିନ ଲୋପ ହେବ ତେବେ ସୃଷ୍ଟିର ଭବିଷ୍ୟତ କଣ ?

ଆମ ପୃଥିବୀ ହେଉଛି ଈଶ୍ୱରଙ୍କ ରଚିତ ଏକ ପୁଷ୍ପ ଉଦ୍ୟାନ ଏବଂ ସେଥିରେ ପ୍ରସ୍ଫୁଟିତ ସୁଲଳିତ କୋମଳ ପୁଷ୍ପ ସମ୍ଭାର ହେଉଛନ୍ତି ସ୍ତ୍ରୀ,ବଧୂ ଓ ବାଳିକାମାନେ । ପୁଷ୍ପ ଉଦ୍ୟାନକୁ ସଯତ୍ନେ ଆଦରରେ ସୁରକ୍ଷିତ ରଖିଲେ ଉଦ୍ୟାନର ଶୋଭା ବର୍ଦ୍ଧନ ହୁଏ ମାତ୍ର ସେଗୁଡିକୁ ବୃନ୍ତଚ୍ୟୁତ କରି  ଖିନଭିନ କରିବା ଆସୁରିକ ପ୍ରବୃତ୍ତିର ପରିଚାୟକ ।

ସଂସାରରେ ସମସ୍ତଙ୍କ ମାନ ରଖୁଥିବା ଏହି ସ୍ତ୍ରୀଜାତି ଆଜି ନିଜ ଅପମାନର ବୋଝ ସମ୍ଭାଳିନପାରି କରୁଛନ୍ତି ଆତ୍ମଦାହ । ଏଇଟା ପୁରାପୁରି ଠିକ ଯେ ଯେଉଁଠାରେ କନ୍ୟାରତ୍ନଟିଏ ନଥାଏ  ସେଠି ସତ୍ୟ ଓ ନ୍ୟାୟର ବି ଜ୍ଞାନ ନଥାଏ । କିଛି ବିଶ୍ଳେଷଣ କରିବାପୁର୍ବରୁ ଜାଣିରଖିବାକୁ ହେବ କିଛି ନିରାଟ ସତ୍ୟ । ଯାହା ଆରମ୍ଭ ହୁଏ ବଧୂଙ୍କଠାରୁ ।

ଭାରତ ସମ୍ବିଧାନରେ ଧାରା ୨୧ ସମସ୍ତ ଭାରତୀୟ ନାଗରିକଙ୍କୁ ସ୍ୱାଧୀନ ଭାବରେ ବଞ୍ଚିବାର ଅଧିକାର ପ୍ରଦାନ କରିଛି । ଏଠି ଅଧିକାର ବିଷୟରେ କହିବାର ତାତ୍ପର୍ଯ୍ୟ , ଝିଅଟିଏ ..... ଯେତେବେଳେ ସେ ନିଜ ଘରକୁ ସଜାଡି ସାରି ଅନ୍ୟ ଘରକୁ ସଜାଡ଼ିବାପାଇଁ ନିଜ ରକ୍ତସମ୍ପର୍କକୁ ଭୁଲି ଅନ୍ୟ ଘରକୁ ସବୁଦିନପାଇଁ ଅପଣେଇନେଇଥାଏ , ବିବାହ ବନ୍ଧନରେ ବାନ୍ଧିହେଇ ପରଘରେ ପାଦଦିଏ ସେତେବେଳେ ଅନେକ ଅସରନ୍ତି ଆଶା ଓ ଭରସା ନେଇ ସେ ଆସିଥାଏ । ସେ ସେତେବେଳେ ଶାଶୂଘରର କାହା ଉପରେ ବି ନିଜର ବିଚାରକୁ ଜାହିର ନକରି କେବଳ ମାଆ ବଦଳରେ ମାଆଟିଏ ଆଉ ନିଜ ପରିବାରର ସ୍ନେହ ପରି ସ୍ନେହ ଟିକେ ଖୋଜିଥାଏ । କିନ୍ତୁ ଏସବୁ ବଦଳରେ ତାକୁ ମିଳେ କ'ଣ ? ହତ୍ୟା ନହେଲେ ଶାରୀରିକ କିମ୍ବା ମାନସିକ ନିର୍ଯାତନା । ହଁ ଏବେ ଆଉ ଏକ ପନ୍ଥା ବି ବାହାରିଲାଣି ଛାଡପତ୍ର । ଏସବୁ ପଛରେ ବି ସେଇ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ କେତେବେଳେ ଶାଶୂ ରୂପରେ ତ ପୁଣି କେତେବେଳେ ନଣନ୍ଦ ରୂପରେ ।
ସବୁବେଳେ ଟିଭି, ରେଡ଼ିଓ ଏବଂ ଖବରକାଗଜରେ ପୁଅ ବୋହୁମାନେ ଶାଶୂ ସ୍ୱସୁରଙ୍କୁ ବୃଦ୍ଧବସ୍ଥାରେ କଷ୍ଟ ଦିଅନ୍ତି ବୋଲି ଉଲ୍ଲେଖ ହେଇଥାଏ କିନ୍ତୁ ସେଇ ଘଟଣାର ପୂର୍ବାବସ୍ଥା ଯେ କେତେ ଭୟଙ୍କର ଥାଏ ସେକଥା କାହାର ଦୃଷ୍ଟିଗୋଚର ହେଇନଥାଏ ।
ସବୁ ବଧୂମାନେ ନିଜ ସଂସାରକୁ ଖୁସିରେ ଆଗକୁ ନେବାକୁ ଆଶା ପୋଷଣ କରିଥାନ୍ତି । ନିଜ ଘରେ ନିଜ ସ୍ୱାମୀ ଓ ଶାଶୂ,ସ୍ୱସୁର ଏବଂ ଅନ୍ୟାନ୍ୟ ସମସ୍ତ ପରିବାରଙ୍କ ସହିତ ଖୁସିରେ ରହିବାକୁ ଚାହିଁଥାନ୍ତି।
ହେଲେ ନବବଧୂଟିଏ ନୂଆ କରି ଶାଶୂଘରେ ପାଦ ଦେଲାକ୍ଷଣି ଶାଶୁମାନଙ୍କ ମନରେ ନିଜ ପୁତ୍ରକୁ ହରାଇବାର ଭୟ ଜାତହୁଏ । ସେଥିପାଇଁ ସେମାନେ ନବବଧୂମାନଙ୍କୁ ନିଜ ଇସାରାରେ ନଚାଇବାକୁ ଚେଷ୍ଟା କରନ୍ତି । ବଧୂମାନଙ୍କର ସମସ୍ତ ଅଧିକାର ମଧ୍ୟ ସେ ଛଡାଇ ନିଆନ୍ତି । ନିଜ ପସନ୍ଦରେ ,ନିଜ ଢାଞ୍ଚାରେ ସେମାନେ ନବବଧୂମାନଙ୍କୁ ପରିଚାଳନା କରିବାକୁ ଚେଷ୍ଟା କରନ୍ତି । ନିଜଠାରୁ ନିଜ ବଧୂମାନଙ୍କୁ ଅଧିକ ପାରଙ୍ଗମ ଦେଖି ଖୁସି ହେବା ପରିବର୍ତ୍ତେ ସେମାନେ ଇର୍ଷା କରିବାରେ ଲାଗନ୍ତି । ଶାଶୂଘରେ ସ୍ୱାଧୀନ ଭାବରେ ବଞ୍ଚିବାର ସବୁ ଅଧିକାର ସେମାନେ ବଧୁଙ୍କଠାରୁ ଛଡାଇନିଆନ୍ତି । ନିଜର ପ୍ରାଧାନ୍ୟକୁ ସୁରକ୍ଷିତ କରିବା ପ୍ରୟାସରେ ସେ ମାଆରୁ ପାଲଟିଯାନ୍ତି ମନ୍ଥରା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ,ମତାନ୍ତର ସୃଷ୍ଟି କରିବାପାଇଁ ମଧ୍ୟ ପଛାନ୍ତିନାହିଁ । କିଛି ପୁଅମାନେ ସେତେବେଳେ ସତ୍ୟ ଓ ନ୍ୟାୟର ପଟ ନେଇ ଏସବୁକୁ ବରୋଧ କରି ଖରାପ ପୁଅ ବା ସ୍ତ୍ରୀ ବୁଦ୍ଧିଆ ବୋଲି ଆଖ୍ୟା ପାଆନ୍ତି ଆଉ କିଛି ପୁଅମାନେ ମାଆମାନଙ୍କର ଆଜ୍ଞାଧୀନ ପୁତ୍ର ସାଜିବାକୁ ଯାଇ ନିଜ ହାତରେ ନିଜ ଘରକୁ ଭାଙ୍ଗି ଅଗ୍ନିକୁ ସାକ୍ଷୀ ମାନି ସାତ ଜନ୍ମ ପାଇଁ ସାଥିରେ ରହିବାକୁ ସଂକଳ୍ପ କରିଥିବା ନିଜ ସ୍ତ୍ରୀମାନଙ୍କୁ  ଛାଡପତ୍ର ଦିଅନ୍ତି । ଆଉକିଛି ପୁଅମାନେ ମଧ୍ୟ ସ୍ଥିତପ୍ରଜ୍ଞର ମୁକୁଟ ପିନ୍ଧିବା ଆଳରେ ବଧୂମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦେଖି ନଦେଖିବାର ଅଭିନୟ କରନ୍ତି । ଆଜିକାଲି ବଧୂ ନିର୍ଯାତନାର ଅବରୋଧ ପାଇଁ ବହୁତ ଆଇନ କାନୁନ , ମହିଳା ସୁରକ୍ଷା ସଂଘ ବାହାରିଲାଣି । ସେହି କାର୍ଯ୍ୟଧାରାକୁ ଆଖିଆଗରେ ରଖି ଶାଶୂଘର ଲୋକମାନେ ଆଉ ବିଶେଷ ଶାରୀରିକ ନିର୍ଯାତନା ନଦେଇ ମାନସିକ ନିର୍ଯାତନା ଦେବାରେ ଲାଗିପଡିଛନ୍ତି । ଶାରୀରିକ ନିର୍ଯାତନାରେ ଦେହର କ୍ଷତାକ୍ତ ଅନ୍ୟକୁ ଦେଖାଇ ହେବ କିନ୍ତୁ ମାନସିକ ନିର୍ଯାତନାରେ କ୍ଷତ ମନରେ ହୁଏ ଯାହା କାହାକୁ ଦେଖାଇହୁଏନି । ଶାଶୂଘରଲୋକଙ୍କ ଛଳନା ଭରା ଭଲପାଇବା ସାମ୍ନାରେ  ମନର କ୍ଷତ ସବୁ ଲୋକଲୋଚନକୁ ଆସିବାରେ ବିଫଳ ହୁଏ । ଫଳରେ ମାନସିକ ଯନ୍ତ୍ରଣା ସହିନପାରି ନିର୍ଯାତିତା ଧୀରେ ଧୀରେ ତାଙ୍କ ମାନସିକ ଭାରସାମ୍ୟ ହରାଇବସନ୍ତି । କିଛି ବଧୂମାନେ ମଧ୍ୟ ନିଜକୁ ଏହି ମାନସିକ ଯନ୍ତ୍ରଣାରୁ ଉଦ୍ଧାର କରିବାପାଇଁ ଆତ୍ମହତ୍ୟା ଭଳି ଜଘନ୍ୟ ପଦକ୍ଷେପ ନିଅନ୍ତି ଆଉ କିଛି ବଧୂମାନେ କିଛି ଉପାୟ ନପାଇ ନିଜ ସ୍ୱାମୀଙ୍କ ସହିତ ଯୌଥ ପରିବାରରୁ ଦୁରେଇ ରୁହନ୍ତି । ଆଉ କିଛି ବଧୂ ଶାଶୂଘରକୁ ନିଜର କର୍ମଭୂମି ମାନିନେଇ ସବୁ ଦୁଃଖ କଷ୍ଟ ସହିଯାନ୍ତି । ଏହା ଫଳରେ ଶାଶୂ ଶ୍ୱଶୁର ମାନଙ୍କପ୍ରତି ବଧୂମାନଙ୍କ ମନରେ ଥିବା ସମ୍ମାନ ଓ ଭଲପାଇବା ଧୀରେ ଧୀରେ ଘୃଣାରେ ପରିଣତ ହେଇଯାଏ ଯାହାର ପରିଣାମ ସ୍ୱରୂପ ଶାଶୂ ଶ୍ୱଶୁରମାନଙ୍କୁ ନିଜର ବୃଦ୍ଧବସ୍ଥାରେ ଭୋଗିବାକୁ ପଡେ । ହଁ ବୃଦ୍ଧବସ୍ଥାରେ ଶାଶୂ ଶ୍ୱଶୁରଙ୍କ ପରି ଗୁରୁଜନ ମାନଙ୍କୁ କଷ୍ଟ ଦେବା ଓ ସେମାନଙ୍କ ଠାରୁ ଦୁରେଇଯିବା ସମ୍ପୂର୍ଣ ଭୁଲ ଏବଂ ନିୟମ ବିରୁଦ୍ଧରେ । ଏଥିପାଇଁ ଦଣ୍ଡବିଧାନ ରହିବା ଆବଶ୍ୟକ କିନ୍ତୁ ନବବଧୂମାନଙ୍କର ସରଳ ମନକୁ ବୁଝି ସେମାନଙ୍କୁ ନିଜ ଢଙ୍ଗରେ ବଂଚିବାକୁଦେବା ସବୁ ଶାଶୂ ସ୍ୱସୁରଙ୍କର ମଧ୍ୟ ଏକ ପ୍ରଧାନ କର୍ତ୍ତବ୍ୟ ।  
ଗୋଟେ ମାଆ ଯେତେବେଳେ ଘରର ଜ୍ୱାଇଁକୁ ନିଜ ପୁଅଭଳି ମାନିନେଇ ତାର ଆଦର ଯତ୍ନ କରନ୍ତି ସେତେବେଳେ ସେଇ ମାଆ ଗୋଟେ ବଧୂକୁ କାହିଁକି ଏତେ ନିର୍ଯାତନା ଦିଅନ୍ତି । ଯୌତୁକ ଲୋଭରେ ନିଜ ପୁତ୍ରବଧୂକୁ ନିର୍ମମ ଭାବରେ ହତ୍ୟା କରନ୍ତି କିମ୍ବା କିଛି ନା କିଛି ଆଳରେ ଘରୁ ବହାରକରିଦିଆନ୍ତି । ଶାଶୂ ଓ ନଣନ୍ଦ ମାନେ ଭୁଲିଯାନ୍ତି ଯେ ସେମାନେ ବି ଜଣେ ଜଣେ ନାରୀ । ଏହିପରି ଘଟଣା ଦେଖି କନ୍ୟା ମାନଙ୍କ ପିତା ମାତା ମାନେ ଶାଶୂ ଏବଂ ନଣନ୍ଦ ଥିବା ଘରକୁ ଝିଅ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ବଡ ବଡ ନେତା ମନ୍ତ୍ରୀ ମାନଙ୍କ ଘରେ ବି ଏହିଭଳି ଘଟଣା ସବୁ ଘଟିଚାଲୁଛି । କିଛିଲୋକ ମଧ୍ୟ ଯୌତୁକ ସମସ୍ୟା ବା ଶାଶୂଘରେ ହେଉଥିବା ନିର୍ଯାତନାର ଭୟରେ ନିଜର କନ୍ୟା ସନ୍ତାନ ହେବାର ସୂଚନା ଜାଣି ତାଙ୍କୁ ଭୃଣରୁ ହିଁ ହତ୍ୟା କରିଦେଉଛନ୍ତି । କିନ୍ତୁ ଏହାର ସମାଧାନ ଆମ ନିଜ ହାତରେ ଅଛି । ଆମେ ଯଦି ସଚେତନ ନହେବା ତେବେ ସ୍ତ୍ରୀ ଜାତି ରୁ କିଛି ଏହିପରି ଭାବେ ଲୋପ ହେଇଯିବେ ।

କିଛି କନ୍ୟା ମଧ୍ୟ ଜନ୍ମ ହେବା ପୂର୍ବରୁ କନ୍ୟା ହେତୁ ମୃତ୍ଯୁଦଣ୍ଡ ପାଉଛନ୍ତି । ନିଜେ କନ୍ୟା ହେଇ ମଧ୍ୟ କିଛି ନାରୀମାନେ ପୁତ୍ର ସନ୍ତାନର ଲାଳସାରେ ନିଜ କନ୍ୟାଙ୍କୁ ଭ୍ରୁଣରୁ ହିଁ ମାରିଦେଉଛନ୍ତି । କନ୍ୟା ସନ୍ତାନ ଜନ୍ମ ଦେଇଥିବା ହେତୁ ମଧ୍ୟ କିଛି ବଧୂମାନେ ସ୍ୱସୁରାଳୟରେ ନିର୍ଯାତିତ ହେଉଛନ୍ତି। ଏହିପରି ମଧ୍ୟ କିଛି କନ୍ୟା ଭୃଣରୁ ହିଁ ଲୋପ ପାଇଯାଉଛନ୍ତି ।

ବାକି ରହିଲେ କିଛି ନାବାଳିକା ଯେଉଁମାନେ କି ନିର୍ମମ ଭାବରେ ଧର୍ଷିତ ହେଉଛନ୍ତି । ପ୍ରତିଦିନ କେହି ନା କେହି କୋଉଠି ନା କୋଉଠି । ବାଳିକାମନେ ଧୀରେ ଧୀରେ ପାଠପଢିବାକୁ ଯିବାପାଇଁ ମଧ୍ୟ ଭୟଭୀତ ହେଲେଣି । ନିରାପଦରେ ବାହାରକୁ ବାହାରିବା ଭଳି ଅଧିକାର ସେମାନଙ୍କଠାରୁ ଛଡେଇନିଆଯାଉଛି । କିଛି କଦର୍ଯ୍ୟ କୁସଂସ୍କାରି ବ୍ୟଭିଚାରୀ ପୁରୁଷଙ୍କ ଶିକାର କବଳରୁ ନିଜକୁ ରକ୍ଷା କରିନପାରି କିଛି ନାବାଳିକା ହରାଉଛନ୍ତି ନିଜର ବହୁମୂଲ୍ୟ ଜୀବନ । ମାସ ମାସ ଧରି ସେହି ନିରୀହ ନାବାଳିକାମାନେ କେତେକ ଲମ୍ଫଟ ପୁରୁଷଙ୍କ ଦ୍ୱାରା ଧର୍ଷିତ ହେଇ କୋମାକୁ ଚାଲିଯାଉଛନ୍ତି କିମ୍ବା ମୃତ୍ୟୁର ଶିକାର ହେଉଛନ୍ତି । ଏହିପରି ରୂପେ କିଛି କନ୍ୟାଙ୍କର ପରିସମାପ୍ତି ଘଟୁଛି । ବାକି କିଛି
ପ୍ରେମିକା ରୂପରେ ଏକତରଫା ପ୍ରେମ କରୁଥିବା ପ୍ରେମିକର ଏସିଡି ମାଡ କିମ୍ବା ଅତ୍ୟାଚାରରେ ମୃତ୍ୟୁବରଣ କରିଛନ୍ତି ।

ଏହିଭଳି ବିଭିନ୍ନ କୁମାଧ୍ୟମରେ କେବଳ ସ୍ତ୍ରୀ ଜାତି ହିଁ ଲୋପ ହେଉଛନ୍ତି । ଏହିପରି ଯଦି ଲାଗିରହିବ ତେବେ ଖୁବ କମ ଦିନରେ ସମାଜରୁ ସବୁ ସ୍ତ୍ରୀ ଜାତି ଧ୍ବଂସ ପାଇଯିବେ । ସୃଷ୍ଟି ଆଗକୁ ବଢ଼ିପାରିବନାହିଁ । ସମାଜରେ କେବଳ ପୁରୁଷ ହିଁ ରହିଯିବେ । ତେବେ ଯେଉଁ ସ୍ତ୍ରୀ ଜାତି ଆମପାଇଁ ଖାଦ୍ୟ ରାନ୍ଧୁଛନ୍ତି,ଆମର ସବୁ କାର୍ଯ୍ୟରେ ସାହାଯ୍ୟର ହାତ ବଢ଼ାଉଛନ୍ତି, ଆମର ସଂସାରକୁ ପରିଚାଳନା କରୁଛନ୍ତି ସେଇ ସ୍ତ୍ରୀ ଜାତିଙ୍କୁ ଯଦି ଆମେ ବିଭିନ୍ନ କୁ ମାଧ୍ୟମରେ ଏହିପରି ବିଲୁପ୍ତ କରିଦେବା ତେବେ ସୃଷ୍ଟି କେମିତି ଚାଲିବ ଏବଂ କାହାପାଇଁ ଚାଲିବ ।

ତେବେ ସବୁ ଶାଶୂମାନଙ୍କୁ ଅନୁରୋଧ ନିଜ ପୁତ୍ରବଧୁଙ୍କୁ ନିଜ ଝିଅପରି ବ୍ୟବହାର କରନ୍ତୁ,ସେମାନଙ୍କୁ ସ୍ୱାଧୀନ ଭାବରେ ବଞ୍ଚିବାକୁ ଦିଅନ୍ତୁ,ସବୁ ପୁରୁଷମାନଙ୍କୁ ଅନୁରୋଧ ନିଜ ସ୍ତ୍ରୀଙ୍କୁ ଛାଡି ସମସ୍ତ ନାରୀ ଜାତିଙ୍କୁ ମାଆ ଏବଂ ଭଉଣୀ ପରି ସମ୍ମାନ ଏବଂ ସୁରକ୍ଷା ପ୍ରଦାନ କରନ୍ତୁ ଏବଂ ସବୁ ସ୍ତ୍ରୀମାନଙ୍କୁ ଅନୁରୋଧ ଦୟାକରି କନ୍ୟାଭ୍ରୁଣ ହତ୍ୟା କରନ୍ତୁନାହିଁ । ଈଶ୍ୱରଙ୍କ ସୃଷ୍ଟିକୁ ଅସମ୍ମାନ କରନ୍ତୁନାହିଁ ।
କିଛି ଶାଶୂମାନେ ଦେବୀଙ୍କ ପରି । ବଧୂ ଏବଂ ଝିଅ ଭିତରେ କିଛି ପାର୍ଥକ୍ୟ ଦେଖନ୍ତିନାହିଁ । ଅନ୍ତରରୁ ସେମାନେ ଖୁବ ଭଲ ବ୍ୟବହାର ଦେଖାନ୍ତି ନିଜ ବଧୁଙ୍କୁ । ସ୍ନେହ ପ୍ରେମରେ ଉଣା କରନ୍ତିନାହିଁ । କିଛି ପୁରୁଷ ବି ଦେବତା ତୁଲ୍ୟ । ସ୍ତ୍ରୀ ଜାତିଙ୍କୁ ଦେବୀଙ୍କ ପରି ସମ୍ମାନ କରନ୍ତି । କିଛି ପରିବାର ମଧ୍ୟ କନ୍ୟା ସନ୍ତାନକୁ ଖୁବ ସହଜରେ ବିନା କିଛି ଦ୍ଵିଧାରେ ଅପଣେଇନିଅନ୍ତି ଈଶ୍ୱରଙ୍କ ବରଦାନ ଭାବି । ସେମିତି ସ୍ୱଭାବର ସମସ୍ତଙ୍କୁ ମୋର ସାଦର ପ୍ରଣାମ । ଆମେ ସମସ୍ତେ ପ୍ରଥମେ ନିଜକୁ ବଦଳେଇବା ଆବଶ୍ୟକ । ନିଜର ଇଚ୍ଛାକୁ ଅନ୍ୟ ଉପରେ ନଢାଳି ସମସ୍ତଙ୍କୁ ନିଜ ନିଜ ହିସାବରେ ବଞ୍ଚିବାକୁ ଦେବା ଆବଶ୍ୟକ । ଅନ୍ୟମାନେ ଦେଖିଥିବା ଛୋଟ ଛୋଟ ସ୍ୱପ୍ନକୁ ଇର୍ଷାରେ ନଭାଙ୍ଗି ନିଜ ସ୍ୱପ୍ନକୁ ସାକାର କରିବାପାଇଁ ସେମାନଙ୍କୁ ଉତ୍ସାହ ଦେବା ଆବଶ୍ୟକ । ଆମେ କାହାର କ୍ଷତିକୁ ଭରଣ କରିପାରିବା ନାହିଁ କି କାହାକୁ ଜୀବନ ଦେଇପାରିବା ନାହିଁ ସେଥିପାଇଁ କାହାର କ୍ଷତି କରିବା କିମ୍ବା କାହାର ଜୀବନ ନେବାପାଇଁ ଆମର କୌଣସି ଅଧିକାର ନାହିଁ ।

                                   ବସୁଦେଵଃ କୁଟୁମ୍ବକମ
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀନଗର, ମଧୁପାଟଣା
କଟକ-୭୫୩୦୧୦
Email-roja.saumya@gmail.com


  Never miss a story from us, get weekly updates in your inbox.