ଗାଆଁ ଗାଆଁରେ ମଦ୍ଯ

ଗାଆଁ ଗାଆଁରେ ମଦ୍ୟ
=============
ଉପକ୍ରମ:
ଏକ ଜନମଙ୍ଗଳକାରୀ ରାଜ୍ୟରେ ଜନତାର ମଙ୍ଗଳ ପାଇଁଁ ସରକାର ସର୍ବଦା କାର୍ଯ୍ୟରତ ରହିବା ଆବଶ୍ୟକ ଓ ସେଥିପାଇଁ ଆବଶ୍ୟକ ସ୍ଥଳେ ଆଇନ୍ ବି ପ୍ରଣୟନ କରିବା ଆବଶ୍ୟକ। ଆଜି କେବଳ ସହରରେ ନୁହେଁ ଗାଆଁଗଣ୍ଡାରେ ମଦ୍ୟର ପ୍ରସାର ବହୁଳ ଭାବେ ଦେଖିବାକୁ ମିଳୁଛି। ବର୍ତ୍ତମାନର ଯୁବକ ମଦ୍ୟପାନ କରି ବିପଥଗାମୀ ହେଉଛନ୍ତି। ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକମାନେ ମଧ୍ୟ ମଦ୍ୟପାନରେ ଆଶକ୍ତ ହୋଇ ପରିବାର ଭରଣ ପୋଷଣ କରିବାରେ ଅସମର୍ଥ ହେଉଛି। ନିଶାଶକ୍ତ ସ୍ୱାମୀ ଅନେକ ସମୟରେ ନିଜ ସ୍ତ୍ରୀକୁ ଅଶାଳୀନ ବ୍ୟବହାର ଓ ମାଡପିଟ୍ କରିବାର ଘଟଣାମାନ ଘଟୁଛି।
ଏକ ଜନମଙ୍ଗଳକାରୀ ରାଜ୍ୟ ରୂପେ ଆମ ରାଜ୍ୟ ଓଡିଶା ମଧ୍ୟ ମଦ୍ୟପାନ ବନ୍ଦ କରିବା ପାଇଁ ଉପଯୁକ୍ତ ଆଇନ୍ ପ୍ରଣୟନ କରିବା ଦରକାର। ମାତ୍ର ବର୍ତ୍ତମାନର ସରକାର ସରକରୀ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ମଦ୍ୟ ବନ୍ଦ କରିବା ପରିବର୍ତ୍ତେ ଗାଆଁ ଗହଳିରେ ବି ଏହାର ପ୍ରସାର କରି ଚାଲିଛନ୍ତି।


ବିହାର ଭଳି ଏକ ବୃହତ୍ ରାଜ୍ୟରେ ସରକାର ନିଶା ବନ୍ଦ କରିବାକୁ ଆଇନ୍ କରିଥିବା ବେଳେ ଆମ ରାଜ୍ୟରେ ଏହା କାହିଁକି କରାଯାଉ ନାହିଁ ?
ଏହି ପରିପ୍ରକ୍ଷୀରେ ଜନ ସଚେତନତା ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ନିମ୍ନରେ ପ୍ରଦତ୍ତ ଏହି କବିତା ।


ଗାଆଁରେ ଗାଆଁରେ ମଦ୍ୟ
==============
ବିଲାତି ହେଉ ,ବା ମହୁଲି ,ହାଣ୍ଡିଆ ,ଚାଉଳି ।                                      ସନ୍ଧ୍ୟାବେଳେ ଟିକେ ପେଟକୁ ନଗଲେ
ମନଟା ହୁଅଇ ବାଉଳି ॥୧॥


ଗାଆଁ ଗହଳିରେ ଆଜିକାଲି ସବୁ ମିଳୁଛି ।
ସରକାର  ଆମ  ମନକଥା  ଜାଣି
ସମସ୍ତ ବ୍ୟବସ୍ଥା କରିଛି ॥୨॥


ଗାଆଁ ମାନଙ୍କରେ ବିଦେଶୀ ମଦର ଚଳଣି ।
ଆଜିକାଲି  ବିଭାଘର  ଭୋଜିଭାତେ
ନିହାତି ଜରୁରୀ ହେଲାଣି ॥୩॥       

 
ଦିନସାରା କାମ କରି ମିଳେ ଯେଉଁ ମଜୁରି,
ସନ୍ଧ୍ୟାରେ ତହିଁରୁ ମଦ୍ୟପାନ କରି
ଅଧାଅଧି  ଯାଏ  ବାହାରି ॥୪॥   

           
ନାଲିପାଣି(ମଦ) ବିନା ଦେହରୁ କି ଦର୍ଜ କମିବ ?
ନିଜ ଦେହମୁଣ୍ଡ  ନଦେଖି କିଏ,ସେ
ପିଲାଛୁଆ  କଥା  ବୁଝିବ ?॥୫॥   

     
ସରକାରଙ୍କୁ ,ତ ଭଲ ଦି, ପଇସା  ମିଳୁଛି।
ଅନ୍ୟ କିଛି କାମ ହେଉ,ବା ନହେଉ
ମଦର  ବିକାଶ  ହେଉଛି ॥୬॥      

   
କେତେଦିନ ଯାଏ ସରକାର ଚେଇଁ ଶୋଇବ ?
ଜନତା ଏ କଥା ମୁଣ୍ଡକୁ ନ ନେଲେ
ଗାଆଁ ଶାନ୍ତି ନଷ୍ଟ ହୋଇବ॥୭॥
******

  Never miss a story from us, get weekly updates in your inbox.