ସୃଜିଅଛ ପ୍ରଭୁ ଏ ଜଗତେ ତୁମେ
ପ୍ରାଣୀ ସହିତ ଉଦ୍ଭିଦ
କାହିଁକି କରିଲ ପାତର ଅନ୍ତର
ରଖିଛ ଏତେ ପ୍ରଭେଦ
॥୧॥
ଜୀବ ଜଗତକୁ ଦେଇ ମୁଁ ଚାଲିଛି
ଦାନା କନା ବାସଗୃହ
ତଥାପି କାହିଁକି ନିର୍ଦୟ ସେ ଏତେ
ନାହିଁ ମୋ ପ୍ରତି ତା ମୋହ
॥୨॥
କାହାରି ଉପରେ ଖାଦ୍ୟ ପେୟ ପାଇଁ
କରି ନାହିଁ ତ ନିର୍ଭର
ତଥାପି ମୋ ପ୍ରତି କାହିଁକି ମଣିଷ
ହେଉଛି ଏତେ ନିର୍ଦୟ
॥୩॥
ଚାଲି ବୁଲି ପାରେ ନାହିଁ କିମ୍ବା କରି
ପାରେନାହିଁ ପ୍ରତିରୋଧ
ଯେତେ ଦୃଢ ହୋଇଥିଲେ ବି ମଣିଷ
ଅକାଳେ କରେ ମୋ ଛେଦ
॥୪॥
ମୋ ପାଇଁ ପ୍ରକୃତି ସବୁଜ ସୁନ୍ଦର
ସୁଷମା ମଣ୍ଡିତ ହୁଏ
ପରିବେଶ ସଦା ରହେ ସନ୍ତୁଳିତ
ତାପମାତ୍ରା ଠିକ୍ ରହେ
॥୫॥
ମୋ ପାଇଁ ବରଷା ହୁଅଇ ଧରାରେ
ନରହେ ଅକାଳ ଭୟ
ବାୟୁ ମଣ୍ଡଳରେ ଅମ୍ଳଜାନ ଅଂଶ
ରହିଥାଏ ସଦା ଥୟ
॥୬॥
ପ୍ରଦାନ କରେ ମୁଁ ଛାୟା ପଥିକକୁ
ଦିଏ ଫଳ ଖାଇବାକୁ
ମୋ ଦାନର କଣ ଏହି ପ୍ରତିଦାନ
ଅସମୟେ ମରିବାକୁ
॥୭॥
ଚାରିଆଡେ ଆଜି କଂକ୍ରୀଟ ଜଙ୍ଗଲ
ଦିଶେନି ବାଡି ବଗିଚା
ଶ୍ରୀହୀନ ହେଲାଣି ବଣ ଓ ପାହାଡ
ପଶୁ ପକ୍ଷୀ ହଟହଟା
॥୮॥
ତୁମ ଏ ସୃଷ୍ଟିରେ ଏକି ଅବିଚାର
କିଆଁ ପାତର ଅନ୍ତର
ବୃକ୍ଷ ଲତାଙ୍କର ବଞ୍ଚିବା ପାଇଁକି
ଦେଇନକି ଅଧିକାର ?
॥୯॥
ଏତେ ଅବିଚାର କାହିଁକି ସହିବ
ଆଜି ଏ ଉଦ୍ଭିଦ ବଂଶ
ମୂଳୁ ନରହିବା ବରଂ ବାଞ୍ଛନୀୟ
ରହିକି ଏ କେଉଁ ଯଶ
॥୧୦॥
ବଞ୍ଚିବାର ଯହିଁ ନାହିଁ ଅଧିକାର
ଜନ୍ମ ନେଇ କଣ ଲାଭ
ଜାଣୁ ପ୍ରାଣୀ କୁଳ ଅସୁବିଧା କଣ
ନରଖିଲେ ମିତ୍ର ଭାବ
॥୧୧॥
ଏତିକି ସଦ୍‐ବୁଦ୍ଧି ଦିଅ ଆହେ ପ୍ରଭୁ
ଏହି ପ୍ରାଣୀ ଜଗତକୁ
ଉଦ୍ଭିଦ ବଞ୍ଚାଇ ସୁରକ୍ଷିତ ରହୁ
ଦୂର କର ବିପଦକୁ
॥୧୨॥
******
#smblogcontest