ଅଗଷ୍ଟ ୧୫ ତାରିଖ ୨୦୧୬ ମସିହା॰॰ ସେଦିନ ଥାଏ ଶ୍ରାବଣ ମାସର ଶେଷ ସୋମବାର । ଏକ ଧାର୍ମିକ ସମ୍ମିଳନୀରେ ଯିବାର ସୁଯୋଗ ମିଳିଲା ଜାଗୁଳିପାଟଣା । ଖୋର୍ଦ୍ଧା ଜିଲ୍ଲାର ଛୋଟ ଗାଁ ଟିଏ । ଖୋର୍ଦ୍ଧା ସହର ଠାରୁ ମାତ୍ର ୬ କିଲୋମିଟର ଦୂର । ପୂର୍ଣ୍ଣ ବିଗ୍ରହ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ ଏହି ସ୍ଥାନଟି । ଜଗନ୍ନାଥଙ୍କ ବିଗ୍ରହରେ ହାତ ପାଦ ଦୃଶ୍ୟ ହୁଏ ନାହିଁ ଏହା ଆମେ ସମସ୍ତେ ଜାଣିଛେ, କିନ୍ତୁ ଜାଗୁଳିପାଟଣାରେ ପୂର୍ଣ୍ଣ ବିଗ୍ରହ॰॰ ଶ୍ରୀଜଗନ୍ନାଥଙ୍କର ସଂପୂର୍ଣ୍ଣ କଳେବର । ବିଶିଷ୍ଟ ସାହିତ୍ୟିକ ଗୌରୀଶଙ୍କର ବ୍ରହ୍ମାଙ୍କର ଏକ ଲେଖାରେ ପଢିଥିଲି, ଓଡିଶାର ଜଗନ୍ନାଥ ସଂସ୍କୃତିରେ ଦୁଇଗୋଟି ବିରଳ ଜଗନ୍ନାଥ ବିଗ୍ରହ ସମ୍ପର୍କରେ ଗୋଟିଏ ହେଉଛି ଗଞ୍ଜାମ ଜିଲ୍ଲାର ଆସିକାରେ ଥିବା ସବୁଠାରୁ ଉଚ୍ଚତମ ଜଗନ୍ନାଥଙ୍କ ବିଗ୍ରହ ଏବଂ ଅନ୍ୟଟି ହେଉଛି ଜାଗୁଳିପାଟଣାରେ ବିରାଜିତ ପୂର୍ଣ୍ଣ ବିଗ୍ରହ ଜଗନ୍ନାଥ ବଳଭଦ୍ର ଏବଂ ଶୁଭଦ୍ରା । ଅନେକବାର ସେହି ରାସ୍ତା ଦେଇ ଆଗକୁ ଯାଇଛି କିନ୍ତୁ କେବେ ଦର୍ଶନ କରିନଥିଲି ଶ୍ରୀଜଗନ୍ନାଥଙ୍କର ଏହି ବିଶେଷ ରୂପକୁ । ତେଣୁ ସୁଯୋଗକୁ ହାତଛଡା ନକରି କିଛି ଜଗନ୍ନାଥପ୍ରେମୀଙ୍କ ଗହଣରେ ପହଞ୍ଚିଲି ଜାଗୁଳିପାଟଣାରେ ।ଜନପଦ ନିକଟବର୍ତ୍ତୀ ଖୁବ ଶାନ୍ତ ମନୋରମ ପରିବେଶ । ଆଖି ମୋର ତୃପ୍ତ ହୋଇଗଲା॰॰ ମନ ପବିତ୍ର ହୋଇଗଲା । ଜାଗୁଳିପାଟଣାର ଏହି ଆପାଦ ମସ୍ତକ ପୂର୍ଣ୍ଣ ବିଗ୍ରହ ଖୁବ ଆକର୍ଷଣୀୟ । ହାତ ପାଦ ନଥିବା ଜଗନ୍ନାଥଙ୍କ ରୂପ ଏଠାରେ କେମିତି ପୂର୍ଣ୍ଣତା ଲାଭ କରିଛି ଏହାର ତଥ୍ୟ ପ୍ରାପ୍ତି ନିମନ୍ତେ ମୋ ମନରେ ଅନେକ କୌତୁହଳ ସୃଷ୍ଟି ହେବାକୁ ଲାଗିଲା । ସେଠାରେ ଦୀର୍ଘ ତିନି ଘଣ୍ଟାର ରହଣି ମଧ୍ୟରେ ମୋ କ୍ୟାମେରାରେ କିଛି ଫଟୋ ଉତ୍ତୋଳନ କରିବା ସହ ଆପଣ ମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାପାଇଁ ଅନେକ ଗୁଡିଏ ତଥ୍ୟ ମୋର ହସ୍ତଗତ ହେଲା ।
ଇତିହାସ, କିମ୍ବଦନ୍ତୀ ଓ ଜନଶ୍ରୁତି ଆଧାରରେ କୁହାଯାଏ॰॰ ପ୍ରାଚୀନ ଓଡିଶାର ଗଜପତି ରାଜା ଦ୍ଵିତୀୟ ଦିବ୍ୟସିଂହଦେବ ଜଗନ୍ନାଥଙ୍କର ଜଣେ ଅତୀବ ଶ୍ରେଷ୍ଠ ଭକ୍ତ ଥିଲେ । ଜଗନ୍ନାଥଙ୍କ ନିତ୍ୟ ଦର୍ଶନ ବିନା ପାଣି ଟୋପେ ବି ତାଙ୍କ ପେଟକୁ ଯାଉନଥିଲା । କୌଣସି ଏକ କାରଣରୁ ଇଂରେଜ ଶାସକ ତାଙ୍କୁ ହତ୍ୟା ଅପରାଧରେ ଫସାଇ ବାରବାଟି ଦୁର୍ଗରେ କିଛିଦିନ ବନ୍ଦୀ କରି ରଖିବା ପରେ ନିର୍ବାସନ ଦଣ୍ଡରେ ଦଣ୍ଡିତ କରି କଳାପାଣି (ବର୍ତ୍ତମାନର ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ) ପଠାଇ ଦେଲେ । ସେଠାକାର ଜଳବାଯୁରେ ସେ ଖୁବ ଅସୁସ୍ଥ ହୋଇପଡିଲେ ଏବଂ କେବଳ କାଳିଆ କାଳିଆ ଡାକ ଛଡା ସେ ଆଉ କିଛି କହୁନଥିଲେ । ତେଣୁ ତାଙ୍କୁ ସମସ୍ତେ ପାଗଳ ବୋଲି ଭାବିବାକୁ ଲାଗିଲେ । ତାଙ୍କର ସେବା କରୁଥିବା ବୈଦ୍ୟ ଜଣଙ୍କର ନାଁ ଥିଲା କାଳିଆ । ତେଣୁ ସେହି ବୈଦ୍ୟ ଜଣଙ୍କ ଗଜପତିଙ୍କୁ ଏଭଳି କାଳିଆ ଡାକର କାରଣ ପଚାରିଥିଲେ । ଅସୁସ୍ଥ ଗଜପତି ଦ୍ଵିତୀୟ ଦିବ୍ୟସିଂହଦେବ ବୈଦ୍ୟଙ୍କ ଉତ୍ତରରେ କହିଥିଲେ “ମୁଁ ଆପଣଙ୍କ ନାଁ ଧରି କାଳିଆ ବୋଲି ଡାକୁନାହିଁ ମୁଁ ମୋର ପ୍ରିୟ ଜଗନ୍ନାଥଙ୍କୁ କେବଳ ଡାକୁଛି । ସେ ହିଁ ମତେ ଏଠୁ କେବଳ ମୁକ୍ତ କରି ପାରିବେ ।“ ବନ୍ଦୀ ଗଜପତିଙ୍କର ଏତାଦୃଶ ଭକ୍ତି ଓ ବିନମ୍ରତାକୁ ଦେଖି ବୈଦ୍ୟ ଜଣଙ୍କ ତାଙ୍କୁ ସେଠାରୁ ଗୋପନରେ ମୁକ୍ତ କରିଦେବାକୁ ପ୍ରତିଶ୍ରୁତି ଦେଲେ । ଦୟାଳୁ ବୈଦ୍ୟଙ୍କର ଏହି ପ୍ରତିଶ୍ରୁତିରେ ରାଜା ଧୀରେ ଧୀରେ ସୁସ୍ଥ ହେବାପରେ ସେହି ବୈଦ୍ୟ ଜଣକ ତାଙ୍କୁ ଗୋପନରେ ଆଣି ସମୁଦ୍ର କୂଳରେ ଛାଡିଦେଲେ । ସମୁଦ୍ର କୂଳରେ ହଠାତ ଗଜପତିଙ୍କ ସମୁଖରେ ଭାସମାନ ଅବସ୍ଥାରେ ନିମ କାଠର ଏକ ବିରାଟ ଗଣ୍ଡି ଦୃଶ୍ୟମାନ ହେଲା ଏବଂ ତାହାରି ସାହାରାରେ ସେ ଭାସି ଭାସି ଆସି ଶ୍ରୀକ୍ଷେତ୍ର ଉପକୂଳରେ ପହଞ୍ଚିଲେ ।
ସେତେବେଳକୁ ଗଜପତି ବଂଶର ମହାରାଣୀ ରାଜ୍ୟର ଶାସନ ତୁଲାଉଥାନ୍ତି । ଇଂରେଜ ମାନଙ୍କ କବଳରୁ ନିଜକୁ ଲୁଚେଇବା ପାଇଁ ରାଣୀଙ୍କ ନିର୍ଦ୍ଦେଶରେ ଛଦ୍ମବେଶ ଧାରଣ କରି ଆତ୍ମଗୋପନ କରିବା ନିମନ୍ତେ ଜାଗୁଳିପାଟଣାର ଏହି ଘଞ୍ଚ ଜଙ୍ଗଲ ଭିତରେ ଆସି ପହଞ୍ଚିଲେ । ତାଙ୍କ ମନ ଆଉ ହୃଦୟରେ ଥିଲେ କେବଳ ଜଗନ୍ନାଥ ହିଁ ଜଗନ୍ନାଥ । ଜାଗୁଳିପାଟଣାର ଅଝାଡଝାଡ ଜଙ୍ଗଲ ମଧ୍ୟରେ ରାତ୍ରିରେ ବିଶ୍ରାମ ନେଉଥିବା ସମୟରେ ସେ ସ୍ଵପ୍ନରେ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ବିଗ୍ରହ ରୂପକୁ ସ୍ଵଚକ୍ଷୁରେ ଦର୍ଶନ କଲେ । ତାପରେ ନିଜକୁ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ କରାଇ ସେହି ଜଙ୍ଗଲ ମଧ୍ୟରେ ଅବଶିଷ୍ଟ ଜୀବନ ବିତେଇବା ପାଇଁ ଏକ ମଠ ପ୍ରତିଷ୍ଠା କରି ସେଠାରେ ଶ୍ରୀଜଗନ୍ନାଥ ବଳଭଦ୍ର ଓ ଶୁଭଦ୍ରା ତ୍ରିମୂର୍ତ୍ତିଙ୍କର ପୂର୍ଣ ବିଗ୍ରହ ମୂର୍ତ୍ତି ସ୍ଥାପନା କଲେ । ସେହିଦିନଠାରୁ ଜାଗୁଳିପାଟଣା ମଠରେ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ବିଗ୍ରହ ପୂଜା ପାଇ ଆସୁଛନ୍ତି । ଜଗନ୍ନାଥଙ୍କ ପରମଭକ୍ତ ଗଜପତି ଦ୍ଵିତୀୟ ଦିବ୍ୟସିଂହଦେବଙ୍କ ଦ୍ଵାରା ଜାଗୁଳିପାଟଣାଠାରେ ପ୍ରତିଷ୍ଠିତ ଏହି ମଠ ଆଜି ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ବିଗ୍ରହ ମନ୍ଦିରରେ ପରିଣତ ହୋଇସାରିଛି । ଜନପଦ ଠାରୁ ଅଦୂରରେ ୧୯ ଏକର ପରିମିତ ଜମି ଉପରେ ଏକ ସ୍ୱଳ୍ପ ସ୍ଥାନରେ ଏହି ମନ୍ଦିରଟି ଦଣ୍ଡାୟମାନ । ଭକ୍ତ ମାନଙ୍କର ଦାନରେ ଏହି ମନ୍ଦିର ପରିଚାଳିତ । ପ୍ରତିବର୍ଷ ପୂର୍ଣ୍ଣ ବିଗ୍ରହ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଥାଏ ଏବଂ ଲୋକସଭା ସଦସ୍ୟ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି ରଥରେ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥାନ୍ତି ।