ବିଚିତ୍ର ଏ ମନ ମୋର

Bauribandhu Lenka

Bauribandhu Lenka

11 March 2018 · 1 min read

Human Psychology

================

ମଣିଷର ମନ ଅଦ୍ଭୁତ। ଏବେ ଏଇଠି ତ କ୍ଷଣକ ମଧ୍ୟରେ ଚନ୍ଦ୍ର କିମ୍ବା ମଙ୍ଗଳରେ ପହଞ୍ଚି ଯିବ। ମନ ଠାରୁ ଚଞ୍ଚଳ ଗତି ଆଉ କାହାରି ବି ନାହିଁ। ମନ ଯେତେବେଳେ ଯାହା ଚାହେଁ ତାହା ଚିନ୍ତା କରିପାରେ। ହୁଏତ ତାର ଚିନ୍ତନରେ ଥିବା ବିଷୟ ହାସଲ କରିବା ସମ୍ପୂର୍ଣ୍ଣ ରୁପେ ଅସମ୍ଭବ ହୋଇଥାଉ ହେଲେ ସେ ବିଷୟରେ ଭାବିବାକୁ ତାକୁ କେହି ଅଟକାଇ ପାରିବେନାହିଁ। ଶିଶୁଟିଏ ଜନ୍ମ ହେଲାପରେ ସମୟ କ୍ରମେ ତାର ଶାରୀରିକ ଅଭିବୃଦ୍ଧି ଘଟିଥାଏ ଓ ତା ସହିତ ତାର ମାନସିକ ସ୍ଥିତିର ମଧ୍ୟ କ୍ରମଶଃ ପରିବର୍ତ୍ତନ ଘଟିଥାଏ। ଶୈଶବ ଅବସ୍ଥାରେ ଗୋଟିଏ ଶିଶୁର ଇଚ୍ଛା ଯାହା ଥାଏ ତାହା ତାର ବୃଦ୍ଧାବସ୍ଥାରେ ପରିଲିକ୍ଷିତ ହୋଇ ନଥାଏ। ଚାଲନ୍ତୁ ଦେଖିବା ଶୈଶବ ଓ ବୃଦ୍ଧାବସ୍ଥାରେ ମଣିଷର ମନୋସ୍ଥିତିକୁ  ନେଇ ରଚିତ ଏହି କବିତା କେତେ ଦୂର ସତ୍ୟ ।

ବିଚିତ୍ର ଏ ମନ ମୋର
============
ଯେତେବେଳେ  ଛୋଟ ପିଲା ଥିଲି,
"ପାପା ମାମା" ଏଇ କେତୋଟି ଶବ୍ଦ ମୁଁ
ଖନେଇ ଖନେଇ କହୁଥିଲି
॥୧॥
ମନ ମୋର ଯାହା କରୁଥିଲି,
ଖେଳଣା କଣ୍ଢେଇ ଆସୁଥିଲା ଯେତେ
ସବୁ ଭାଙ୍ଗି ମଜ୍ଜା ନେଉଥିଲି
॥୨॥
ନିଜକୁ ମୁଁ ବଡ  ଭାବୁଥିଲି,
ପାପାଙ୍କର  ଯୋତା  ଚପଲ  ପିନ୍ଧିକି
ଘର ଅଗଣାରେ ଚାଲୁଥିଲି
॥୩॥
ଗାଲୁ ଗାଲୁ କରି ଗପୁଥିଲି,
ଜେଜେ,ଜେଜେମା ଖୁସି ହେଉଥିଲେ
ପରିବାର ମନ ମୋହୁଥିଲି
॥୪॥
ବୟସ ମୋ ଚାଲିଥିଲା ବଢି,
ସ୍କୁଲ୍ ରେ ମୋର ନାମ ଲେଖିଦେଲେ
ବାହାରିଲି ମୁଁ ପାଠ ପଢି
॥୫॥
ଯୁବା ବୟସ ମୋ ଆସିଗଲା,
ପାଠପଢା  ସାରି ବାହା ସାହା  ହେଲି
ସଂସାରୀ  ଜୀବନ ଚାଲୁ ହେଲା
॥୬॥
ସମୟ  ଚାଲିଲାି ଗଡି ଗଡି,
ପଡି ଉଠି  ଧାଇଁ ବୃଦ୍ଧ ମୁଁ  ହେଲିଣି
ହାତରେ ମୋ ଆଜି ଆଶାବାଡି
॥୭॥
ମନ ଖୋଜେ ଆଜି ପିଲାବେଳ,
ପିଲାବେଳେ ଶୀଘ୍ର ବଡ ହେବା ପାଇଁ
ଏଇ ମନ ଥିଲା କି ଚଞ୍ଚଳ
॥୮॥
ବଡ ବିଚିତ୍ର ଏ ମନ ମୋର,
ଯେତେବେଳେ ଯାହା ଚାହିଁଲେ କିଏସେ
ପୂରଣ କରିବ ଇଚ୍ଛା ତାର
॥୯॥
***
#smblogcontest

  Never miss a story from us, get weekly updates in your inbox.