ଶିକ୍ଷା ପ୍ରଣାଳୀ ଓ ମହତ୍ତ୍ୱ

ଶିକ୍ଷା ପ୍ରଣାଳୀ ଓ ମହତ୍ତ୍ୱ
ଲେଖିକା - ରୋଜା ପଣ୍ଡା

ପୂର୍ବେ ଆମର ଜନସମାଜ ବିପଦଗାମୀ ଥିଲା । ସେଇ ବିପଦଗାମୀ ଜନସମାଜକୁ ସୁପଥକୁ ଆଣିବାପାଇଁ ଧରାପୃଷ୍ଠରେ ଜନ୍ମ ନେଇଥିଲେ ଅନେକ ନୀତିବିଶାରଦଗଣ । ସେହିମାନଙ୍କ ଲେଖନୀ ନିସୃତ ଅମୃତବାଣୀ ଧରାପୃଷ୍ଠରେ ବିଛୁରିତ ହୋଇ ଜ୍ଞାନର ଆଲୋକ ଢାଳି ଅଜ୍ଞାନ ରୂପକ ଅନ୍ଧକାରକୁ ଦୁରୀଭୂତ କରିବାରେ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲା ।

କ୍ରମେ ସେହି ଅମୃତବାଣୀମାନ ଗ୍ରନ୍ଥାକାରରେ ଲୋକଲୋଚନକୁ ଆସିବାକୁ ଲାଗିଲା ଏବଂ ଧୀରେଧୀରେ ସେଇ ଗ୍ରନ୍ଥଗୁଡିକୁ ଶିକ୍ଷାଗ୍ରହଣ ପାଇଁ ବ୍ୟବହାର କରାଗଲା । କହିବାର ତାତ୍ପର୍ଯ୍ୟ "ଶିକ୍ଷା" ।

ଶିକ୍ଷା ଏପରି ଏକ ମାଧ୍ୟମ ଯାହା ମନୁଷ୍ୟକୁ ଅନ୍ଧାରରୁ ଆଲୋକକୁ ପଥ ଦେଖାଏ । ଅଜ୍ଞାନତା ଦୁରକରି ଜ୍ଞାନ ଭଣ୍ଡାରରେ ପରିପୂର୍ଣ୍ଣ କରାଏ । ଶିକ୍ଷା ମନୁଷ୍ୟର ସଙ୍କୁଚିତ ମନର ପ୍ରାଚୀରକୁ ଭାଙ୍ଗି ଏକ ବୃହତ୍ତର ପରିବେଶ ଯୋଗାଇଦିଏ । ଶିକ୍ଷା ହିଁ ମନୁଷ୍ୟ ମନର ମୋହ ଭାଙ୍ଗେ ।
ହୃଦୟର ସକଳ ଦ୍ୱାର ଖୋଲିଦିଏ ଶିକ୍ଷା ।

ଶିକ୍ଷାର ଅନ୍ତ ନାହିଁ । ଗୋଟିଏ ସୋପାନ ଶେଷ ହେଲେ ଅନ୍ୟଏକ ସୋପାନ ଆରମ୍ଭ ହେଇଯାଏ । ଶିକ୍ଷାଦ୍ୱାରା ମନୁଷ୍ୟ ନିଜର ଅନ୍ତର୍ନିହିତ ଗୁଣବତ୍ତାକୁ ପ୍ରସ୍ଫୁଟିତ କରିଥାଏ ।

ଶିକ୍ଷା ପ୍ରଣାଳୀ ଏପରି ହେବା ଉଚିତ ଯାହାଦ୍ୱାରା ଛାତ୍ରସମାଜ ନିଜ ଢଙ୍ଗରେ ,ନିଜ ବୁଦ୍ଧିରେ କିଛି ନୂତନ ଜିନିଷ ଉଦ୍ଭାବନ କରିପାରିବେ । ଛାତ୍ରମାନଙ୍କୁ ପ୍ରାରମ୍ଭରୁ ଏପରି ଶିକ୍ଷାଦାନ କରିବା ଉଚିତ ଯାହାଦ୍ୱାରା ସେମାନଙ୍କର ପର୍ଯ୍ୟବେକ୍ଷଣ ଶକ୍ତି ପରିପାର୍ଜିତ ହେଇପାରିବ ।  ଏହାର    ଉନ୍ନତିର ପରିମାଣ ଶିକ୍ଷକଙ୍କ ଉପରେ ନିର୍ଭର କରେ ।

 ଛାତ୍ରମାନଙ୍କ ବୟସ ଓ ଜ୍ଞାନ ପ୍ରତି ଥିବା ରୁଚିକୁ ଆଖି ଆଗରେ ରଖି ସେମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ । ଶିକ୍ଷା ପ୍ରଣାଳୀ କୁଶଳିଯୁକ୍ତ ହେବାଦ୍ୱାରା ଛାତ୍ରମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଉତ୍ତମ ଶିକ୍ଷାପାଇଁ ଛାତ୍ରମାନେ ମଧ୍ୟ ଅନୁକରଣଶୀଳ ହେବା ଉଚିତ । ଛାତ୍ରମାନଙ୍କୁ ପ୍ରାରମ୍ଭରୁ ହିଁ ବିଭିନ୍ନ ବସ୍ତୁ ଓ ପଦାର୍ଥ ବିଷୟରେ ଚିତ୍ର ଦେଖାଇ ଉକ୍ତ ଜିନିଷକୁ ଚିହ୍ନାଇବା ଆବଶ୍ୟକ ।

 ବିଭିନ୍ନ ବସ୍ତୁ ଓ ପଦାର୍ଥର ଗୁଣ,ବର୍ଣ୍ଣ,ନାମ,ଆକାର,ପ୍ରୟୋଜନ ଓ ତୁଳନା ବିଷୟରେ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନକଲେ ସେମାନେ ଉକ୍ତ ଜିନିଷର ସମସ୍ତ ବ୍ୟବହାର ଉପରେ ଜ୍ଞାନଲାଭ କରିପାରିବେ ।

ସାଧାରଣତଃ ବିଦ୍ୟାଳୟରେ କିଛି ଛାତ୍ର ପାଠପଢ଼ାରେ ବୋହୁତ ପଛୁଆ ବର୍ଗର ଥାନ୍ତି । ସେମାନଙ୍କୁ ଅଣଦେଖା ନକରି ,ସେମାନଙ୍କର ଅସୁବିଧା ଏବଂ ପାଠପଢା ପ୍ରତି ଥିବା ନକରାତ୍ମକ ଭାବନାକୁ ବୁଝି ତାଙ୍କୁ ପୁନର୍ବାର ଉତ୍ତମ ଶିକ୍ଷା ପ୍ରଦାନ କରିବା ଶିକ୍ଷକମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ।

ଭାରତୀୟ ଶିକ୍ଷାର ଇତିହାସ ଭାରତୀୟ ସଭ୍ୟତାର ମଧ୍ୟ ଇତିହାସ ଅଟେ । ଭାରତୀୟ ସମାଜର ବିକାଶ ଏବଂ ଏହାର ପରିବର୍ତ୍ତନର ରୂପରେଖରେ ଶିକ୍ଷାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଛାତ୍ରମାନଙ୍କ ଖୁଦ୍ର ମସ୍ତିଷ୍କରେ ଯେଉଁ ସତବିଜର ସୁକ୍ଷ୍ମ ଅଂଶ ଥାଏ ତାହା ସତ ଜ୍ଞାନ ପ୍ରାପ୍ତି କରି ଧୀରେ ଧୀରେ ବୃହତ୍ତ ବୃକ୍ଷ ରୂପେ ପ୍ରକାଶିତ ହୋଇ ସୁଫଳ ଦ୍ୱାରା ସମାଜର ଓ ଦେଶର ସମ୍ପୁର୍ଣ୍ଣରୂପେ ମଙ୍ଗଳ ସାଧନ କରିଥାଏ ।

ଅତି ପ୍ରାଚୀନ କାଳରେ ସକଳ ଦେଶରେ ଜ୍ଞାନ ଉପାର୍ଜନର ପଥ ଏକ ଦେବଦର୍ଶୀ ହେଇ ଆସୁଥିଲା । କ୍ରମେ ସେହି ଜ୍ଞାନ ସର୍ବୋତ୍ତମୂଖୀ ହେବାକୁ ଲାଗିଲା । ସୁତରାଂ ଏହି ବୈଜ୍ଞାନିକ ଯୁଗରେ ଶିକ୍ଷାର କୌଶଳ ମଧ୍ୟ ଉନ୍ନତ ହେବାକୁ ଲାଗିଲାଣି।
ଉତ୍ତମ ଶିକ୍ଷାଲାଭ ପାଇଁ ଉତ୍ତମ ଶିକ୍ଷକ ଏବଂ ଉତ୍ତମ ପରିବେଶ ଆବଶ୍ୟକ । ଶିକ୍ଷା ହିଁ ସମସ୍ତଙ୍କ ଜୀବନର ମୂଳମନ୍ତ୍ର ହେବା ଆବଶ୍ୟକ ।


ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର,ମଧୁପାଟଣା
କଟକ-753010
Phone-9438175930
E mail-roja.saumya@gmail.com

  Never miss a story from us, get weekly updates in your inbox.