Home
Quotes New

Audio

Forum

Read

Contest


Write

Write blog

Log In
Your search for ନଡିଆ
ବେଳ ଥାଇ ବନ୍ଧ ବାନ୍ଧରେ ଓଡିଆ
 Dr. Shiba Prasad Tripathy  
 11 May 2019  
Art

ଏକୁଟିଆ ବସିରହି ବୋର ହେବା ଅପେକ୍ଷା ପାଖ ସିଟ୍ ରେ ବସିଥିବା ପିଲାଟି ସହ କଥାବାର୍ତ୍ତା କଲେ ହୁଏତ ଯାତ୍ରାର ପଥ କିଛି ଲାଘବ ହେବ । ଏହି ଭାବନା ରଖି କଥା ପ୍ରସଙ୍ଗରେ ପିଲାଟାକୁ ପଚାରିଲି- ତୁମର ଯାତ୍ରା  କେତେଦୂର ଯାଏଁ ? ଚୁମ୍ବକରେ ପିଲାଟି ଉତ୍ତର ଫେରାଇ କହିଲା 'କ୍ଯାପିଟାଲ' । ଜାଣି ଅଜଣା ରହି ଏକ ଆଶ୍ଚର୍ଯ୍ୟ ଭଂଗୀରେ ପୁଣି ଥରେ ପ୍ରଶ୍ନ କଲି - କ୍ଯାପିଟାଲ ! ଏହାର ଅର୍ଥ କ'ଣକି? ନିଜଠାରୁ ଏପରି ଅବାନ୍ତର ପ୍ରଶ୍ନ ଶୁଣିବା ପରେ ପିଲାଟି ଇଂରାଜୀ ଠାଣିରେ ଉତ୍ତର ଫେରାଇ କହିଲା- ' Oh i don't  know what type of foolish peoples are in Odisha . ଏତିକି କହିଲା ବେଳକୁ କଥାର ଖିଅ ଧରି ପଚାରିଲି - ' ହଇହୋ ବାବୁ ! ତୁମ ଘରଟା କ'ଣ ଓଡିଶା ବାହାରେ କି?' ପିଲାଟି ସେଦିନ ଯେତିକି ସହଜରେ ପ୍ରଶ୍ନର ଉତ୍ତର ଗୁଡିକ ଦେଇଥିଲା, ମୁଁ କିନ୍ତୁ ସେତିକି ସହଜରେ ତାହା ଗ୍ରହଣ କରି ପାରିନଥିଲି । ରାତିସାରା ବସ୍ ରେ ସେଇ ଗୋଟିଏ କଥାକୁ ନେଇ ଘାଣ୍ଟି ଚକଟି ହେଉଥାଏ । ସତରେ କଣ କ୍ଷଣିକ ଭିତରେ ଓଡିଶାର ଭୌଗଳିକ ମାନଚିତ୍ର ଠାରୁ  ଭୂବନେଶ୍ବର ଅଲଗା ହୋଇଗଲା ?    ତା' ପରଦିନ ଭୂବନେଶ୍ବର ରୁ ପୁରୀ ଅଭିମୁଖେ ମୋର ଯାତ୍ରା । ବସ୍ ଟି ପିପିଲି ଡେଇଁ ସାକ୍ଷୀଗୋପାଳ ହେଲା । ଜଣେ ଅଧେ ସେଠାରେ ଓହ୍ଲାଇଛନ୍ତି କି ନାହିଁ ସନ୍ଦେହ। ଦଳେ ଲୋକ ଧସେଇ ଆସିଲେ । ସେଇ ଠେଲା-ପେଲା ଭିତରେ ପାଞ୍ଚ/ଛଅ ବର୍ଷର ଛୁଆଟିଏ ଅଣନିଶ୍ବାସୀ ହେଇ ଯାଉଥାଏ । ଏମିତି ତ ଆଗରୁ ବସ୍ ଟି ଭିଡ ଥିଲା । ନୈତିକତା ଦୃଷ୍ଟି କୋଣରୁ ଛୁଆଟିକୁ ପାଖରେ ବସାଇଲି । ଏମିତି ପଚାରୁ ପଚାରୁ କଥା ଛଳରେ ତା'କୁ ପଚାରିଲି -'ତୁମ ଘରେ ତୁମ ଛଡା ଆଉ କିଏ କିଏ ସବୁ ଅଛନ୍ତି  ? ରହି ରହି ଛୁଆଟି କହିଲା-' ଆମ ଘରେ ମୋ ଡାଡି, ମମି, ଗ୍ରାଣ୍ଡ ଫାଦର ଏବଂ ଗ୍ରାଣ୍ଡ ମଦର ଅଛନ୍ତି ' ।  ଶିଶୁଟିର କୋମଳ ଉତ୍ତରଟିକୁ ଦୋହରାଇ କହିଲି- ' 'ଓହୋ ! ତୁମ ଘରେ ତାହା ହେଲେ ତୁମ ବାପା, ମାଁ, ଜେଜେ ଏବଂ ଜେଜେମା ଅଛନ୍ତି '। କଥାଟିକୁ ବାଆଁରେଇ ଦେଇ ଛୁଆଟି ପୁଣି ଥରେ କହିଲା -'ନାଇଁ ନାଇଁ ଆମ ଘରେ ମୋ ଡାଡି, ମମି.....ଅଛନ୍ତି '। ତା' କଥା ସହ ସହମତି ପ୍ରକାଶ କରି ଆଉଥରେ ପଚାରି ବୁଝିଲି - 'ହଁ, ହେଲା ଯେ ତୁମେ କ'ଣ ଏବେ ବାପା, ମାଁ ଙ୍କ ସହ ଯାଉଛ' ? ଏତିକି କହି ସାରିବା ପରେ ଭାବୁଥିଲି କାଳେ ଛୁଆଟି ମୋ କଥା ସହ ଏକମତ ହେଇଯିବ । କିନ୍ତୁ ତାହା ହେଲା ନାହିଁ । ବରଂ ସେ ମୋ ଠାରୁ କଥାଟିକୁ ଛଡାଇ ନେଇ କହିଲା-' ( ବିଶି ଅଙ୍ଗୁଳି ଦେଖାଇ) ସେମାନେ ମୋ ଡାଡି ଏବଂ ମମି' । କୁହନ୍ତୁ ତ ପାଠକେ ! ଏଠାରେ ତା'ର ବା' ଦୋଷ କଣ ? ସେ ତ ସାମାନ୍ୟ ବକଟେ ପିଲା। ଯାହାର ସୂକ୍ଷ୍ମଚିତ୍ତ ଭିତରେ ପାଞ୍ଚ/ଛଅ ବର୍ଷ ହେଲା ଡାଡି,ମମି ପରି ଶବ୍ଦ ଗୁଡିକ ଘୋଷି ହୋଇ ରହିଯାଇଛି , ସିଏ ବା କାହୁଁ ମୋ କଥା ଗୁଡିକ ଏତେ ସହଜରେ ଗ୍ରହଣ କରିନେବ ! ଏଇ ଭିତରେ ବସ୍ ଟି ମୋ ଗନ୍ତବ୍ୟ ସ୍ଥଳରେ ଯାଇ ପହଞ୍ଚିଲା ।ପୁରୀ ସହର ମୋ ପାଇଁ ନୁଆ ଥିଲା । ଭାବିଲି, ଟ୍ରାଫିକ ପୁଲିସ ଭାଇଙ୍କ ଠାରୁ ସାହାଯ୍ଯ ଲୋଡିନେବା ଠିକ୍ ହେବ । ତାଙ୍କଠାରୁ ଶ୍ରୀମନ୍ଦିରର ରାସ୍ତା ବୁଝିବା ବେଳେ ମହାଶୟ ଜଣକ ଦିଗ ନିର୍ଦ୍ଦେଶ ଦେଇ କହିଲେ- 'ୱାହାଁ ଦେଖୋ ! ମନ୍ଦିରକା ଧ୍ବଜା ଉଡ୍ ରହାହେ,ଇସ୍ ରାସ୍ତେ ସେ ସିଧେ ଚଲେ ଯାନା'। ସେଠାରୁ ବାଟ ଭାଙ୍ଗି ଯିବାବେଳେ କାନରେ ଶୁଭିଲା -' ମୋ ନଡିଆ ରସ ପିଇବ ଆସ'। ଶୋଷ ଲାଗୁଥିଲା, ଲୋକଟିକୁ  ଭଲ ଗୋଟେ ଦେବାକୁ କହିଲି। ଲୋକଟି ପଇଡ କାଟି ମୋ ହାତକୁ ଧରାଇ କହିଲା-'ଡାବନିନ୍'। ଏହା ପରେ ମୁଁ ନିଜକୁ ନିଜେ ପଚାରି ବୁଝିଲି-'ମୁଁ ଓଡିଶାରେ ଅଛିତ ? ଏଇ ଟିକକ ଆଗରୁ ଯେଉଁ ଲୋକଟି ଓଡିଆରେ ନଡିଆ ରସ.......କହି ଗର୍ଜନ କରୁଥିଲା ହଠାତ୍ କେମିତି ତା' ଭାଷାର ପରିବର୍ତ୍ତନ ଘଟିଲା। ସତରେ କ'ଣ ଏମାନେ ଓଡିଆ ନା ଏଣ୍ଡୁଅ ରୂପି ଓଡିଆ ! ଦଣ୍ଡେବି ଆଉ ସେଠାରେ ନରହି ସିଧାସଳଖ ବଡଦାଣ୍ଡ  ରାସ୍ତା ଧରିଲି । କାଳିଆର ଦର୍ଶନ ସାରି ରାଜଧାନୀ ଫେରିଲି ।ଚଟାପଟ ରାଜଧାନୀ କାମସାରି ପାଖ କାଉଣ୍ଟର ରୁ ଘରବାହୁଡା ଟିକଟ ଖଣ୍ଡିକ ଧରିଲି । ଜାଣିଲି, ବସ୍ ଛାଡ଼ିବାକୁ ଢେର ସମୟ ବାକି ଅଛି । ତେଣୁ ନିକଟରେ ଥିବା ଇନ୍ଦିରା ପାର୍କ ଯିବାପାଇଁ ମନସ୍ଥ କରିନେଲି। ସେତେ ବେଳକୁ ସନ୍ଧ୍ୟା ପ୍ରାୟ । ପାର୍କ ଭିତରଟା ବି ଗହଳ-ଚହଳ ହେଇ ଆସୁଥାଏ । ଭିତରକୁ ପ୍ରବେଶ କଲି । ଦେଖିଲି ଦୁଇ ଜଣ ବିଦେଶୀ ନିଆରା ଭାବରେ ବସି ଜଗନ୍ନାଥ ତତ୍ତ୍ବ ଉପରେ କିଛି ଆଲୋଚନା କରୁଛନ୍ତି । ବିଦେଶୀ ମୁଖରୁ ଜଗନ୍ନାଥ ଶବ୍ଦଟି ଶୁଣିବା ପରେ ପାଦ ଦୁଇଟି ଛାଆଁକୁ ରହିଗଲା । ସେମାନଙ୍କ କଥାବାର୍ତ୍ତା ସବୁକୁ କାନଦେଇ ଶୁଣିଲି । ପାଠକେ କି କହିବି ସେକଥା। ଆପଣଙ୍କୁ ମିଛ - ମୋତେ ସତ, ସେଦିନ ସେମାନଙ୍କ କଥାବାର୍ତ୍ତା ମୋତେ ଏତେଦୂର ପ୍ରଭାବିତ କରିଥିଲା ଯେ ସଂଗେ ସଂଗେ ସେମାନଙ୍କ ଠାରୁ ଅନୁମତି ନେଇ ଅନୁଗ୍ରହ ପୂର୍ବକ ପଚାରିଲି  Sir, Do you believe  in jagannath culture ? ସେ ଦୁହେଁ ଏକ ସ୍ବରରେ ଉତ୍ତର ଦେଇ କହିଲେ - 'ହଁ'। ବିଦେଶୀ ମାନଙ୍କ ମୁଖରୁ ଓଡିଆ ଶବ୍ଦ ଶୁଣିବା ପରେ ସେଦିନ  ନିଜକୁ ଯେତିକି ଆଶ୍ଚର୍ଯ୍ୟ ଲାଗିଥିଲା, ତା'ଠାରୁ ଢେର ବେଶୀ ନିଜକୁ ନିଜେ ଗର୍ବ ଅନୁଭବ କରୁଥିଲି- ହଁ ,ମୁଁ ନିଜେ ଓଡିଆ ବୋଲି ! ବିଦେଶୀ ଦୁଇ ଜଣଙ୍କ  ବିଷୟରେ ଅଧିକ ଜାଣିବା ପାଇଁ ପ୍ରବଳ ଇଛାହେଲା । ଯଦିଓ ସେ ଦୁହେଁ ସ୍ପଷ୍ଟ ଭାବରେ ଓଡିଆ କହି ପାରୁନଥିଲେ , ଅଥଚ ସେମାନଙ୍କ ଠାରୁ ଉତ୍ତର ପାଇ ସନ୍ତୁଷ୍ଟ ହୋଇ ଯାଇଥିଲି ଯେ ସେମାନଙ୍କର ଓଡିଆ ଭାଷା-ସାହିତ୍ୟ-ସଂସ୍କୃତି ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲା । ନହେଲେ ସେମାନେ କାହିଁକି ବା' ମୋ ସହ ଇଂରାଜୀ ପ୍ରତି ବଦଳରେ ଓଡିଆରେ କଥା-ବାର୍ତ୍ତା କରି ଥାଆନ୍ତେ !  ସେଦିନ  ଫେରିଥିଲି କିଛି ସ୍ମୃତି -କିଛି ଅନୁଭୂତି କୁ ନେଇ । ରାସ୍ତା ସାରା କବି ଗଙ୍ଗାଧରଙ୍କ  - 'ମାତୃଭୂମି ମାତୃଭାଷାର ମମତା ଯା' ହୃଦୟେ ଜନମି ନାହିଁ ...... ମନେ ପକାଇ ନିଜକୁ ନିଜେ ବିଶ୍ଳେଷଣ କରୁଥିଲି। ଯେଉଁଠି ବିଦେଶୀ ମାନେ ଆମ ଭାଷା ଓ ସଂସ୍କୃତିକୁ ଅତି ଆଗ୍ରହ ସହକାରେ ଗ୍ରହଣ କରି ନେଉଛନ୍ତି, ଅଥଚ ଆମେ ଓଡିଶାରେ ରହି କରୁଛୁ ବା କ'ଣ ? ଏହା କଣ ଆମ ଚେତନାଶୀଳ - ପ୍ରଗତିଶୀଳ ଓଡିଆ ସମାଜର ବିଚାରବୋଧ ?  ବୋଧହୁଏ ଏଥିପାଇଁ ସେଦିନ ବଙ୍ଗାଳୀ ଭାଇ କଥା ଛଳରେ କହିଥିଲେ - ' ଓଡିଆ ଏକ୍ ଟା ଭାଷା ନଏ।'ଡଃ ଶିବ ପ୍ରସାଦ ତ୍ରିପାଠୀ ସ୍ମୃତି ନିଳୟ, ଉଦୟ ନଗର ଷ୍ଟେସନ ରୋଡ,  ବଲାଙ୍ଗୀର (ଓଡିଶା)shibatripathy262@gmail.com