Image

          ରୀତିଭିତ୍ତିକ ପୂଜାପାର୍ବଣ, ଋତୁଭିତ୍ତିକ ଉତ୍ସବ, ବ୍ରତ, ଉପାସନା, ଜାଗରଣ, ବାର ମାସରେ ତେରପର୍ବ, ଏଭଳି କି ମୃତ୍ୟୁରେରେ ବି ଉତ୍ସବ ପାଳୁଥିବା ଦେଶ ଏ ବିଶ୍ଵରେ ଭାରତ ଛଡ଼ା, ଆଉ କେହି ହେବ! ଅଧିକତଃ ଭାରତର ହିନ୍ଦୁ ପର୍ବପର୍ବାଣି ତିଥି, ନକ୍ଷତ୍ର, ଚନ୍ଦ୍ର, ସୂର୍ଯ୍ୟ, ଅମାବାସ୍ୟା, ପୌର୍ଣ୍ଣମୀ, ଆଦିକୁ ନେଇ ପାଳିତ। କିଛି ପର୍ବ ସୂର୍ଯ୍ୟଙ୍କ ଗତିବିଧିକୁ ନେଇ ତ, ଆଉକିଛି ଚନ୍ଦ୍ରଙ୍କ ଗତିବିଧିକୁ ନେଇ ପରିଚାଳିତ ହୁଏ। ହିନ୍ଦୁ ଧର୍ମକୁ ଛାଡିଦେଲେ ଅନ୍ୟ କୌଣସି ଧର୍ମରେ ମୁଖ୍ୟତଃ ଉପବାସ, ଦିନଚର୍ଯ୍ୟା, ପୂଜାବିଧି, ହୋମଯଜ୍ଞ, ପଶୁବଳି, ତନ୍ତ୍ରସାଧନା, ଏବଂ ବିବିନ୍ନ ପ୍ରକାରର ବାରଣ ଆଦି କମ୍ ଦେଖିବାକୁ ମିଳେ । 

          ବାସ୍ତବରେ ଉଷ୍ଣକଟିବନ୍ଧୀୟ ଜଳବାୟୁ ଏବଂ ପୂର୍ବ ଦେଶମାନଙ୍କରେ ବିଭିନ୍ନ ଅଦ୍ଭୁତ ପ୍ରକାରର ସାମାଜିକ ଚଳଣି, ପ୍ରଥା, ପୂଜାପାଠ, ବାରଣ, ଆଦି ହଜାର ହଜାର ବର୍ଷରୁ ଚାଲିଆସିଛି । କିନ୍ତୁ, ୟୁରୋପୀୟ ଇସାୟିମାନେ ନିଜର ଆତ୍ମସମ୍ମାନ ରକ୍ଷାପାଇଁ ଭାରତର ବିଭିନ୍ନ ପ୍ରାନ୍ତରେ, ବିଭିନ୍ନ ଧାର୍ମିକ ସ୍ଥଳରେ ନିଜକୁ ସ୍ଥାପିତ କରିବାକୁ ଚେଷ୍ଟାକରି ଆଗେଇଛନ୍ତି । 

          ଏହା ନିଶ୍ଚିତରୂପେ ଧ୍ୟାନ ଦେବା ଉଚିତ ଯେ, ଭାରତୀୟ ହିନ୍ଦୁ ଭକ୍ତମାନେ ଉପବାସ ଓ ସାଧନା ଦ୍ଵାରା ନିଜର ଧାର୍ମିକ ଯୋଗ୍ୟତା ବା ସାଧନକୁ ପରିପୃଷ୍ଠ କରିବାପାଇଁ ସର୍ବଦା ତତ୍ପର; ନା କି ଦଣ୍ଡନୀୟ ଅଭ୍ୟାସ ଭଳି।  ଏହା ବ୍ୟତୀତ ଗମ୍ଭୀର ଆତ୍ମନିର୍ଭରତା ସର୍ବଦା ଅସାଧାରଣ ପବିତ୍ରତା ବା ଅତିମାନବୀ ଶକ୍ତିଗୁଡ଼ିକର ପ୍ରାପ୍ତିରେ ସଂଲଗ୍ନ ହୋଇଥାଏ । ଯେପରି କି, ଅତ୍ୟଧିକ ସାଧନା, ଧ୍ୟାନ ଆଦି ଦ୍ଵାରା କିଛି ସାଧକ ବା ଯୋଗୀ ନିଜକୁ ଅତି ଉତ୍ସାହିତ ବା ସମର୍ପିତ କରିବା ଦ୍ଵାରା ମାଧ୍ୟାକର୍ଷଣ ବଳର ସହାୟତାରେ ନିଜ ଶରୀରକୁ ଶୂନ୍ୟରେ ଭସାଇ ପାରୁଛନ୍ତି । 

          ସମୟ ପରିବର୍ତ୍ତନାନୁସାରେ ଆଜି ବହୁ କଠିନ ଓ ଅସାଧାରଣ ପୂଜା, ଉପାସନା ପଦ୍ଧତିସବୁ ଭାରତରେ ବଦଳି ଯାଇଛି । ଯେପରିକି, ପ୍ରାଚୀନକାଳରେ ମନୁଙ୍କ ନୀତି (୧୧-୨୧୩) ଅନୁଯାୟୀ ସନ୍ତାପନ କ୍ରିଖରା ନାମକ ଦଣ୍ଡପଦ୍ଧତି ମତରେ ଦଣ୍ଡିତ କରାଯାଉଥିଲା। ସନ୍ତାପନ କ୍ରିଖରା (ଏକ ପ୍ରକାର ଦଣ୍ଡବିଧି) ଦ୍ଵାରା ଦୋଷୀ ଏକ ମୁଠା (ଗୋମୁତ୍ର, ଗୋବର, ଦୁଗ୍ଧ, ଲହୁଣୀ, କୁଶଘାସ, ଆଦି) ଦିନକୁ ଥରେ, ଏଭଳି ନଅଦିନ ଖାଇବେ; ପୁଣି ତାପର ତିନିଦିନ ନିର୍ଜଳ ଉପବାସ ରହିବାକୁ ହୁଏ । 

          ଅନ୍ୟଏକ ଉଲ୍ଲେଖନୀୟ ଉଦାହରଣ ବି ଅଛି, ଯାହାକୁ ଚନ୍ଦ୍ର-ସ୍ଵର (ବା କନ୍ଦ୍ରାୟଣ) କୁହାଯାଉଥିଲା। ଏହି ନୀତି ଅନୁସାରେ ପୂର୍ଣ୍ଣମୀଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ନିଜ ଆହାର(କେବଳ ଯଅ ପେଜ)ରୁ ଏକ-ଏକ ଅଂଶ ପ୍ରତିଦିନ କମେଇ କମେଇ ଖାଇବାକୁ ହେବ । ଦିନକୁ ଥରେ ମାତ୍ର । ପୁଣି ଅମାବାସ୍ୟାରୁ ଏକ-ଏକ ଅଂଶ ବଢେଇ ବଢେଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖାଇବେ । ମନୁଙ୍କ ନୀତି (୬-୨୦)। 

          ଆଜିକାର ହିନ୍ଦୁଲୋକ ପ୍ରାୟ ଏକାଦଶୀ କରିବାକୁ ଭଲ ପାଆନ୍ତି; ଯାହା ପ୍ରତି ମାସରେ ଦୁଇଥର ପଡ଼େ। ଏହା ମୁଖ୍ୟତଃ ଭଗବାନ ବିଷ୍ଣୁଙ୍କ ଉପାସନା ପାଇଁ କରାଯାଏ; କିନ୍ତୁ ଏହା ସେତେ କଠିନ ବ୍ରତ ନୁହେଁ। ବ୍ରତୀ ଫଳ, କ୍ଷୀର ଆଦି ଗ୍ରହଣ କରିପାରିବେ । ଶିବଭକ୍ତମାନେ ପ୍ରତି ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ଏବଂ ଚତୁର୍ଦଶୀକୁ ପାଳନ କରିଥାନ୍ତି । 

          ହିନ୍ଦୁ ଧର୍ମ ଏବଂ ଅନ୍ତରାଷ୍ଟ୍ରୀୟ କାଲେଣ୍ଡର ଅନୁସାରେ ଜାନୁଆରୀ ଏବଂ ଫେବ୍ରୁୟାରୀ ମାସ, ଯାହା ବୈଦିକ/ହିନ୍ଦୁ କାଲେଣ୍ଡର ଅନୁସାରେ ମାଘମାସର ଆରମ୍ଭ ହୁଏ; ସେହି ମାସରୁ ବିଭିନ୍ନ ପର୍ବପର୍ବାଣି ପ୍ରାରମ୍ଭ ହୋଇଥିବା ଦେଖାଯାଏ। ପ୍ରଥମତଃ ମକର ସଙ୍କ୍ରାନ୍ତି । ଏହା ଏକ ପ୍ରମୁଖ ପର୍ବ; ସୂର୍ଯ୍ୟଙ୍କ ଉତ୍ତରାୟଣକୁ ନେଇ ଏହି ଉତ୍ସବ, ଭାରତରେ ବିଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ଶୈଳୀରେ ହୁଏ । ଏହିଦିନ କିଛି ଅଞ୍ଚଳରେ ପୌଷମାସ (ଅଶୁଭ)ର ଶେଷ ଏବଂ ମାଘମାସ (ଶୁଭ)ର ପ୍ରାରମ୍ଭ ବୋଲି ପୂଜାର୍ଚ୍ଚନା ହୋଇଥାଏ । ଏହି ସମୟରେ, ଗଙ୍ଗା ଯମୁନାର ମିଳନସ୍ଥଳୀ ପ୍ରୟାଗ (ଆଲ୍ଲାହାବାଦ)ରେ କୁମ୍ଭମେଳାର ଆୟୋଜନ ହୋଇଥାଏ; ଯେଉଁଠି ପ୍ରତିବର୍ଷ ଲକ୍ଷଲକ୍ଷ ଭକ୍ତ ପୃଥିବୀର ବିଭିନ୍ନ ସ୍ଥାନରୁ ଆସି ବୁଡ଼/ସ୍ନାନ କରିଥାନ୍ତି। 

          ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ କୁହାଯାଏ । ଏହିଦିନ ତାମିଲମାନେ ନୂଆବର୍ଷ ପାଳି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥାନ୍ତି । ତାମିଲଲୋକେ ନୂଆ ବାସନ କିଣି ସେଥିରେ ଖିରୀ (କ୍ଷୀର ଏବଂ ଚାଉଳ) ରାନ୍ଧିଥାନ୍ତି ଏବଂ ସମସ୍ତଙ୍କୁ ପୋଙ୍ଗଲର ଅଭିନନ୍ଦନ (କ୍ଷୀର ଫୁଟିଲାଣି? କହି) ଜଣାଇଥାନ୍ତି । ଏହା ପ୍ରକୃତରେ କୃଷିକୁ ସମର୍ପିତ ହୋଇଥାଏ । ଗୃହପାଳିତ ପଶୁ, ମୁଖ୍ୟତଃ ଗାଈ ଏବଂ ବଳଦଙ୍କୁ ସୁନ୍ଦର ସଜାଇ, ଶିଙ୍ଗରେ ରଙ୍ଗବୋଳି, ବେକରେ ଫୁଲମାଳ ଦେଇ ରାସ୍ତାରେ ଛାଡ଼ି ଦିଆଯାଏ । ଏହା ପ୍ରକୃତରେ କୌଣସି ପୂଜା ନୁହେଁ; ଖୁସି ଓ ଆନନ୍ଦର ପର୍ବ ଭଳି ମାନିଥାନ୍ତି । 

          ଶୁକ୍ଲପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ କୁହାଯାଏ । ବସନ୍ତ ଋତୁ ଚାଲିଥାଏ । କଳା ଏବଂ ଶିକ୍ଷାଦାତ୍ରୀ ମାତା ସରସ୍ଵତୀଙ୍କ ପୂଜାର୍ଚ୍ଚନା ଏହି ଦିନ ହୁଏ । ପ୍ରାଚୀନକାଳରେ ଏହି ଦିନ ଗୁରୁ ବା ଶିକ୍ଷକ ମାତା ସରସ୍ଵତୀଙ୍କ ଏକ ଚିତ୍ର ରଖିଥାନ୍ତି; ଏବଂ ତାଙ୍କର ଶିଷ୍ୟଶିଷ୍ୟା ବା ଛାତ୍ରଛାତ୍ରୀମାନେ ଆସି ଗୁରୁଙ୍କୁ ନଡ଼ିଆ (ଶ୍ରୀଫଳ), ମୁଦ୍ରା ଆଦି ଦକ୍ଷିଣା ସ୍ୱରୂପ ଦେଇଥାନ୍ତି । ଓଡ଼ିଶାରେ ଏହାକୁ ଶ୍ରୀପଞ୍ଚମୀ ବୋଲି କୁହାଯାଏ। 

          ମହାଶିବରାତ୍ରୀ ମାଘମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳିତ ହୋଇଥାଏ । ଏହିଦିନ ଶୈବଭକ୍ତମାନେ ଦିନସାରା ଉପବାସ ରୁହନ୍ତି ଏବଂ ରାତ୍ରିରେ ଜାଗର କରିଥାନ୍ତି । ବିଭିନ୍ନ ଶୈବକ୍ଷେତ୍ରରେ ଏହିଦିନ ପୂଜାର୍ଚ୍ଚନା ଦେଖିବାକୁ ମିଳିଥାଏ । 

          ଭାରତର ଉପରପ୍ରାନ୍ତରେ ଦୋଳଯାତ୍ରା ଦେଖିବାକୁ ମିଳିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ଏକ ଦୋଳିରେ ବସାଇ, ଝୁଲାଇ ପୂଜା କରାଯାଏ । ଏହା ଫଗୁଣ (ଫାଲଗୁନ / ଫେବ୍ରୁୟାରୀ-ମାର୍ଚ) ମାସ ପୂର୍ଣ୍ଣମୀର ଦଶଦିନ ପୂର୍ବରୁ ଆରମ୍ଭ ହୁଏ । କିନ୍ତୁ ଶେଷ ତିନିଦିନ ମୁଖ୍ୟତଃ ପାଳନ କରାଯାଏ । ଫାଲଗୁନ ପୂର୍ଣ୍ଣମୀକୁ ଦୋଳପୂର୍ଣ୍ଣମୀ ବା ହୋଲି ମଧ୍ୟ କୁହାଯାଏ । ଏହି ଦିନରେ ସମସ୍ତେ ପରସ୍ପର ଦେହରେ ରଙ୍ଗବୋଳି ଅଭିନନ୍ଦନ ଜଣାଇଥାନ୍ତି । 

          ଚୈତ୍ରମାସ (ମାର୍ଚ-ଏପ୍ରିଲ) ଶୁକ୍ଲପକ୍ଷ ନବମୀ ତିଥିରେ ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳିତ ହୁଏ। ଏହିଦିନ ପ୍ରତ୍ୟେକ ହିନ୍ଦୁବ୍ୟକ୍ତି ଶ୍ରୀରାମଙ୍କୁ ପୂଜା କରିବାର ଦେଖାଯାଇଥାଏ। 

          ଶ୍ରାବଣ ଶୁକ୍ଲପକ୍ଷ ପଞ୍ଚମୀ ତିଥି (ନାଗପଞ୍ଚମୀ) ରେ ନାଗଦେବତାଙ୍କୁ ପୂଜା କରାଯାଏ। ଏହାର ଦୁଇଦିନ ପରେ ଶୀତଳା ସପ୍ତମୀ ପାଳିତ ହୁଏ। ମାତା ଶୀତଳାଦେବୀଙ୍କୁ ଏହିଦିନ ବସନ୍ତରୋଗରୁ ଉଦ୍ଧାର ପାଇଁ ପୂଜାକରିଥାନ୍ତି । ମାତାଙ୍କୁ କେବଳ ଥଣ୍ଡା ଖାଦ୍ୟ ଭୋଗଲାଗେ । 

          କୃଷ୍ଣ ଜନ୍ମାଷ୍ଟମୀ ଭାରତରେ ଏକ ପ୍ରମୁଖ ପର୍ବ । ଶ୍ରାବଣ (ଜୁଲାଇ-ଅଗଷ୍ଟ) କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ହୁଏ। 

          ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତର ବ୍ରାହ୍ମଣମାନଙ୍କ ମାସିକ ପକ୍ଷଭେଦ ଯୋଗୁଁ ବିଭିନ୍ନ ପର୍ବପର୍ବାଣି ଏବଂ ପୂଜାପଦ୍ଧତିରେ ଭିନ୍ନତା ଦେଖାଦେଇଥାଏ । 

          ଭାଦ୍ରବ (ଅଗଷ୍ଟ-ସେପ୍ଟେମ୍ବର) ଶୁକ୍ଳ ଚତୁର୍ଥୀରେ ଶ୍ରୀ ଗଣେଶଙ୍କୁ ପୂଜା କରାଯାଇଥାଏ । ନଡା, ପାଳ, ମାଟି ଆଦିରେ ତିଆରି ଗଣେଶଙ୍କ ମୂର୍ତ୍ତିକୁ କିଛିଦିନ ପୂଜା କରିଲା ପରେ ପାଣିରେ ବିସର୍ଜ୍ଜନ କରାଯାଇଥାଏ। 

          ଭାଦ୍ରବ ମାସ କୃଷ୍ଣପକ୍ଷର ଷୋହଳ ଦିନକୁ ପିତୃପକ୍ଷ କୁହାଯାଏ । ଏହିଦିନ ମାନଙ୍କରେ ଭାରତର କିଛି ସ୍ଥାନରେ ହିନ୍ଦୁମାନେ ଶ୍ରାଦ୍ଧ କରିଥାନ୍ତି । 

          ଆଶ୍ଵିନ (ସେପ୍ଟେମ୍ବର-ଅକ୍ଟୋବର) ଶୁକ୍ଲପକ୍ଷ ପ୍ରଥମାରୁ ଦଶମୀ ପର୍ଯ୍ୟନ୍ତ ନବରାତ୍ରୀ ବା ଦୁର୍ଗାପୂଜା ପାଳିତ ହୁଏ । ଦଶମୀ ଦିନକୁ ବିଜୟା-ଦଶମୀ ବା ଦଶହରା କୁହାଯାଏ । 

          ଆଶ୍ଵୀନ ଅମାବାସ୍ୟାକୁ କାଳରାତ୍ରି ବା ଦୀପାବଳି ବୋଲି କୁହାଯାଏ । ମା କାଳିଙ୍କୁ ଏହି ରାତ୍ରିରେ ପୂଜାର୍ଚ୍ଚନା କରାଯାଏ । ନବରାତ୍ରୀର ଏକୋଇଶି ଦିନପରେ ଦୁଇଦିନ ଧରି ଏହି ପୂଜା କରାଯାଏ। ପୁଣି କାର୍ତ୍ତିକ ମାସ ପ୍ରଥମାରୁ ପଞ୍ଚମୀ ପର୍ଯ୍ୟନ୍ତ ମାତା ଲକ୍ଷ୍ମୀ ଏବଂ ପାର୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହା ହିନ୍ଦୁ ଶାସ୍ତ୍ରାନୁସାରେ ସର୍ବାଧିକ ଉତ୍ତମ ଦିନ ବୋଲି ମାନ୍ୟତା ଅଛି । ଭାରତର କିଛି ପ୍ରାନ୍ତରେ ଆଶ୍ଵିନ ଶୁକ୍ଳ ଅଷ୍ଟମୀ ତିଥିରେ ମା ସରସ୍ଵତୀଙ୍କୁ ମଧ୍ୟ ପୂଜା କରାଯିବାର ଦେଖାଯାଏ । 

          କାର୍ତ୍ତିକ ପୂର୍ଣ୍ଣିମା ତ୍ରିପୁରାସୁର ନାମକ ରାକ୍ଷସକୁ ବଧ କରିବାହେତୁ ଶିବଙ୍କ ସମ୍ମାନରେ କାର୍ତ୍ତିକମାସ (ଅକ୍ଟୋବର-ନଭେମ୍ବର)ରେ ପାଳିତ ହୁଏ । 

          ଏହା ଜାଣିବା ଉଚିତ ଯେ, ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ କାଲେଣ୍ଡର ହୋଇଥାଏ । ଆଉ ପ୍ରତି ମାସର, ଯେପରି ଶ୍ରାବଣ, ବୈଶାଖ ଏବଂ ଅଧିମାସ (ତେର ମାସ)ର ନିଜସ୍ଵ ମହତ୍ଵ ଅଛି । ପ୍ରତି ତିନିବର୍ଷରେ ହେଉଥିବା ଅଧିମାସକୁ ବିଜ୍ଞ ଓ ପଣ୍ଡିତମାନେ ଖୁବ ଗୁରୁତ୍ଵ ଦେଇଥାନ୍ତି । ଠିକ ସେହିପରି ସୋମବାର ଦିନ ପୂର୍ଣ୍ଣମୀର ମହତ୍ତ୍ଵ। ସୋମବାରରେ ଶିବଙ୍କ ପୂଜା ଏବଂ ଶନିବାରରେ ହନୁମାନଙ୍କ ପୂଜାରେ ଅଧିକ ଗୁରୁତ୍ଵ ଥିବାର ଶାସ୍ତ୍ରରେ ପରିଲକ୍ଷିତ। ଏଭଳି ଦିନମାନଙ୍କରେ ଦାନର ଗୁରୁତ୍ଵ ହଜାରଗୁଣ ଅଧିକ ହୋଇଥାଏ ।

          ଭାରତୀୟ ହିନ୍ଦୁ  ମତରେ ଚାରୋଟି ଯୁଗ ଅଛି; ସତ୍ୟ, ତ୍ରେତୟା, ଦ୍ଵାପର ଏବଂ କଳି । ବର୍ତ୍ତମାନର କଳିଯୁଗ ମହାଭାରତ ଯୁଦ୍ଧ ପରଠାରୁ ବା କୃଷ୍ଣଙ୍କ ବୈକୁଣ୍ଠ ପ୍ରତ୍ୟାବର୍ତ୍ତନଠାରୁ ପ୍ରାରମ୍ଭ ହୋଇଛି; ଯାହା ୧୮ ଫେବ୍ରୁୟାରୀ ଖ୍ରୀଷ୍ଟପୂର୍ବ ୩୧୦୨ରୁ ବୋଲି ଖୋଗଳବିଦ୍ ଓ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ହିସାବରେ ଏବଂ ସୂର୍ଯ୍ୟ ସିଦ୍ଧାନ୍ତରେ କୁହାଯାଇଅଛି । ଭାରତରେ ବିଭିନ୍ନ ପ୍ରକାରର ପଞ୍ଜିକା ପ୍ରଚଳିତ। ଯେପରିକି ଖ୍ରୀଷ୍ଟପୂର୍ବ ୫୭ରୁ ବିକ୍ରମାଦିତ୍ୟ ସଂବତ, ଖ୍ରୀଷ୍ଟପୂର୍ବ ୭୮ରୁ ଶାଳିବାହନ ଶାକା ଏରା, ଖ୍ରୀଷ୍ଟାବ୍ଦ ୫୯୩/୫୯୪ରୁ ବଙ୍ଗାଳୀ ସଂବତ ବା ସୂର୍ଯ୍ୟ କାଲେଣ୍ଡର, ଓ ତାମିଲ କାଲେଣ୍ଡର, ମାଲୟାଲମ କାଲେଣ୍ଡର ଆଦି । ଶାକା ଏରା ମତରେ ବର୍ଷର ପ୍ରାରମ୍ଭ ଶୁକ୍ଳ ଚୈତ୍ରରୁ ହୋଇଥିବା ବେଳେ ବିକ୍ରମ ସଂବତ ଅନୁସାରେ କାର୍ତ୍ତିକ ମାସରୁ । 

          ଓଡ଼ିଶାର ପଞ୍ଜିକା/ପାଞ୍ଜି ମାଦଳା ପାଞ୍ଜିରୁ ପ୍ରାରମ୍ଭ ହୋଇଥିବା ଜଣାଯାଏ । ଏହି ପାଞ୍ଜିରେ ଓଡ଼ିଶାର ଇତିହାସ ଏବଂ ଜଗନ୍ନାଥ ସଂସ୍କୃତି ଆଦି ବର୍ଣ୍ଣନା ହୋଇଥାଏ । ଏହା ରାଜା ଅନନ୍ତବର୍ମନ ଚୋଡଗଙ୍ଗଦେବଙ୍କ (୧୦୭୮-୧୧୫୦) ପରମ୍ପରାରୁ ପ୍ରାରମ୍ଭ ହୋଇଥିବା ବେଳେ ବାରଶହ ଶତାବ୍ଦୀରୁ ବର୍ଷ-ପରେ-ବର୍ଷ ଧରି ପୁରୀର କରଣମାନଙ୍କ ଦ୍ଵାରା ପ୍ରଚଳିତ ହେଇଆସୁଅଛି। ଏହା ବ୍ୟତୀତ ଅନ୍ୟ ପାଞ୍ଚପ୍ରକାରର ଓଡ଼ିଆ ପାଞ୍ଜି ଅଛି; ତାହାହେଲା ଖଡିରତ୍ନ ପଞ୍ଜିକା, ବିରଜା ପାଞ୍ଜି, ଭାଗ୍ୟୋଦୟ ପାଞ୍ଜି, କୋହିନୂର ପାଞ୍ଜି, ଏବଂ ଗୌଡିଆ ବୈଷ୍ଣବ ପଞ୍ଜିକା। ପଠାଣି ସାମନ୍ତ ଚନ୍ଦ୍ରଶେଖର (୧୮୩୫-୧୯୦୪) ଆମ ଓଡ଼ିଆ ପାଞ୍ଜିକୁ ବୈଜ୍ଞାନିକ ପଦ୍ଧତିରେ ପୁନର୍ଜୀବିତ କରିଥିବା ଇତିହାସରୁ ଜଣାଯାଏ ।